ସେନାପତି ଅବିଶ୍ୱାସ ସ୍ୱରରେ ପଚାରିଲେ, “ତମେ ତାକୁ ମାରିଦେଲ?” ତା’ପରେ ଉତୁଙ୍ଗ କହିଲେ “ନା, ମୁଁ ନୁହେଁ । ମୁଁ ସବୁକଥା ପରେ କହିବି । ଏବେ କୁହନ୍ତୁ ରାଜା, ରାଜକୁମାରୀ ଓ ମୋ ଭଉଣୀ ଭଲରେ ଅଛନ୍ତି ତ?”
ଏହାପରେ କୁଶଳସମ୍ବାଦ ସବୁ ଜାଣିବା ପରେ ସେମାନେ ରାଜଭବନ ଆଡେ ଚାଲିଲେ । ଉତୁଙ୍ଗ ସମସ୍ତ ବୃତାନ୍ତ ସେନାପତିଙ୍କୁ କହିଲେ ।
ସେମାନେ ରାଜଭବନରେ ପହଁଚି ଦେଖିଲେ ରାଜା, ରାଜକୁମାରୀ ଓ ଭଉଣୀ ରଜନୀ ସେଠାରେ ତାଙ୍କୁ ପ୍ରତୀକ୍ଷା କରି ରହିଛନ୍ତି । “ମା ଦୁର୍ଗା ତୁମକୁ ରକ୍ଷା କରନ୍ତୁ ।” ଏତିକି କହି ରାଜା ତାଙ୍କ ହାତ ଧରି ତାଙ୍କୁ ଭିତରକୁ ନେଇଗଲେ ।
ରାଜକୁମାରୀ ପ୍ରିୟମ୍ବଦା କହିଲେ “ରାକ୍ଷସଜନ୍ତୁର ଭୟରୁ ଆମେ କିପରି ମୁକ୍ତ ହେଲୁ ତାହା ତୁମରି ମୁହଁରୁ ଆମେ ଶୁଣିବାକୁ ଚାହୁଁ ।” ରାଜା କହିଲେ, “ଶମ୍ଭୁକୁ ଖବର ଦିଆଯାଇଛି, ସେ ମଧ୍ୟ ଶୀଘ୍ର ଆସିଯିବେ ।”
ପରଦିନ ରାଜଗୁରୁ ଗୌରୀନାଥ ଉତୁଙ୍ଗଙ୍କଠାରୁ ସବୁ ଶୁଣି କହିଲେ, “ରାକ୍ଷସଜନ୍ତୁର ମୃତ୍ୟୁ ପରେ ଏବେ “ଶତାଦ୍ଦିକା” ଫୁଲ ମଧ୍ୟ ଶାପମୁକ୍ତ ହୋଇଗଲା । ଏଣିକି ସେହି ଫୁଲ ପ୍ରତିବର୍ଷ ଫୁଟିବ ।”
ରାଜକୁମାରୀ ପଚାରିଲେ “ଏବେ ସେହି ପୁଷ୍ପ ଆମେ ଆମ ବଗିଚାରେ ବିକାଶିତ କରିପାରିବା ନା?”
ତାଙ୍କର ଏକଥାରେ ଗୌରୀନାଥ ଅଳ୍ପ ହସି କହିଲେ, “ନିଶ୍ଚୟ ।”
ରାଜା କହିଲେ, “ତୋର ଯାହା ଇଚ୍ଛା ତୁ ତାହା କରିବୁ । କିନ୍ତୁ ସେହି ମୂଲ୍ୟବାନ୍ ପୁଷ୍ପ ସହିତ ଆଉ ଏକ ମୂଲ୍ୟବାନ୍ ଉପହାର ମଧ୍ୟ ମୁଁ ତୋତେ ଦେଉଛି ।”
ରାଜାଙ୍କ ଏଭଳି କଥାଶୁଣି ପ୍ରିୟମ୍ବଦା ଆଶ୍ଚର୍ଯ୍ୟ ହୋଇ ତାଙ୍କୁ ଚାହିଁ ରହିଲେ । ରାଜା କହିଲେ, “ତୋର ବିବାହ ମୁଁ ଉତୁଙ୍ଗ ସହିତ କରିବାକୁ ଚାହେଁ । ସେ ରାଜ୍ୟ ପାଇଁ ନିଜର ପ୍ରାଣକୁ ଉତ୍ସର୍ଗ କରିବାକୁ ମଧ୍ୟ ପଛଘୁଂଚା ଦେଇନାହିଁ । ତା’ର ଦେଶ ପ୍ରେମ ଅତୁଳନୀୟ । ବୀରତ୍ୱ ଅସାମାନ୍ୟ । ତା’ର ଚରିତ୍ର ନିଷ୍କଳଙ୍କ । ତା’ର ବ୍ୟକ୍ତିତ୍ୱ ଅତି ମହାନ୍ । ତା’ଠାରୁ ଅଧିକ ଯୋଗ୍ୟ ବରପାତ୍ର ଆଉ କେହିବି ହୋଇ ପାରେନା । ତେଣୁ ମୋ ଇଚ୍ଛା ପୂରଣ କରିବା ଦିଗରେ ତୁମେ ଦୁହେଁ ସମ୍ମତ ତ?”
ପିତାଙ୍କ ଅଭିଳାଷ ଜାଣି ପ୍ରିୟମ୍ବଦା ସଲ୍ଲଜ ଭାବରେ ମଥା ତଳକୁ କଲେ । ରଜନୀ ଆନନ୍ଦରେ ଗଦ୍ଗଦ ହୋଇ ପ୍ରିୟମ୍ବଦାଙ୍କ ହାତକୁ ନେଇ ତାଙ୍କ ଭାଇର ହାତରେ ଦେଲା । ଏଥର ସମସ୍ତେ ଖୁସିରେ ତାଳି ମାରିଲେ ।