କବାଟ ଖୋଲି ବ୍ରାହ୍ମଣ ଛଦ୍ମବେଶୀ ରାଜାଙ୍କୁ ଦେଖି ପ୍ରଶ୍ନବାଚୀ ଦୃଷ୍ଟିରେ ଚାହିଁ ରହିଲେ । ମହାରାଜା ନିଜର ପରିଚୟ ଦେଇ କହିଲେ, “ରାତ୍ରି ଭ୍ରମଣ ସମୟରେ ମୁଁ ତୁମ ଦୁଇଜଣଙ୍କର କଥା ଅସ୍ପଷ୍ଟ ଭାବରେ ଶୁଣିଛି । ପ୍ରକୃତ କଥା କ’ଣ ମୋତେ ଖୋଲି କୁହ ।”
ବ୍ରାହ୍ମଣ ଡରିଗଲା । ମହାରାଜଙ୍କୁ ପ୍ରଣାମ କରି ଘରକୁ ଡାକି ବସାଇଲା । ବ୍ରାହ୍ମଣୀ ଡରରେ ଥରୁଥାଏ । ମହାରାଜ ସେମାନଙ୍କୁ ଅଭୟ ପ୍ରଦାନ କରି କହିଲେ;
ମହାରାଜ: ଡର ନାହିଁ । ତୁମେ କିଛି ଅପରାଧ କରି ନାହଁ । କୁହ ତୁମ ସ୍ତ୍ରୀ କୋଉଥି ପାଇଁ
କହୁଥିଲେ? କେଉଁ ବିପଦ ପାଇଁ ତୁମେ କୁଣ୍ଠା ପ୍ରକାଶ କରୁଥିଲ?
ବ୍ରାହ୍ମଣ: (ହାତଯୋଡି) ମହାରାଜ! ଆମର ବିବାହ ହେବାର ବାରବର୍ଷ ବିତି
ଯାଇଥିଲେ ମଧ୍ୟ ଆମେ ନିଃସନ୍ତାନ । ମୋ ସ୍ତ୍ରୀ ସନ୍ତାନପ୍ରାପ୍ତି ପାଇଁ ସମସ୍ତ
ପ୍ରକାର ଓଷାବ୍ରତ କରିଛି । ଅନେକ ଧର୍ମାନୁଷ୍ଠାନ କରିଛୁ । ତଥାପି କିଛି ଫଳ
ମିଳି ନାହିଁ ।
ମହାରାଜ: ସନ୍ତାନ ହେବା ନ ହେବା ଭାଗ୍ୟର କଥା । ହେଲେ ଏଥି ସହିତ ମୋର ସମ୍ପର୍କ
କ’ଣ? ମୁଁ କ’ଣ କରିପାରିବି?
ବ୍ରାହ୍ମଣ: ସେଇତ ଆମର ଚିନ୍ତା । ଆପଣ ଆମର ପ୍ରଭୁ । ଆପଣଙ୍କୁ ବିପଦ ମୁହଁକୁ ଠେଲି
ଦେଇ ଆମେ ନିଜର ସ୍ୱାର୍ଥ ହାସଲ କରିବାକୁ ଚାହୁଁ ନାହୁଁ ।
ମହାରାଜ: ମୋତେ ସବୁତକ ଖୋଲି କରି କୁହ । ମୁଁ ଚେଷ୍ଟା କରିବି ତୁମକୁ ସାହାଯ୍ୟ
କରିବା ପାଇଁ ।
ବ୍ରାହ୍ମଣ: ମୋ ସ୍ତ୍ରୀ ଗୋଟିଏ ଅଦ୍ଭୂତ ସ୍ୱପ୍ନ ଦେଖିଛି ଯେ;
ମହାରାଜ: କ’ଣ ସେ ସ୍ୱପ୍ନ?
ବ୍ରାହ୍ମଣ: ଦିନେ ମୋ ସ୍ତ୍ରୀ ସ୍ୱପ୍ନରେ ଦେଖିଲା କୌଣସି ଦେବୀ ତାଙ୍କୁ ଦେଖାଦେଇ କହିଲେ,
ଏଠାରୁ ତିରିଶ କୋଶ ଦୂରରେ ଥିବା ପୂର୍ବଦିଗସ୍ଥ ଜଙ୍ଗଲରେ କିଛି ସାଧୁସନ୍ଥ
ବିଶାଳ ଅଗ୍ନିକୁଣ୍ଡ ସାମ୍ନାରେ ବସି ସାଧନା କରୁଛନ୍ତି । ସେମାନେ ଶିବଙ୍କୁ ଧ୍ୟାନ
କରି ନିଜ ନିଜର ଅଙ୍ଗ ଅବୟବ କାଟି ଅଗ୍ନିରେ ନିକ୍ଷେପ କରୁଛନ୍ତି । ଫଳରେ
ଶିବ ସନ୍ତୁଷ୍ଟ ହୋଇ ସଶରୀରେ ଉଭା ହେବେ ଏବଂ ଇଚ୍ଛାମତେ ବର ପ୍ରଦାନ
କରିବେ ।
ମହାରାଜ: ଏଥି ସହିତ ତମର ସମ୍ପର୍କ କ’ଣ?
