ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବିଚିତ୍ର ପୁଷ୍ପ

                ଉତୁଙ୍ଗ ପଚାରିଲେ “ତେବେ ଏ ରାଜ୍ୟର ସେନାପତି କିଏ?”

                “ଦୁର୍ଜୟସିଂହ ଆମର ସେନାପତି । ବାବାଙ୍କର କୌଣସି ପୁତ୍ର ସନ୍ତାନ ନଥିବାରୁ ତାଙ୍କର ଇଚ୍ଛା ମୋତେ ଏ ରାଜ୍ୟର ରାଣୀ କରିବେ । ବାବାଙ୍କର ଭୟ ଯେ ନାଗସିଂହ ହୁଏତ ଆମ ରାଜ୍ୟର ବା ପ୍ରଜାଙ୍କର କିଛିବି କ୍ଷତି କରି ପାରେ । ରାଜ୍ୟରେ ଯେପରି କୌଣସି ଅଶାନ୍ତି ନ ଘଟୁ । ଏସବୁ ମୁଁ ମୋ ମା’ଙ୍କ ପାଖରୁ ଶୁଣିଛି ।”

                ଉତୁଙ୍ଗ ପଚାରିଲେ “ଆପଣଙ୍କ ପିତା ପ୍ରଜାଙ୍କର ପ୍ରିୟ ରାଜା, ତାଙ୍କର ଅନ୍ୟମାନେ କେହି କିଛିବି କ୍ଷତି କରିପାରିବେ ନାହିଁ । ଏବେ କୁହନ୍ତୁ ନାଗସିଂହ କେଉଁଠି ଅଛନ୍ତି?”

ରାଜକୁମାରୀ କହିଲେ “ବାବାଙ୍କ ପ୍ରସ୍ତାବ ଅନୁସାରେ ସେନାପତି ତାଙ୍କୁ କିଛି ସୈନ୍ୟ ଦେଇ ଉତ୍ତର ପ୍ରାନ୍ତକୁ ପଠାଇଛନ୍ତି । କିନ୍ତୁ ମୋ ମା’ କୁହନ୍ତି ସେ ଖାଲିଟାରେ ବସିବାବାଲା ଲୋକ ନୁହଁନ୍ତି । ରାଜଗାଦି ପାଇବା ପାଇଁ ସେ ହୁଏତ କିଛି ନା କିଛି ଷଡଯନ୍ତ୍ର ନିଶ୍ଚୟ କରୁଛନ୍ତି । ତେଣୁ ତୁମେ ଯଦି ଏଠାରେ ଆଉ କିଛିଦିନ ରୁହନ୍ତ ତେବେ ବହୁତ ଭଲ ହୁଅନ୍ତା ।” ଉତୁଙ୍ଗ କହିଲେ “ନିଶ୍ଚୟ, ଆପଣଙ୍କ କଥା ଶିରୋଧାର୍ଯ୍ୟ । ମୁଁ ଯେଉଁ ଜରୁରୀ କାମରେ ଯାଉଛି ତାହା ଶେଷ କରି ଏଠାକୁ ଆସିବି । ମହାରାଜ ମଧ୍ୟ କହିଛନ୍ତି ମୋ କାର୍ଯ୍ୟରେ ସେ ମୋତେ ସାହାଯ୍ୟ କରିବେ ।”

ରାଜକୁମାରୀ କହିଲେ “କିନ୍ତୁ ମୁଁ ତୁମକୁ ଏକଥା କହିଛି ବୋଲି ଯେପରି ଅନ୍ୟ କେହି ମଧ୍ୟ ନଜାଣେ । ତୁମକୁ ଏ ସଂକ୍ରାନ୍ତରେ କୌଣସି ନୂଆ ଖବର ମିଳିବ ତ ମୋତେ ଜଣାଇବ । ଏବ ତୁମେ ଏଠୁ ଯାଇପର ।”

