ଗୋଟିଏ ଗାଁରେ ବାପା ମାଆଙ୍କ ସହିତ ତାଙ୍କ ଝିଅ ରୂପେଲି ବି ରହୁଥିଲା । ଅତି ସୁନ୍ଦରିଆ ଝିଅ ସେ ରୂପେଲି । ତେଣୁ ତାକୁ ଅତି ଗେହ୍ଲା କରନ୍ତି ତା ବାପା ମା’ । ସିଏ ଯେତେବେଳେ ଯାହା ମାଗେ ତାକୁ ବି ଦିଅନ୍ତି ।
ଦିନେ କଦଳୀ ବଗିଚା ଭିତରେ ତା’ର ସାଙ୍ଗମାନଙ୍କ ସହ ରୂପେଲି ଖେଳୁଥାଏ । ଠିକ୍ ସେହି ସମୟରେ ଗୋଟିଏ ପଥର ଉପରେ ରୂପେଲିର ଗୋଡ ବାଜିଗଲା । ତେଣୁ ସେ ପଥରଟା ଟିକେ ଘୁଂଚିଗଲା । ଏସବୁ ଦେଖି ରୂପେଲିର ଆଉ ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ଏହି ସମୟରେ ଗୋଟିଏ ଚଢେଇ ତା ଭିତରୁ ବାହାରି ଆସିଲା । ତାପରେ ସେ ପଥରଟା ପୁଣି ଠିକ୍ ଭାବରେ ରହିଗଲା । ସେ ଚଢେଇଟି ଗୋଟିଏ ଅଦ୍ଭୁତ ଧରଣର ଥିଲା । ମଣିଷ ମୁଣ୍ଡ ପରି ତାର ମୁଣ୍ଡଟି ଥିଲା । ଦୁଇଟି ହାତ ତାର ପକ୍ଷୀ ପାଖରୁ ବାହାରିଥିଲା । ଗୋଲ ଗୋଲ ଆଖି ଦୁଇଟି ତାର ନୀଳ ରଙ୍ଗଥିଲା । ତାର ଗୋଡ ଦୁଇଟି ଛୋଟ ଛୋଟ ଏବଂ ପାଦ ଦୁଇଟି ଠିକ୍ ମଣିଷ ପରି ଥିଲା । ତେଣୁ ତାକୁ ଦେଖି ରୂପେଲି ଓ ତାର ସାଙ୍ଗମାନେ ଡରିଯାଇ ସେଠାରୁ ପଳାଇଗଲେ । ସେ ପିଲାମାନଙ୍କୁ ଯିବାର ଦେଖି ସେ ଚଢେଇଟି କହୁଥିଲା –
“ଥିଲି ମୁଁ ପଥର ତଳେ ବନ୍ଦୀ ହୋଇ,
ନମରି ମୁଁ ବଂଚିଥିଲି ବହୁ କଷ୍ଟ ପାଇ ।
କିଆକୁଦା ମୂଳେ ରହେ ବିଲୁଆ ନନାଟି,
ସେ ବଡ ତାନ୍ତ୍ରିକ ରୂପେ ବିଲୁଆଟି ।
ମୁଁ ନୁହେଁ ଚଢେଇ, ଅପସରା ଟିଏ ଥିଲି,
ତାନ୍ତ୍ରିକ ବିଲୁଆ ନନା ହାବୁଡେ ପଡିଲି ।
କହିଲା ସେ ବାହା ହେବ ମୋତେ ଶାଢୀ ଶଙ୍ଖା ଦେଇ,
ତା’କଥା ନ ମାନିବାରୁ ମୋତେ ସେ କରିଲା ଚଢେଇ ।”