ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବିଟପି ରାଜକୁମାରୀ କାହାଣୀ

 ଅନେକବର୍ଷ ଅତୀତ ହେଲା । ଦିନେ ଅଗତ୍ୟା ଶୁକର ଶାରୀକଥା ମନରେ ପଡିଲା । ହେ ରାଜାଧିରାଜ ବିକ୍ରମାଦିତ୍ୟ ବର୍ତ୍ତମାନ ମୋ ପ୍ରିୟ କଥା ମନେ ପଡୁଛି । ସେ କିପରି ଏକାକିନୀ ନିର୍ଜନ ବନରେ ରହିଛି । ଆଦେଶ କଲେ ମୁଁ ଯାଇ ତାଙ୍କୁ ଦେଖି ଆସିବି । ଶୁକ ଯିବା କଥାଶୁଣି ବିକ୍ରମାଦିତ୍ୟ କହିଲେ ଶୁକ ତୁମ୍ଭକୁ ତ୍ୟାଗ କରିବାପାଇଁ ମନ ବଳୁନାହିଁ । ତୋରି ଯୋଗୁଁ ମୁଁ ଆଜି ବହୁତ ସମ୍ମାନର ଅଧିକାରୀ । ଶୁକ ରାଜାଙ୍କର ମନ କଷ୍ଟ ଜାଣିପାରି କହିଲା ମୁଁ ଯାଉଛି ଅଳ୍ପଦିନ ମଧ୍ୟରେ ଫେରି ଆସିବି । ତୁମ୍ଭଙ୍କୁ ଶାରୀ ଜାଣିଛି ତେଣୁ ସେ ମୋତେ ରଖାଇବ ନାହିଁ । ହେ ରାଜନ, ବିକ୍ରମାଦିତ୍ୟ ତୁମ୍ଭେ ମନ ମଧ୍ୟରୁ ଶୋକ ତ୍ୟାଗକର । ଅତି ସ୍ନେହ ତୁମ୍ଭର ମୋ ଉପରେ ଥିବାରୁ ତୁମ୍ଭ ମନରେ ଦୁଃଖ ଜାତ କରାଉଛି । ଅତି ସ୍ନେହ ଖରାପ ମଧ୍ୟମ ପ୍ରେମରେ ସଫଳତା ମିଳେ । ଅତି ଦର୍ପ କରିବାରୁ ଦଶାନନ ମୃତ୍ୟୁ ବରଣ କଲା । ଅତିମାନ କରି ରାଜା ଦୁର୍ଯ୍ୟୋଧନ ଜୀବନ ତେଜିଲା । ଅତି ଦାନରେ ବଳିରାଜା ପାତାଳକୁ ଗମନ କଲା । ନାରୀ ସହିତ ସହବାସ ସୁଖ କରି କ୍ଷଣିକ ପାଇଁ ନର ତା’ର ଜୀବନ ବି ଦେଇପାରେ । ପ୍ରେମ କରି ମଧ୍ୟ କେତେକ ଜୀବନ ତେଜ୍ୟା କରିଛନ୍ତି ।

         ବିକ୍ରମାଦିତ୍ୟ କହିଲେ ହେ ଶୁକମନ୍ତ୍ରୀ – ସେ କଥା ମୋତେ ବୁଝାଇ କରି କୁହନ୍ତୁ । ଶୁକ କହିଲେ ହେ ରାଜନ ଯେବେ ଶୁଣିବାପାଇଁ ଇଚ୍ଛା କଲ ତେବେ ମୁଁ କହୁଛି ଶୁଣ । କନୌଜ ନାମକ ଦେଶରେ ଜଣେ ସୌଦାଗର ଥିଲେ ତାଙ୍କର ଧନ ଦଉଲତ ଅସୁମାରି । ଧନଥିଲେ କ’ଣ ହେବ ତାଙ୍କ କୋଳରେ ନନ୍ଦନ ନଥିଲା । ପୁତ୍ରଟିଏ ପାଇବା ନିମିତ୍ତ ସୌଦାଗର ଦାନ ପୁଣ୍ୟ କରନ୍ତି, ହରିବଂଶ ପୁରାଣ ଶ୍ରବଣବି କରନ୍ତି । ଅନେକ ଦିନ ବିତିଯିବା ପରେ ତାଙ୍କର ପୁତ୍ରଟିଏ କୋଳମଣ୍ଡନ କଲା । ହରିବଂଶ ବୋଲି ସୌଦାଗର ସେ ପୁତ୍ରଟିର ନାମଦେଲା । ପୁତ୍ରଟିକୁ ଅତି ସ୍ନେହରେ ଲାଳନପାଳନ କଲା । ପୁଅଟି ଦିନକୁ ଦିନ ଶୁକ୍ଳ ପକ୍ଷର ଚନ୍ଦ୍ରମାପରି ବଢିବାକୁ ଲାଗିଲା । ପାଖପଡୋଶୀମାନେ ତାକୁ ସ୍ନେହ କରୁଥାନ୍ତି । କିଛିଦିନ ପରେ ଏକ ସୁନ୍ଦରୀ କନ୍ୟାକୁ ପୁତ୍ରକୁ ବିଭାକରାଇଲା । ଅତି ସୁନ୍ଦର ପୁରୁଷଟିଏ ପାଇ ସେ କନ୍ୟା କାଳାତିପାତ କରି ଚାଲିଲା । କିଛିଦିନ ବିତିଯିବାପରେ ଦିନେ ହରିବଂଶ ଘୋଡାରେ ବସି ଭ୍ରମଣ କରିବାକୁ ବାହାରିଲା । ସେ ବଲୁ ବୁଲୁ ଯାଇ ବନସ୍ତ ମଧ୍ୟରେ ପ୍ରବେଶିଲା । ଏପରି ଭ୍ରମଣ କରୁ କରୁ ବେଳ ଅବସାନ ହେଲା । ଖରାତାପରେ ହରିବଂଶ ତୃଷାତୁର ହେଲା । ଜଳ ଅନ୍ୱେଷଣ କରୁ କରୁ ଗୋଟିଏ ଶିବମନ୍ଦିର ତାକୁ ଦୃଶ୍ୟ ହେଲା । ନାନା ପ୍ରକାର ବୃକ୍ଷ ଭିତରେ ସେ ମନ୍ଦିରଟି ବହୁତ ସୁନ୍ଦର ଦେଖାଯାଉ ଥାଏ । ଅତି କ୍ଷୁଦ୍ର ବୃକ୍ଷରେ ମଧ୍ୟ ଅନେକ ଫଳ ଫଳି ଓହଳି ଥାଏ । ଦକ୍ଷିଣଦିଗରୁ ମୃଦୁ ମଳୟପବନ ବହୁ ଥାଏ । ଏ ସମସ୍ତ ଦେଖି ହରିବଂଶ ଆନନ୍ଦହେଲା । ନିକଟରେ ଥିବା ହ୍ରଦକୁ ପଶି ଜଳପାନ କରି ତୃଷା ନିବାରଣ କଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