ସିପାହୀ ସହିତ ଉତୁଙ୍ଗ ଅତିଥିଗୃହକୁ ଫେରିଲେ । ସେଠାରେ କାବୁଇ ତାଙ୍କୁ ଅପେକ୍ଷା କରି ରହିଥିଲେ । ସେ କିଛି ପଚାରିବା ପୂର୍ବରୁ ଉତୁଙ୍ଗ କହିଲେ, “ରାଜକୁମାରୀ “ଶତାଦ୍ଦିକା” ପୁଷ୍ପ ବିଷୟରେ ଅନେକ ପ୍ରଶ୍ନ କଲେ । ମନେ ହେଲା ଆମେ ରାଜାଙ୍କ ସହିତ କଥାବାର୍ତ୍ତା ହେବାବେଳେ ସେ କିଛିଟା କଥା ଶୁଣି ପାରିଛନ୍ତି । ମୁଁ କେବଳ ତାଙ୍କୁ ଏତିକି କହିଲି ଯେ ସେହି ସୁନ୍ଦର ଓ ସୁଗନ୍ଧପୂର୍ଣ୍ଣ ପୁଷ୍ପ ଶହେବର୍ଷରେ ଥରେ ଫୁଟେ ।

କାବୁଇ ତାଙ୍କୁ ପ୍ରଶଂସା କରି କହିଲେ, “ଠିକ୍ କହିଛ ।” ପରଦିନ ସକାଳୁ ଦୁହେଁ ରାଜାଙ୍କୁ ଦର୍ଶନ କରିବାକୁ ଗଲେ । ତାଙ୍କୁ ଦେଖିବା ମାତ୍ରେ ରାଜା କହିଲେ, “ଆମେ କାଲି ଯାହା ବିଚାର କରିଥିଲେ ତାହାହିଁ ହେବ । ଉତୁଙ୍ଗଙ୍କ ସହ ନାଗସିଂହ ଓ କେତେକ ବୀର ସୈନିକ ଯିବେ । ତେବେ ନାଗସିଂହ ଏବେ ଉତ୍ତର ସୀମାରେ ଅଛି । ଏଠାରେ ଆସି ପହଁଚିବାକୁ ତାକୁ ଦୁଇ ଦିନ ସମୟ ଲାଗିବ । ଉତୁଙ୍ଗ ଏଇଠି ଥା’ନ୍ତୁ । ତୁମେ ମଧ୍ୟ ରହି ପାର, କିମ୍ବା ଯଦି ଚାହଁ ତ ନିଜ ଘରକୁ ମଧ୍ୟ ଫେରି ଯାଇପାର ।”

କାବୁଇ, ରାଜା ଓ ଉତୁଙ୍ଗଙ୍କଠାରୁ ବିଦାୟ ନେଇ ନିଜ ଘରକୁ ଫେରିଲେ । ଉତୁଙ୍ଗ ନଗରୀ ଦେଖିବାକୁ ଗଲେ । ରାସ୍ତା ଘାଟ ସଫାସୁତୁରା ଥିଲା ଓ ବେଶ୍ ବଡ ବଡ ଘର ଓ କୋଠା ଥିଲା । ସେ ଭାବିଲେ ଏହା ଏକ ସମୃଦ୍ଧିଶାଳୀ ନଗର । ଲୋକମାନେ ମଧ୍ୟ ଶାନ୍ତି ସନ୍ତୋଷରେ ଅଛନ୍ତି । କିନ୍ତୁ ନାଗସିଂହ ଯେକୌଣସି ମୁହୂର୍ତ୍ତରେ ବିପଦ ଘଟାଇ ପାରେ । ସଂଧ୍ୟାସୁଦ୍ଧା ସେ ଅତିଥି ଭବନକୁ ଫେରି ଆସିଲେ । ଏମିତି ଦୁଇଦିନ କଟିଗଲା ।

