(“ଶତାଦ୍ଦିକା ଫୁଲକୁ ନେଇ ଉତୁଙ୍ଗ ସମୁଦ୍ର ଭିତରକୁ ଗଲେ । ସେଠାରେ ସେ ରାକ୍ଷସ ଜନ୍ତୁକୁ ଦେଖିଲେ । ସେ ଏକ ଉପକୂଳରେ ପହଁଚିଲେ । ଗୋଟାଏ ବଡ ଲହଡି ତାଙ୍କୁ ଓ ତାଙ୍କର ନୌକାକୁ କୂଳର ପଥର ଉପରେ ନେଇ ଫିଙ୍ଗି ଦେଲା । ସେ ସେଠାରେ କ୍ଳାନ୍ତ ହୋଇ ଶୋଇଥିଲେ । ସକାଳେ ପାହାଡି ଜାତିର ଯୁବତୀମାନେ ଶତାଦ୍ଦିକା ଫୁଲ କିଛି ନେଇ ଗଲେ ଓ ତାଙ୍କୁ ଇଶାରା କରି ଗ୍ରାମକୁ ଡାକିନେଲେ । ଉତୁଙ୍ଗ ଗ୍ରାମରେ ଯାଇ ପହଁଚିଲେ । ଏଣିକି ଆଗକୁ ପଢନ୍ତୁ ।”)
ପଡିଥିବା ମସିଣାରେ ବସିବାକୁ ଦେଖାଇ ସେହି ହୃଷ୍ଟପୁଷ୍ଟ ଲୋକଟି କହିଲେ, “ଶୃଙ୍ଗମାୟ ପାର୍ବତୀୟ ପ୍ରଦେଶରୁ ଏତେ ଦୂର କିପରି ଆସିଲ?”
ମସିଣାରେ ବସୁ ବସୁ ଉତୁଙ୍ଗ କହିଲେ, “ମାଣିକ୍ୟପୁରୀର ଦକ୍ଷିଣ ପଟରୁ ମୁଁ ନୌକାରେ ବାହାରିଲି । ସକାଳେ ସମୁଦ୍ରରେ ଏକ ବଡ ଲହଡି ଦ୍ୱାରା ଠେଲି ହୋଇ ଯାଇ ତଟରେ ପଡିଲି । ମୁଁ ଏଠାକୁ ଇଚ୍ଛା କରି ଆସିନାହିଁ ।”
ଇତିମଧ୍ୟରେ ଜଣେ ପ୍ରୌଢା ଭଦ୍ର ମହିଳା ଆସିଲେ ଓ ସେ ଦୁଇ ଜଣଙ୍କ ଆଗରେ ଦୁଇଟି ଖାଦ୍ୟପୂର୍ଣ୍ଣ ଥାଳୀ ରଖି ଚାଲିଗଲେ । ଅନ୍ୟ ବ୍ୟକ୍ତିଟି ଉତୁଙ୍ଗକୁ କହିଲେ, “ଖାଇବା ଆରମ୍ଭ କର ।” ତା’ପରେ ସେ ମଧ୍ୟ ଥାଳୀଟିଏ ହାତକୁ ନେଲେ ।
ସେ କହିଲେ, “ଏଠାକୁ କେବେ ଆସିଲ?” ଉତୁଙ୍ଗ କହିଲେ, “ମୁଁ ଆସି ନାହିଁ । ମୋତେ ଅଣା ହୋଇଛି ।”
ସେ ପଚାରିଲେ, “ଏଠାକୁ କିଏ ଆଣିଲା?” ଉତୁଙ୍ଗ କହିଲେ, “ସମୁଦ୍ରର ଢେଉ ମୋତେ ଓ ନୌକାକୁ ତଟ ଉପରେ ଫିଙ୍ଗିଦେଲା । ମୁଁ ବହୁତ କ୍ଳାନ୍ତ ହୋଇଥିବାରୁ ଶୋଇ ପଡିଥିଲି । ହଠାତ୍ ବାଳିକାମାନଙ୍କର ହସ ଶବ୍ଦରେ ଉଠି ପଡି ଦେଖିଲି, ଏଇ ଗ୍ରାମର କେତେଗୁଡିଏ ଝିଅ ମୋତେ ଘେରି ଠିଆ ହୋଇ ହସୁଛନ୍ତି । ସେମାନେ, ମୁଁ ଆଣିଥିବା ଫୁଲସବୁ ନୌକାରୁ ସଂଗ୍ରହ କରି ଧରିଥା’ନ୍ତି । ମୁଁ ସେମାନଙ୍କ ଭାଷା ବୁଝି ପାରିଲି ନାହିଁ । କିନ୍ତୁ ସେମାନଙ୍କ ଅଙ୍ଗ ଭଙ୍ଗୀରୁ ବୁଝିଲି ଯେ ସେମାନେ ମୋତେ ଗ୍ରାମକୁ ଡାକୁଛନ୍ତି । ତେଣୁ ମୁଁ ତାଙ୍କ ପଛେ ପଛେ ଆସିଲି ।”
ଇତି ମଧ୍ୟରେ ପୂର୍ବୋକ୍ତ ମହିଳାଟି ଫୁଲ ଗୁଡିକ ଏକାଠି କରି ଆଣି ସେହି ବ୍ୟକ୍ତିର ସମ୍ମୁଖରେ ରଖି କହିଲା, “କାବୁଇ, ଏଇ ଫୁଲଗୁଡିକ ଝିଅମାନେ ଏହି ପିଲାର ନୌକାରୁ ଆଣିଛନ୍ତି । ଦେଖତ କେତେ ସୁନ୍ଦର ଫୁଲ ।” ସେ କହିଲେ, “ଫୁଲ ତ ନିଶ୍ଚୟ ସୁନ୍ଦର । କିନ୍ତୁ ଝିଅମାନେ ସେସବୁ କାହିଁକି ନେଇ ଆସିଲେ?”
