ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବିଦ୍ୟାଳୟ ପରିଦର୍ଶକ ଚୌକିରେ ବସିଲେ ନାହିଁ

ଥରେ ଏକ ବିଦ୍ୟାଳୟ ପରିଦର୍ଶନରେ ଓଡିଶା ସରକାରଙ୍କ ଶିକ୍ଷା ବିଭାଗର ଉପ-ପରିଦର୍ଶକ ଯାଇଥାନ୍ତି । ବିଦ୍ୟାଳୟରେ ପରିଦର୍ଶକଙ୍କ ଏଭଳି ଅଚାନକ ପହଁଚିବା ଦେଖି ସେଠାକାର ଶିକ୍ଷକମାନେ ହଠାତ୍ ଛାନିଆ ହୋଇଗଲେଣି । ଟିକିଏ ଏପଟ ସେପଟ ହୋଇଗଲେ ଚାକିରି ବି ଚାଲିଯାଇପାରେ ।

                ପରିଦର୍ଶକ ବିଦ୍ୟାଳୟ ହତାରେ ପ୍ରବେଶ କରୁ କରୁ ପ୍ରଧାନଶିକ୍ଷକ ତାଙ୍କୁ ପାଛୋଟି ନେଇଗଲେ କାର୍ଯ୍ୟାଳୟ ଗୃହକୁ । ସେଠାରେ ପ୍ରଧାନଶିକ୍ଷକଙ୍କ ଚୌକିରେ ତାଙ୍କୁ ବସିବା ପାଇଁ ସେ ଅନୁରୋଧ କଲେ ।

                ଏବେ ସେ ହାକିମ ଜଣକ ଚୌକିରେ ବସିବେ କ’ଣ, ଓଲଟି ସେ ଚୌକିକୁ ବାରମ୍ବାର ପ୍ରଣାମ କରି ତଳେ ବସିପଡିଲେ । ତାଙ୍କର ଆଖିରୁ ଲୋତକ ଧାର ଗଡିବାକୁ ଲାଗିଲା । ଏହା ଦେଖି ଶିକ୍ଷକମାନେ ବିସ୍ମିତ ହୋଇଗଲେ । ଏହାର କାରଣ ଜାଣିନପାରି ପରସ୍ପର ମୁହଁକୁ ଚାହିଁ ରହିଲେ ।

                ହାକିମ ଏଥର ଲୁହ ପୋଛି ପୋଛି କହିଲେ, “ବୁଝିଲ! ମୋର ପ୍ରଧାନଶିକ୍ଷକ ଏଇ ଚୌକିରେ ବସି ମୋତେ ପାଠ ପଢାଇଥିଲେ । ମୁଁ ତାଙ୍କର ଶିକ୍ଷାଦାନ ଲାଭ କରି ହିଁ ଆଜି ଏତେ ଉଚ୍ଚସ୍ତରକୁ ଯାଇପାରିଛି । ସେ ଆଜି ସ୍ୱର୍ଗରେ । ହେଲେ ମୁଁ ଆଜି ତାଙ୍କର ଚୌକିରେ ବସି ତାଙ୍କ ପ୍ରତି ଅସମ୍ମାନ କରିପାରିବି ନାହିଁ ।” ଏତିକି କହିସାରି ସେଇ ଚୌକି ଆଗରେ ତଳେ ବସି ଠାକୁରଙ୍କୁ ପ୍ରଣାମ କଲାଭଳି ପୁଣିଥରେ ସେ ହାକିମ ଜଣକ ପ୍ରଣାମ ଜଣାଇଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