ତୃତୀୟ ଦିନ ରାଜକୁମାରୀ ପୁଣି ଉତୁଙ୍ଗଙ୍କୁ ଡକାଇ ପଠାଇଲେ । ଉତୁଙ୍ଗଙ୍କୁ ଦେଖିବାମାତ୍ରେ ସେ ରାଜକୁମାରୀ କହିଲେ, “ମୋର ମାମୁଁ ନାଗସିଂହ ଏଠାକୁ ଆସୁଛନ୍ତି । ତୁମ ସହିତ ସେ ଯିବେ । କିନ୍ତୁ ସାବଧାନ ରହିବ ଯେ ତୁମକୁ ବାବାଙ୍କର ବିଶ୍ୱସ୍ତ ଜାଣିଲେ ସେ ମୋଟେ ଅଧିକ କଥାବାର୍ତ୍ତା ମଧ୍ୟ କରିବେ ନାହିଁ । ତମେ କିନ୍ତୁ ତାଙ୍କ ସହିତ ମିଳିମିଶି ତାଙ୍କ ପାଖରୁ ଖବର ସଂଗ୍ରହ କରିବ । ତୁମର ମହାନ କାର୍ଯ୍ୟ ସରିବା ମାତ୍ରେ ତୁମେ ଏଠାକୁ ଆସିବାକୁ ଯଥା ସମ୍ଭବ ଚେଷ୍ଟା କରିବ ।”

ଉତୁଙ୍ଗ କହିଲେ “ମୁଁ ତ ଏଠାକୁ ପ୍ରଥମେ ନିଶ୍ଚୟ ଫେରିବି । ଏଠାକାର ପରିସ୍ଥିତି ସବୁ ଠିକ୍ କରିବାପରେ ଯାଇ ମୁଁ ମୋ ନିଜ ସ୍ଥାନକୁ ଫେରିବି ।”

ରାଜକୁମାରୀ କହିଲେ “ତୁମେ ଚତୁରତାର ସହିତ, ନାଗସିଂହଙ୍କ ଠାରୁ ଖବର ସଂଗ୍ରହ କରି ତା’ର ଷଡଯନ୍ତ୍ର ଯେପରି ବିଫଳ ହେବ ସେପରି କିଛି ଚେଷ୍ଟା କରିବ । ଏହି କଥା କହିବାକୁ ତୁମକୁ ମୁଁ ଡାକିଥିଲି । ଏବେ ତୁମେ ଏଠୁ ଯାଇପାର ।” ଏହାପରେ ଉତୁଙ୍ଗ ଅତିଥିଗୃହକୁ ଫେରି ଆସିଲେ । ସେହିଦିନ ନାଗସିଂହ ଉତ୍ତରସୀମାରୁ ଫେରି ସିଧା ସେନାପତିଙ୍କ ପାଖକୁ ଯାଇ ପଚାରିଲେ, “ହଠାତ୍ ଏତେ ଶୀଘ୍ର କାହିଁକି ମୋତେ ଡକା ହୋଇଛି କହି ପାରିବେ କି?”

ସେନାପତି ଦୁର୍ଜୟ କହିଲେ, “ଉତୁଙ୍ଗ ନାମକ ଏକ ଯୁବକ ମାଣିକ୍ୟପୁରୀରୁ ଶତାଦ୍ଦିକା ପୁଷ୍ପ ନେଇ ଆସିଛନ୍ତି । ତାଙ୍କୁ ସମୁଦ୍ରରେ କିଛି ଦୂର ଯିବାକୁ ହେବ । ରାଜାଙ୍କର ଇଚ୍ଛା ଯେ ତୁମେ କେତେକ ସିପାହି ଧରି ତାଙ୍କ ସହିତ ଯିବ ଓ ଦରକାର ବେଳେ ତୁମେ ତାଙ୍କୁ ସହାୟତା କରିବ ।”

ନାଗସିଂହ ବ୍ୟଙ୍ଗ କରି କହିଲେ “ଯିଏ ଏତେ ଦୂର ଏକେଲା ଆସିଛି, ସିଏ ଆଉ ଅଳ୍ପ ଦୂର ପାଇଁ କାହିଁକି ଡରିବ?”

