ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବିଦ୍ୟା ଅଟଇ ମହାଧନ

                ଏଇ ପାଠପଢି ଆମେ ବିଦ୍ୱାନ୍ ହେଉ । ଜ୍ଞାନୀ, ଗୁଣୀରୂପେ ସବୁଠାରେ ଆମକୁ ସମ୍ମାନ ମିଳେ । ଦେଶବିଦେଶର ସବୁକଥା ଆମେ ଅତି ସହଜରେ ଜାଣିପାରୁ । ବିଦ୍ୟା ଧନସମ୍ପତ୍ତିଠାରୁ ମଧ୍ୟ ମୂଲ୍ୟବାନ । ସୁନା, ରୂପା, ହୀରା, ନୀଳା, ମୋତି, ମାଣିକ୍ୟଠାରୁ ବିଦ୍ୟା ଆହୁରି ବି ଦାମିକା । ଯେତେ ସମ୍ପତ୍ତି ଠୁଳ କଲେ ବି ବିଦ୍ୟା ସହିତ ତାହା କଦାପି ସମାନ ହୋଇପାରେ ନାହିଁ । ଖାସ୍ ସେଥିପାଇଁ ବହୁ ବଡ ବଡ ଜ୍ଞାନୀଙ୍କୁ ପୃଥିବୀର ସର୍ବୋଚ୍ଚ ଆସନ ପ୍ରଦାନ କରାଯାଇଛି । ବିଦ୍ୟା ସମ୍ମୁଖରେ ରାଜା ସାମାନ୍ୟ ମଣିଷଟିଏ ମାତ୍ର । କାହିଁକିନା ସେ ତା’ର ସୀମିତ ରାଜ୍ୟର ସୀମାରେଖା ମଧ୍ୟରେ ଆଦର ପାଏ । କିନ୍ତୁ ଜ୍ଞାନୀଲୋକର ପୂଜା ସବୁବେଳେ ସବୁସ୍ଥାନରେ ସମ୍ଭବ ହୋଇଥାଏ । ବିଦ୍ୟା ଏପରି ଏକ ସମ୍ପତ୍ତି, ଯାହା ଦାନ କଲେ ବି ଶେଷ ହୋଇଯାଏ ନାହିଁ । ବିଦ୍ୟାଲାଭ କରୁଥିବା ଛାତ୍ରଛାତ୍ରୀ ସର୍ବଦା ବିଜୟୀ ହୁଅନ୍ତି । ଗୁରୁଜନମାନଙ୍କୁ ସେମାନେ ଭକ୍ତି କରନ୍ତି । ଜ୍ଞାନ ହିଁ ପ୍ରକୃତ ଆଲୋକ । ଏହି ଆଲୋକଠାରୁ ଉଜ୍ଜ୍ୱଳ ଆଲୋକ ଆଉ କିଛି ବି ନାହିଁ । ଜ୍ଞାନର ଆଲୋକ ସବୁ ଅଜ୍ଞାନତାକୁ ଦୂର କରିଦେଇଥାଏ । ମନ ଭିତରେ ସଙ୍କୀର୍ଣ୍ଣତା ଅପସରି ଯାଏ ।  ମଣିଷ କେତେ କ୍ଷୁଦ୍ର ସେ ଯେତେ ଅଧିକ ପାଠପଢେ, ସେତେ ନିଜକୁ ଅଧିକ ଚିହ୍ନିପାରେ ।

                ବିଦ୍ୟା ଏକ ପ୍ରଧାନ ଖାଦ୍ୟ । ଭାତ, ଡାଲି, ତରକାରୀ, ମାଛ, ମାଂସ ଅପେକ୍ଷା ଏହା ଅଧିକ ସୁଷମ ଓ ରୁଚିକର । କ୍ଷୁଧା ଲାଗିଲେ ସମସ୍ତେ ଖାଦ୍ୟ ଗ୍ରହଣ କରନ୍ତି । ଠିକ୍ ସେହିପରି ପାଠ ପାଇଁ କ୍ଷୁଧା ବି ସମସ୍ତଙ୍କର ରହିଥାଏ । ଯେଉଁମାନେ ପାଠକୁ ଡରନ୍ତି, ସେମାନେ କୁହନ୍ତି, “ମୋ ଦ୍ୱାରା ଏ ପାଠଶାଠ ଆଦୌ କିଛି ବି ହୋଇପାରିବ ନାହିଁ ।” ଶେଷରେ ସେମାନେ ପାଠଛଡ଼ା ହୋଇ ଲୁଚି ବୁଲନ୍ତି । ସତ କହିବାକୁ ଗଲେ ଏ ଦୁନିଆରେ ଅସମ୍ଭବ ବୋଲି କୌଣସି କଥା ନାହିଁ । ନେପୋଲିଅନ୍ ଜଣେ ବଡ ବୀର ଥିଲେ । କିନ୍ତୁ ପିଲାଦିନେ ତାଙ୍କ ହାତ ଦେଖି ଅବଧାନ କହିଥିଲେ ଯେ, ସେ ଜଣେ ଭାଗ୍ୟହୀନ ବାଳକ । କାହିଁକିନା ତାଙ୍କ ହାତରେ ଭାଗ୍ୟରେଖା ହିଁ ମୋଟେ ନାହିଁ । କିନ୍ତୁ ନେପୋଲିଅନ୍ ସେ ଗଣକଙ୍କ କଥାରେ ମୋଟେ ବିଶ୍ୱାସ କଲେ ନାହିଁ । ନିର୍ଭୟରେ ସେ ଗଣକଙ୍କୁ ଏ ନେପୋଲିଅନ୍ ପଚାରିଲେ, “ଭାଗ୍ୟରେଖା କେଉଁଠି ଥାଏ ।” ଗଣକ ଭାଗ୍ୟରେଖାର ସ୍ଥାନ ଦେଖାଇବାମାତ୍ରେ ନେପୋଲିଅନ୍ ତାଙ୍କ ହାତରେ ଧରିଥିବା ଅସ୍ତ୍ର ସାହାର୍ଯ୍ୟରେ ତୁରନ୍ତ ଆପଣା ହାତର ଭାଗ୍ୟରେଖା କାଟି ଦେଇଥିଲେ । ତାପରେ ପୃଥିବୀରେ ଜଣେ ବଡ ବୀର ହୋଇ ସେ ପ୍ରମାଣ କରିଦେଲେ ଯେ, ଅସମ୍ଭବ ବୋଲି କେବଳ ବୋକାମାନେ ହିଁ କୁହନ୍ତି । ମଣିଷ ପ୍ରକୃତରେ ଚେଷ୍ଟାକଲେ ନିଜ ଭାଗ୍ୟକୁ ବି ବଦଳାଇ ଦେଇ ପାରିବ । ଉଦ୍ୟମ ଜାରି ରହିଲେ ଯେତେ କଷ୍ଟକାମ ହେଉ ପଛେ ତାହା ଅତି ସହଜରେ ହୋଇଯିବ ।

                ବିଦ୍ୟାର ଅଧିକାରୀ ସମସ୍ତେ ଅଟନ୍ତି । ସେଥିରୁ କେହି ବି ତାଙ୍କୁ ବଂଚିତ କରିପାରନ୍ତି ନାହିଁ । ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ସମସ୍ତଙ୍କୁ ପାଠ ପଢିବାର ସୁଯୋଗ ମିଳେ । ଏଥିରେ ଧନୀ, ଦରିଦ୍ର, ରାଜା, ପ୍ରଜା, ସ୍ତ୍ରୀ ପୁରୁଷର ବାଛ ବିଚାର ଆଦୌ ନଥାଏ । ପୁରାଣ ଯୁଗରେ ଦ୍ରୋଣାଚାର୍ଯ୍ୟ ଜଣେ ପ୍ରଧାନ ଗୁରୁରୂପେ ବିବେଚିତ ଥିଲେ । ରାଜପୁତ୍ରମାନଙ୍କୁ ପାଠ ପଢାଉଥିବାରୁ ତାଙ୍କ ମନରେ ଅନେକ ଅହଂକାର ଭରି ରହିଥିଲା । ଏକଲବ୍ୟ ଗୋଟିଏ ଶବର ବାଳକ ଥିବାରୁ ସେ ତାକୁ ପାଠ ନ ପଢାଇ ଫେରାଇ ଦେଇଥିଲେ । ଏଥିରେ ଏକଲବ୍ୟ ମୋଟେ ହତୋତ୍ସାହ ନ ହୋଇ ବରଂ ଶିକ୍ଷାଲାଭ କରିବାର ମନୋବଳକୁ ଆହୁରି ଅଧିକ ଦୃଢ କଲେ । ବାରୁଣାବନ୍ତରେ ରହି ନିଜେ ନିଜର ପ୍ରଚେଷ୍ଟା ରେ ଶିକ୍ଷାଲାଭ କରିଥିଲେ, କିନ୍ତୁ ଅହଙ୍କାରୀ, ସ୍ୱାର୍ଥୀ  ଏବଂ ଅଭିମାନୀ ଗୁରୁ ଦ୍ରୋଣାଚାର୍ଯ୍ୟ ଛଳନାକରି ଏକଲବ୍ୟଙ୍କର ବୁଢା ଆଙ୍ଗୁଠିକୁ ମଧ୍ୟ କାଟିଦେଇଥିଲେ । ତେଣୁ ବିଦ୍ୟାର୍ଥୀର ଆଗ୍ରହ, ନିଷ୍ଠା ଓ ଏକାଗ୍ରତା ହିଁ ତା’ର ଜ୍ଞାନଲାଭ ପାଇଁ ସହାୟତା କରେ । ବିନା ଭୌତିକ ଅସ୍ତିତ୍ବ ଗୁରୁରେ ମଧ୍ୟ ଜାଣିବାର ପ୍ରଚେଷ୍ଟା ଥିଲେ ଜ୍ଞାନ ଅର୍ଜନ ସମ୍ଭବ । ଆଧୁନିକ ଯୁଗରେ ବିନା ଭୌତିକ ଅସ୍ତିତ୍ବ ଗୁରୁରେ ଜ୍ଞାନ ଅର୍ଜନ ଇଣ୍ଟରନେଟ୍ ହେଉଛି ଏକ ସର୍ବୋତ୍ତମ ମାଧ୍ୟମ । ଇଣ୍ଟରନେଟ୍ ହେଉଛି ଭେଦଭାବ ରଖୁନଥିବା ସାର୍ବଜନିକ ଗୁରୁ । ଗୁଗୁଲ୍ ଏବଂ ୟୁଟିୟୁବ୍ ବ୍ୟବହାର କରି ଜଣେ ନିଜ ପ୍ରଚେଷ୍ଟାରେ ଅନେକ ଜ୍ଞାନ ଅର୍ଜନ କରିପାରିବ ।

      ଏବେ କିନ୍ତୁ ଆଉ ସେ ଅତୀତର ଗୁରୁକୁଳାଶ୍ରମ ନାହିଁ । ତାହା ସିନା କାହାଣୀଟିଏ ପରି ଆମକୁ ଲାଗୁଛି । ବିଦ୍ୟାବଳରେ ବଳୀୟାନ ହୋଇ ମଣିଷ ଆଜି ଦେଶର ବହୁ ଶିକ୍ଷାନୁଷ୍ଠାନ ଖୋଲି ଚାଲିଛି । ଗାଁ ଗାଁରେ ସ୍କୁଲ୍, କଲେଜ । ବିଦ୍ୟାର୍ଥୀକୁ ଶିକ୍ଷା ଲାଭ ପାଇଁ ଆଉ ଦୂରସ୍ଥାନ ଯାତ୍ରା କରିବାକୁ ପଡୁନାହିଁ । ବିଦ୍ୟାବଳରେ ସମଗ୍ର ବିଶ୍ୱ ଆଜି ସମ୍ପୂର୍ଣ୍ଣ ଭାବରେ ସଙ୍କୁଚିତ ହୋଇଯାଇଛି । ହଜାର ହଜାର ସଂଖ୍ୟାର ଡାକ୍ତର, ଇଞ୍ଜିନିୟର, ଜ୍ଞାନୀ, ଗୁଣୀ, ଦାର୍ଶନିକ, ବୈଜ୍ଞାନିକ – ମୁଣ୍ଡରୁ ନୂଆ ନୂଆ ବୁଦ୍ଧି ବାହାର କରିଚାଲିଛନ୍ତି । ଯଥାର୍ଥରେ କହିବାକୁ ଗଲେ ବିଦ୍ୟା ହିଁ ଆଲୋକିତ କରିଦେଇଛି ଏହି ବିଶ୍ୱକୁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