ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବିଚିତ୍ର ପୁଷ୍ପ

(ରାଜଗୁରୁ ଗୌରୀନାଥ ରାଜାଙ୍କୁ ଓ ରାଜକୁମାରୀଙ୍କୁ ଅଭିଶପ୍ତ ‘ଶତାଦ୍ଦୀକା’ ପୁଷ୍ପ ବିଷୟରେ କିଛି କହିଲେ । ସେନାପତି ଗମ୍ଭୀରବର୍ମା ରାଜାଙ୍କୁ କହିଲେ ଯେ ଦକ୍ଷିଣ ପ୍ରାନ୍ତରେ ଥିବା ସମୁଦ୍ର କୂଳବର୍ତ୍ତୀ ଗ୍ରାମଗୁଡିକ ଧରାଶାୟୀ ହୋଇଛି । ପ୍ରଜାମାନେ ଭୟଭୀତ ହୋଇ ପ୍ରାଣବଞ୍ଚାଇବାକୁ ଇତଃସ୍ତତ ଦୌଡୁଛନ୍ତି । ତା’ପରେ ପଢନ୍ତୁ)

                କେହି ବୁଝିପାରିଲେ ନାହିଁ ଯେ ସମୁଦ୍ର କୂଳରେ ଥିବା ଗ୍ରାମ ଗୁଡିକ କାହିଁକି ଏପରି ଧ୍ୱଂସପ୍ରାପ୍ତ ହେଲେ । ସେଦିନ ରାତ୍ରି ଶାନ୍ତ ଥିଲା, କୌଣସି ବତାସ ବା ତୋଫାନ ନ ଥିଲା । ସମୁଦ୍ରର ଲହରୀମାନେ ମଧ୍ୟ ଶାନ୍ତ ଥିଲେ; ସକାଳୁ ଉଠି ଲୋକେ ଦେଖିଲେ ସମସ୍ତ ଘର ଭାଙ୍ଗି ତଳେ ପଡି ଯାଇଛି, ଏଥିରୁ କେହି କିଛି ହେଲେବି ବୁଝି ପାରିଲେ ନାହିଁ । କେବଳ ଏତିକି ଅନୁଭବ କଲେ ଯେ ସେଠାରେ ବେଶି ସମୟ ରହିଲେ ଭୟଙ୍କର ବିପଦର ସମ୍ମୁଖୀନ ହୋଇ ପ୍ରାଣ ହରାଇବାକୁ ପଡିବ । ତେଣୁ ସେମାନେ ଭୟଭୀତ ହୋଇ ଲକ୍ଷ୍ୟହୀନ ଭାବରେ ଦୌଡି ଦୌଡି ସେ ସ୍ଥାନ ଛାଡି ଅନ୍ୟତ୍ର ପଳାଇ ଗଲେ । ସେମାନଙ୍କ ମଧ୍ୟରୁ କେତେକ ରାଜଧାନୀରେ ଆସି ପହଁଚିଲେ ନଗର ଦ୍ୱାରକୁ ଜଗୁଥିବା ସୈନିକମାନେ ଏହି ଖବର ସେନାପତିଙ୍କୁ ଦେଲେ ।

ସେନାପତିଙ୍କ ଆଦେଶରେ ସେମାନଙ୍କୁ ଶରଣାର୍ଥୀ ଶିବିରକୁ ନିଆଗଲା । କେହି କେହି ମନ୍ଦିର ପ୍ରାଙ୍ଗଣରେ ବା ବସନ୍ତୋତ୍ସବ ପାଇଁ ହୋଇଥିବା ଖାଲି ଘର ମାନଙ୍କରେ ଆଶ୍ରୟ ନେଲେ ।

ରାଜକୁମାରୀ ପ୍ରିୟମ୍ବଦା ତାଙ୍କ ସଖୀମାନଙ୍କ ସହିତ ଯାଇ ରାଜପ୍ରାସାଦର କୌଣସି ଅଂଶରେ ସ୍ତ୍ରୀ ଓ ପିଲାମାନଙ୍କୁ ରଖାଇଲେ । ସେ ଦେଖିଲେ ଯେପରି ସେମାନଙ୍କର କୌଣସି ଅସୁବିଧା ନହୁଏ । ଏସବୁ କରୁ କରୁ ରାତି ଅଧ ହୋଇଗଲା ।

