ଏଣେ ସେ ଅପ୍ସରାଟି ବି ତାଙ୍କ ପରିବାରକୁ ଆଶୀର୍ବାଦ ଦେଇ କହିଲେ ।
“ଅପ୍ସରା ରାଜ୍ୟକୁ ଯାଉଛି ଉଡି,
ସ୍ମରଣ କରିଲେ ଆସିବି ଭିଡି ।
କରିବି ସାହାଯ୍ୟ ବିପଦ ବେଳେ,
ତୁମ ଯୋଗୁଁ ମୁକ୍ତି ପାଇଲି ହେଳେ ।
ତୁମେ ହିଁ ବିପଦ ବେଳର ବନ୍ଧୁ,
ବଂଚାଇ ରଖିଲ ଜୀବନ ସିନ୍ଧୁ ।
ତାପରେ ରୂପେଲି ଓ ତାର ବାପା କେବଳ ଚାହିଁ ରହିଲେ ଉପରକୁ । ଅପ୍ସରା ଆକାଶବକ୍ଷକୁ ତାର ପକ୍ଷ ମେଲାଇ ଉଡିଗଲା ଏବଂ ସେ ଅଦୃଶ୍ୟ ମଧ୍ୟ ହୋଇଗଲା ।
ସମୟାନୁକ୍ରମେ ଦିନପରେ ଦିନ ଗଡି ଚାଲିଲା । ଦିନେ ରୂପେଲିର ବାପା ଅତି ଅସୁସ୍ଥ ହୋଇ ଶଯ୍ୟାଶାୟୀ ହେଲେ । ଡାକ୍ତର, ବୈଦ୍ୟ କେହି ବି ତାଙ୍କୁ ଆଦୌ ଭଲ କରିପାରିଲେ ନାହିଁ । ସେହି ସମୟରେ ରୂପେଲିର ସେ ଅପ୍ସରା କଥା ମନେପଡିଲା । ତେଣୁ ସେ ରୂପେଲି ଅପ୍ସରାଙ୍କ ରୂପକୁ ମନେ ମନେ ଭାବି ତାଙ୍କୁ ଡାକ ଛାଡିଲା –
ବାପାଙ୍କ ଦେହ ଏପରି ଅସୁସ୍ଥ
ହେଉ ନାହିଁ କେବେ ଭଲ ।
ମୋ କୁନି ମନଟା ଡାକୁଛି,
ହୋଇ ବଡ କଲବଲ ।
ଏତିକି କହି ଲୁହ ଗଡାଇଲା ବେଳକୁ ଗୋଟିଏ ଝିଲ୍ମିଲ୍ ରଙ୍ଗ ଝଲସି ଉଠିଲା ସେ ରୂପେଲିର ମୁଣ୍ଡ ଉପରେ । ତାପରେ ସେ ତଳକୁ ଖସି ଆସିଲା । ସେହି ଝିଲ୍ମିଲ୍ ଅପ୍ସରା ରୂପେଲିର ଘର ଭିତରକୁ ପଶିଯାଇ ଅପ୍ସରା ତାଙ୍କ ରାଜ୍ୟର ସୁଗନ୍ଧି ରୋଗ ମୁକ୍ତ କୁସୁମଟିକୁ ରୂପେଲିର ବାପାଙ୍କ ଦେହ ସାରା ବୁଲାଇ ଆସିଲେ, ସେହିକ୍ଷଣି ହଠାତ୍ ଦେହ ବି ସୁସ୍ଥ ଲାଗିଲା ରୂପେଲି ବାପାଙ୍କର । ତେଣୁ ସେ ଉଠିପଡି ଅପ୍ସରାଙ୍କ ପାଦ ତଳେ ପଡିଗଲେ । ତାପରେ ନିଜ ପକ୍ଷ ଝାଡିଦେଲେ ସେ ଅପ୍ସରା । ତହିଁରୁ ହଠାତ୍ ସୁନା, ହୀରା, ମୋତି, ମାଣିକ ଗୁଡିକ ସେ ଘର ଭିତରେ ଜମା ହୋଇଗଲା । ଏସବୁ ଦେଖି ସେ ରୂପେଲିର ବାପା ବୋଉ କେବଳ ତଟସ୍ଥ ହୋଇ ଚାହିଁଥାଆନ୍ତି । ତେଣେ ସେ ଅପ୍ସରା ଉପରକୁ ଉଠିଯାଇ କହୁଥିଲେ –
ଯାଉଅଛି ବନ୍ଧୁ ବିଦାୟ ନେଇ
ଡାକିଲେ ନିଶ୍ଚୟ ଆସିବି ମୁହିଁ ।
ବନ୍ଧୁତା ରହିଲା, କାଳ କାଳକୁ
ଧନ ବାଂଟିବ ହେ ଦୁଃଖି ରଙ୍କିକୁ ।
ଭଲ ଲୋକ ଭଲ କରିଲେ କାମ
ଶ୍ରମ ପାଇଁ ଧନ ଦେବି ମୁଁ ଉତ୍ତମ ।
ଆସିବି ମୁହିଁ, ଆସିବି ମୁହିଁ
କର୍ତ୍ତବ୍ୟକୁ କେବେ ଭୁଲିବି ନାହିଁ ।
ଏପରି କଥା ଶୁଣି ରୂପେଲିର ବାପା–ବୋଉ ଅତି ଖୁସି ହେଉଥିଲେ । ତତ୍ସହିତ ହାତ ହଲାଇ ସେ ଅପ୍ସରାକୁ ବିଦାୟ ମଧ୍ୟ ଦେଇଥିଲେ ।