ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବିଟପି ରାଜକୁମାରୀ କାହାଣୀ

         ନିଜେ ସ୍ୱୟଂ ଶିବ ମନ୍ଦିର ନିର୍ମାଣ କରି, ସୁନ୍ଦର ପୁଷ୍ପ ଉଦ୍ୟାନ ମନ୍ଦିର ନିକଟରେ ସୃଷ୍ଟିକରି । ଅମର ଫଳ ବୃକ୍ଷଟି ଗୁପ୍ତରେ ଲଗାଇଛନ୍ତି । ବ୍ରହ୍ମାଙ୍କ ବ୍ୟତୀତ ଅନ୍ୟ କେହି ଏ ଫଳ ବୃକ୍ଷ କଥା ଜାଣନ୍ତି ନାହିଁ । ମର୍ତ୍ୟରେ ମାନବ କାହୁଁ ସେ ଫଳ ବାବଦରେ ଜାଣିବ । ବୃଦ୍ଧ ବ୍ୟକ୍ତି ଏ ଫଳ ଖାଇଲେ ଯୌବନପ୍ରାପ୍ତ ହେବ । ମୁମୂର୍ଷୁ ଖାଇଲେ ସେ ନିରୋଗୀ ହେବ । ସଦାଶିବଙ୍କ କୃପାଯୋଗୁଁ ଏ ଫଳମାନ ଫଳୁଅଛି । ସେ ବୃକ୍ଷ ଡାଳରେ କୀଟମାନେ ବସନ୍ତି ନାହିଁ । ପଶୁପକ୍ଷୀମାନେ ସେ ଫଳ ଭକ୍ଷଣ କଲେ ରୂପ କାନ୍ତି ବଳ ବୀର୍ଯ୍ୟ ବଢିବ । ନବ ଯୌବନ ସଦାସର୍ବଦା ରହିଥିବ । ଜରାବସ୍ଥା ତାଙ୍କ ଶରୀରକୁ ସ୍ପର୍ଶ କରିପାରିବ ନାହିଁ । ସଦାଶିବଙ୍କୁ ମନ ମଧ୍ୟରେ ଧ୍ୟାନ କରି ଶୁକପକ୍ଷୀ ସେ ବୃକ୍ଷ ନିକଟକୁ ଯାଇ ଗୋଟିଏ ଫଳ ତୋଳିକରି ଆଣିଲା । ମନ ମଧ୍ୟରେ ଚିନ୍ତାକଲା ରାଜା ବିକ୍ରମାଦିତ୍ୟଙ୍କୁ ଏ ଫଳଟି ଦେବି । ସେ ନବ ଯୌବନ ଲାଭକରି ରାଜ୍ୟଶାସନ କରିବେ । ଏଣୁ ଶୂନ୍ୟ ହସ୍ତହୋଇ ରାଜାଙ୍କୁ ଭେଟିବାଟା ଠିକ୍ ନୁହେଁ । ଏପରି ଚିନ୍ତାକରି ଫଳଟିକୁ ଧରି ଶୁକପକ୍ଷୀ ଉଡି ଉଡି ଉଜ୍ଜୟିନୀ ନଗରରେ ପହଁଚିଗଲା ।