ବ୍ରାହ୍ମଣୀ: ଦେବୀ ମୋତେ କହିଲେ, ଯଦି କେହି ସଜ୍ଜନ ସେଠାକୁ ଯାଇ ସାଧୁଙ୍କ ସହିତ
ମିଶି ଧ୍ୟାନସ୍ଥ ହୋଇ ନିଜର ଅଙ୍ଗ କାଟି ଅଗ୍ନିକୁଣ୍ଡରେ ନିକ୍ଷେପ କରିବେ ଏବଂ
ଶିବଙ୍କୁ ବର ମାଗିବେ ଯେ ମୋର ସନ୍ତାନ ହେଉ, ତେବେ ମୁଁ ନିଶ୍ଚିତ ଭାବରେ
ମାତୃତ୍ୱ ଲାଭ କରି ପାରିବି । ଦେବୀଙ୍କ କହିବାନୁସାରେ ସେଇ ସଜ୍ଜନ ଜଣକ
ହେଉଛନ୍ତି ଆପଣ । ଆପଣଙ୍କ ବିନା ଅନ୍ୟ କେହି ଏ ଅସାଧ୍ୟ ସାଧନ କରି
ପାରିବେ ନାହିଁ ।
ବ୍ରାହ୍ମଣ: ସେଇଥିପାଇଁ ମୁଁ ମୋ ସ୍ତ୍ରୀକୁ ତାଗିଦ୍ କରୁଥିଲି, ଆମ ସ୍ୱାର୍ଥ ପାଇଁ ଆମେ କାହିଁକି
ଆପଣଙ୍କୁ ବିପଦ ମୁହଁକୁ ଠେଲିଦେବୁ?
ମହାରାଜ: ଯଦି ମୋର ଏଭଳି କାର୍ଯ୍ୟ ଦ୍ୱାରା ତମେ ସନ୍ତାନ ସମ୍ଭବା ହୋଇପାରିବ, ତେବେ
ମୁଁ ରାଜି । ତମେ ନିଶ୍ଚିନ୍ତ ରୁହ । ଆରାମ୍ ରେ ଶୋଇଯାଅ । ମୁଁ ଆସନ୍ତା କାଲି ଏ
ସଂପର୍କରେ ଚିନ୍ତାକରି ଯାହା କରିବାର କଥା କରିବି ।
ବ୍ରାହ୍ମଣ, ବ୍ରାହ୍ମଣୀଙ୍କୁ ଭରସା ଦେଇ ମହାରାଜ ନିଜ ଉଆସକୁ ଫେରିଲେ । ତା’ପରଦିନ ବେତାଳଙ୍କ ସାହାଯ୍ୟରେ ନିର୍ଦ୍ଦିଷ୍ଟ ଜଙ୍ଗଲରେ ପହଁଚିଲେ । ସାଧୁ ବେଶରେ ଅନ୍ୟ ସାଧୁମାନଙ୍କ ସହିତ ମିଶି ଶିବଙ୍କୁ ଧ୍ୟାନ କରି ନିଜର ଅଙ୍ଗ କାଟି ଅଗ୍ନିକୁ ସମର୍ପଣ କରି ଚାଲିଲେ । ଶେଷରେ ଅନ୍ୟ ସାଧୁଙ୍କ ସହିତ ସେ ମଧ୍ୟ ଅଗ୍ନି କୁଣ୍ଡରେ ଝାସଦେଇ ନିଜକୁ ନିଃଶେଷ କରିଦେଲେ ।
ସେଇ ସମୟରେ ଶିବଙ୍କର ଜନୈକ ଗଣ ଆସି ସବୁରି ପାଉଁଶ ଉପରେ ଅମୃତ ସିଂଚିଲେ । ମାତ୍ର ଭୁଲ ବଶତଃ ବିକ୍ରମାଦିତ୍ୟଙ୍କୁ ଭୁଲିଗଲେ । ସାଧୁମାନେ ଜୀବନ୍ତ ରୂପ ଫେରି ପାଇବା ପରେ ଦେଖିଲେ ଯେ ଅନ୍ୟ ସାଧୁଜଣକ ସେମାନଙ୍କ ମଧ୍ୟରେ ନାହାଁନ୍ତି । ଏଣୁ ସେମାନେ ପୁଣି ଶିବଙ୍କୁ ଧ୍ୟାନକଲେ ଏବଂ ପ୍ରାର୍ଥନା କଲେ ବିକ୍ରମାଦିତ୍ୟଙ୍କୁ ଜୀବନଦାନ ଦେବା ପାଇଁ ।
