ଉତୁଙ୍ଗ ମଥା ହଲାଇ ନିଜର ସ୍ୱୀକୃତି ଦେଲେ । କାବୁଇ କହିଲେ, “ମହାରାଜ, ଆପଣ ଖାଲି ଥରେ ଅନୁମତି ଦେଲେ, ଉତୁଙ୍ଗଙ୍କୁ ଥରେ ମୋ ବସ୍ତିରେ ମୁଁ ବୁଲାଇ ଆଣିବି । ୟାଙ୍କୁ ଦେଖିଲେ ସେମାନେ ସମସ୍ତେ ଖୁବ୍ ଖୁସି ହେବେ ।”
ରାଜା କହିଲେ “ଅବଶ୍ୟ । କିନ୍ତୁ କାଲି ଭିତରେ ତୁମେ ଦୁହେଁ ଏଠାକୁ ଫେରି ଆସିବ ।”
କାବୁଇ କହିଲେ “ଆଜ୍ଞା ମଣିମା”
ତା’ପରେ ଉତୁଙ୍ଗଙ୍କୁ ନେଇ କାବୁଇ ତାଙ୍କ ଗ୍ରାମରେ ଯାଇ ପହଁଚିଲେ । ସାରା ଗ୍ରାମର ଲୋକେ ତାଙ୍କ ଅପେକ୍ଷାରେ ଥିଲେ । କାବୁଇ ଉତୁଙ୍ଗଙ୍କ ଅଭିଯାନର ସଫଳତା ବିଷୟରେ କହିଲେ । ସେଠାକାର ଲୋକମାନେ ବାଜାବଜାଇ ବହୁତ ନାଚିଲେ ଓ ଗାଇଲେ । ପରେ କାବୁଇ ଉତୁଙ୍ଗଙ୍କୁ ତାଙ୍କ ଘରକୁ ନେଇଗଲେ । କାବୁଇଙ୍କ ସ୍ତ୍ରୀ ଅନେକ ପ୍ରକାରର ରୁଚିକର ଖାଦ୍ୟ ଆଣି ତାଙ୍କୁ ଖୁଆଇଲେ । ରାତ୍ରିରେ ଉତୁଙ୍ଗ ସେହିଠାରେ ରହିଲେ । ସକାଳୁ ଉଠି ସେ ଦେଖିଲେ ଚିତ୍ରା “ଶତାଦ୍ଦିକା” ଗଛରେ ପାଣି ଦେଉଛି ।
ଉତୁଙ୍ଗଙ୍କୁ ଦେଖି ଚିତ୍ରା ପଚାରିଲା, “ତୁମର ନିଜ ରାଜ୍ୟକୁ ଫେରିବା କିଛି ଦିନ ଡେରି ହେଲେ କ’ଣ ଏମିତି କ୍ଷତି ହୁଅନ୍ତା?”
ତହୁଁ ଉତୁଙ୍ଗ କହିଲେ “ମୋର ଏଠାରୁ ଯିବା ଅତ୍ୟନ୍ତ ଜରୁରୀ । ସେମାନେ ସେଠି ବଡ ଉତ୍କଣ୍ଠାର ସହିତ ମୋର ଅପେକ୍ଷାରେ ଥିବେ ।”
ଚିତ୍ରା କହିଲା “ତମେ ଏବେ ସେଠାକୁ ଯାଇ, ପୁଣି ଫେରି ଆସି ଆମ ରାଜ୍ୟର ସେନାମାନଙ୍କର ଦଳନାୟକ ହୋଇ ପାରନ୍ତ ନା?”
ଉତୁଙ୍ଗ ସଂକ୍ଷେପରେ ଉତ୍ତର ଦେଲେ “ଏହା ତ ଆଦୌ ସମ୍ଭବ ନୁହେଁ ।” ଏହାପରେ ସେ ଚିତ୍ରା ତା’ର ଆଖିରୁ ଲୁହ ପୋଛି ପୋଛି ଭିତରକୁ ଚାଲିଗଲା । ଏଣେ ଏ ଉତୁଙ୍ଗ ସମସ୍ତିଙ୍କୁ ନମସ୍କାର କରି କାବୁଇଙ୍କ ସହିତ ରାଜଧାନୀ ଚାଲିଗଲେ ।
ରାଜନଅରରେ ରାଜା ଓ ତାଙ୍କ ପରିବାର ଉତୁଙ୍ଗଙ୍କ ଅପେକ୍ଷାରେ ଥିଲେ । ରାଜାଙ୍କୁ ଉତୁଙ୍ଗ ଓ କାବୁଇ ନମସ୍କାର କଲେ । ରାଜା ସେ ଦୁହିଁଙ୍କୁ ଭିତରକୁ ନେଇଗଲେ; ଭିତରପାଖ ପ୍ରାଙ୍ଗଣରେ ବହୁ ଲୋକ ରୁଣ୍ଡ ହୋଇଥିଲେ ରାଜା ସେଠାରେ ଉତୁଙ୍ଗଙ୍କ ପରିଚୟ ଦେଲେ । ସମସ୍ତେ ଉତ୍ସୁକ ହୋଇ ଉତୁଙ୍ଗଙ୍କ ଆଡେ ଚାହିଁ ରହିଥା’ନ୍ତି । ଉତୁଙ୍ଗ ସମସ୍ତିଙ୍କୁ ଚାହିଁ ଅତି ବିନୟପୂର୍ବକ ନମସ୍କାର କଲେ । ସମସ୍ତେ ବହୁ ସମୟ ପର୍ଯ୍ୟନ୍ତ ଆନନ୍ଦରେ ତାଳି ଦେଲେ ।
