ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବିଚିତ୍ର ପୁଷ୍ପ

(ନାଗପୁରୀର ରାଜା ଉତୁଙ୍ଗଙ୍କ ସହିତ କେତେକ ସୈନ୍ୟ ଓ ସେମାନଙ୍କ ଦଳପତି ନାଗସିଂହଙ୍କୁ ପଠାଇବାକୁ ପ୍ରସ୍ତାବ କଲେ; କାରଣ ସେମାନେ ରାକ୍ଷସଜନ୍ତୁ ସହିତ ଯୁଦ୍ଧ କରିବେ । ସେନାପତି, ଉତୁଙ୍ଗଙ୍କ ସହିତ ନାଗସିଂହଙ୍କର ପରିଚୟ କରାଇଲେ, କାବୁଇ ଆସି ଖବର ଦେଲେ କି ‘ଶତାଦ୍ଦିକା’ ପୁଷ୍ପ ସବୁ କିଏ ତାଙ୍କ ଘରୁ ଚୋରାଇ ନେଇଛି । ଏଣିକି ଆଗକୁ ପଢନ୍ତୁ)

                ସେନାପତି କାବୁଇଙ୍କୁ ପଚାରିଲେ, “ଉତୁଙ୍ଗ ନାଗସିଂହଙ୍କୁ କହିଲେ କି ତୁମ ଘରେ କିଛି “ଶତାଦ୍ଦିକା” ପୁଷ୍ପ ଗଚ୍ଛିତ ଅଛି । ପରେ ଶୁଣାଗଲା ସେ ପୁଷ୍ପସବୁ ଚୋରୀ ହୋଇଛି । ପୁଷ୍ପସବୁ ଚୋରୀ କରିବାରେ କାହାର ବା ସ୍ୱାର୍ଥ ରହିଛି; ପୁଣି ତୁମ ଘରୁ ଚୋରୀ ହେଲାବା କିପରି? ଆଉ କେହି କିପରି ଜାଣି ପାରିଲେ ନାହିଁ? ତୁମେ ଭାବୁଛ କି ସେ ପୁଷ୍ପସବୁ ନାଗସିଂହ ଚୋରୀ କରିଛି?”

                କାବୁଇ କିଛି ସମୟ ଚୁପ୍ ରହିବା ପରେ କହିଲେ, “ଯଦି ନାଗସିଂହ ମନରେ ଷଡଯନ୍ତ୍ର କରିବାର ଯୋଜନା ଥାଏ, ତେବେ ମୁଁ ବୁଝି ପାରୁନାହିଁ ଯେ କିଭଳି ଭାବରେ ଏହି ପୁଷ୍ପଗୁଡିକ ତାକୁ ସାହାଯ୍ୟ କରିବେ ।” ତା’ଛଡା ଏହି ପୁଷ୍ପ ବିଷୟରେ ବା ରାକ୍ଷସଜନ୍ତୁ ବିଷୟରେ ଆଉ କେହି ମଧ୍ୟ ଜାଣି ନାହିଁ । ଯଦି କେହି କୌତୁହଳବଶତଃ ନେଇଥାଏ ତେବେ ନାଗସିଂହ ଛଡା ଆଉ କିଏ ବା ଏ କାର୍ଯ୍ୟ କରିବ?”

ସେନାପତି କହିଲେ “ତୁମ କଥା ଠିକ୍ ମନେହୁଏ । ‘ଶତାଦ୍ଦିକା’ ପୁଷ୍ପ ନ ମିଳିବା ପର୍ଯ୍ୟନ୍ତ ଉତୁଙ୍ଗ ତ ଆଉ ଯାଇ ପାରିବେ ନାହିଁ । ତେଣୁ ସେସମୟରେ ତମେ ଟିକିଏ ରାଜଧାନୀରେ ରହିଥାଅ ।”

“ନିଶ୍ଚୟ ରହିବି ।” ଏହା କହିବା ପରେ କାବୁଇ ଉତୁଙ୍ଗଙ୍କ ପାଖକୁ ଅତିଥିଭବନକୁ ଗଲେ ଓ ସେଠାରେ ସେ ଦୁହେଁ ଅନେକ ସମୟ ପର୍ଯ୍ୟନ୍ତ ଏହି ପୁଷ୍ପ ଚୋରୀ ବିଷୟରେ ଅନେକ ଆଲୋଚନା ବିଚାର କରିବାପରେ ଶୋଇ ଗଲେ ।