ସେନାପତି କହିଲେ “ତମେ ଠିକ୍ କହିଛ । ସେ ନିଜେ ଏକେଲା ଯିବାକୁହିଁ ମନସ୍ଥ କରିଥିଲେ । ସେ ଜଣେ ରାକ୍ଷସଜନ୍ତୁକୁ ଖୋଜିବାକୁ ଯାଉଛନ୍ତି । ଶୁଣିଛି ମାଣିକ୍ୟପୁରୀ ରାଜ୍ୟରେ ରାକ୍ଷସଜନ୍ତୁ ଉପଦ୍ରବ କରୁଛି । ସେଠାକୁ ସେ ଯେପରି ନଯିବ ଓ କୌଣସି ଉପଦ୍ରବ କରିବ ନାହିଁ, ସେଥିପାଇଁ କିଛି “ଶତାଦ୍ଦିକା” ଫୁଲଧରି ସେ ଆସିଛନ୍ତି । ସେମାନଙ୍କର ଧାରଣା ରାକ୍ଷସଜନ୍ତୁ ଶତାଦ୍ଦିକା ପୁଷ୍ପ ପ୍ରତି ଆକୃଷ୍ଟ । ସେତକ ପାଇଲେ ସେ ସନ୍ତୁଷ୍ଟ ହୋଇଯିବ । ତାଙ୍କର ବୀରତ୍ୱ ଦେଖି ଆମ ରାଜା ବହୁତ ଖୁସି ହୋଇଛନ୍ତି । ଆମ ରାଜାହିଁ ପ୍ରସ୍ତାବ ଦେଲେ କି ତାଙ୍କ ସହିତ ତୁମେ ଓ କେତେକ ସୈନ୍ୟ ସହାୟତା କରିବାକୁ ଯିବ ।”

“ଆପଣ କିପରି ଏହା ବିଶ୍ୱାସ କଲେ ଯେ ପାହାଡି ଜାତିର ଜଣେ ଯୁବକ ରାକ୍ଷସଜନ୍ତୁକୁ ଖୋଜିବାପାଇଁ କେବଳ ଏତେ ଦୂର ଏକେଲା ଆସିଛି?”

                ସେନାପତି କହିଲେ, “ମାଣିକ୍ୟପୁରୀରୁ ସେ ଏକେଲା ଆସିଛନ୍ତି । ଆମେ ତାଙ୍କୁ ସହାୟତା କଲେ କାମଟି ସୁରୁଖୁରୁରେ ହେବ । ଯାହାହେଉ ତାହାହିଁ ରାଜାଙ୍କ ଆଦେଶ ।”

ନାଗସିଂହ କହିଲେ, “ଆପଣଙ୍କ ଆଜ୍ଞା ଶିରୋଧାର୍ଯ୍ୟ । କିନ୍ତୁ ମୁଁ କିପରି ସେହି ଯୁବକଙ୍କ ସହିତ ଦେଖା କରିବି?”

ସେନାପତି କହିଲେ, “କାଲି ତୁମେ ଏହି ସମୟରେ ଏହିଠାରେ ତାଙ୍କୁ ପୁଣି ଦେଖା କରି ପାରିବ । ତୁମେ ଏବେ ଏଠୁ ଯାଇପାର ।” ଏଥିଉତାରେ ନାଗସିଂହ ଉଠିପଡି ସେଠାରୁ ପଳାଇଲେ ।

ପରଦିନ ସେନାପତିଙ୍କୁ ରାଜା ଡକାଇ ପଠାଇଲେ । ସେନାପତି ରାଜାଙ୍କ ପାଖରେ ପହଁଚି ଦେଖିଲେ ରାଜା ବହୁତ ଗମ୍ଭୀର । ରାଜକୁମାରୀଙ୍କ ମୁହଁ ଦୁଃଖରେ ଭରା । ସେନାପତି ଉତ୍କଣ୍ଠିତ ହୋଇ ପଚାରିଲେ, “ମହାରାଜ, କ’ଣ ହେଲା?”

