ସବୁ ଶୁଣି କାବୁଇ କହିଲେ, “ସୌଭାଗ୍ୟବଶତଃ- ତୁମର ପ୍ରାଣହାନୀ ଘଟିନାହିଁ । ସେଇ ଆମ ପାଇଁ ଯଥେଷ୍ଟ, କିନ୍ତୁ ଆମେ ବୁଝିପାରୁନାହୁଁ ଯେ ରାକ୍ଷସଜନ୍ତୁକୁ ଆକର୍ଷିତ କରୁଥିବା ଏହି “ଶତାଦ୍ଦିକା” ଫୁଲ ନେଇ ନାଗସିଂହ ଗଲା କୁଆଡେ ।”
ସେନାପତି କହିଲେ, “ନାଗସିଂହର ଦୂରାଶା ବିଷୟରେ ଆମେ ସମସ୍ତେ ଜାଣୁ । ଉତୁଙ୍ଗଙ୍କୁ ତ ସେ କହିଲା ସିଂହାସନ ପାଇବା ପାଇଁ ସେ ସବୁକିଛି କରିପାରେ । ନିଜର ନୀଚ୍ଚ ଆଶା ପୂରଣ କରିବା ପାଇଁ ସେ ରାକ୍ଷସ ଜନ୍ତୁକୁ “ଶତାଦ୍ଦିକା” ପୁଷ୍ପ ଦେଖାଇ ଆକର୍ଷଣ କରି ଆଣି ରାଜ୍ୟ ଉପରେ ଆକ୍ରମଣ କରାଇବ । ତା’ପରେ ମାଣିକ୍ୟପୁରୀର ଯେଉଁ ଅବସ୍ଥା ହେଲା ଆମର ମଧ୍ୟ ଠିକ୍ ସେଇଆ ହେବ ।”
ଉତୁଙ୍ଗ କହିଲେ, “କିନ୍ତୁ ନାଗସିଂହ ତ ରାକ୍ଷସଜନ୍ତୁକୁ ଦେଖି ନାହିଁ । ସେ ଏକ ଛୋଟ ପର୍ବତପରି, ତେଣୁ ନାଗପୁରୀକୁ ଆସିବାକୁ ହେଲେ ଯେଉଁ ପାହାଡି ସଂକୀର୍ଣ୍ଣ ରାସ୍ତା ଅଛି ତା’ମଧ୍ୟରେ ରାକ୍ଷସଜନ୍ତୁ ପାଇଁ ଆସିବା ଅସମ୍ଭବ ।”
“ତେବେ ତ ଚିନ୍ତା କରିବାର କିଛି କାରଣ ନାହିଁ । ଆମେ ଚାଲ ସବୁକିଛି ରାଜାଙ୍କୁ କହିବା । ରାଜପରିବାରଙ୍କୁ ରକ୍ଷା କରିବା ଆମର ପ୍ରଧାନ କର୍ତ୍ତବ୍ୟ ।” ଏହା ସେନାପତି କହିଲେ ଓ ସେଠାରୁ ଚାଲିଗଲେ ।
ରାଜା ସେମାନଙ୍କୁ ଦେଖିବା ମାତ୍ରେ ପଚାରିଲେ, “ଉତୁଙ୍ଗ ତମେ ଏପର୍ଯ୍ୟନ୍ତ ବାହାରି ନାହଁ?” ତା’ପରେ ସେନାପତିଙ୍କୁ ପଚାରିଲେ, “କ’ଣ ନାଗସିଂହ ପଳାଇଲା?”
