ଏହି କଥାକୁ ଭାବି ଭାବି ଅଣ୍ଡିରା ତାର ଚାଲି ଆସିଲା ତାକୁ ଖୋଜିବା ଲାଗି । ନଦୀ ବନ୍ଧରେ ଯାଉ ଥିବା ସମୟରେ ସେ ତାକୁ ବହୁତ ବିକଳରେ ମଧ୍ୟ ଡାକୁ ଥାଏ ।
ଏହି ପରି କେତେ ବାଟ ନଦୀ ବନ୍ଧରେ ଯିବା କାଳରେ ଅଣ୍ଡିରାର ଡାକ ମାଈ ଛେଳିକୁ ଶୁଭିଲାରୁ ସେ ମଧ୍ୟ ଜବାବ୍ ଦେଲା ।
ଅଣ୍ଡିରା ମାଈ ଛେଳି ଜବାବ୍ ପାଇ ବନ୍ଧରୁ ନଦୀ କୂଳକୁ ଗଡି ଯାଇ ମାଈ ଛେଳି ପାଖରେ ପହଁଚି ଶୁଣିଲା ଯେ, ମୁଁ କେବଳ ନଦୀରେ ଭାସି ଯାଉ ଥିବା ଫଳଟି ନିମନ୍ତେ କୂଳେ କୂଳେ ଚାଲିଛି । ତମେ ଯେତେ ଶୀଘ୍ର ପାରିବ ମୋତେ ଆଣି ଫଳଟି ଦେଇ ଦିଅ । ଆମେ ସାଙ୍ଗ ହୋଇ ଫେରି ଯିବା ।
ଅଣ୍ଡିରା କହିଲା – ନଦୀରେ ଥଳ ଅଥଳ ପାଣି । ବର୍ତ୍ତମାନ ଜୁଆରିଆ ନଦୀ, ଧିରେ ଧିରେ ପାଣି ବଢିବାରେ ଲାଗିଛି । ଏମିତି ଭରାନଦୀକୁ ଯାଇ ସେ ଫଳ ଆଣିବା ତ ଅସମ୍ଭବ । ଫଳଟିକୁ ଆଣିବାକୁ ହେଲେ ଆଗ ନିଜର ମୃତ୍ୟୁ ଯେ ନିଶ୍ଚୟ ତାହା ଜାଣିବାକୁ ହେବ ।
ମାଈ ଛେଳି କହିଲା – ମୁଁ ସେ ସବୁ କଥା ଶୁଣିବା ଅବସ୍ଥାରେ ନାହିଁ । ତମେ ଯାହା କରନା କାହିଁକି, ମୋତେ ଫଳଟି ଆଣି ଦିଅ । କାରଣ ଫଳଟି ପ୍ରତି ମୋର ଅନେକ ଶ୍ରଦ୍ଧା ହୋଇଛି ।
ଏଥର ଅଣ୍ଡିରା ମାଈ ଛେଳି କଥାରେ ଖୁବ୍ ରାଗି ଯାଇ କ୍ରୋଧିତ ହୋଇ କହିଲା – ତୁ ମୋତେ ରାଜାଙ୍କ ସହିତ ସମାନ ମଣିଲୁ କିଲୋ । ସେ ରାଜା ସିନା ନିର୍ବୁଦ୍ଧିଆ ମାଈପ ବୋଲରେ ଗଙ୍ଗା କୂଳକୁ ମରିବାକୁ ଆସିଛି । ତୁ ମୋତେ ସେୟା ମନେ କରିଛୁ । ଏହା ପରେ ଅଣ୍ଡିରା ମାଈ ଛେଳିକୁ ଖୁବ୍ ଜୋର୍ରେ ମାରିବାକୁ ଆରମ୍ଭ କରି ଦେଲା । ମାଈ ଛେଳି ଖୁବ୍ ଗୁଡାଏ ଛେଚା ଖାଇ ସାରିଲା ତା’ପରେ ନିରୁପାୟ ହୋଇ ଅଣ୍ଡିରା ସାଥିରେ ଗୋଠକୁ ଫେରିଲା ।