ମହିଳା ଜଣକ କହିଲେ “ଫୁଲର ଚମତ୍କାର ସୁଗନ୍ଧ । ସେମାନଙ୍କୁ ଭଲ ଲାଗିଲା, ସେଇଥିପାଇଁ ନେଇ ଆସିଲେ ।”
ବ୍ୟକ୍ତି କହିଲେ “ଏହି ଯୁବକଟି ଫୁଲଗୁଡିକ କେଉଁଠାକୁ ନେଇଯାଉଥିଲେ । ସେଗୁଡିକ ନେଇ ଆସି ସେମାନେ କିଛିବି ଭଲ କାମ କରିନାହାଁନ୍ତି ।” ସେମାନଙ୍କର କଥାବାର୍ତ୍ତାରୁ ଉତୁଙ୍ଗ ଯାହା ଠଉରାଇଲେ, ସେଥିରୁ ଜାଣି ପାରିଲେ ଯେ ସେଠାକାର ପ୍ରଧାନ ବ୍ୟକ୍ତି ହେଲେ କାବୁଇ ।
ଉତୁଙ୍ଗ କହିଲେ “ଏହାକୁ “ଶତାଦ୍ଦିକା” ଫୁଲ କୁହାଯାଏ । ବହୁତ ଏକ ଜରୁରୀ କାମ ସକାଶେ ଏହାକୁ ମୁଁ ନେଇ ଯାଉଥିଲି ।”
କାବୁଇ କହିଲେ, “ଆମର ଏହି ଅଂଚଳର ନାମ ନାଗପୁର; ଏହା ମାଣିକ୍ୟପୁରୀର ନିକଟରେ ହିଁ ଅବସ୍ଥିତ । ତୁମେ ଏଠାରୁ ଆଉ କେତେ ଦୂର ଯିବ? ସେଠାରେ ପହଁଚିବା ପର୍ଯ୍ୟନ୍ତ ଫୁଲଗୁଡିକୁ ସୁରକ୍ଷା କରାଯିବ ତ?”
ଉତୁଙ୍ଗ ଭାବିଲେ ଏବେ କଥା ଲୁଚାଇ ଆଉ କିଛି ମଧ୍ୟ ଲାଭ ନାହିଁ । ତେଣୁ ସେ ତାଙ୍କର ଯାତ୍ରା ଓ ଅଦ୍ଭୁତ ଲକ୍ଷ୍ୟ ବିଷୟରେ କାବୁଇଙ୍କୁ ସଂକ୍ଷେପରେ ସବୁ କହିଲେ ।
ସବୁକିଛି ଶୁଣି ସାରିବା ପରେ କାବୁଇ କହିଲେ, “ସମୁଦ୍ରରେ ଥିବା ଜଳରାକ୍ଷସକୁ ସାମନା କରିବାକୁ ତୁମେ ପ୍ରସ୍ତୁତ ଅଛ । ପ୍ରକୃତରେ ତୁମର ସାହସ ବହୁତ ପ୍ରଶଂସନୀୟ । ବିପଦରେ ପଡିଥିବା ତୁମ ରାଜ୍ୟର ପ୍ରଜାମାନଙ୍କୁ ବିପଦରୁ ଉଦ୍ଧାର କରିବା ପାଇଁ ଯେଉଁ ସଂକଳ୍ପ ନେଇଛ, ତାହା ଅତି ଉତ୍ତମ । ତୁମେ ଜଣେ ଆଦର୍ଶ ଯୁବକ । ସେହି ଜଳ ରାକ୍ଷସ ଆମର କିଛି ନଷ୍ଟ କରିପାରିବ ନାହିଁ । କାରଣ ଆମ ରାଜ୍ୟର ଚତୁର୍ଦ୍ଦିଗରେ ପାହାଡ ଘେରି ରହିଛି । ସେଇଥିପାଇଁ ଆମ ରାଜ୍ୟ ଶତୃଙ୍କ ଠାରୁ ପ୍ରାକୃତିକ ଭାବରେ ସୁରକ୍ଷିତ । ତେଣୁ ଆମେ ସୁଖଶାନ୍ତିରେ ଜୀବନ ବିତାଉଛୁ ।”