ଏମିତି ଭାଳେଣୀ ମଧ୍ୟରେ ସବୁ ଠେକୁଆଙ୍କର ମୁଣ୍ଡ ବିଗିଡ଼ିଗଲା । ଏଥିପାଇଁ କି ଉପାୟ ସେମାନେ କରିବେ ସେହି ଚିନ୍ତାରେ ପଡ଼ି ବିଚାର କଲେ । ସେତେବେଳେ ଗୋଟିଏ ହେଲେ ଠେକୁଆ ଆଗକୁ ବାହାରି କିଛି କହିପାରିଲେ ନାହିଁ କି ଏଥିପାଇଁ ସାଧାରଣ ଗୋଟାଏ ଉପାୟ ମଧ୍ୟ ସ୍ଥିର କରିପାରିଲେ ନାହିଁ ।
ଏମିତି ଠେକୁଆମାନଙ୍କ ବିଚାରରେ ବହୁ ସମୟ ବିତିଗଲା । ସେମାନଙ୍କ ମଧ୍ୟରେ ଗୋଟିଏ ବୟସ୍କ ବୁଢ଼ା ଠେକୁଆ ଥିଲା । ସେ ଅନେକ କିଛି ଚିନ୍ତା କରିସାରିବା ପରେ କହିଲା – ତୁମ୍ଭେମାନେ ଏବେ ମନ ମଧ୍ୟରୁ ଏହି ବିପଦକୁ ଘୁଞ୍ଚାଇଦିଅ । ମୁଁ ନିଶ୍ଚୟ ଏହାର ଉପାୟ ସ୍ଥିର କରିବି ।
ଠେକୁଆମାନେ ବୁଢ଼ା ଠେକୁଆ ଠାରୁ ଏମିତି ଗୋଟାଏ ଭରସା ପାଇ ଛାତିରେ ଦମ୍ଭ ଧରିଲେ । କଥା ହେଲା ଆସନ୍ତାକାଲି ସକାଳ ହେଲେ ସେ ହାତୀମାନଙ୍କର ରାଜାଙ୍କ ନିକଟରେ ଯାଇ ପହଞ୍ଚିବେ । ତା’ପରେ ସେଠାରେ ଯାଇ ସେ ତାଙ୍କର ବୁଦ୍ଧି ଖଟାଇ ଏହାର ନିରାକରଣ ବ୍ୟବସ୍ଥା କିପରି ହୋଇପାରିବ ତାହାର ବ୍ୟବସ୍ଥା କରିବେ ।
ସମସ୍ତଙ୍କର ସମ୍ମତି ଏଥିପାଇଁ ମିଳିଲା । ତା’ପରଦିନ ସକାଳ ହୁଅନ୍ତେ ସଜବାଜ ହୋଇ ବୁଢ଼ା ଠେକୁଆ ବାହାରିଗଲା । ହାତୀରାଜାଙ୍କୁ ଦର୍ଶନ କରିବା ନିମନ୍ତେ । ଯାହାହେଉ କଷ୍ଟକରି ବୁଢ଼ା ଠେକୁଆ ରାଜାଙ୍କୁ ଯାଇ ସାକ୍ଷାତ କଲା । ଦୂରରୁ ଥାଇ ପ୍ରଣାମ ଜଣାଇ ଆପତ୍ତି କଲା କି ମୁଁ ଚନ୍ଦ୍ରମା ରାଇଜରୁ ଆସିଅଛି । କାରଣ ଚନ୍ଦ୍ରମା ରାଜାଙ୍କର ମୁଁ ଦୂତ ଅଟେ । ଚନ୍ଦ୍ରମା ଆପଣଙ୍କ ନିକଟକୁ କିଛି ସମ୍ବାଦ ଦେଇ ପଠାଇଛନ୍ତି ।
ବୁଢ଼ା ଠେକୁଆ ଠାରୁ ଚନ୍ଦ୍ରମା ରାଜାଙ୍କ କଥା ଶୁଣି ହାତୀ ରାଜା ଚମକି ପଡ଼ିଲା । ଆଉ ମଧ୍ୟ ତା’ର ମନ ମଧ୍ୟରେ ଭୟ ବି ଆସିଗଲା । ତାକୁ ସେ ଭୟଭୀତ କଣ୍ଠରେ କହି ପକାଇଲା – ଚନ୍ଦ୍ରମା ରାଜା ମୋ ପାଖକୁ କେଉଁ ସମ୍ବାଦ ଦେଇ ପଠାଇଛନ୍ତି ଶୀଘ୍ର କୁହନ୍ତୁ । ମୋ ପ୍ରତି କି ଆଦେଶ ହୋଇଛି ।