ଯିଏ କେବେ ସଭାମଂଚରେ ଠିଆହୋଇ ଦି’ପଦ କହିବା ପାଇଁ ସାହସ କରୁନଥିଲେ, ସେ ଗୁରୁଙ୍କ ଆଶୀର୍ବାଦରେ ଓଜଃସ୍ୱିନୀ ଭାଷଣ ଦେଇ ଚାଲିଲେ । ସେଦିନ ମହାସଭାରେ ସ୍ୱାମିଜୀ ଯେଉଁ ଭାଷଣ ଦେଇଥିଲେ ତାହା କେବଳ ହିନ୍ଦୁଧର୍ମର କାହିଁକି ବରଂ ବିବେକାନନ୍ଦଙ୍କର ପାଣ୍ଡିତ୍ୟ ଓ ଜନପ୍ରିୟତା ବୃଦ୍ଧି କରିଦେଇଥିଲା । ଏହା ପାଶ୍ଚାତ୍ୟ ଅଧିବାସୀଙ୍କ ଉପରେ ମଧ୍ୟ ବେଶ୍ ପ୍ରଭାବ ପକାଇ ପାରିଥିଲା । ସେଦିନ ତାଙ୍କର ଭାଷଣ ଶୁଣି ପାଶ୍ଚାତ୍ୟ ଜ୍ଞାନୀ ବର୍ଗ ମଧ୍ୟ ସମ୍ପୂର୍ଣ୍ଣ ରୂପେ ଚକିତ ହୋଇଯାଇଥିଲେ । ମନରେ ଭାବିନେଲେ ଏତେ କମ୍ ବୟସର ବାଳସନ୍ନ୍ୟାସୀ ଏତେ କଥା ଜାଣିଲେ କିପରି?
ଗୁରୁଜନମାନଙ୍କ ନିର୍ଦ୍ଧେଶ ନେବାଭଳି ସଂସ୍କୃତି ପାଶ୍ଚାତ୍ୟ ଦେଶବାସୀଙ୍କ ମନରୁ ଲୋପ ପାଇ ଯାଉଥିଲାବେଳେ ଏହାର ପୁନରୁଦ୍ଧାର କରି ବିବେକାନନ୍ଦ ଏକ ନୂଆ ରାହା ଦେଖାଇ ଦେଲେ ସେ ଦିନ । ଜୀବନରେ ସଫଳତା ଲାଭ ନିମନ୍ତେ ଏଇ ବାଟଟି ବେଶ୍ ମହତ୍ୱପୂର୍ଣ୍ଣ ଥିଲା । କାରଣ ଏହା ଭିତରେ ନିହିତ ଥିଲା ଗୁରୁଜନଙ୍କର ପ୍ରଚ୍ଛନ୍ନ ଆଶୀର୍ବାଦ । ଏହାଦ୍ୱାରା ସ୍ୱାମୀ ବିବେକାନନ୍ଦ ତାଙ୍କର ଜୀବନରେ ଜଣେ ଯଶସ୍ୱୀ ପୁରୁଷ ହୋଇପାରିଥିଲେ ।