ଉତୁଙ୍ଗ କହିଲେ “ସେ କଥା ସତ । କିନ୍ତୁ ଆମ ମାଣିକ୍ୟ ପୁରୀର ସମୁଦ୍ରତଟ ବଡ ପ୍ରଶସ୍ତ । ସେଥିପାଇଁ ସେହି ରାକ୍ଷସଜନ୍ତୁ ନାନା ପ୍ରକାର ଗଣ୍ଡଗୋଳ କରୁଛି । ମୋ ପାଖରେ ଏକମାତ୍ର କର୍ତ୍ତବ୍ୟ ଅଛି ତାହାହେଲା, ଯେପରି ହେଉ ପଛେ ‘ଶତାଦ୍ଦିକା’ ପୁଷ୍ପ ନେଇ ତା’ ପାଖରେ ପହଁଚାଇବି ।”
କାବୁଇ କହିଲେ, “ତମେ ଏବେ କହିଲ ଫୁଲଟି ଶହେବର୍ଷରେ ଥରେ ଫୁଟେ; ପୁଣି ତମେ ଗଛ ପାହାଡ ଉପରୁ କାଟି ପକାଇଛ ତେଣୁ ଜଳରାକ୍ଷସ ତୁମକୁ ପୁଣି ହଇରାଣ କରିବାର କୌଣସି କାରଣ ନାହିଁ ।”
ଉତୁଙ୍ଗ କହିଲେ “ଆପଣ ଠିକ୍ କହିଛନ୍ତି । ତଥାପି ମଧ୍ୟ ସେହି ଜଳରାକ୍ଷସକୁ ଆମ ରାଜ୍ୟର ଲୋକାଳୟଠାରୁ ବହୁତ ଦୂରକୁ ନେଇଯିବା ହେଉଛି ମୋର ଉଦ୍ଧେଶ୍ୟ ।”
“ତୁମର ଚେଷ୍ଟା ଅତ୍ୟନ୍ତ ପ୍ରଶଂସନୀୟ । କିନ୍ତୁ ତାକୁ ତୁମ ରାଜ୍ୟକୁ ନ ଆସିବା ପାଇଁ ଆଉ କିଛି କରାଯାଇ ପାରିବ ତ? ତମେ ଯେତେ ବେଳେ ଏଠାକୁ ଆସିଛ, ଏସମ୍ପର୍କରେ ଆମ ରାଜ୍ୟର ରାଜାଙ୍କ ମତ କ’ଣ ଦେଖ । ହୁଏତ ସେ ଏ କାର୍ଯ୍ୟରେ ତୁମର କୌଣସି ସହାୟତା କରି ପାରିବେ । ଭୋଜନ କରିବା ପରେ ମୁଁ ତୁମକୁ ଆମ ରାଜା ମହେନ୍ଦ୍ର ସିଂହଙ୍କ ପାଖକୁ ଘେନିଯିବି ।” କାବୁଇ ଉତୁଙ୍ଗଙ୍କୁ ଏତିକି କହି ଭିତର ଦରଜାରେ କରାଘାତ କଲେ ।
ପୂର୍ବର ସ୍ତ୍ରୀଲୋକ ବାହାରକୁ ଆସିଲେ ଓ ସେ ତାଙ୍କୁ କ’ଣ ସବୁ କହିଲେ । ସେ ଭିତରକୁ ଯାଇ ଖାଦ୍ୟ ନେଇ ଆସିଲେ । ତାଙ୍କ ସହିତ ଜଣେ ଝିଅ ମଧ୍ୟ ଆସିଲା । କାବୁଇ ତାକୁ “ଚିତ୍ରା” ନାମ ଧରି ଡାକିଲେ ।
ଝିଅଟି କହିଲା “ମୋତେ ଡାକିଲେ?”
