ଏହା ଦେଖି ସ୍ତ୍ରୀଲୋକ ଜଣକ ହାତଯୋଡି ଦସ୍ୟୁକୁ କହିଲା, “ଭାଇ! ଦୟାକରି ସାପଟିକୁ ମାରନାହିଁ । ତୁମେ ଆଜି ସାପଟିକୁ ମାରି ଦେଲେ କ’ଣ ମୋ’ ପୁଅର ଜୀବନ ଫେରିଆସିବ? ମୁଁ ମୋର ଭାଗ୍ୟ କବଳରୁ ମୁକୁଳି ପାରିବି ତ ନାହିଁ, ବରଂ ପୁଅର ଜୀବନ ଭଳି ଆଉ ଏକ ଜୀବନ ନଷ୍ଟ ହୋଇଯିବ । ଏହାଦ୍ୱାରା ମୋ’ର କ’ଣ ଲାଭ ହେବ?”
ଦସ୍ୟୁ ଏବେ ସ୍ତ୍ରୀଲୋକଟିର କଥା ଶୁଣି ଚକିତ ହୋଇଗଲା । ସେ କହିଲା, “ଭଉଣୀ! ସେଇ ବିଷଧର ସର୍ପ ଏଠାରେ ରହିଲେ ଭବିଷ୍ୟତରେ ତୁମ ପୁଅଭଳି ଅନ୍ୟର ଜୀବନ ବି ହାନୀ କରିପାରେ । ସୁତରାଂ ଯିଏ ଯେଉଁଠାରେ ପାଇଲେ ବିଷଧର ସର୍ପଗୁଡିକୁ ମାରିଦେବା ହିଁ ଉଚିତ୍ । ମାତ୍ର ଏହା ଜାଣି ମଧ୍ୟ ତୁମେ ଏଭଳି ବିଷାକ୍ତ ସର୍ପକୁ ମାରିବାକୁ ନିବୃତ କରିବାର କାରଣ କ’ଣ?”
ଏଥର ସ୍ତ୍ରୀଲୋକ ଜଣକ କହିଲା, “ଭାଇ! ଏଇ ବିଷଧର ସର୍ପ ମୋ’ ପୁଅକୁ ମାରିବା କଣ ବିଧିର ବିଧାନ ଥିଲା? ଜଙ୍ଗଲ ଭିତରେ ଏପରି ଅଘଟଣ ଘଟିପାରେ ବୋଲି ମୋତେ ଆଗରୁ ଜାଗ୍ରତ ହବାରଥିଲା ଏଥିରେ ସାପର କଣ ଦୋଷ? ମୋ ଅବହେଳା ଓ ବୋକାମୀ ପାଇଁ ବିଚାର ସାପକୁ କାହିଁକି ଦୋଷଦେବି? ମାତ୍ର ଏବେ ତୁମେ ସେହି କାରଣ ଯୋଗୁଁ ସାପଟିକୁ ମାରି ଆଉ ଗୋଟିଏ ଜୀବନ ନେଇଯିବା ଉଚିତ୍ ନୁହେଁ ।”