ଅନେକ ଦିନ ତଳର କଥା । କମଲୁଦ୍ଦିନ୍ ଉଜ୍ବେକିସ୍ଥାନର ସୁଲତାନ୍ ରୂପେ ଅଭିଷିକ୍ତ ହେଲେ । ସେତେବେଳେ କମଲୁଦ୍ଦିନ୍ ବୟସରେ ତରୁଣ । ବାପା ହଠାତ୍ ମରିଯିବାରୁ ସେ ସିନା ସୁଲତାନ୍ ହେଲେ, କିନ୍ତୁ ଭୋଗବିଳାସ ଛାଡି ଶାସନ କାର୍ଯ୍ୟରେ ମନ ଦେବାକୁ ସେ ଆଦୌ ପ୍ରସ୍ତୁତ ନଥିଲେ ।
ଦିନେ ଉଜୀର୍ ଆସି କହିଲେ, “ସୁଲତାନ୍! ଆମ ଗୁପ୍ତଚରମାନେ କହୁଛନ୍ତି, ଉତ୍ତର ମୁଲକର ଅମୀର୍ ହଠାତ୍ ରାଜଧାନୀ ଆକ୍ରମଣ କରି ଗାଦି ଅଧିକାର କରିବା ଉଦ୍ଧେଶ୍ୟରେ ଅଛନ୍ତି । ଆମେ ବେଳହୁଁ ସତର୍କ ନହେଲେ ଅବସ୍ଥା ଅସମ୍ଭାଳ ହେବ ।”
ସୁଲତାନ୍ ଉଜୀର୍ଙ୍କ କଥା ଶୁଣି ମଧ୍ୟ ନ ଶୁଣିଲା ଭଳି ରହିଲେ ଓ ପାଟିରେ ଗୋଟି ଗୋଟି କରି ଅଙ୍ଗୁର ପକାଇଲେ । ଉଜୀର୍ କିଛି ସମୟ ଅପେକ୍ଷା କରି ପୁଣି ପଚାରିଲେ, “ଆଜ୍ଞା! କ’ଣ କରାଯିବ? ତୁରନ୍ତ ଏ ଦିଗରେ ଯଥାର୍ଥ ପଦକ୍ଷେପ ନ ହେଲେ ନ ହୁଏ । ଆପଣ ନିଜେ ତତ୍ପର ନହେଲେ ଅବସ୍ଥା ବଡ ଅସମ୍ଭାଳ ହେବ । ସଙ୍ଗେ ସଙ୍ଗେ ଆମ ସୈନ୍ୟବାହିନୀଙ୍କୁ ଜାଗତିଆର୍ କରିବା ମଧ୍ୟ ଆବଶ୍ୟକ ।”
ସୁଲତାନ୍ କହିଲେ, “ସେକଥା ମୋତେ କାହିଁକି କହୁଛନ୍ତି?”
ଉଜୀର୍ କ୍ଷୁବ୍ଧ ହୋଇ ପଚାରିଲେ “ମାନେ? ଆପଣ ସୁଲତାନ୍ । ଆପଣଙ୍କୁ ନ କହି ଆଉ କାହାକୁ କହିବି?”
ସୁଲତାନ୍ କହିଲେ “ଉଜୀର୍ ସାହେବ! ଆପଣଙ୍କର ବୁଦ୍ଧି ମୋଟେ ନାହିଁ ଦେଖୁଛି! ଆପଣ ଏକଥା ସିନା ମୋ ସେନାପତିଙ୍କୁ କହିବେ! ଆମର ବିରାଟ ସୈନ୍ୟବାହିନୀ ଅଛନ୍ତି, ସେନାପତି ବି ଅଛନ୍ତି । ଯଦି ଶତ୍ରୁ ଆସି ରାଜଧାନୀ ଆକ୍ରମଣ କରିବ, ତେବେ ସେମାନେ ଲଢି ଶତ୍ରୁକୁ ହଟାଇ ଦେବେ । ବାସ୍! ମୋର ସେଥିରେ କ’ଣ କରିବାର ଅଛି?”
ତାଙ୍କର ଏ ଉତ୍ତର ଶୁଣି ଉଜୀର୍ ଦୀର୍ଘନିଶ୍ୱାସ ଛାଡି ସେଠାରୁ ଚାଲିଗଲେ ।
ଏହାର କିଛିଦିନ ପରେ ସତକୁ ସତ ଉତ୍ତର ମୁଲକର ଅମୀର ରାଜଧାନୀ ଆକ୍ରମଣ କଲେ । ସୁଲତାନ୍ଙ୍କ ସୈନ୍ୟଦଳ ସେଥିରେ ତାଙ୍କୁ ବାଧା ଦେଲେ, କିନ୍ତୁ ପରାସ୍ତ ହୋଇଗଲେ । ସୁଲତାନ୍ କୌଣସି ମତେ ତାଙ୍କ ଦୁର୍ଗ ଭିତରୁ ଆତ୍ମଗୋପନ କରି ଖସି ପଳାଇଗଲେ ।
ସେ ଯାଇ ଅନ୍ୟ ଜଣେ ସୁଲତାନ୍ଙ୍କ ପ୍ରାସାଦରେ ଆଶ୍ରୟ ନେଲେ । ସେ ସୁଲତାନ୍ ଜଣେ ଦକ୍ଷ ଶାସକ ଥିଲେ । ତାଙ୍କ ଗଡ ଚାରିଦିଗରେ ଗଡଖାଇ ଥିଲା । ତାଙ୍କ ଦୁର୍ଗ ଆକ୍ରମଣ କରିବା କାହା ପକ୍ଷରେ ବି ଏତେ ସହଜ ନଥିଲା ।
କିଛିଦିନ ପରେ ସୁଲତାନ୍ କମଲୁଦ୍ଦିନ୍ଙ୍କୁ ତାଙ୍କ ଆଶ୍ରୟଦାତା କହିଲେ, “ତୁମେ ମୋ ସୈନ୍ୟଦଳ ନେଇଯାଇ ତମ ନିଜ ରାଜ୍ୟ ଉଦ୍ଧାର କର । ମୋ ସୈନ୍ୟବାହିନୀ କୁଶଳୀ ଏବଂ ମୋ ସେନାପତି ଖୁବ୍ ବୁଦ୍ଧିମାନ୍ ।”
ସୁଲତାନ୍ କମଲୁଦ୍ଦିନ୍ ଖୁବ୍ ଖୁସି ହେଲେ । ତାଙ୍କ ଆଶ୍ରୟଦାତାଙ୍କ ସୈନ୍ୟବାହିନୀ ଧରି ସେ ନିଜ ରାଜ୍ୟକୁ ବାହାରିଲେ ।
ବାଟରେ ସେ ନିଜ ଭୋଗବିଳାସ କଥା ମନେ ପକାଇଲେ । ତାହା ମନେ ପକାଇବା ମାତ୍ରେ ପୁଣି ସେଥିରେ ମଜି ଯିବା ସକାଶେ ତାଙ୍କର ଇଚ୍ଛା ହେଲା । ସେ ଗୋଟିଏ ଗଛ ମୂଳରେ ବସି ପଡି ତାଙ୍କ ଆଶ୍ରୟଦାତାଙ୍କ ସେନାପତିଙ୍କୁ କହିଲେ, “ତମେ ଖୁବ୍ ବୁଦ୍ଧିମାନ ବୋଲି ମୁଁ ଜାଣେ । ଯାଅ । ମୋ ଦୁର୍ଗ ଦଖଲ କରି ମୋତେ ଖବର ଦିଅ । ତା’ପରେ ମୁଁ ଯିବି । ବର୍ତ୍ତମାନ ଟିକିଏ ଆରାମ୍ କରେ ।
ସେନାପତି ସୈନ୍ୟଦଳ ନେଇ ଚାଲିଗଲେ । ଦୁର୍ଗକୁ ଲେଉଟି କିପରି ଆରାମ୍ରେ ଜୀବନ ବିତାଇବେ, କମଲୁଦ୍ଦିନ ସେହି ସ୍ୱପ୍ନରେ ବିଭୋର ହୋଇ ବସିଥାନ୍ତି ।
କିଛି ସମୟ ପରେ ଜଣେ ସୈନିକ ଦୌଡି ଆସି କହିଲା, “ସୁଲତାନ୍! ଆମର ଦୁର୍ଭାଗ୍ୟ, ଆମେ ପରାସ୍ତ ହୋଇଗଲୁ । ଆପଣ ପଳାନ୍ତୁ, ନହେଲେ ବର୍ତ୍ତମାନ ଶତ୍ରୁସୈନ୍ୟ ଆସି ଆପଣଙ୍କୁ ମାରି ପକାଇବେ ।”
କମଲୁଦ୍ଦିନଙ୍କ ହାତରୁ ତାଙ୍କ ପାନପାତ୍ର ଖସି ପଡିଲା । ସେ ପଳାଇଗଲେ । ଘୋର ଲଜ୍ଜାରେ ସେ ଆଉ ନିଜ ଆଶ୍ରୟଦାତାଙ୍କ ପାଖକୁ ଗଲେ ନାହିଁ । ପ୍ରାୟ ଦଶଦିନ ଘୋଡା ଛୁଟାଇ ସେ ଅନ୍ୟ ଏକ ରାଜ୍ୟରେ ଯାଇ ପହଁଚିଲେ । ସେଠାକାର ରାଜା ତାଙ୍କୁ ଚିହ୍ନି ନଥିଲେ । କମଲୁଦ୍ଦିନ୍ ତାଙ୍କ ଦେହରକ୍ଷୀ ଭାବରେ ଚାକିରୀ କଲେ ।
