ତା’ପରେ ରାଜା ସେନାପତିଙ୍କୁ କହିଲେ, “ସେନାପତି ଆଜିହିଁ ଉତୁଙ୍ଗଙ୍କ ଯାତ୍ରା ପାଇଁ ଯାହା ଯାହା ଆବଶ୍ୟକ ସେସବୁ ଜିନିଷ ଏକାଠି କର । ଏବେ ମୁଁ ଯାଇ ମଲ୍ଲିକାକୁ କହିବି ଯେ “ଶତାଦ୍ଦିକା” ଫୁଲ ମିଳିଯାଇଛି ।” ତା’ପରେ ରାଜା ନଅର ଭିତରକୁ ଚାଲିଗଲେ ।
ରାଜନଅରରୁ ବାହାରକୁ ଆସି ସେନାପତି, ନାଗସିଂହଙ୍କୁ ଖବର ପଠାଇଲେ କି ସେ ଯେପରି ତୁରନ୍ତ ଆସି ତାଙ୍କ ସହିତ ଦେଖା କରନ୍ତି । କିଛି ସମୟ ପରେ ନାଗସିଂହ ଆସିଲେ । ସେ, ଉତୁଙ୍ଗ, ସେନାପତି ଓ କାବୁଇଙ୍କୁ, ଏକସଙ୍ଗରେ ଦେଖି ଚମକି ପଡିଲେ । ତା’ପରେ ନିଜକୁ ସମ୍ଭାଳି ନେଇ ସେନାପତିଙ୍କୁ ସେ ପ୍ରଣାମ କଲେ । ସେନାପତି କହିଲେ, “ଆଜି ଉତୁଙ୍ଗଙ୍କର ଯାତ୍ରା ଆରମ୍ଭ କରିବାର ଥିଲା । ତୁମେ ଏବଂ କେତେକ ସୈନିକ ତାଙ୍କୁ ରକ୍ଷା କରିବାକୁ ତାଙ୍କ ସାଥିରେ ଯିବ । ଏହାହିଁ ରାଜାଙ୍କର ଆଜ୍ଞା ।”
ନାଗସିଂହ ପଚାରିଲେ “ଆମେ ‘ଶତାଦ୍ଦିକା’ ପୁଷ୍ପ ମଧ୍ୟ ନିଜ ସାଥିରେ ନେଇଯିବା ନା?”
ସେନାପତି କହିଲେ “ହଁ, ଏହି ପୁଷ୍ପକୁ ରାକ୍ଷସଜନ୍ତୁ ପାଖକୁ ନେଇଯିବାକୁ ହେବ । ଆଜି ସଂଧ୍ୟା ପୂର୍ବରୁ ତମେମାନେ ସମୁଦ୍ରତଟରେ ଯାଇ ପହଁଚିଯିବ । ସେଠାରୁ ଏକ ସଂଗରେ ଯାତ୍ରା ଆରମ୍ଭ କରିବ, ତୁମମାନଙ୍କ ନାବର ପଶ୍ଚାତରେ ସୈନ୍ୟମାନଙ୍କର ଦୁଇଟି ନାବ ଯାଉଥିବ । ଅନ୍ୟସବୁ କାମ ଉତୁଙ୍ଗଙ୍କ ନିର୍ଦ୍ଧେଶରେହିଁ ହେବ ।”
ନାଗସିଂହ ପଚାରିଲେ “କିନ୍ତୁ ପୁଷ୍ପ କାହିଁ?”
