ମହେନ୍ଦ୍ର ଓ ବସନ୍ତ ଦୁଇ ପ୍ରତିବେଶୀ ଥିଲେ । ମହେନ୍ଦ୍ର ଦୋକାନଟିଏ କରିଥାଏ । ସେ କାହାଠୁଁ ବେଶି ଲାଭ ନିଏ ନାହିଁ କି ଭେଜାଲ୍ ବିକେ ନାହିଁ କି କାହାକୁ ବି ସେ କେବେବି ଠକେ ନାହିଁ । କିନ୍ତୁ ତାହା ବୋଲି ସେ ବିନା ଲାଭରେ କାହାରି ପାଇଁ କିଛି କରିବ, ସେଭଳି ଦୃଷ୍ଟାନ୍ତ ବି ନଥାଏ । ବସ୍ତୁତଃ ସର୍ବଦା ସେ ଖୋଲା ଖୋଲି ଭାବେ କହୁଥାଏ, “ମୁଁ ବିନା ଲାଭରେ କେବେ ବି କିଛି କରେ ନାହିଁ!”
ସେଥିରେ ବସନ୍ତ କହୁଥାଏ, “ଦେଖ ମହେନ୍ଦ୍ର, ତମେ କେବେବି ଏମିତି ବାହାଦୁରୀ ଦେଖାଇବ ନାହିଁ । ମୁଁ କ’ଣ ଇଚ୍ଛା କଲେ ତମଠୁଁ କିଛି କାମ କରାଇ ନେଇ ପାରିବି ନାହିଁ?”
ତା’କଥା ଶୁଣି ମହେନ୍ଦ୍ର କହିଲା “ହଁ, କାମ କରାଇ ନେଇ ପାରିବ । କିନ୍ତୁ ସେଥିରେ ମୋର କିଛି ନା କିଛି ଲାଭ ଅବଶ୍ୟ ହେବ ।”
ବସନ୍ତ ନୀରବରେ ସ୍ଥିର କଲା, ସେ ଦିନେ ନା ଦିନେ ମହେନ୍ଦ୍ରଠୁଁ ଏପରି କିଛି କାମ ହାସଲ କରିନେବ, ଯାହା ଦ୍ୱାରା କି ମହେନ୍ଦ୍ରର କିଛି ବି ଲାଭ ହେବ ନାହିଁ । ଏପରି ଭାବି ଦିନେ ସେ ଛୁଂଚିଟିଏ ମାଗିନେଲା ଓ ଆଉ ଦିନେ ମହେନ୍ଦ୍ରଠୁଁ ହାତୁଡି ମାଗିନେଇ ନିଜ କାମ ହୋଇସାରିବା ପରେ ସେ ଫେରାଇ ଦେଲା । କିନ୍ତୁ ହାତୁଡି ଫେରାଇବାବେଳେ ନିଜକୁ ଆଉ ସମ୍ଭାଳି ନପାରି ବସନ୍ତ ପଚାରିଲା, “କିହୋ, ତମେ ପରା ବିନା ଲାଭରେ କାହାରି ପାଇଁ କିଛି ବି କର ନାହିଁ? ସେଦିନ ତମଠୁଁ ମୁଁ ଛୁଂଚି ମାଗି ନେଇଥିଲି । ସେଥିରେ ତମର କ’ଣ ଲାଭ ହେଲା?”
ମହେନ୍ଦ୍ର କହିଲା “ତମେ ମୋଠୁଁ ସିନା ଖାଲିଛୁଂଚି ନେଇଥିଲ । ହେଲେ ସେଥିରେ ସୁତା ପୁରାଇ ତମ କାମ କଲ । ଆଉ ଛୁଂଚି ଫେରାଇବା ବେଳେ ସେଥିରେ ଯେତିକି ସୁତା ଲାଗି ରହିଥିଲା, ତାଦ୍ୱାରା ମୁଁ ମୋ ନିଜ ଲୁଗା ବି ସିଲେଇ କରି ପାରିଲି ।”
ବସନ୍ତ ପୁଣି ପଚାରିଲା “ଆଉ ଆଜି ହାତୁଡି ନେଇ ତମେ କ’ଣ ଲାଭ ପାଇଲ?”
ତହୁଁ ମହେନ୍ଦ୍ର କହିଲା “ସେତିକ ବୁଝି ପାରି ନାହଁ? ହାତୁଡି ହଳଗା ହୋଇ ଯାଇଥିଲା । ତମେ ତାକୁ ପ୍ରଥମେ ସଜାଡି ତା’ପରେ କାମ କରିଛ!”
ବସନ୍ତ ଆମୋଦିତ ହୋଇ କହିଲା “ଆରେ ସତ କଥା ତ!”