ଦିୱାନ୍ ଏ କଥାଟି କହି ସାରି କହିଲେ – ଦେଖିଲ ତ ରାଣୀ ମାଆ ରାଜାଙ୍କର କଥା ନମାନି ଜିଦ୍ ଧରିବାରୁ ସେ ରାଣୀଙ୍କର ଅବସ୍ଥା କ’ଣ ହେଲା – ସେଥି ଲାଗି ମୁଁ ବିନୟର ସହିତ କହୁଛି ଆଜି ଆପଣ ଆପଣଙ୍କର ଯିଦ୍କୁ ମନ ମଧ୍ୟରୁ ତ୍ୟାଗ କରନ୍ତୁ କାହିଁକି ନା – ରାଜା, ଯୋଗୀ, ଅଗ୍ନି ଆଦି ଫଳେ ବିପରୀତ ।
ଏ କଥାକୁ ମନ ମଧ୍ୟେ ରଖିବା ଉଚିତ୍ ।
ବର୍ତ୍ତମାନ ଆପଣଙ୍କର ହସ୍ତ ମୁଠାରେ ଥିବା ରାଜାଙ୍କୁ କେବଳ ସାମାନ୍ୟ ଜିଦ୍ ଲାଗି ପର କରି ଦେବାକୁ ଚାହାଁନ୍ତୁ ନାହିଁ । ରାଜା ଗୋଜା, ଯାହା ଥରେ ମନ ମଧ୍ୟରେ ପ୍ରବେଶ କରି ଯିବ । ରାଜା ତାହା ହିଁ କରିବାକୁ ନିଷ୍ପତି ନେଇ ଯାଆନ୍ତି ।
ଦିୱାନ୍ ଏପରି ଭାବରେ ରାଣୀଙ୍କୁ ନାନା ଉଦାହରଣ ଦେଇ ଅନେକ ପ୍ରକାର ବୁଝାଇ ସାରିବା ପରେ ମଧ୍ୟ ରାଣୀଙ୍କର କୌଣସି ପରିବର୍ତ୍ତନ ଦେଖା ଗଲା ନାହିଁ । ମନ ମଧ୍ୟରେ ବିରକ୍ତି ଭାବ ଆଣି ଏଥର ଦିୱାନ୍ ରାଣୀଙ୍କ ପାଖରୁ ଉଠି ଚାଲି ଗଲେ ।
ଏହା ପରେ ରାଜାଙ୍କ ସହିତ ରାଣୀ ଓ ଅନ୍ୟାନ୍ୟ କେତେକ ରାଜ କର୍ମଚାରୀ ଗଙ୍ଗା କୂଳକୁ ଚାଲିଲେ ।
ଯାଉ ଯାଉ ମାର୍ଗ ମଧ୍ୟରେ ଗୋଟିଏ ନଦୀ ପଡିଲା । ସେତେ ବେଳକୁ ଦିବା ଦ୍ୱିପ୍ରହର ହୋଇ ଗଲାଣି । ରାଜା ତହୁଁ ହୁକୁମ୍ ଦେଲେ ଆଜି ଏହି ଠାରେ ଡେରା ପଡିବ । ତହୁଁ ଡେରା ସେଠାରେ ପଡିଲା । ସମସ୍ତେ ସେଠାରେ ଗାଧୁଆ ପାଧୁଆ କଲେ ।
ରାଜାଙ୍କର ସ୍ନାନ ତର୍ପଣାଦି ସରିଲା, ତା’ପରେ ରାଜା ଆସି ଗୋଟିଏ ସ୍ଥାନରେ ବସି ଧ୍ୟାନ କରିଲେ । ଠିକ୍ ସେହି ସମୟରେ କେଉଁଠି ଥିଲେ ଯେ ଗୋଠେ ଛେଳି ସେମାନେ ଆସି ତୁଠରେ ପାଣି ପିଇଲେ । ପୁଣି ପାଣି ପିଇବାକୁ ଯେତେ ଛେଳି ଆସିଲେ ସେଥି ମଧ୍ୟରୁ ସମସ୍ତ ଛେଳି ପାଣି ପିଇ ସାରି ଚାଲି ଗଲେ ହେଲେ ଗୋଟିଏ ଛେଳି ସେହି ଠାରେ ରହି ଗଲା । ସେ ଛେଳି ପାଣି ସୁଅକୁ ଚାହିଁ ରହି ଥାଏ । କାରଣ ପାଣି ସୁଅରେ ଗୋଟିଏ ସୁନ୍ଦର ପାଚିଲା ଫଳ ଭାସି ଯାଉ ଥିଲା । ଛେଳିର ଫଳକୁ ଦେଖିବା ପରେ ଲୋଭ ହୋଇଛି । ଛେଳି ଲୋଭ ସମ୍ଭାଳି ନପାରି ଫଳ ଆଡେ ଏକ ଲୟରେ ଚାହିଁ ରହିଛି ।