         ଶୁକ ପକ୍ଷୀର ଶୁଭାଗମନକୁ ରାଜା ଅପେକ୍ଷା କରିଥିଲେ । ଶୁକକୁ ଆଲିଙ୍ଗନ କରି ଆନନ୍ଦିତ ହେଲେ । ରାଜା ବିକ୍ରମାଦିତ୍ୟଙ୍କର ଆଦର ଦେଖି ଶୁକପକ୍ଷୀ ଅତ୍ୟନ୍ତ ଆନନ୍ଦିତ ହେଲା । ନେଇଥିବା ଅଜ୍ରାମର ଫଳଟିକୁ ବିକ୍ରମାଦିତ୍ୟଙ୍କୁ ଦେଲା । ଫଳର ଗୁଣ ବାବଦରେ ତାଙ୍କୁ ବୁଝାଇ କହିଲା । ଜରାଜୀର୍ଣ୍ଣ ବୃଦ୍ଧ ଯେବେ ଏ ଫଳ ଖାଇବ ସେ ନବଯୌବନ ପ୍ରାପ୍ତ ହେବ । କୁଷ୍ଠରୋଗୀ ଯେବେ ଏ ଫଳକୁ ଭକ୍ଷଣ କରେ ସେ କୁଷ୍ଠ ରୋଗରୁ ଉଦ୍ଧରିଯିବ । ଶୁକମୁଖରୁ ରାଜା ବିକ୍ରମାଦିତ୍ୟ ଫଳ ସମ୍ପର୍କରେ ଶ୍ରବଣ କଲେ । ଅତ୍ୟନ୍ତ ଆନନ୍ଦିତ ମନରେ ଫଳଟିକୁ ଗ୍ରହଣ କଲେ ଓ ଭାନୁମତୀ ରାଣୀକୁ ଫଳଟି ପ୍ରଦାନ କରି ଫଳର ଗୁଣ ବାବଦରେ ବୁଝାଇ କହିଲେ । ଫଳଟିକୁ ଗ୍ରହଣ କରି ରାଣୀ ମନେ ମନେ ହସି ପଚାରିଲେ କହିଲ ଦେଖି ଏ ଫଳ କିଏ ଆଣି ଦେଇଛି । ଶୁକ ତା’ର ଗୃହକୁ ଯାଇଥିଲା । ସେ ଏ ଫଳଟି ଆଣି ମୋତେ ଦେଇଛି । ରାଣୀ ଭାନୁମତୀ ଟିକିଏ ଚିନ୍ତାକରି ତାଙ୍କୁ କହିଲେ ପକ୍ଷୀ ଜାତି । ମୋର ତା’ ଉପରେ ବିଶ୍ୱାସ ନାହିଁ । ବିଷଫଳ ପରି ମୋତେ ଏ ଫଳ ଲାଗୁଛି । ତୁମ୍ଭଙ୍କୁ ମାରିବା ନିମିତ୍ତ ଏ ଫଳ ଦେଇଛି । ପରୀକ୍ଷା ନକରି ଏ ଫଳ ଖାଇବା ଉଚିତ୍ ନୁହେଁ । ରାଜା ବିକ୍ରମାଦିତ୍ୟ କହିଲେ ଶୁକ ପକ୍ଷୀ ମୋର ଭାରି ବିଶ୍ୱାସୀ । ତତୁଲ୍ୟ ବାନ୍ଧବ ଓ ସୋଦର କାହାରିକୁ ମୁଁ ଦେଖେ ନାହିଁ । ଭାନୁମତୀ ରାଣୀ କହିଲେ ତୁମ୍ଭେ ଯେବେ ଶୁକକୁ ବିଶ୍ୱାସ କର ତଥାପି ଏ ଫଳକୁ ପରୀକ୍ଷା କରାଯାଉ । ଏସନ ବିଚାର କରି ଫଳକୁ ଦୁଇଫାଳ କରି କାକକୁ ଭୋଜନପାଇଁ ଦେଲେ । କାକ ଖାଇବା ମାତ୍ରେ ପ୍ରାଣତ୍ୟାଗ କଲା । କର୍ମର ଲେଖନ କିଏ କରିବ ଆନ । ଭାନୁମତୀ କାକର ମରଣ ଦେଖି କହିଲେ ହେ ରାଜନ ଦେଖ ଏବେ କ’ଣ ହେଲା । ତୁମ୍ଭେ ଶୁକ ବଚନରେ ନିଜେ  ଏ ଫଳ ଖାଇ ଥାଆନ୍ତ ।


ଗପ ସାରଣୀ

ତାଲିକାଭୁକ୍ତ ଗପ