କାବୁଇ ପଚାରିଲେ “ହଁ, ଦେଖ ଉତୁଙ୍ଗ ଇଏ ମୋର ଝିଅ ଚିତ୍ରା । ଆଚ୍ଛା ଚିତ୍ରା, ତୋର ସାଙ୍ଗମାନେ କୁଆଡେ ଗଲେ?”
ଚିତ୍ରା ଡାକିବା ମାତ୍ରେ ପାଞ୍ଚଜଣ ଝିଅ ବାହାରି ଆସିଲେ । କାବୁଇ ଉତୁଙ୍ଗଙ୍କୁ କହିଲେ, “ଏମାନେ ମୋ ଝିଅର ସାଙ୍ଗ” ସେ ପୁଣି ଚିତ୍ରାକୁ ଚାହିଁ କହିଲେ, “ତମେମାନେ କାହିଁକି ଫୁଲସବୁ ଏହାଙ୍କ ନୌକାରୁ ନେଇ ଆସିଲ?”
ଚିତ୍ରା କହିଲା “ଫୁଲଗୁଡିକ ଯେତିକି ସୁନ୍ଦର ସେତିକି ସୁଗନ୍ଧରେ ଭରା । ତେଣୁ ଆମେ ସେସବୁ ନେଇ ଆସିଲୁ ।”
କାବୁଇ କହିଲେ, “ଆଚ୍ଛା ଏବେ ତୁମେ ସବୁ ଏଠୁ ଯାଅ ।” ତା’ପରେ ସେ ଝିଅଗୁଡିକ ସେଠାରୁ ଚାଲି ଗଲେ । ଭୋଜନ ସମାପ୍ତ କରିବା ପରେ କାବୁଇ ଉତୁଙ୍ଗଙ୍କୁ ରାଜାଙ୍କ ପାଖକୁ ନେଇ ଗଲେ । ଯିବାବେଳେ କିଛି “ଶତାଦ୍ଦିକା” ଫୁଲ ଉତୁଙ୍ଗଙ୍କ ହାତରେ ଦେଇ କାବୁଇ ଆଗେ ଆଗେ ଚାଲିଲେ । ଉତୁଙ୍ଗ ତାଙ୍କର ଅନୁସରଣ କଲେ ।
ବହୁତ ବାଟ ଯିବା ପରେ ସେମାନେ ନାଗପୁରୀର ରାଜଧାନୀରେ ଯାଇ ପହଁଚିଲେ । ସେମାନେ ଯିବା ରାସ୍ତାରେ କାବୁଇଙ୍କୁ ପ୍ରାୟ ସମସ୍ତେ ସମ୍ମାନ ଦେଖାଉଥା’ନ୍ତି । ସମ୍ମୁଖରୁ ଆସିବା ଲୋକମାନେ ପ୍ରଣାମ କରି କଡକୁ ଚାଲିଯାଉଥା’ନ୍ତି । କାବୁଇ ଗମ୍ଭୀର ହୋଇ ଚାଲିଥା’ନ୍ତି । ତାଙ୍କ ମୁକୁଟରେ ସୁବର୍ଣ୍ଣର ଏକ ନାଗ ଥିଲା । ହାତରେ ଅସ୍ତ୍ରଶସ୍ତ୍ର ମଧ୍ୟ ଥିଲା । ଏହିପରି ଦୁହେଁଯାକ ରାଜନଅରରେ ଯାଇ ପହଁଚିଲେ । ଜଣେ ପ୍ରହରୀ ତାଙ୍କୁ ଭିତରକୁ ନେଇଗଲା । ଦୁଇ ପଟରେ ବଡ ବଡ ପ୍ରସ୍ତର ସ୍ତମ୍ବ ଥାଏ । କିଛି ବାଟ ଯିବା ପରେ ପ୍ରହରୀ ସେଠାରେ ତାଙ୍କୁ ବସାଇ ରାଜାଙ୍କୁ ଖବର ଦେବାକୁ ଗଲା ।
ତା’ପରେ ପ୍ରହରୀ ଏମାନଙ୍କୁ ଭିତରକୁ ନେଇଗଲା । ରାଜା ମନ୍ତ୍ରୀମାନଙ୍କ ସହିତ ଆଲୋଚନାରେ ମଗ୍ନ ଥିଲେ । କାବୁଇ ଯାଇ ତାଙ୍କୁ ପ୍ରଣାମ କଲେ ।
ରାଜା ଅଳ୍ପ ହସି ପଚାରିଲେ “କାବୁଇ, ତୁମ ଅଂଚଳର ଖବର ସବୁ ମଙ୍ଗଳ କୁଶଳ ତ?”