ପରଦିନ ମଧ୍ୟାହ୍ନରେ ଜଣେ ସୈନିକ ଆସି ଖବର ଦେଲା ଯେ ବାହାରେ ଦୁଇଜଣ ସ୍ତ୍ରୀଲୋକ କାବୁଇଙ୍କ ସହ ଦେଖା କରିବାକୁ ଚାହାଁନ୍ତି । କାବୁଇ ବାହାରକୁ ଆସି ଝିଅକୁ ଦେଖି କହିଲେ, “ଆରେ ଚିତ୍ରା ତୁ କୁଆଡେ ଆସିଲୁ? ମା’ ଭଲ ଅଛି ତ?”

ଚିତ୍ରା ଚୁପ୍ଚୁପ୍ କହିଲା “ହଁ ବାବା, ମା ଭଲ ଅଛି । ଯେଉଁ ପୁଷ୍ପ ଚୋରୀ ଯାଇଥିଲା ତାହା ମିଳିଛି ।”

କାବୁଇ ପଚାରିଲେ “ସତରେ? ଠିକ୍ କହୁଛୁ ତ?”

“ବାବା, ଆମେ ସମୁଦ୍ର କୂଳକୁ ଯାଇଥିଲୁ । ଦେଖିଲୁ ଉତୁଙ୍ଗଙ୍କ ଡଙ୍ଗା ଓଲଟି ପଡି, ରହିଛି । ତେବେ ପୁଷ୍ପସବୁ ଅଛି । କେହି ଡଙ୍ଗାକୁ ଠେଲିବାକୁ ଚେଷ୍ଟା କରିଛି ପାଦଚିହ୍ନ, ବାଡି ଚିହ୍ନ ଇତ୍ୟାଦି ରହିଛି । ଆମେ ଭାବିଲୁ ବୋଧହୁଏ ଉତୁଙ୍ଗ ନିଜେ ଯିବାକୁ ଚେଷ୍ଟା କରି ବିଫଳ ହୋଇଛନ୍ତି ।” ଚିତ୍ରା ବର୍ଣ୍ଣନା କରି ସବୁ କହିବାବେଳକୁ ସେଠାକୁ ଉତୁଙ୍ଗ ଆସିଲେ ।

କାବୁଇ ପଚାରିଲେ “ନା, ନା, ତାହା ତ କେବେବି ହୋଇ ପାରେନା । ସାରାରାତି ଉତୁଙ୍ଗ ଯେ ମୋ ନିକଟରେ ଶୋଇଥିଲେ । ଆଚ୍ଛା ଏବେ କହିଲୁ ସେ ପୁଷ୍ପଗୁଡିକ କେଉଁଠି ଅଛି?”

ଚିତ୍ରା କହିଲା “ସେଇଠାରେ ନାବ ମଧ୍ୟରେ ସମୁଦ୍ର ତଟରେ ରହିଛି । ଦେଖିବା ମାତ୍ରେ ମୁଁ ମୋର ସାଙ୍ଗଝିଅ ସହିତ ଆପଣଙ୍କୁ କହିବା ପାଇଁ ଆସିଲି ।”

କାବୁଇ ଖୁସିରେ ଝିଅ କାନ୍ଧରେ ହାତ ରଖି କହିଲେ, “ଝିଅ, ତୁମେ ଦୁହେଁ ଏଇଠି ଥାଅ । ମୁଁ ସେନାପତିଙ୍କୁ ଖବରଟା ଦେଇ ଦେଇ ଆସୁଛି ।” ତା’ପରେ ଉତୁଙ୍ଗଙ୍କୁ ଚାହିଁ ସେ କହିଲେ “ଆସ ଯିବା ।”

                ଉତୁଙ୍ଗ ସାଙ୍ଗରେ ଚାଲୁଚାଲୁ ପଚାରିଲେ, ‘ଶତାଦ୍ଦିକା’ ପୁଷ୍ପ ମିଳିଲା? “ଆପଣଙ୍କ ଝିଅ ସେ ବିଷୟରେ କ’ଣ କହୁଥିଲେ ।”