ସେନାପତି କହିଲେ “ସେସବୁ କଥା ଆମେ ବୁଝିବୁ । ତୁମର ବାହାରିବାରେ କେବଳ ବିଳମ୍ବ ହେଉଛି ।”
“ଯେପରି ଆପଣଙ୍କର ଇଚ୍ଛା ।” ଏହା କହି ନାଗସିଂହ ସେଠାରୁ ଚାଲିଗଲେ ।
ସେନାପତି ଉତୁଙ୍ଗଙ୍କୁ କହିଲେ, “ପୁଷ୍ପଚୋରୀ କଥା ନାଗସିଂହ ନିଶ୍ଚୟ ଜାଣିଥିବେ । ସେ ବିପଦ ଭିତରକୁ ଯିବାକୁ କେବେବି ଚାହାଁନ୍ତି ନାହିଁ । ତେଣୁ ତୁମ ଉପରେ ବିପଦ ପଡିବାର ବହୁତ ଆଶଙ୍କା ରହିଛି । ତେଣୁ ତୁମେ ସର୍ବଦା ସଜାଗ ଓ ସାବଧାନ ଥିବ ।”
ଉତୁଙ୍ଗ ବିନୟପୂର୍ବକ କହିଲେ, “ଆପଣଙ୍କ କଥା ମୁଁ ନିଶ୍ଚୟ ମନେ ରଖିବି । ସେନାପତି କାବୁଇଙ୍କୁ କହିଲେ, “ତୁମେ ଉତୁଙ୍ଗଙ୍କ ସହ ସମୁଦ୍ରତଟକୁ ଯାଇ ତାଙ୍କୁ ବିଦାୟ ଦିଅ ।”
କାବୁଇ କହିଲେ “ଠିକ୍ ଅଛି ।” ଏହାପରେ ଉତୁଙ୍ଗଙ୍କୁ ନେଇ ସେ ଅତିଥିଶାଳାକୁ ଗଲେ । ସେଠାରେ ଅପେକ୍ଷା କରିଥିବା ଝିଅ ଚିତ୍ରାକୁ ସେ ସବୁକଥା ସଂକ୍ଷେପରେ କହିଲେ । କିଛି ସମୟ ପରେ ନାଗସିଂହ ସେଠାରେ ପହଁଚିଲେ ଓ ସମସ୍ତେ ମିଶି ସମୁଦ୍ର ତଟ ଆଡେ ଚାଲିଲେ । ନାଗସିଂହଙ୍କ ମୁହଁରୁ ଗୋଟିଏ ଶବ୍ଦ ମଧ୍ୟ ବାହାରିଲା ନାହିଁ । ମୁହଁରେ ତାଙ୍କର ନିରୁତ୍ସାହର ଭାବ ।
ସମୁଦ୍ର ତଟରେ ତିନିଟି ନାବ ପ୍ରସ୍ତୁତ ଥିଲା । ଉତୁଙ୍ଗଙ୍କ ନାବରେ ପୁଷ୍ପ ଥିଲା । ଅନ୍ୟଦୁଇଟି ନାବରେ ସୈନ୍ୟମାନେ । ଯିବା ପୂର୍ବରୁ ଉତୁଙ୍ଗ ଚିତ୍ରାକୁ ଅଂଟାରେ ବନ୍ଧା ହୋଇଥିବା ଥଳୀରୁ ଗଛ କରିବାକୁ “ଶତାଦ୍ଦିକା” ପୁଷ୍ପର କିଛି ଚାରା ଦେଲେ । ଚିତ୍ରା ତାକୁ ନେଲା ଓ ବ୍ୟାକୁଳ ହୋଇ କାବୁଇଙ୍କ ଆଡେ ସେ ଚାହିଁଲା ।
“ଶତାଦ୍ଦିକା” ପୁଷ୍ପକୁ ଦେଖିବାମାତ୍ରେ ନାଗସିଂହଙ୍କ ଉତ୍ସାହ ବଢିଗଲା । ସେ ଉତୁଙ୍ଗଙ୍କୁ ଚାହିଁଲେ ଯାହାର ଅର୍ଥ ଆଉ ବିଳମ୍ବ କାହିଁକି?”
କାବୁଇ କହିଲେ, “ଉତୁଙ୍ଗ, ବିଳମ୍ବ କର ନାହିଁ, ସଂଧ୍ୟା ହେବା ପୂର୍ବରୁ ଯାଅ । ମୋ କଥା ମନେ ରଖିବ । ଫେରିବା ବାଟରେ ଆମ ରାଜ୍ୟକୁ ଆସି, ତା’ପରେ ଯିବ ।” ଉତୁଙ୍ଗ ତାଙ୍କୁ ପ୍ରଣାମ କରି ନୌକା ନିକଟକୁ ଗଲେ । ସେହି ନୌକାରେ ଆଗରୁ ନାଗସିଂହ ବସିଥିଲେ । ତା’ପରେ ଅନ୍ୟ ଦୁଇଟି ନୌକା ମଧ୍ୟ ଚାଲିଲେ ।
ନାଗସିଂହ ପଚାରିଲେ “ତୁମେ କିପରି ଜାଣିଲ ଯେ ଏହି ପୁଷ୍ପକୁ ରାକ୍ଷସଜନ୍ତୁର ଘର ପାଖକୁ ନେଇଗଲେ ସେ ଆଉ ଆସିବ ନାହିଁ ବୋଲି?”