କାବୁଇ କହିଲେ, “ପ୍ରଭୂ, ଆପଣଙ୍କ ଦୟାରୁ ସବୁ କୁଶଳ ।” ରାଜା ଉତୁଙ୍ଗ ଆଡକୁ ଚାହିଁଲେ । ସେ ମଧ୍ୟ କାବୁଇଙ୍କ ପରି ରାଜାଙ୍କୁ ପ୍ରଣାମ କଲେ ।
କାବୁଇ ରାଜାଙ୍କୁ କହିଲେ, “ଏହି ଯୁବକ ଜଣକ ମାଣିକ୍ୟପୁରୀରୁ ଆସିଛନ୍ତି । ୟାଙ୍କ ନାମ ଉତୁଙ୍ଗ ।”
“ଆଚ୍ଛା, ତୁମର ରାଜା ପ୍ରତାପବର୍ମା କୁଶଳରେ ଅଛନ୍ତି ତ?”
ଉତୁଙ୍ଗ ବିନୟତା ପୂର୍ବକ କହିଲେ “ଆଜ୍ଞା” । ତା’ପରେ ରାଜାଙ୍କ ନିର୍ଦ୍ଧେଶରେ ସେ ଦୁହେଁ ଦୁଇଟି ଉଚ୍ଚ ଆସନରେ ବସିଲେ । କାବୁଇ କହିଲେ, “ଉତୁଙ୍ଗଙ୍କ ନୌକା ଆମ ସମୁଦ୍ର ତଟରେ ଆସି ଲାଗିଛି । ତାଙ୍କ ସହିତ ଏହି ଫୁଲଗୁଡିକ ଥିଲା । ଏହାର ନାମ ‘ଶତାଦ୍ଦିକା’ । କାରଣ ଏହା ଶହେ ବର୍ଷରେ ଥରେ ଫୁଟେ ।” ରାଜା କହିଲେ, “ତୁମେମାନେ ଆସିବାମାତ୍ରେ ହଠାତ୍ ଏତେ ସୁଗନ୍ଧ କେଉଁଠାରୁ ଆସିଲା ବୋଲି ମୁଁ ଆଶ୍ଚର୍ଯ୍ୟ ହେଉଥିଲି । ତେବେ ତାହା ଏହି ଫୁଲର ସୁଗନ୍ଧ? କ’ଣ ପ୍ରତାପବର୍ମା ମୋ ପାଇଁ ଏହି ଫୁଲ ପଠାଇଛନ୍ତି?”