କାବୁଇ ଉତୁଙ୍ଗଙ୍କୁ ସବୁକଥା କହିଲେ । ଉତୁଙ୍ଗ ଖୁସି ହୋଇ ଗଲେ । ପରେ ଭାବିଲେ ଯେ ଏହି ଶତାଦ୍ଦିକା ପୁଷ୍ପ କିଏ ଚୋରୀ କରି ନାବକୁ ନେଇ ଯିବାକୁ ଚେଷ୍ଟା କରୁଥିଲା? ଯଦି ନାଗସିଂହ ଏପରି କରିଥାଏ, ତେବେ ତା’ର ଉଦ୍ଧେଶ୍ୟ କ’ଣ? ଏହି ସବୁକଥା ଭାବି ଭାବି ସେ ଯାଇ କାବୁଇ ସହିତ ସେନାପତିଙ୍କ ମହଲରେ ପହଁଚିଲେ । କାବୁଇ ସେନାପତିଙ୍କୁ ସବୁକଥା କହିଲେ ।

ସେନାପତି ପଚାରିଲେ, “ଏହି ଶୁଭଖବର ଆଣିଥିବା ସୈନିକ କାହିଁ?”

କାବୁଇ କହିଲେ “ଏହି ଖବର କୌଣସି ସୈନିକ ଆଣିନାହିଁ । ବରଂ ମୋ ଝିଅ ଚିତ୍ରାହିଁ ଆସି ଏହି ଖବରଟି ଦେଲା ।”

ସେନାପତି କହିଲେ “ବହୁତ ଭଲ । ଏବେ ଶୀଘ୍ର ମୁଁ କୌଣସି ସୈନିକଙ୍କୁ ପଠାଇ ପୁଷ୍ପର ସୁରକ୍ଷା ପାଇଁ ବ୍ୟବସ୍ଥା କରିବି । ଏ ଖବର ରାଜାଙ୍କୁ ମଧ୍ୟ ଦେବା ଉଚିତ୍ ।” ତା’ପରେ ସେ ତିନିଜଣ ରାଜମହଲକୁ ଚାଲିଲେ ।

ରାଜା ସବୁ ଶୁଣି କହିଲେ, “ସେନାପତି, ମୁଁ ବର୍ତ୍ତମାନ ନିଶ୍ଚିନ୍ତ ହେଲି । ସେହି ପୁଷ୍ପକୁ ରାକ୍ଷସଜନ୍ତୁ ପାଖକୁ ଯେପରି ତୁରନ୍ତ ପଠାହୁଏ । ବିଳମ୍ବ କରିବା ଆଉ ଉଚିତ୍ ନୁହେଁ, ବିଳମ୍ବ କଲେ ପୁଣି ବିପଦ । ମୁଁ ଦେଖୁଛି ବିପଦ ଲାଗି ରହିଛି ।”

ଉତୁଙ୍ଗ କହିଲେ, “ଏଇ ମୁହୂର୍ତ୍ତରେ ଯାତ୍ରା ଆରମ୍ଭ କରିଲେ ମଧ୍ୟ ମୁଁ ପ୍ରସ୍ତୁତ ।”

ରାଜା ଉଠିପଡି ଉତୁଙ୍ଗ କାନ୍ଧରେ ହାତରଖି କହିଲେ, “ସାବାସ୍, ତୁମ ପରି ଜଣେ ବୀର ଓ ଧୀର ରାଜ୍ୟର ଏକ ମୂଲ୍ୟବାନ୍ ସମ୍ପତ୍ତି । ଫେରିବା ବେଳେ ଆମ ରାଜ୍ୟକୁ ଆସି ତା’ପରେ ନିଜ ରାଜ୍ୟକୁ ଫେରିବ ।” ତୁମ ଅପେକ୍ଷାରେ ଆମେ ଥିବୁ । କାରଣ ଆମେ ଜାଣିବାକୁ ଚାହୁଁ ଯେ “କାର୍ଯ୍ୟ ସଫଳ ହେଲା କି ନାହିଁ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