କିଛିଦିନ ବିତିଗଲା । ଦିନେ ଆଉ ଜଣେ ଶକ୍ତିଶାଳୀ ରାଜା ସେ ରାଜ୍ୟ ଆକ୍ରମଣ କଲେ । କମଲୁଦ୍ଦିନଙ୍କ ଆଶ୍ରୟଦାତା ରାଜା ସଙ୍ଗେ ସଙ୍ଗେ ନିଜ ସେନାପତିମାନଙ୍କୁ ଧରି ଯୁଦ୍ଧ କ୍ଷେତ୍ରକୁ ବାହାରିଗଲେ । ସେନାପତିମାନଙ୍କ ସହ କାନ୍ଧକୁ କାନ୍ଧ ମିଳାଇ ସେ ଯୁଦ୍ଧ କଲେ । ଯୁଦ୍ଧରେ ତାଙ୍କର ଜୟ ହେଲା । ଆକ୍ରମଣକାରୀ ସୈନ୍ୟଦଳ ଛିନ୍ଛତ୍ର ହୋଇଗଲେ ।
ଜୟଲାଭ ପରେ ରାଜ୍ୟରେ ଉତ୍ସବ ହେଲା । ସେତିକିବେଳେ କମଲୁଦ୍ଦିନ୍ ରାଜାଙ୍କୁ ପଚାରିଲେ, “ଆଜ୍ଞା, ଆପଣଙ୍କର ସେନାପତିମାନଙ୍କ ଯୁଦ୍ଧ କୌଶଳ ଦେଖିଲି । ସେମାନେ ବୀର ଓ ବୁଦ୍ଧିମାନ । ସେମାନେ ଥାଉ ଥାଉ ଆପଣ କାହିଁକି ଯୁଦ୍ଧକ୍ଷେତ୍ରକୁ ଗଲେ?”
ରାଜା କହିଲେ, “ଯୁବକ! ମୁଁ ସେମାନଙ୍କ ସହ କାନ୍ଧକୁ କାନ୍ଧ ମିଳାଇ ଲଢୁଥିଲି ବୋଲି ସେମାନେ ସେମାନଙ୍କ ଶକ୍ତି ଓ ବୁଦ୍ଧି ପୂର୍ଣ୍ଣ ମାତ୍ରାରେ ଖଟାଇଲେ । ରାଜା ନିଜେ ନେତୃତ୍ୱ ଦେଲେ ସାଧାରଣ ସୈନ୍ୟମାନେ ବି ଉତ୍ସାହ ଅନୁଭବ କରନ୍ତି । ଏହା ସ୍ୱାଭାବିକ । ତା’ଛଡା ମୋ ରାଜ୍ୟ ରକ୍ଷା ପାଇଁ ସେମାନେ ଜୀବନ ବିପନ୍ନ କରିବେ ଅଥଚ ମୁଁ ନିରାପଦ ରହିବି, ଏହା କିପରି କଥା?”
ରାଜାଙ୍କ ଏଭଳି ଉତ୍ତର ସୁଲତାନଙ୍କ ଭିତରେ ବିରାଟ ପରିବର୍ତ୍ତନ ଆଣିଦେଲା । ସେ ସେହିଦିନ ରାତିରେ ସେଠାରୁ ଚାଲିଗଲେ । କେଇଦିନ ପରେ ଦିନେ ସଂନ୍ଧ୍ୟାବେଳେ ସେ ନିଜ ଦୁର୍ଗ ଦୁଆରେ ଯାଇ ପହଁଚିଲେ । “ତମେ କିଏ?” ବୋଲି ଦୁର୍ଗର ପ୍ରହରୀ ପ୍ରଶ୍ନ କରିବାରୁ ସେ ଧୀର କଣ୍ଠରେ କହିଲେ, “ମୋତେ ତମେ ଚିହ୍ନି ପାରୁନାହଁ? ମୁଁ ତମ ସୁଲତାନ୍ କମଲୁଦ୍ଦିନ୍ ।”
ଅଳ୍ପ ସମୟ ଭିତରେ ସିପାହୀ ଓ ସାଧାରଣଲୋକେ ସେଠାରେ ଜମା ହୋଇଗଲେ । ସେତେବେଳକୁ ତାଙ୍କ ଦୁର୍ଗ ମାଡିବସିଥିବା ଅମୀରର ଅତ୍ୟାଚାରରେ ସମସ୍ତେ ତା’ର ଶତ୍ରୁ ହୋଇ ଯାଇଥାନ୍ତି । ସେମାନଙ୍କ ନିଜ ସୁଲତାନ୍ଙ୍କ ପାଇଁ ସେମାନେ ଅମୀର ବିରୁଦ୍ଧରେ ରାତାରାତି ବିଦ୍ରୋହ କଲେ । ଅମୀର ବନ୍ଦୀ ହେଲା । ସୁଲତାନ୍ ତାଙ୍କ ରାଜ୍ୟ ଫେରି ପାଇଲେ ଓ ସୁଶାସକ ଭାବରେ ଖ୍ୟାତି ଅର୍ଜିଲେ ।