ଉତୁଙ୍ଗ କହିଲେ “ଏହି ପୁଷ୍ପ ଦ୍ୱାରା ଆକର୍ଷିତ ହୋଇହିଁ ସେ ମାଣିକ୍ୟପୁରୀ ଆସୁଥିଲା । ସେଠାରେ ଆଉ ଗୋଟିଏ ହେଲେ ପୁଷ୍ପ ନାହିଁ ମୁଁ ସେସବୁ ବାନ୍ଧି ଆଣିଥିଲି । ତେଣୁ ଆସନ୍ତା ଶହେବର୍ଷ ପର୍ଯ୍ୟନ୍ତ ରାକ୍ଷସଜନ୍ତୁ ଆଉ ମାଣିକ୍ୟପୁରୀ କେବେବି ଆସିବ ନାହିଁ ।”
ନାଗସିଂହ ପଚାରିଲେ “ତମେ ଏ ଫୁଲ ତାକୁ ଦେଇ ତାକୁ ବୁଝାଇ ଦେବ?”
ଉତୁଙ୍ଗ ପଚାରିଲେ “ରାକ୍ଷସଜନ୍ତୁକୁ ବୁଝାଇବି? ସେ କ’ଣ ଆମ ଭାଷା ଜାଣିଛି? ତା’ପରେ ମନ ଭିତରେ ନାନା ପ୍ରକାର କଳ୍ପନା କରି ଆମେ ଯାଉଛୁ । ତା’ର ଯେତେ ବଳ ସେ ଆମ ସମସ୍ତିଙ୍କୁ ଚଟଣୀ ବନାଇ ଦେବ । ସିଏ ରାଗିବ ନା ଖୁସି ହେବ, ନା ଆମକୁ ମାରି ଦେବ ସେକଥା କିଏ ଜାଣେ? ସେ ତ ଦେଖିବାକୁ ଏକ ଛୋଟ ପାହାଡ ପରି; ଯାହାହେଉ ତା’ ସହିତ ତୁମର କ’ଣ ସମ୍ବନ୍ଧ?”
ନାଗସିଂହ କହିଲା “ମୋର ତା’ ସହିତ ବଡ କାମ ଅଛି । ରାଜଭବନ, ରାଣୀ ଓ ରାଜକୁମାରୀଙ୍କର ସର୍ବନାଶ କରିବାକୁ ମୁଁ ଚାହେଁ । ସେଥିପାଇଁ ରାକ୍ଷସଜନ୍ତୁର ସହାୟତା ମୁଁ ଚାହେଁ ।” ଉତୁଙ୍ଗକୁ ଲାଗିଲା ଯେପରି ନାଗସିଂହ ରାକ୍ଷସଜନ୍ତୁଠାରୁ ଅଧିକ ଭୟାନକ ।
ଉତୁଙ୍ଗ ପଚାରିଲେ “ଏ କ’ଣ କହୁଛ? ରାଜବଂଶକୁ ବିପଦରେ ପକାଇବ, କିନ୍ତୁ କାହିଁକି? ସେମାନେ ତ ତୁମର ନିଜର ଲୋକ । ସେମାନେ ତୁମର କ’ଣ ବା ଏମିତି କ୍ଷତି କଲେ, ଯେଉଁଥିପାଇଁ ତୁମେ ଏପରି କରିବସିବ?”