“ନାହିଁ ପ୍ରଭୂ” ଏତିକି କହି ଉତୁଙ୍ଗ ସବିସ୍ତାରେ ତାଙ୍କର ଆସିବାର ସମସ୍ତ ଉଦ୍ଧେଶ୍ୟ ଓ ଘଟଣା ବର୍ଣ୍ଣନା କଲେ ।
କାବୁଇ କହିଲେ, “ରାଜନ୍, ମୁଁ ଭାବିଲି ଏସବୁ କଥା ଆପଣଙ୍କୁ କୁହାଯିବ । ଏବଂ ଆପଣ ମଧ୍ୟ ଏ ବିଷୟରେ କିଛି ପରାମର୍ଶ ଦେବେ । କେବଳ ସେଇଥିପାଇଁ ମୁଁ ତାଙ୍କୁ ଏଠାକୁ ନେଇ ଆସିଲି ।”
ରାଜା କହିଲେ “ଜନତାଙ୍କ କଲ୍ୟାଣ ପାଇଁ ଏତେବଡ ବିପଦପୂର୍ଣ୍ଣ ଦାଇତ୍ତ୍ଵ ଉତୁଙ୍ଗ ନିଜେ ଇଚ୍ଛା କରି ନେଉଛନ୍ତି, ତାଙ୍କର ସାହସ ଖୁବ୍ ପ୍ରଶଂସନୀୟ । ସେହି ଜଳରାକ୍ଷସର ଏକା ଏକା ସମ୍ମୁଖୀନ ହେବା ଆଦୌ ଉଚିତ୍ ନୁହେଁ । ଏହି ସାହସୀ ଯୁବକ ସହିତ ଆମ ରାଜ୍ୟର କେତେକ ବୀରଯୁବକଙ୍କୁ ପଠାଇବା ଉଚିତ୍ ହେବ ।”
ଇତିମଧ୍ୟରେ ପନ୍ଦରବର୍ଷର ଝିଅଟିଏ ଆସି କହିଲା, “ବାବା, ଏ ଫୁଲଗୁଡିକ କେଉଁଠୁ ଆସିଲା? ଖୁବ୍ ସୁନ୍ଦର ଫୁଲ ତ ।” ରାଜୁ ତାକୁ ଅତି ଆଦର କରି ପାଖରେ ବସାଇଲେ ଓ କହିଲେ, “ଝିଅ, ମାଣିକ୍ୟ ପୁରୀରୁ ଏ ଯୁବକ ତୋ ପାଇଁ ଏହି ଫୁଲଗୁଡିକ ଆଣିଛନ୍ତି ।”
ଝିଅଟି ପଚାରିଲା “ସତରେ କ’ଣ ମୋ ପାଇଁ ଆଣିଛନ୍ତି?” ଏହାପରେ ସେ ଉତୁଙ୍ଗ ଆଡକୁ ଆଶ୍ଚର୍ଯ୍ୟ ହୋଇ ଚାହିଁଲା ।
ଉତୁଙ୍ଗ ବୁଝିପାରିଲେ ନାହିଁ କ’ଣ କହିବେ । ତେଣୁ ସେ ଚୁପ୍ ରହିଲେ ଓ ଅଳ୍ପ ହସିଲେ । ସେ ତାଙ୍କ ମନରେ ଭାବିଲେ “ରାଜା ନିଜ ଝିଅକୁ କାହିଁକି ଏଭଳି ମିଛ କଥାଟିଏ କହିଲେ? ମନେ ହୁଏ ରାଜା ସର୍ବଦା ତାଙ୍କ ଝିଅର ମନ ଖୁସି ରଖିବାକୁ ଚାହାଁନ୍ତି । ଏବେ ସେ ଯଦି ଫୁଲସବୁ ନେଇ ଯାଏ ତ ମୁଁ କ’ଣ କରିବି? ରାଜା ତ ଜାଣନ୍ତି ଯେ କେତେବଡ ଗୁରୁଦାଇତ୍ତ୍ଵ ନେଇ ମୁଁ ଆସିଛି ଏବଂ ଏ ଫୁଲକୁ ନେଇ ଯାଉଛି ତେବେ ମଧ୍ୟ ଏତେ ବଡ ମିଛ କଥାଟାଏ ରାଜା କହିଲେ କାହିଁକି?” ମନ ମଧ୍ୟରେ ଏପରି ନାନା ବିଚାର ବିମର୍ଷ କରିବା ସତ୍ତ୍ୱେ ମଧ୍ୟ ତାଙ୍କ ମୁହଁରେ କୌଣସି କଥା ବାହାରିଲା ନାହିଁ । ସେ କେବଳ ଅଳ୍ପ ହସୁଥିଲେ । ରାଜା କହିଲେ, “ଇଏ ମୋର ଝିଅ ମଲ୍ଲିକା । ସେ ଫୁଲକୁ ଖୁବ୍ ଭଲ ପାଏ ।” ଉତୁଙ୍ଗ କହିଲେ “ହଁ, ରାଜକୁମାରୀ, ଆପଣଙ୍କ ପାଇଁହିଁ ମୁଁ ଫୁଲଗୁଡିକ ନେଇ ଆସିଛି ।”
ମଲ୍ଲିକା କହିଲେ, “ବାବା, ଏସବୁ ମୁଁ ନେଇଯିବି?”