ରାଜା ଉତୁଙ୍ଗଙ୍କ ପାଖକୁ ଆସି କହିଲେ, “ଉତୁଙ୍ଗ, ତୁମର ସାହସ ଓ ଦେଶପ୍ରେମ ଅତ୍ୟନ୍ତ ପ୍ରଶଂସନୀୟ ଅଟେ । ଏଣୁ ମୁଁ ତୁମକୁ ଶ୍ରଦ୍ଧାର ସହ ଅଭିନନ୍ଦନ ଜଣାଉଛି ।” ଏତିକି କହି ରାଜା ନିଜ ଗଳାରୁ ସୁନାର ହାର କାଢି ଉତୁଙ୍ଗକୁ ତାହା ପିନ୍ଧାଇ ଦେଲେ ଓ ତାଙ୍କୁ ସ୍ନେହରେ ଆଲିଙ୍ଗନ କଲେ ।
ଉତୁଙ୍ଗ ରାଜା ଓ ରାଣୀଙ୍କୁ ପ୍ରଣାମ କଲେ । ରାଜକୁମାରୀ ମଲ୍ଲିକା ତାଙ୍କୁ ପ୍ରଶଂସା କରି କହିଲେ କି ସେ ତାଙ୍କ ଦେଶକୁ ଦୁଇଜଣ ରାକ୍ଷସଙ୍କ କବଳରୁ ମୁକ୍ତ କଲେ । ତା’ପରେ ଉତୁଙ୍ଗ ସେନାପତିଙ୍କୁ ମଧ୍ୟ ନମସ୍କାର କଲେ । ସେନାପତି କହିଲେ, “ରାକ୍ଷସଜନ୍ତୁକୁ ଆମେ ସମୁଦ୍ର ତୀରରେ ପୋତି ପକାଇଛୁ । ଦୁଇଟି ନୌକାରେ ଆଗରୁ ସୈନିକମାନେ ତୁମ ସହିତ ଯିବେ । ସେମାନେ ସମୁଦ୍ର କୂଳରେ ତୁମପାଇଁ ଅପେକ୍ଷା କରି ରହିଛନ୍ତି । କାବୁଇ ତୁମ ସହିତ ସମୁଦ୍ରତଟ ପର୍ଯ୍ୟନ୍ତ ଯାଇ ତୁମକୁ ବିଦାୟ ଦେବେ । ତୁମ ରାଜାଙ୍କୁ ଆମପଟରୁ ଶୁଭେଚ୍ଛା ଜଣାଇବ ।”
ଉତୁଙ୍ଗ ପୁଣି ଆଉ ଥରେ ସମସ୍ତିଙ୍କୁ ପ୍ରଣାମ କରିବା ପରେ କାବୁଇଙ୍କ ସହିତ ଗଲେ । ସମୁଦ୍ରତଟରେ ପହଁଚି ସେମାନେ ଦେଖିଲେ ଯେ, ଦୁଇଟି ନୌକା ଫୁଲପତ୍ରରେ ସଜା ହୋଇଛି । ସେ ନୌକାରେ ଅନେକ ଉପହାର ଓ ଫଳ, ଖାଦ୍ୟସବୁ ଭର୍ତ୍ତି ହୋଇଛି ।
କାବୁଇଙ୍କର ଝିଅ ଚିତ୍ରା ତା’ର ସାଙ୍ଗସାଥି ଧରି ସେଠାକୁ ଆସିଲା ଓ “ଶତାଦ୍ଦିକା” ପୁଷ୍ପକୁ ଦେଖାଇ କହିଲା “ଲହରୀମାଳା ଏସବୁ ଫୁଲକୁ କୂଳକୁ ନେଇ ଆସିଥିଲେ, ଏସବୁ ଆମକୁ ଏହିଠାରେ ମିଳିଛି ।”
“ବହୁତ ଭଲ କଥା । ଏହି ଫୁଲରୁ କିଛି ରାଜକୁମାରୀଙ୍କୁ ମୋ ତରଫରୁ ଦେଇ ଦେବ, ଆଉ କିଛି ତୁମେ ଓ ତୁମର ସାଥୀମାନେ ନିଜ ପାଖରେ ରଖିବ ।” ଏତିକି କହି ଉତୁଙ୍ଗ ନୌକା ଉପରକୁ ଗଲେ ।
କାବୁଇ ଶେଷଥର ପାଇଁ ତାଙ୍କୁ ଆଲିଙ୍ଗନ କଲେ । ତା’ପରେ ଉତୁଙ୍ଗ ନୌକାରେ ବସିବା ମାତ୍ରେ ତାଙ୍କ ନୌକା ଓ ସୈନିକମାନଙ୍କ ନୌକା ଚାଲିବାକୁ ଆରମ୍ଭ କଲା । ସଂଧ୍ୟା ପୂର୍ବରୁ ତାହା ମାଣିକ୍ୟପୁରୀରେ ଯାଇ ପହଁଚିଲା । ସମୁଦ୍ରକୂଳରେ ପହରା ଦେଉଥିବା ସିପାହୀମାନେ ଶୀଘ୍ର ଏ ଖବର ସେନାପତି ଗମ୍ଭୀରବର୍ମାଙ୍କୁ ଯାଇ କହିଲେ । ସେନାପତି ରାଜାଙ୍କ ନିକଟକୁ ଖବର ପଠାଇ ଦେଇ ନିଜେ ଉତୁଙ୍ଗଙ୍କୁ ସ୍ୱାଗତ କଲେ । ଉତୁଙ୍ଗ କହିଲେ, “ରାକ୍ଷସଜନ୍ତୁ ମରିଗଲା ।”