ନାଗସିଂହ କହିଲେ “ମୁଁ ନାଗପୁରୀର ରାଜା ହେବାକୁ ଚାହେଁ । ମୋର ସେହି ଲକ୍ଷ୍ୟ ପ୍ରାପ୍ତି ପଥରେ ଯାହା କିଛିବି ବାଧାବିଘ୍ନ ପଡିବ ମୁଁ ଅବଶ୍ୟ ତାହାର ସର୍ବନାଶ କରିବି । କାର୍ଯ୍ୟରେ ସାଫଲ୍ୟ ହେବା ପର୍ଯ୍ୟନ୍ତ କେହିବି ମୋର ନିଜର ନୁହଁନ୍ତି । ମୋ ହୃଦୟରେ ସେମାନଙ୍କ ପାଇଁ କୌଣସି ସ୍ଥାନ ନାହିଁ । ଯଦିଓ ରାଣୀ ମୋର ଭଉଣୀ, ତଥାପି ମୋର କାର୍ଯ୍ୟ ହାସଲ ପାଇଁ, ମୁଁ ଅକ୍ଳେଶରେ ସମସ୍ତିଙ୍କୁ ବଳୀ ଦେଇ ପାରେ; ମୋର ପଥ ନିଷ୍କଂଟକ କରିବା ପାଇଁ ମୁଁ ସବୁକିଛି କରିପାରେ । ନାଗପୁରୀର ରାଜା ହେବା ମୋର ଏକମାତ୍ର ଲକ୍ଷ୍ୟ । ତୁମେ ଯଦି ମୋ ରାସ୍ତାରେ ବାଧା ସୃଷ୍ଟି କରିବ ତେବେ ତୁମକୁ ମଧ୍ୟ ହତ୍ୟା କରିବାକୁ ମୁଁ କେବେବି ପଛଘୁଂଚା ଦେବି ନାହିଁ ।”
ଉତୁଙ୍ଗ ଦୃଢ ସ୍ୱରରେ କହିଲେ “ତମେ ମୋତେ ବି ମାରିଦେବ? ମାଣିକ୍ୟପୁରୀରୁ ଆସିଥିବା ପୁଷ୍ପ ଦ୍ୱାରା ତୁମେ ରାଜପରିବାରର କ୍ଷତି କରିବ, ମୁଁ ସେପରି କରିବାକୁ କେବେବି ଦେବି ନାହିଁ । ଏପରି ଘୃଣ୍ୟ ଚିନ୍ତା ତୁମ ମନକୁ କିପରି ବା ଆସିଲା? ମୁଁ ଯେତେଦିନ ନାଗପୁରୀରେ ଥିଲି ମୋ ପ୍ରତି ମହାରାଜାଙ୍କର ସ୍ନେହ ଦେଖି ମୁଁ ମୁଗ୍ଧ ହୋଇଛି । ମୁଁ ତାଙ୍କ ପ୍ରତି କୃତଜ୍ଞ । ତାଙ୍କ ପ୍ରତି ଯିଏ ଶତୃତା କରିବ ତାହା ମୁଁ ଜାଣି ଜାଣି କିପରି ସହ୍ୟ କରିବି?”
“ତମେ ଜୀବିତ ରହିଲେ ତ ତୁମର ଇଚ୍ଛା-ଅନିଚ୍ଛାର ପ୍ରଶ୍ନ ଉଠିବ?” ଏତିକି କହି ସେ ଉତୁଙ୍ଗକୁ ସମୁଦ୍ରରେ ଠେଲି ପକାଇ ଦେଲେ । ତା’ପରେ ଫୁଲତକ ନେଇ ସେ ସୈନ୍ୟଥିବା ନୌକାକୁ ଚାଲିଗଲେ । ଏଣେ ଉତୁଙ୍ଗର କୌଣସି ପତା ନାହିଁ ।
ଅନ୍ଧକାର ମଧ୍ୟରେ ଉତୁଙ୍ଗ ଧୀରେ ଧୀରେ ସନ୍ତରଣ କରି କରି ଦେଖିଲେ ତାଙ୍କ ନୌକାଟି ଭାସୁଛି; ତହିଁରେ କେହିବି ଲୋକ ନାହାଁନ୍ତି । ସେଥିରେ ଦୁଇଟି ଆହୁଲା ଅଛି । ‘ଶତାଦ୍ଦିକା’ ଫୁଲ ବିନା ରାକ୍ଷସଜନ୍ତୁ ପାଖକୁ ଯିବା ଉଚିତ୍ ନୁହେଁ । ନୌକାରେ ଥାଇ ଦେଖିଲେ ଦୂରରେ ପଥର ଚଟାଣ ଭଳି ହୋଇଛି । ଉପରେ ଓହ୍ଲାଇ ସେ ବିଶ୍ରାମ କଲେ ।