ରାଜା ବଡ ବ୍ୟସ୍ତହୋଇ ପଚାରିଲେ “ଶତାଦ୍ଦିକା ପୁଷ୍ପ କିଏ ନେଇ ଯାଇଛି । କେଉଁ ଦୁଷ୍ଟ ରାଜକୁମାରୀଙ୍କ ଘରେ ପ୍ରବେଶ କରି ପୁଷ୍ପସବୁ ନେବାର ଦୁଃସାହସ କଲା? ଅବଶ୍ୟ ପରିଚାରିକାମାନେ ମଧ୍ୟ ପୁଷ୍ପର ସୁଗନ୍ଧ ଦ୍ୱାରା ଆକର୍ଷିତ ହୋଇଥିବେ । କିନ୍ତୁ ପଚାରି ବୁଝାଗଲା ଯେ ସେମାନେ ଏତେ ସାହସ କରି ନାହାଁନ୍ତି । ଯିଏବି ଏହି କାର୍ଯ୍ୟ କରିଛି ସେ ବଡ ସାବଧାନତାର ସହିତ କାମଟି କରିଛି । କିନ୍ତୁ କିଏ ସେହି ପାମର?”

ସେନାପତି କହିଲେ “ରାଜଭବନର ସମସ୍ତ କକ୍ଷ, ଦ୍ୱାର ଇତ୍ୟାଦି ଭଲଭାବରେ ଜାଣିଥିବା ଲୋକ ନିଶ୍ଚୟ ଏପରି କରିଛି । ରାକ୍ଷସଜନ୍ତୁ ତ ଏଠାକୁ ଆସିବାର କୌଣସି ପ୍ରଶ୍ନହିଁ ଉଠୁ ନାହିଁ ।”

ରାଜକୁମାରୀ କହିଲେ “ରାକ୍ଷସଜନ୍ତୁ? ସିଏ ପୁଣି କ’ଣ? ଏତେ କଥା ସବୁ ଶୁଣି ମୋ ମୁଣ୍ଡ ବୁଲେଇ ଯାଉଛି । ମୁଁ କିଛି ବୁଝିପାରୁନାହିଁ ।”

ରାଜା କହିଲେ “ଝିଅ, ବ୍ୟସ୍ତ ହୁଅନା, ପରେ ମୁଁ ସବୁ କଥା ବୁଝାଇ ଦେବି । ଏବେ ଚିନ୍ତାର ବିଷୟ ଏହି ଯେ ଆମେ ପୁଣି କିପରି ସେସବୁ ଫେରି ପାଇବା ।”

ସେନାପତି କହିଲେ “ମହାରାଜ, ଏ ବିଷୟରେ ଖବର ସଂଗ୍ରହ କରିବାକୁ ମୁଁ ଏବେହିଁ ଆମ ସୈନିକମାନଙ୍କୁ ପଠାଉଛି । ଫୁଲଗୁଡିକ ଯେଉଁଠି ଥିବ ସୁଗନ୍ଧରୁ ତାହା ଜାଣି ହେବ । କେଉଁମାନେ ଏଠାକୁ ଆସନ୍ତି ଦେଖି ବାହାର କରିବାକୁ ହେବ । କାଲି ନାଗସିଂହ ପହଁଚିଛନ୍ତି । ସେ ଓ କେତେକ ସେନା ଉତୁଙ୍ଗଙ୍କ ସହ ଯିବେ ବୋଲି ନିଜର ସମ୍ମତି ପ୍ରଦାନ କରିଛନ୍ତି ।”

ରାଜା କହିଲେ “ନାଗସିଂହ ଆସିଯାଇଛନ୍ତି? କାଲିଠାରୁ ରାଜଧାନୀରେ ସେ ଅଛନ୍ତି । ବାସ୍ ବାସ୍ । ଆଚ୍ଛା, ଏବେ ତୁମେ ଅପହୃତ ପୁଷ୍ପସବୁକୁ ଉଦ୍ଧାର କର । ପରେ ଆଲୋଚନା କରି ଠିକ୍ କରିବା କେବେ ଉତୁଙ୍ଗଙ୍କର ଶୁଭ ଯାତ୍ରା ଆରମ୍ଭ ହେବ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