ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବିବେକ

ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରୁ ଭାସି ଆସୁଥାଏ ସାଇଁ ସାଇଁ ପବନ । ଘଡ ଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ମଧ୍ୟ ଶୁଭୁଥାଏ  । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ  । କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ନ ହୋଇ ପୁନର୍ବାର ସେହି ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ବାହାରକରି ଆଣିଲେ । ତେବେ ତାକୁ କାନ୍ଧରେ ପକାଇ ସେ ସେହି ଶୁନ୍ଶାନ୍ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ସେ ବେତାଳ କହିଲା, “ରାଜନ୍ ମୁଁ ତୁମର ଯେତେ ପ୍ରଶଂସା କଲେ ମଧ୍ୟ ତାହା ଯଥେଷ୍ଟ ନୁହେଁ । ଏହି ଭୟଙ୍କର ଅନ୍ଧକାର ରାତ୍ରିରେ, ବିଷଧର ସର୍ପ ତଥା ପିଶାଚମାନଙ୍କୁ ଖାତିର ନକରି, ନିଶ୍ଚିନ୍ତ ମନରେ ନିଜର ଲକ୍ଷ୍ୟସିଦ୍ଧି ଦିଗରେ ଚାଲିଛ । ତୁମର କଠୋର ପରିଶ୍ରମ ଅତ୍ୟନ୍ତ ପ୍ରଶଂସନୀୟ ଅଟେ । କିନ୍ତୁ ଏପର୍ଯ୍ୟନ୍ତ ମୁଁ ବୁଝିପାରୁ ନାହିଁ କି ତୁମେ କାହିଁକି ବିନା କାରଣରେ ବିପଦ ମଧ୍ୟକୁ ଯାଉଛ । ଯଦି ତୁମେ ତୁମର ପତ୍ନୀ ତଥା ସନ୍ତାନଙ୍କ ପାଇଁ ଏସବୁ କରୁଛ ତ ଭଲ ନିଶ୍ଚୟ । ଯଦି ସନ୍ତାନମାନଙ୍କର ବିକାଶ ଓ ଅଭିବୃଦ୍ଧି ପାଇଁ କରୁଛ ତେବେ କୁହାଯିବ ତୁମେ କର୍ତ୍ତବ୍ୟପରାୟଣ ଓ ଧର୍ମନିଷ୍ଠ । କିନ୍ତୁ ଯଦି ବୁଢାବାପାଙ୍କର ଅର୍ଥହୀନ ଇଚ୍ଛା ପୁରଣ କରିବାକୁ ତମେ ପତ୍ନୀ ଓ ସନ୍ତାନ ମାନଙ୍କର ଆନନ୍ଦକୁ ବଳୀ ଦେଉଛ, ତେବେ କୁହାଯିବ ତୁମେ ମୂର୍ଖ ।

                ଏହି ପରିପ୍ରେକ୍ଷୀରେ ମୁଁ ତୁମକୁ କାହାଣୀଟିଏ ଶୁଣାଇବି । ମନ ଦେଇ ଶୁଣ, ଶୁଣିଲେ ତମ ଶ୍ରମ ଭାର ଲାଘବ ହେବ ।” ଏହାପରେ ସେ ବେତାଳ ଗପିଲା –

                ଅଙ୍ଗରାଜ୍ୟର ଶାସକ ମକରଧ୍ୱଜ ବୃଦ୍ଧ ହୋଇଗଲେ । ଶାସନ ଭାର ସମ୍ଭାଳିବା ତାଙ୍କପକ୍ଷେ କଷ୍ଟକର ହେଲା । ଏପରି ପରିସ୍ଥିତିରେ ଦିନେ ସେ ତାଙ୍କ ପୁତ୍ର ମଳୟଧ୍ୱଜଙ୍କୁ ଡାକି କହିଲେ, “ବତ୍ସ, ମୁଁ ବୃଦ୍ଧ ହୋଇଗଲେ ମଧ୍ୟ ସୁଖ ଭୋଗର ଲାଳସା ମୋ ମନରେ ଏବେ ମଧ୍ୟ ରହିଛି । କିନ୍ତୁ ମୁଁ ଜାଣେ ମୃତ୍ୟୁ ମୋର ଅତି ନିକଟରେ । ମୋର ଅନ୍ତିମ ଇଚ୍ଛା ଏହି ଯେ ତୁ ମୃତ୍ୟୁପରେ ମୋର ଶବକୁ ଦାହ ନକରି କୌଣସି ତୈଳ ଲେପନ ଦେଇ ସୁରକ୍ଷିତ କରି ରଖିବୁ । ଯଦି ଭବିଷ୍ୟତରେ କୌଣସି ମହାମୁନି ହୁଏତ ତା’ମଧ୍ୟରେ ଜୀବଦାନ ଦେଇ ପାରନ୍ତି ।” ଏପରି କିଛିଦିନ ପରେ ସେ ବୃଦ୍ଧରାଜାଙ୍କର ମୃତ୍ୟୁ ହେଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