ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବିଟପି ରାଜକୁମାରୀ କାହାଣୀ

         ନିଜର ଅଶ୍ୱଟିକୁ ଏକ ବୃକ୍ଷମୂଳରେ ବନ୍ଧନ କରି କଦମ୍ବ ମୂଳରେ ବିଶ୍ରାମ କଲା । କିଛି ସମୟ ପରେ ସେ ଏକ ସୁନ୍ଦରୀ ତରୁଣୀ ଆସୁଥିବାର ଦେଖିଲା । ସତେଯେପରି ସ୍ୱର୍ଗର ରତି ମଧ୍ୟ ତା’ଠୁ କମ୍ ସୁନ୍ଦରୀ । ଭ୍ରୁଲତା ବେନି ମଦନରେ ଚାପ ପରି ହରିବଂଶ ଚିନ୍ତା କଲା । ଏ କନ୍ୟାଟି ନିଶ୍ଚିତ କୌଣସି ରାଜକନ୍ୟା ହୋଇଥିବ । ସେ ସୁନ୍ଦରୀଙ୍କୁ ଦର୍ଶନ କରିବାମାତ୍ରେ ହରିବଂଶ ଅଙ୍ଗରେ କାମବାଣ ଜାତ ହେଲା । ସାଧୁସୁତକୁ ଦର୍ଶନକରି ସେ କନ୍ୟା କାମବାଣରେ ଅଚେତନ ହେଲା । ସଙ୍ଗରେ ଥିବା ପରିଚାରୀଗଣେ ତାଙ୍କ ସଖୀଙ୍କର ମୁଖରେ ଜଳ ସିଂଚନ କରି ତାଙ୍କର ଚେତା ଫେରାଇ ଆଣିଲେ । ପରିଚାରୀମାନେ ରାଜଜେମାଙ୍କୁ ପ୍ରଶ୍ନକଲେ ସଖି ତୁମ୍ଭର ଏ ଦୁର୍ଦ୍ଦଶା କାହିଁକି ହେଲା । ରାଜକନ୍ୟା ପରିଚାରୀମାନଙ୍କୁ କହିଲା ମୋତେ ପଚାରୁଛ କ’ଣ, ତୁମ୍ଭେମାନେ କ’ଣ ଦେଖି ପାରୁନାହଁ । କେଡେ ସୁନ୍ଦର ପୁରୁଷ ଜଣେ ବସିଛନ୍ତି । କୋଟିଏ କନ୍ଦର୍ପ ପରି ତାଙ୍କର ରୂପ । ତାଙ୍କୁ ଦେଖି ମୁଁ କାମନାରେ ପୀଡିତ ହୋଇ ଚେତନା ହରାଇଲି । ତାଙ୍କ ସହିତରେ ମୋତେ ମିଶାଅ ।

         ପରିଚାରୀମାନେ ରାଜକୁମାରୀଙ୍କ ମୁଖରୁ ଏପରି କଥା ଶୁଣି କହିଲେ ଏ ସାମାନ୍ୟ କଥାପାଇଁ ତୁମ୍ଭେ ଏପରି ହେଉଛ । ଆମ୍ଭେ ଆଗ ପଚାରୁ ତାଙ୍କର ଜନ୍ମ କେଉଁ କୁଳରେ, ତାଙ୍କର ପିତାମାତାଙ୍କର ନାମ କ’ଣ, କେଉଁ ରାଜ୍ୟରେ ତାଙ୍କର ଘର । ସାଧୁସୁତ ପାଖକୁ ପରିଚାରୀମାନେଯାଇ ଦେଖିଲେ ସେ ମଧ୍ୟ ଚେତନା ହରାଇ ପଡିଛି । ସାଧୁସୁତଙ୍କୁ ଉଠାଇ ପଚାରିଲେ ହେ ପଥିକ କୁହ ତୁମ୍ଭେ ଚେତନା ହରାଇ ପଡିବାର କାରଣ କ’ଣ । ପରିଚାରୀମାନଙ୍କ ମୁଖରୁ ଏ କଥା ଶ୍ରବଣ କରି ସାଧୁ ସୁତ କହିଲେ ମୁଁ ସେ ଚାରୁ ସୁକୁମାରୀକୁ ଦେଖିବା ମାତ୍ରେ ମୋ ଶରୀରରେ କାମ ଘୋଟିଲା । ସେ ଜ୍ୱାଳାରେ ମୁଁ ଚେତନା ହରାଇ ଦେଲି । ସେ ସୁନ୍ଦରୀକୁ ନପାଇଲେ ମୁଁ ବଂଚି ପାରିବି ନାହିଁ । ତୁମ୍ଭେ ମୋତେ ତାଙ୍କ ସଙ୍ଗରେ ମିଳାଇ ଦିଅ ଓ ମୋର ଜୀବନ ରକ୍ଷାକର । ଦାସୀଏ ପୁଚ୍ଛିଲେ ହେ ଅତିଥି, ତୁମର ନାମ ଗୋତ୍ର କୁହ । ଆମ୍ଭମନକୁ ପାଇଲେ ତୁମ୍ଭଙ୍କୁ ନେଇ ସେ କନ୍ୟା ସାଙ୍ଗରେ ମିଳନ କରାଇ ଦେବୁ । ମୋର ଘର କନୌଜ ଦେଶରେ । ନାମ ମୋର ହରିବଂଶ । ଜାତିରେ ମୁଁ ବୈଶ୍ୟ । ଅଶ୍ୱପୃଷ୍ଠରେ ବସି କାନନ ଭ୍ରମଣ କରୁ କରୁ ଏ ବନରେ ପହଁଚିଲି । ତୃଷାତୁର ହୋଇ ଜଳ ଅନ୍ୱେଷଣ କରୁ କରୁ ସମ୍ମୁଖରେ ଏ ସୁକୁମାରୀ କନ୍ୟାକୁ ଦେଖିଲି । ଦେଖିବାବେଳୁ ମୋ ହୃଦୟରେ କାମ ପଂଚବାଣ ମୋତେ କଷ୍ଟ ଦେଉଛି । ଦୟାକରି ତାହାଙ୍କୁ ଆଣି ମୋ ସାଙ୍ଗରେ ମିଳାଇ ଦିଅ । ଦାସୀମାନେ ସେକଥା ଶୁଣି କହିଲେ ତୁମ୍ଭେ ଯାହା କହିଲ ଶୁଣିବାପରେ ଆମ୍ଭେମାନେ ଭାବୁଛୁ ଏକଥା ଅସମ୍ଭବ । ସେ ରାଜକନ୍ୟା ତୁମ୍ଭେ ବୈଶ୍ୟ । ତୁମ୍ଭ ଦୁହିଁଙ୍କର ମିଳନ ତ ଅସମ୍ଭବ । ଅତି ଦୁଃଖରେ ସାଧୁ ସୁତ କହିଲେ ତୁମ୍ଭେ ଯେବେ ମୋ କଥା ଅମାନ୍ୟ କରିବ ମୁଁ ନିଶ୍ଚେ ପ୍ରାଣ ହରାଇବି । ହରିବଂଶର ଉଦ୍ଧେସ୍ୟ ବୁଝିପାରି ପରିଚାରୀମାନେ ଯାଇ ରାଜକନ୍ୟା ପାଖରେ ପ୍ରବେଶ ହୋଇ କହିଲେ ହେ ରାଜଜେମା! ସେ ତୁମ୍ଭଠାରୁ ବଳି ସୁନ୍ଦର । ତା’ର ଅଙ୍ଗରେ କୌଣସି ପ୍ରକାର କୁଲକ୍ଷଣ ନାହିଁ । ତୁମ୍ଭଠାରେ ତା’ର ମନପ୍ରାଣ ବନ୍ଧା । ଏକଥା ଶ୍ରବଣ କରି ରାଜଜେମା କାମରେ ଅଥୟ । ପରିଚାରୀମାନଙ୍କୁ କହିଲା ମୋତେ ନେଇ ତାଙ୍କ ସହିତ ମିଶାଇ ଦିଅନ୍ତୁ । ପରିଚାରୀ ମାନେ କହିଲେ ତୁମେ ରାଜକନ୍ୟା, କିପରି ତାଙ୍କ ସହିତ ତୁମ ମିଳନ ହେବ । ରାଜକନ୍ୟା କହିଲେ ପ୍ରଣୟରେ କୌଣସି ଜାତି ଅଜାତିର ବିଚାର ନାହିଁ । ରାଜଜେମା କଥା ବୁଝି ପରିଚାରୀମାନେ ହରିବଂଶ ପାଖରେ ନେଇ ରାଜକନ୍ୟାଙ୍କୁ ପହଁଚାଇ ଦେଇ ଫୁଲ ତୋଳିବା ଆଳରେ ସେଠାରୁ ଖସିଗଲେ । ଦୁହେଁ ପରସ୍ପର ଚକ୍ଷୁ ମିଳନ କରି ପରସ୍ପରକୁ ଆଲିଙ୍ଗନ କଲେ । ସେତେବେଳେ ଯେଉଁ ଭାବ ସୃଷ୍ଟି ତାହା କେବଳ ରସିକ ପୁରୁଷ ଜାଣନ୍ତି । କାମତାତି ଶେଷ ହେବାପରେ ଦୁହେଁ ବସନ ପିନ୍ଧିଲେ । ଶୌଚ ହୋଇ ଜେମା ନିଜର କବରୀ ସଜାଡିଲା । ହରିବଂଶ ସେ ଦେଉଳରେ ରହିଲା । ରାଜକନ୍ୟା ପରିଚାରୀମାନଙ୍କୁ ସଙ୍ଗରେ ନେଇ ନିଜଗୃହକୁ ଗଲା । ଏହିପରି ଦୁଇଜଣଙ୍କର ପ୍ରେମଭାବ ବର୍ଦ୍ଧିତ ହେଲା । ସେ ରାଜକନ୍ୟାକୁ ହରିବଂଶ କହିଲା ପ୍ରିୟେ ଚାଲ ଏଠାରେ ନରହି ରାଜ୍ୟକୁ ଚାଲିଯିବା । ଗଉରୀ ସେ କଥାକୁ ଅଙ୍ଗୀକାର କଲା । ଦୁହେଁ ଅଶ୍ୱ ପୃଷ୍ଠରେ ବସି ନିଜ ରାଜ୍ୟକୁ ବାହାରିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