ତାନ୍ତ୍ରିକ ଭାଇ, ତାନ୍ତ୍ରିକ ଭାଇ,
ଅମାବାସ୍ୟା ରାତିରେ ଆସିଛି ମୁହିଁ ।
ମୋତେ ତୁମେ ଯଦି କଥାଟେ ଦେବ,
କହିବା କଥାରେ ସାହାଯ୍ୟ ହେବ ।
ତେଣୁ ତୁମ ସେବା କରିବି ମୁହିଁ,
ସତ ମୁଁ କହୁଛି ତାନ୍ତ୍ରିକ ଭାଇ ।
ଏହା ଶୁଣି ତାନ୍ତ୍ରିକ ତାର ମନ୍ତ୍ରବଳରେ ସବୁ କିଛି ଜାଣିପାରିଲା । ଚଢେଇଟିକୁ ଅପ୍ସରା କରିବା ପାଇଁ ବୋଧେ ଏଇ ଛୋଟ କାଟିଆ ତାନ୍ତ୍ରିକଟି ତା ପାଖକୁ ଆସି ଯାଇଛି । ସେ ଚଢେଇଟା ମଣିଷର ପଦସ୍ପର୍ଶରେ ଉପରକୁ ଚାଲିଆସିଛି? ତେଣୁ ହଠାତ୍ ତା’ ମନରେ ଟିକେ ଶଙ୍କା ଜାତ ହେଲା । ସେ ତାନ୍ତ୍ରିକ କହିଲା –
“ତୁମର କହିବା ଦରକାର ନାହିଁ ଜାଣିପାରୁଛ ଅଛି ମୁହିଁ
ଚଢେଇକୁ ମୁହିଁ କରିବି ଅପ୍ସରା ବାହାହେବି ସତ ଏହି ।
ନହିଲେ ଏଥିରେ ପଶିବି ନାହିଁ ମୁଁ ତୁମେ ଯିବ ଚାଲି
ଅପ୍ସରା କେବେହେଁ ମୁକ୍ତିପାଇବନି ଚଢେଇ ରହିବ ଖାଲି ।”
ଏହା ଶୁଣି ରୂପେଲିର ବାପା କଥା ଦେଲେ । ନିଶ୍ଚୟ ଅପ୍ସରାକୁ ତୁମେ ବାହାହେବ ଏହା ସତ ସିଦ୍ଧ କଥା । ପ୍ରତିଶୃତି ପାଇ ସଙ୍ଗେ ସଙ୍ଗେ ସେ ତାନ୍ତ୍ରିକ ଚଢେଇଟିକୁ କାଉଁରୀ ହାଡ ଛୁଆଁଇ ତାକୁ ଅପ୍ସରାରେ ପରିଣତ କରିଦେଲା । ଏହା ଦେଖି ସେ ତାନ୍ତ୍ରିକ ନିଜେ ମଣିଷରୂପରେ ବାହା ହେବା ପାଇଁ ମଧ୍ୟ ପ୍ରସ୍ତୁତ ହେଲା ।
ରୂପେଲିର ବାପା ତ ବଡ ଚାଲାକ୍ ଥିଲେ । ତାନ୍ତ୍ରିକର ସମସ୍ତ ରହସ୍ୟ କଥା ଶୁଣିବା ପାଇଁ ତା’ ସହିତ ରୂପେଲିର ବାପା ବନ୍ଧୁତା କଲେ । ସେ ତାନ୍ତ୍ରିକ କିପରି ବିଲୁଆ ରୂପ ଧାରଣ କରେ ଏବଂ କାର୍ଯ୍ୟକ୍ଷେତ୍ରରେ ପୁଣି କିପରି ମଣିଷ ହୁଏ, ସେ ସବୁ ବର୍ଣ୍ଣନା କଲା ତାନ୍ତ୍ରିକ ମହାଶୟ ରୂପେଲିର ବାପାଙ୍କ ଆଗରେ । ନିଜର ବଡପଣ ଦେଖାଇବା ପାଇଁ ସେ ତାନ୍ତ୍ରିକ ଜଣକ ଗାତଭିତରୁ ତାର ଅମୋଘ ମଣିକାଠିଟି ଦେଖାଇ କହିଲା, ଏଇଟି ନିଜକୁ ଛୁଆଁଇ ଦେଲେ ଏବଂ କେଉଁ ରୂପ ହେବାକୁ ଚାହିଁଲେ ସେହିକ୍ଷଣି ହୋଇଯିବ । ଯାହା ମାଗିବ ଏ ଅମୋଘ ମଣିକାଠି ପାଖରେ ସେ ଆଣି ତାହା ହିଁ ଦେଇଦେବ । ଦେଖ, ଏ କାଉଁରୀ କାଠି ଛୁଆଁଇ ମୁଁ ପରିବର୍ତ୍ତନ କରିଦିଏ ଅନ୍ୟମାନଙ୍କୁ । ସବୁ କଥା କହିବା ଭିତରେ ରୂପେଲିର ବାପା ସେ ସବୁ ଜିନିଷ ଗୁଡିକ ନିଜ ହାତରେ ଧରିଥିଲେ । ତେଣୁ ରୂପେଲିର ବାପା ସେ କାଉଁରୀ ହାଡକୁ ତାନ୍ତ୍ରିକକୁ ଛୁଆଁଇଦେଇ କହିଲେ, ‘ଯା’ ଚଢେଇ ହୋଇଯା, ସେ ପଥର ତଳ ଗାତରେ ତୁ ରହି ଯା ।’ ହଠାତ୍ ସେ ତାନ୍ତ୍ରିକ ଚଢେଇ ହୋଇ ପଥର ତଳ ଗାତ ଭିତରେ ରହିଗଲା ।