“ନାହିଁ ମହାରାଜ, କିଛି ଅପ୍ରତ୍ୟାଶିତ ଘଟଣା ଘଟିଲା ।” ଏହାପରେ ସେନାପତି ରାଜାଙ୍କୁ ସଂକ୍ଷେପରେ ସବୁକଥା କହିଲେ ।
ସବୁକିଛି ଶୁଣିବା ପରେ ରାଜା କହିଲେ, “ସେନାପତି, ଆମ ପରିବାରର ସୁରକ୍ଷା ବିଷୟରେ ଆଦୌ ଚିନ୍ତା କର ନାହିଁ । କିନ୍ତୁ ଆମ ପ୍ରଜା ଓ ଆମ ରାଜ୍ୟ ଉପରେ ଯେପରି କିଛି ବିପଦ ନ ଆସେ । ଏବେ, ଏହି ମୁହୂର୍ତ୍ତରେ ଆମେ ସମୁଦ୍ର ତୀରକୁ ଯିବା ସୈନ୍ୟମାନଙ୍କୁ କୁହ ମଶାଲ ଓ ତୀରଧନୁ ଧରି ଆମ ସହିତ ଆସନ୍ତୁ । ଖଣ୍ଡା, ତଲବାର, ମଧ୍ୟ ସାଙ୍ଗରେ ଆଣିବେ । ଉତୁଙ୍ଗ କହୁଥିଲେ ରାକ୍ଷସଜନ୍ତୁ ଅଗ୍ନିକୁ ଖୁବ୍ ଭୟ କରେ । ତେଣୁ ମଶାଲ ଦେଖି ସେ ଆମ ପାଖକୁ ଆସିବାକୁ ଡରିବ । ଉତୁଙ୍ଗ ଓ କାବୁଇ ଶୀଘ୍ର ସମୁଦ୍ର ତଟକୁ ଚାଲିଯା’ନ୍ତୁ ମୁଁ ସେନାପତିଙ୍କୁ ଓ ସୈନ୍ୟଦଳ ନେଇ ଯାଉଛି । ସେଠାରେ ପହଁଚି ଆମେ ସ୍ଥିର କରିବା କ’ଣ କରିବାକୁ ହେବ ।”
“ଆଜ୍ଞା ମହାରାଜ” କହି ଉତୁଙ୍ଗ ଓ କାବୁଇ ଚାଲିଗଲେ । ସେମାନେ ବସ୍ତିରେ ପହଁଚି ଦେଖିଲେ ଦଳ ଦଳ ହୋଇ ବସ୍ତିର ଲୋକେ ତାଙ୍କୁ ଉତ୍କଣ୍ଠିତ ହୋଇ ଅପେକ୍ଷା କରିଛନ୍ତି । ସେମାନେ କେବଳ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥିଲେ । କାବୁଇ ଘର ଭିତରକୁ ଯାଇ ଫେରି ଆସିଲେ ଓ ତା’ପରେ ସେ ଦୁହେଁ ମିଳି ସମୁଦ୍ର କୂଳକୁ ଗଲେ ।
ନାଗପୁରୀର ରାଜକୁମାରୀ ମଧ୍ୟ ସମସ୍ତ ଖବର ପାଇଗଲେ । ସେ ନାଗସିଂହଙ୍କ ବିଷୟରେ ଯାହା ଯାହା ଭାବିଥିଲେ ଠିକ୍ ତାହାହିଁ ଘଟିଲା । ସେହି ଦୁଷ୍ଟ, ଉତୁଙ୍ଗଙ୍କୁ ରାକ୍ଷସଜନ୍ତୁ ପାଖରେ ପହଁଚିବା ପୂର୍ବରୁହିଁ ଏପରି କରିଛି । ଏବେ ତାହାର ଲକ୍ଷ୍ୟ ସ୍ପଷ୍ଟ । ନିଜର ଲକ୍ଷ୍ୟ ସିଦ୍ଧ କରିବା ପାଇଁ ସେ କି ପ୍ରକାର ଉପାୟ ଅବଲମ୍ବନ କରିବ ତାହା ଜାଣିବା ଭାରି କଷ୍ଟ । ଆଉ ଯଦି ରାକ୍ଷସଜନ୍ତୁକୁ ସେ ନିଜ ପଟରେ ରଖିବ ତେବେ ରାଜ୍ୟ ଉପରେ ମହାବିପଦ । ତେଣୁ ରାଜକୁମାରୀ କିଛି ନଭାବି ଭଗବାନଙ୍କୁ ପ୍ରାର୍ଥନା କରିବାକୁ ଲାଗିଲେ । ଯେପରି ନାଗସିଂହ ନିଜ କାର୍ଯ୍ୟରେ ସଫଳତା ନ ପାଉ ।
ଏଣେ ଉତୁଙ୍ଗ ଓ କାବୁଇ ସମୁଦ୍ରତୀରରେ ଯାଇ ପହଁଚିଲେ । ସେଠାରେ କେବଳ ଲହରୀ ମାଳାର ଶବ୍ଦ ବ୍ୟତୀତ ବାତାବରଣ ଶାନ୍ତ ଥିଲା । ସେମାନେ ଏକ ବଡ ପଥର ଉପରେ ଚଢି ଦୂରକୁ ଦୃଷ୍ଟିପାତ କଲେ । କେବଳ ଅନ୍ଧକାର ଚତୁର୍ଦ୍ଦିଗରେ ବିସ୍ତୃତ ହୋଇଥିଲା । କିଛି ସମୟ ପରେ ଦୂରରୁ ଅସ୍ପଷ୍ଟ କିଛି ଶୁଭିଲା । କ୍ରମେ ସେହି ଶବ୍ଦ ନିକଟତର ହେଲା । କାବୁଇ ପଚାରିଲେ, “ଏ ସ୍ୱର ନାଗସିଂହର ନା?” ଉତୁଙ୍ଗ କିଛି ଉତ୍ତର ଦେଲେ ନାହିଁ । ସେ କେବଳ ସମୁଦ୍ର ଆଡକୁ ଚାହିଁ ରହିଥିଲେ । କିଛି ସମୟ ପରେ ସେ କାବୁଇଙ୍କୁ କହିଲେ, “ହେଇ, ଦେଖନ୍ତୁ, ରାକ୍ଷସଜନ୍ତୁ ଦୂରରୁ ଦିଶୁଛି ।”