ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବିଦ୍ୟାବତୀ କଥା

ସପ୍ତଦଶଦିନ ପ୍ରଭାତ ହେବାକ୍ଷଣି ନିତ୍ୟକର୍ମ ଶେଷ କରି ଭୋଜରାଜ ଯାଇ ସିଂହାସନ ପାଖରେ ପହଁଚିଲେ । ଶୁଭ ମୁହୂର୍ତ ଦେଖି ସେଥିରେ ଆରୋହଣ କରିବାକୁ ଉଦ୍ୟତ ହୁଅନ୍ତେ ପରବର୍ତ୍ତି ପୁତ୍ତଳିକା ବିଦ୍ୟାବତୀ ତାଙ୍କର ପଥ ଓଗାଳି କହିଲା, “ଆପଣ କ’ଣ ମହାରାଜା ବିକ୍ରମାଦିତ୍ୟଙ୍କ ପରି ତ୍ୟାଗୀ, ତପୀ, ପ୍ରଜାପାଳକ? ତାଙ୍କ ପରି ଆପଣଙ୍କର ଧର୍ମ, କର୍ମ, ଯଶ, ଖ୍ୟାତି ସମଗ୍ର ଜଗତରେ ପ୍ରସାରିତ? ତାଙ୍କ ସମ୍ପର୍କରେ ଏଇ କାହାଣୀଟି ଶୁଣନ୍ତୁ । ତା’ପରେ ବିଚାର କରି ଦେଖନ୍ତୁ ଏ ସିଂହାସନ ପାଇଁ ଆପଣ କେତେଦୂର ଉପଯୁକ୍ତ ।”

       ମହାରାଜ ବିକ୍ରମାଦିତ୍ୟ ଥିଲେ ଜଣେ ଧର୍ମପରାୟଣ, ନ୍ୟାୟନିଷ୍ଠ, ପ୍ରଜାପାଳକ ଶାସକ । ପ୍ରଜାମାନଙ୍କର ସୁଖ ଦୁଃଖରେ ସେ ନିଜକୁ ସାମିଲ୍ କରୁଥିଲେ । ରାଜ୍ୟର ଏବଂ ପ୍ରଜାମାନଙ୍କର ସର୍ବବିଧ ମଙ୍ଗଳ ପାଇଁ ସେ ସର୍ବଦା ସକ୍ରିୟ ରହିଥିଲେ । ବେଳେ ବେଳେ ଛଦ୍ମବେଶ ଧାରଣ କରି ରାଜ୍ୟର ବିଭିନ୍ନ ଅଂଚଳ ବୁଲୁଥିଲେ । ଲୋକଙ୍କ ସହିତ ମିଶି ବିଭିନ୍ନ ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରି ସେ ସବୁର ସମାଧାନ ପାଇଁ ଉଦ୍ୟମ କରୁଥିଲେ । ରାଜ୍ୟର ଆଇନ୍ ଶୃଙ୍ଖଳା ଠିକ୍ ଅଛି କି ନାହିଁ, ପ୍ରଜାମାନେ ଖାଇପିଇ ସୁଖ ଶାନ୍ତିରେ ଅଛନ୍ତି କି ନାହିଁ, କେଉଁଠି କ’ଣ ଘଟଣା, ଦୁର୍ଘଟଣା ଘଟୁଛି, ସବୁକିଛିର ତର୍ଜମା କରି ପଦକ୍ଷେପ ନିଅନ୍ତି ମହାରାଜ ବିକ୍ରମାଦିତ୍ୟ ।

       ଦିନେ ରାତିରେ ମହାରାଜ ବେଶ ବଦଳାଇ ବୁଲୁ ବୁଲୁ ଏକ ଗାଁ ମୁଣ୍ଡରେ ଥିବା ଚାଳଘର ଭିତରୁ କେହି କଥା ହେଉଥିବାର ଶୁଣି କାନ ପାରିଲେ । ସେମାନଙ୍କ କଥାବାର୍ତାର ପ୍ରସଙ୍ଗ ନିଜେ ମହାରାଜ ହିଁ ଥିଲେ । ଏଣୁ ସେମାନଙ୍କ କଥା ସ୍ପଷ୍ଟ ହେଉ ନଥାଏ । ତାହାଥିଲା ଏକ ବ୍ରାହ୍ମଣ ପରିବାରର ଘର । ବ୍ରାହ୍ମଣୀ କହିଲା, “ଯଦି ଏମିତି କଥା । ତେବେତ ତୁମେ ଯଥାଶୀଘ୍ର ମହାରାଜାଙ୍କ ନିକଟକୁ ଯାଇ ଆମ ସମସ୍ୟା କଥା କହିବା ଆବଶ୍ୟକ ।”

       ସାଧୁ କହିଲା, “ତୁ କ’ଣ ପାଗଳ ହୋଇଗଲୁ? ଆମର ଖୁସିପାଇଁ ଆମେ ମହାରାଜାଙ୍କୁ ବିପଦ ମୁହଁକୁ ଠେଲିଦେବା? ଏହା କ’ଣ ଉଚିତ୍ ହେବ?”

       ବ୍ରାହ୍ମଣୀ ନୀରବ ହୋଇଗଲା । ମହାରାଜ ଚିନ୍ତିତ ହୋଇ ପଡିଲେ । କ’ଣ ସେମାନଙ୍କର ସମସ୍ୟା? ତା’ର ସମାଧାନ ପାଇଁ ସେମାନେ କାହିଁକି ମୋର ସହଯୋଗ ନେବାକୁ ଚାହାଁନ୍ତି? କ’ଣ ଏମିତି ବିପଦ ଯୋଉଥିପାଇଁ ବ୍ରାହ୍ମଣ ତା’ ସ୍ତ୍ରୀର କଥା ରଖିବାକୁ କୁଣ୍ଠିତ? ସେମାନେ ସମ୍ପୂର୍ଣ୍ଣ ନୀରବ ହୋଇଗଲେ । ମହାରାଜ କିଛି ସମୟ ଅପେକ୍ଷା କଲେ ଏବଂ ଶେଷରେ ସବିଶେଷ ଜାଣିବା ପାଇଁ କବାଟ ଖଟ୍ ଖଟ୍ କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