ବାୟୁ ପ୍ରବହମାନ, ସୀମାହୀନ ଆକାଶ ଘୋଡାଇ ରଖିଛି ଏଇ ପୃଥିବୀକୁ । ଏସବୁ ସତ୍ତ୍ୱେ ମଧ୍ୟ ଧର୍ମ କେବେବି କାହାକୁ ଅଟକିଯିବା ପାଇଁ ବାଧ୍ୟ କରିନି । ବରଂ ଧର୍ମ ସଦାସର୍ବଦା ସମସ୍ତଙ୍କୁ ଆଗେଇ ଚାଲିବା ପାଇଁ ହିଁ ପରାମର୍ଶ ଦେଇଛି । କୋମଳମତି ଛାତ୍ରଛାତ୍ରୀମାନେ ଧର୍ମରେ ବିଶ୍ୱାସ କଲେ ଶାନ୍ତିଲାଭ କରିପାରିବେ । ଖାସ୍ ସେଥିପାଇଁ ଜଣେ କବି ଲେଖିଛନ୍ତି:
“ଧର୍ମରେ ବିଶ୍ୱାସ ନ କଲେ ମନୁଷ୍ୟ
ଶାନ୍ତି ଲଭି ନ ପାରଇ ।
ଚରିତ୍ର ଗଠନ ଇନ୍ଦ୍ରିୟ ସଂଯମ
ଶିକ୍ଷାର ଲକ୍ଷ୍ୟ ଅଟଇ ।”
ଶିକ୍ଷାର୍ଥୀମାନଙ୍କ ଜୀବନରେ ଧର୍ମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
ପ୍ରତ୍ୟେକ ସତ୍କର୍ମକୁ ହିଁ ଧର୍ମ କୁହାଯାଏ । ମହାପୁରୁଷମାନେ କୁହନ୍ତି, ପ୍ରଗାଢ ଈଶ୍ୱର ବିଶ୍ୱାସ ହିଁ ଧର୍ମ । ତେଣୁ ଧର୍ମକୁ ବିଭିନ୍ନ ପର୍ଯ୍ୟାୟରେ ଧରି ରଖିବା ପାଇଁ ଧର୍ମାନୁଷ୍ଠାନମାନଙ୍କର ସୃଷ୍ଟି ହୋଇଛି । ମଠ, ମନ୍ଦିର ଗୀର୍ଜା, ଗୁରୁଦ୍ୱାର, ମସ୍ଜିଦ୍ ପ୍ରଭୃତି ଶହ ଶହ ସଂଖ୍ୟାରେ ଗଢାଯାଇଛି । ମନରେ ଭକ୍ତିଭାବର ଉଦ୍ରେକ କରାଇବା ହିଁ ହେଉଛି ଏହି ଧର୍ମାନୁଷ୍ଠାନମାନଙ୍କର ମୂଳ ଲକ୍ଷ୍ୟ । କେହି କେହି ବି ପୁଣି କୁହନ୍ତି, ଧର୍ମ ଗୋଟିଏ ବୋଇତ, ଯାହା ଆଧୁନିକ ଅର୍ଥରେ ଜାହାଜ । ବିଧାତା ଏହି ସଂସାର ରୂପୀ ସମୁଦ୍ରକୁ ପାର ହେବା ପାଇଁ ଏହା ସୃଷ୍ଟି କରିଛନ୍ତି । ଧର୍ମ ହିଁ ଦୁନିଆରେ ସତକଥା ଏବଂ ମହତପଣିଆର ପ୍ରତୀକ । ଆଉସବୁ କିଛି ଅଳୀକ ଓ କ୍ଷଣ ଭଙ୍ଗୁର । ତେଣୁ ଧର୍ମର ପଥ ଯେତିକି ସହଜ ଓ ସୁଗମ, ସେତିକି କଠିନ ମଧ୍ୟ ।
ଧର୍ମ ମଣିଷ ପାଇଁ ହିଁ ଉଦ୍ଦିଷ୍ଟ । ତେଣୁ ମାନବେତର ପ୍ରାଣୀମାନେ ଧର୍ମାଚରଣ କରିପାରନ୍ତି ନାହିଁ । ଆହାର, ନିଦ୍ରା, ଭୟ, ମୈଥୁନ – ପଶୁ, ମଣିଷ ନିର୍ବିଶେଷରେ ସମସ୍ତଙ୍କଠାରେ ସମାନ ଭାବରେ ଲକ୍ଷ୍ୟ କରାଯାଏ କିନ୍ତୁ ଇତର ପ୍ରାଣୀମାନେ ଧର୍ମଭାବ ରହିତ । ମଣିଷ ଧର୍ମବିଶ୍ୱାସ କରୁଥିବାରୁ ଏବଂ ଧର୍ମାନୁରାଗୀ ହୋଇଥିବାରୁ ସେ ପଶୁମାନଙ୍କଠାରୁ ବହୁତ ଉଚ୍ଚରେ ଏବଂ ଦେବତାଙ୍କର ନିକଟବର୍ତ୍ତୀ । କେବଳ ଧର୍ମ ହିଁ ମଣିଷକୁ ଗତିମୁକ୍ତି ଦିଏ । ଶାନ୍ତିର ବାର୍ତ୍ତା ବି ପ୍ରଚାର କରେ । ଉଦାର, ସହିଷ୍ଣୁ ହେବା ପାଇଁ ଧର୍ମ ଆମକୁ ପରାମର୍ଶ ଦେଇଥାଏ ।
ଧନ ଅର୍ଜ୍ଜନ କରି ଧର୍ମ କରିବା ପାଇଁ ଆମର ନୀତିଶାସ୍ତ୍ର ପରାମର୍ଶ ଦେଇଛି । ସେଥିପାଇଁ ବୋଧେ ପୂର୍ବକାଳରେ ରାଜାମାନେ ଅନେକ ଦେଉଳ ତୋଳାଇଥିଲେ, ପୋଖରୀ ଖୋଳାଉଥିଲେ, ରାସ୍ତାର ଉଭୟ ପାଶ୍ୱର୍ରେ ବୃକ୍ଷରୋପଣ କରୁଥିଲେ ଏବଂ ପ୍ରଜାମାନଙ୍କୁ ପୁତ୍ରପରି ମଧ୍ୟ ପାଳନ କରୁଥିଲେ । କାହିଁକିନା ତାହା ଥିଲା ରାଜଧର୍ମ । ସେହିପରି ପ୍ରଜାମାନେ ବି ରାଜାଙ୍କୁ ପୃଥିବୀର ଜୀବନ୍ତ ଦେବତା ଜ୍ଞାନ କରି ରାଜାଙ୍କର ପ୍ରତ୍ୟେକ ନିର୍ଦେଶକୁ ଶିରୋଧାର୍ଯ୍ୟ ବୋଲି ମନେକରୁଥିଲେ । ତେଣୁ ପ୍ରତ୍ୟେକ ମହତ କାର୍ଯ୍ୟରେ ଧର୍ମ ଓ ଦେବତାଙ୍କୁ ଲାଭକରାଯାଇଥାଏ ।