ଗୋଟିଏ ଗାଁରେ ଜଣେ ଧନୀଲୋକ ଥା’ନ୍ତି । ସେ ସମସ୍ତ ଗରିବ ଲୋକଙ୍କର ଦୁଃଖ ବୁଝୁଥା’ନ୍ତି । ସଦା ସର୍ବଦା ଦାନ ଧର୍ମରେ ତାଙ୍କର ସମସ୍ତ ଧନ ଖର୍ଚ୍ଚ ହୁଏ । ଏମିତିକି ତାଙ୍କ ଘରୁ କେହି କେବେବି ଖାଲି ହାତରେ ଫେରେ ନାହିଁ ।
ପାଖ ଗାଁରେ ଆଉ ଜଣେ ଧନୀଲୋକ ଥା’ନ୍ତି । ସେ କିନ୍ତୁ ଖୁବ୍ କଞ୍ଜୁସ୍ । ତା’ଙ୍କର ଦାନାଟିଏ ନଷ୍ଟ ହୋଇଗଲେ ଦେହରେ କମ୍ପ ଆସେ । ତେଣୁ ଲୋକମାନେ ତାଙ୍କୁ ଖୁବ୍ ନିନ୍ଦା କରନ୍ତି । ଦିନେ ସେ ଭାବିଲେ କଞ୍ଜୁସ୍ ବୋଲି ତାଙ୍କର ଯେଉଁ ବଦନାମ ଅଛି ସେଇଟା କେମିତି ପରିବର୍ତ୍ତନ ହୋଇଯାନ୍ତା! ଏପରି ଭାବି ସେ ତା’ଙ୍କର ଜଣେ ବହୁଦିନର ବିଶ୍ୱସ୍ତ ଚାକରକୁ ଏକଥା କହିଲେ ।
ଚାକରଟି କହିଲା, “ମାଲିକ, ଲୋକମାନେ ଯେ ଆପଣଙ୍କୁ ମହାନ୍ ଦାତା ବୋଲି କହିବେ ତାହା ଅସମ୍ଭବ । କିନ୍ତ ପଡୋଶୀ ଗାଁର ଯେଉଁ ଧନୀବ୍ୟକ୍ତିଙ୍କୁ ସମସ୍ତେ ଦାତା ବୋଲି କହୁଛନ୍ତି ସେ ଯଦି କୌଣସି ମତେ ଆପଣଙ୍କୁ ଦାତା ବୋଲି କୁହନ୍ତି ତେବେ ଲୋକମାନେ ମଧ୍ୟ ଆପଣଙ୍କୁ ଦୟାଳୁ ବୋଲି ଭାବିବେ । ଆପଣ କାଲି ତାଙ୍କୁ ଆପଣଙ୍କ ଘରକୁ ଭୋଜନ ସକାଶେ ଆମନ୍ତ୍ରଣ କରନ୍ତୁ । ସେ ଯେତେ ସମୟ ଆପଣଙ୍କ ଘରେ ଥିବେ ମୁଁ ଭିନ୍ନ ଭିନ୍ନ ବେଶ ବଦଳାଇ ଆପଣଙ୍କ ପାଖକୁ ଆସିବି ଓ ଆପଣ ପ୍ରତ୍ୟେକ ଥର ମୋତେ ଶହେ ଟଙ୍କା କରି ଦେବେ । ତେବେ ଆପଣ ଦାନୀ ବୋଲି ତାଙ୍କର ବିଶ୍ୱାସ ଆସିଯିବ । ସେ ଯିବା ପରେ ଆପଣଙ୍କୁ ଆପଣଙ୍କ ଟଙ୍କା ମୁଁ ଫେରାଇ ଦେବି ।”
ଏଭଳି ପ୍ରସ୍ତାବରେ କଞ୍ଜୁସ୍ ଧନୀ କହିଲେ “ବାଃ, ଇଏ ତ ବଡ ସୁନ୍ଦର କଥା ତେବେ ଆଉ ଡେରି କାହିଁକି? ଆଜି ଯାଇ ଡାକିଦେଲେ ହେବ । ତୁ ଯା ତାଙ୍କୁ ନିମନ୍ତ୍ରଣ କରିବୁ ।”
ମାଲିକର ଆଦେଶ ପାଇ ସେ ଚାକରଟି ତତ୍କ୍ଷଣାତ୍ ଯାଇ ତାଙ୍କ ଘରେ ପହଁଚି କହିଲା, “ମହାଶୟ, ଆମ ମାଲିକ କାଲି ଦ୍ୱିପ୍ରହରରେ ଆପଣଙ୍କୁ ତାଙ୍କ ଘରେ ଭୋଜନ କରିବା ପାଇଁ ନିମନ୍ତ୍ରଣ ପଠାଇଛନ୍ତି, ଆପଣ ଯେପରି ନିଶ୍ଚୟ ଯିବେ ।”
ଦାନୀବ୍ୟକ୍ତି ପଚାରିଲେ, “ଆରେ ଭାଇ, ମୁଁ ତ ଶୁଣିଛି ତୁମ ମାଲିକ କୁଆଡେ ବିଲେଇକୁ ମଧ୍ୟ ଖାଇବାକୁ ଦିଅନ୍ତି ନାହିଁ, ମାତ୍ର ମୋ ଉପରେ ତାଙ୍କର ହଠାତ୍ ଏତେ ଦୟା କିପରି ହେଲା?”