ସକାଳ ହେବା ମାତ୍ରେ ରାଜା ସେନାପତିଙ୍କୁ ନେଇ ଶରଣାର୍ଥୀଙ୍କୁ ଦେଖା କରିବାକୁ ଗଲେ । ରାଜାଙ୍କୁ ଦେଖିବା ମାତ୍ରେ ବଡ ଦୀନ ଭାବରେ ସେମାନେ କହିଲେ, “ଘରଦ୍ୱାର, ସମ୍ପତ୍ତି, ପଶୁପକ୍ଷୀ ସବୁ ଛାଡି ଆମେ ପଳାଇ ଆସି, କୌଣସି ମତେ ପ୍ରାଣ ବଞ୍ଚାଇ ଏଠାରେ ପହଁଚିଲୁ । ମହାରାଜ, ଫେରିଯିବାକୁ ଆମର ସାହସ ହେଉନାହିଁ । ଫେରିଗଲେ ମଧ୍ୟ ସେଠାରେ ଯାଇ ଦେଖିବୁ, କେବଳ ଘୋର ମରୁପ୍ରାନ୍ତର; ତା’ପରେ କେବେ କି ପ୍ରକାର ବିପଦ ଯେ ହଠାତ୍ ଆସି ପଡିବ, ସେକଥା ମଧ୍ୟ କେହି କିଛି କହି ପାରିବ ନାହିଁ । ଆମେ ବୁଝି ମଧ୍ୟ ପାରୁନାହୁଁ କି ଏପରି ଘଟଣା କିପରି ହେଲା? ଏହା ତ ପ୍ରାକୃତିକ ବିପର୍ଯ୍ୟୟ ନୁହେଁ । ଏହା ଅନ୍ୟ କୌଣସି ଅଦୃଶ୍ୟ ଶକ୍ତି ଦ୍ୱାରା ସମ୍ପନ୍ନ ହୋଇଛି । ଆପଣଙ୍କ ବ୍ୟତୀତ ଏ ବିପଦରୁ ଆମକୁ ଆଉ କିଏ ବା ରକ୍ଷା କରିବ?”

“ତୁମମାନଙ୍କୁ ରକ୍ଷା କରିବାର ଦାଇତ୍ତ୍ଵ ମୋର । ତୁମର ସମ୍ପତ୍ତି ଓ ତୁମର ଜୀବନ କୌଣସିଟାର ମଧ୍ୟ କ୍ଷତି ହେବନାହିଁ । ତୁମେମାନେ ନିଶ୍ଚିନ୍ତ ହୋଇ ରହିଥାଅ ।” ରାଜା ଏପରି କହି ସେମାନଙ୍କୁ ସାନ୍ତ୍ୱନା ଦେଲେ ।

ସେନାପତି କହିଲେ, “ମହାରାଜ, ଗତକାଲି ରାଜ୍ୟର ଦକ୍ଷିଣ ପ୍ରାନ୍ତକୁ ଅନେକ ସୈନ୍ୟ ପଠାଇଛି । ସେମାନେ ସମସ୍ତ ପ୍ରକାର ବିପଦର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ହୋଇ ଯାଇଛନ୍ତି । ସାରାଦିନ ସେମାନଙ୍କ କଥା ବୁଝିବା ପାଇଁ ସୈନ୍ୟମାନଙ୍କୁ ମୃତୟନ କରାଯାଇଛି । ସେମାନଙ୍କର ଯେପରି କୌଣସି ପ୍ରକାରର ଅସୁବିଧା ନହୁଏ, ସେ ବିଷୟ ମୁଁ ନିଜେ ଦେଖିବି ।”

ରାଜା କହିଲେ “ବହୁତ ଭଲ କଥା । ରାଜାର ଧର୍ମ ପ୍ରଜାଙ୍କୁ ରକ୍ଷା କରିବା; ସେମାନଙ୍କ ସୁଖଦୁଃଖକୁ ନିଜର ବୋଲି ଭାବିବା । ଯେଉଁ ରାଜା ନିଜର କର୍ତ୍ତବ୍ୟ ଠିକ୍ ରୂପେ ପାଳନ ନ କରେ, ନିଜକୁ ରାଜା ବୋଲି କହିବାର ତା’ର କୌଣସି ଅଧିକାର ନାହିଁ । ତୁମେ ନିଜର ସୈନ୍ୟଦଳ ନେଇ ସେମାନଙ୍କୁ ସାହାଯ୍ୟ କରିବ, ସେ ବିଶ୍ୱାସ ମୋର ଅଛି ।”

ସେନାପତି କହିଲେ “ମହାରାଜ, ଆଉ ଏକ ସମାଚାର ଯେଉଁ ସ୍ତ୍ରୀ ଓ ପିଲାମାନେ ଏଠାକୁ ଆସିଛନ୍ତି, ସେମାନଙ୍କର ରହିବାର ବ୍ୟବସ୍ଥା ସ୍ୱୟଂ ରାଜକୁମାରୀ ନିଜେ ପଶ୍ଚିମ ପଟରେ କରିଛନ୍ତି । ରାଜକୁମାରୀଙ୍କ ପରିଚାରିକାମାନେ ମୋତେ କହିଲେ କି ଏସବୁ କାମ କରୁକରୁ ରାତି ପ୍ରାୟ ଶେଷ ହୋଇ ଗଲା ।”

ରାଜା କହିଲେ “ଗରିବ ମାନଙ୍କୁ ସେବାକରିବାର ପ୍ରବୃତ୍ତି ପ୍ରିୟମ୍ବଦା ମଧ୍ୟରେ ତ ପିଲାଟି ଦିନରୁହିଁ ରହିଛି । ଏବେ ସେଠାକୁ ଯାଇ ଦେଖିବା ବନ୍ଦୋବସ୍ତସବୁ କିପରି ଭାବରେ କରାଯାଇଛି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