ଗୋଟିଏ ଚଟିଘରେ କୋଠରୀଟିଏ ଭଡାନେଇ ଦୁଇଜଣ ରହିଥାନ୍ତି । ଜଣେ ଚୁଡି-ବିକ୍ରେତା । ଅନ୍ୟ ଜଣକର ବ୍ୟବସାୟ ହେଲା ଲୋକଙ୍କୁ ସୁଧରେ ଟଙ୍କା କରଜ ଦେବା ।
ଦିନେ ଚୁଡି-ବେପାରୀ କହିଲା, “ଚାଲ, ଆମେ ଦୁହେଁ କିଛି କିଛି ପଇସା ଦେଇ ହଳେ ଯୋତା କିଣିବା । ମୋର ଯେତେବେଳେ ବାହାରକୁ ଯିବାର ହେବ, ମୁଁ ସେ ହଳକ ପିନ୍ଧିଯିବି; ତମର ଦରକାର ବେଳେ ତମେ ପିନ୍ଧି ଯିବ ।” କରଜଦାର ସେଥିରେ ରାଜି ହେଲା ଓ ଯୋତା କିଣା ହେଲା ।
ଯୋତା ତ କିଣା ହେଲା । ମାତ୍ର ତା’ପରେ ପରେ ଏକ ସମସ୍ୟା ଦେଖାଦେଲା । ଚୁଡି ବାଲା ଦିନଯାକ ଚପଲ ହଳକ ପିନ୍ଧି ସହର ସାରା ଘୁରିବୁଲେ । ବିଚରା ଅନ୍ୟ ଭଦ୍ରଲୋକଟିର ବାହାରକୁ ଯିବା ପାଇଁ କୌଣସି କାମ ତ ନଥିଲା । ଘରେ ବସି ସେ ଖାଲି ପଇସା ଗଣେ ଓ ସୁଧକୁ ଦିଏ । ଫଳରେ ସେ ଯୋତା ପିନ୍ଧିବାର ସୁଯୋଗ ଆଦୌ ପାଏନାହିଁ ।
ଦିନେ ଚୁଡି-ବେପାରୀ କହିଲା, “ଏଥର ଆଉ ହଳେ ନୂଆ ଯୋତା କିଣାଯାଉ ।”
ଋଣଦାତା କହିଲା “ବାପ୍ରେ ବାପ୍! ମୁଁ ଆଉ କେତେ ରାତି ଅନିଦ୍ରା ରହିବି? ଆଉ ଯୋତା ନାମ ଧର ନାହିଁ ।”
କଥା କ’ଣ କି, ଋଣଦାତା ଦିନରେ ଯୋତା ପିନ୍ଧିବାର ସୁଯୋଗ ମୋଟେ ନପାଇ ରାତି ସାରା ଯୋତା ପିନ୍ଧି ଚଟିଘର ବାରନ୍ଦାରେ ବୁଲୁଥାଏ ।