ରାଜା କହିଲେ “ହଁ, ନେଇଯା, ତୁ ଭିତରକୁ ଯା, ମୁଁ ଆସୁଛି ।” ମଲ୍ଲିକା ମନ ଖୁସିରେ, ଅତି ଯତ୍ନର ସହିତ ଫୁଲସବୁ ନେଇ ଗଲେ । ରାଜା କାବୁଇଙ୍କୁ କହିଲେ, “ଏହି ଫୁଲ ବିଷୟରେ ଅଭିଶାପ ବା ଜଳଜନ୍ତୁ କଥା ମଲ୍ଲିକା ଯେପରି କିଛିବି ନ ଜାଣେ । ଆଜି ରାତିରେ ତୁମେ ଦୁହେଁ ଏଇଠି ରହିଯାଅ । ଜଳଜନ୍ତୁ ବିଷୟରେ ବିଚାର କରି ଦେଖିବା କ’ଣ କରାଯାଇ ପାରେ ।” ରାଜା ତା’ପରେ ଭିତରକୁ ଚାଲିଗଲେ । ରାଜା ଯିବା ପରେ ମନ୍ତ୍ରୀ, କାବୁଇ ଓ ଉତୁଙ୍ଗଙ୍କୁ ଏକ ବଡ ଘରକୁ ନେଇ ଯାଇ କହିଲେ, “ଆପଣମାନେ ଆଜି ଏଠାରେ ବିଶ୍ରାମ କରିବେ । ଏଠାରେ ଜଣେ ସେବକ ଅଛି ସେ ସବୁ ଦେଖାଶୁଣା କରିବ ।” ତା’ପରେ ସେ ମଧ୍ୟ ଚାଲିଗଲେ ।
ମନ୍ତ୍ରୀ ଚାଲିଯିବା ପରେ ଜଣେ ସୈନିକ ସେଠାକୁ ଆସି କହିଲା, “ରାଜକୁମାରୀଙ୍କର ଆଜ୍ଞା ହେଉଛି ଯେ ଯେଉଁ ଯୁବକ ତାଙ୍କ ପାଇଁ ଫୁଲ ନେଇ ଆସିଥିଲେ ତାଙ୍କୁ ତାଙ୍କ ପାଖରେ ଯେପରି ଉପସ୍ଥିତ କରାଯାଏ ।”
ଉତୁଙ୍ଗ ଆଶ୍ଚର୍ଯ୍ୟ ହୋଇ କାବୁଇଙ୍କୁ ଚାହିଁଲେ । କାବୁଇ କହିଲେ, “ତୁମେ ଯାଅ, କିନ୍ତୁ ରାଜା କହିଥିବା କଥା ଯେପରି କେବେବି ନ ଭୁଲ । କୌଣସି ପ୍ରକାରରେ ହେଲେ ଫୁଲର ଇତିହାସ ବା ଜଳରାକ୍ଷସ କଥା ତୁମ ମୁହଁରୁ ଯେପରି ନ ବାହାରେ । ରାଜକୁମାରୀ ଏବେ ମଧ୍ୟ ବାଳିକା । ହୁଏତ ଏସବୁ ଶୁଣି ସେ ଭୟଭୀତ ହେବେ । ସେଥିପାଇଁ ବୋଧହୁଏ ରାଜା ସେ କଥା ଉପରେ ଏତେ ଗୁରୁତ୍ୱ ଦେଇ କହିଲେ ।”