ଭଗବାନ୍ ଶିବ ପ୍ରକଟ ହୋଇ ଅମୃତ ସିଂଚନ କରି ବିକ୍ରମାଦିତ୍ୟଙ୍କୁ ବଂଚାଇଦେଲେ ଏବଂ ଇଚ୍ଛାମତେ ବରମାଗିବାକୁ କହିଲେ । ଅନ୍ୟ ସାଧୁଗଣ ନିଜ ନିଜର ଇଚ୍ଛାନୁସାରେ ବର ମାଗିବା ପରେ ବିକ୍ରମାଦିତ୍ୟ ହାତଯୋଡି କହିଲେ, “ପ୍ରଭୁ! ମୁଁ ମୋ ପାଇଁ କିଛି ଚାହେଁନା । ମୋ ରାଜ୍ୟର ସେଇ ନିଃସନ୍ତାନ ପୂଜାରୀ ଦମ୍ପତିଙ୍କ ପାଇଁ ପ୍ରାର୍ଥନା କରୁଛି । ଆପଣ ଯଦି ମୋ ଉପରେ ସନ୍ତୁଷ୍ଟ ତେବେ ସେମାନଙ୍କୁ ସନ୍ତାନ ପ୍ରଦାନ କରନ୍ତୁ ।”
ଭଗବାନ ଶିବ କହିଲେ, “ଧନ୍ୟ! ଧନ୍ୟ! ତୁମେ ରାଜା ବିକ୍ରମାଦିତ୍ୟ! ତମପରି ପରୋପକାରୀ, ନିଃସ୍ୱାର୍ଥପର, ପ୍ରଜାନୁରଞ୍ଜକ ଶାସକ ଏ ଧରା ବକ୍ଷରେ ଆଉ କେହି ନାହିଁ । ଏଇ କମଳ ପୁଷ୍ପ ଦୁଇଟି ନିଅ । ଗୋଟିଏ ତମେ ରଖି ଏବଂ ଅନ୍ୟଟି ସେଇ ପୂଜାରୀ ଦମ୍ପତିଙ୍କୁ ଦେବ । ଏ ପୁଷ୍ପ ଯାହାଘରେ ରହିବ ସେଠାରେ ଧନ ବର୍ଷା ହେବ ଏବଂ ସେଠାରେ ରହୁଥିବା ଦମ୍ପତିଙ୍କୁ ସନ୍ତାନ ସୁଖ ମିଳିବ ।”
ତା’ପରେ ମହାରାଜ ଶିବଙ୍କୁ ପ୍ରଣାମ କରି ଶିବଙ୍କ ପ୍ରଦତ୍ତ କମଳ ପୁଷ୍ପଧରି ନିଜ ରାଜ୍ୟରେ ପହଁଚି ସାଧୁ ଦମ୍ପତିଙ୍କୁ ସବୁକଥା ବୁଝାଇ କହିଲେ । କମଳ ପୁଷ୍ପ ପ୍ରଦାନ କରି ନିଜ ଉଆସକୁ ଗଲେ । ନିର୍ଦ୍ଦିଷ୍ଟ ସମୟରେ ବ୍ରାହ୍ମଣୀ ଏକ ସୁନ୍ଦର ପୁତ୍ର ସନ୍ତାନକୁ ଜନ୍ମଦେଲା । ମହାରାଜ ଉପହାର ଦେଇ ତାକୁ ଆଶୀର୍ବାଦ କଲେ । ସାଧୁଦମ୍ପତି ମହାରାଜାଙ୍କୁ କୃତଜ୍ଞତା ଜଣାଇ ସୁଖରେ ରହିଲେ ।
ଏତକ ଶୁଣାଇ ସାରି ବିଦ୍ୟାବତୀ କହିଲା, “ଏବେ କୁହନ୍ତୁ! ଆପଣ କ’ଣ ମହାରାଜା ବିକ୍ରମାଦିତ୍ୟଙ୍କ ପରି ଅନ୍ୟପାଇଁ ନିଜର ଜୀବନ ଉତ୍ସର୍ଗ କରିଛନ୍ତି? ଆପଣ ତାଙ୍କପରି ତ୍ୟାଗ ସ୍ୱୀକାର କରିଛନ୍ତି? ତେବେ ଆସନ୍ତୁ । ସ୍ୱାଗତମ୍, ସ୍ୱାଗତମ୍ ।”
ଭୋଜରାଜ କାହାଣୀ ଶୁଣିବା ପରେ ନିଜକୁ ଅସହାୟ ମନେକରି ନିଜ ପ୍ରାସାଦକୁ ଫେରିଗଲେ ।