ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବିବେକୀ ରାଜା

ପ୍ରାଚୀନ କାଳର କଥା । ବୈରୀଗଞ୍ଜନ ମାନଧାତା ନାମରେ ଜଣେ ରାଜା ରାଜୁତି କରୁଥିଲେ । ସେ ଦେଖିବାକୁ ଭାରି ସୁନ୍ଦର । ଚାଲିଗଲା ଲୋକେ ବି ସେ ରାଜାଙ୍କୁ ଘଡିଏ ଠିଆ ହୋଇ ଚାହିଁ ରହୁଥିଲା । ସେ ରାଜାଙ୍କର ରୂପ ଯେମିତି, ଗୁଣ ବି ଠିକ୍ ସେମିତି । ସେ ରାଇଜର ଲୋକେ ତାଙ୍କ ଶାସନରେ ବେଶ୍ ସୁଖରେ ଥାଆନ୍ତି । ତାଙ୍କର କରାମତି ଯୋଗୁଁ ଆଖପାଖର ପଡୋଶୀ ରାଜାମାନେ ବି ଖାଲି ଥରହର ହେଉଥାଆନ୍ତି । ଏହି କାରଣରୁ କୌଣସି ରାଜା ବୈରୀଗଞ୍ଜନଙ୍କ ସହିତ ଶତ୍ରୁତା କରିବାକୁ ଆଦୌ ସାହସ କରନ୍ତି ନାହିଁ ।

ଦିନକର କଥା । ରାଜା ଶିକାର କରିବାକୁ ଯାଇ ବଣ ଭିତରେ ହଠାତ୍ ବାଟ ଭୁଲିଗଲେ । ଘୋଡାକୁ ଟାଣି ଟାଣି ବଣ ଭିତରେ ଗୋଟିଏ ପୋଖରୀ କୂଳରେ ଯାଇ ସେ ପହଁଚିଲେ । ସେଇଠି ଗୋଟିଏ ଗଛ ଛାଇରେ ରାଜା ବସିଛନ୍ତି; ଏତିକିବେଳେ ସେ ଦେଖିଲେ ସ୍ୱର୍ଗର ଜଣେ ଦେବକନ୍ୟା ଆସି ସେଇ ପୋଖରୀରେ ଗାଧୋଉଛି । ତାପରି ସୁନ୍ଦରୀ ସେ ରାଜା ତ ପୃଥିବୀରେ କେଉଁଠି ହେଲେ ବି ଦେଖି ନାହାଁନ୍ତି । ସେ ଦେବକନ୍ୟା ରାଜାଙ୍କୁ ଦେଖି ପ୍ରଥମେ ଟିକେ ଲାଜରେ ଝାଉଁଳି ପଡିଲା । ମନେ ମନେ ସେ ଭାବିଲା ମଣିଷମାନଙ୍କ ଭିତରେ ପୁଣି ଏଡେ ସୁନ୍ଦର ପୁରୁଷ ଅଛନ୍ତି ! ତାପରେ ସେ ଦେବକନ୍ୟା ଆସି ରାଜାଙ୍କ ପାଖରେ ପ୍ରସ୍ତାବ କଲା – “ହେ ବୈରୀଗଞ୍ଜନ ! ମୁଁ ହେଉଛି ସ୍ୱର୍ଗର ସୁନ୍ଦରୀ । ମୋତେ ତୁମେ ସ୍ତ୍ରୀ ଭାବରେ ଗ୍ରହଣ କର । ତେବେ ଯାଇ ତୁମେ ଖୁବ୍ ସୁଖରେ ରହିବ । ତୁମର ଧନସମ୍ପତ୍ତି ବି ଆହୁରି ବଢିଯିବ । ସଂସାରଯାକର ଯେତେକ ଧନରତ୍ନ ସବୁ ତୁମ ଗୋଡ ତଳେ ଆସି ଠୁଳ ହୋଇ ପଡିବ ।”

ରାଜା ବୈରୀଗଞ୍ଜନ ସେ ଦେବକନ୍ୟାଙ୍କୁ ସମ୍ମାନ ଜଣାଇ କହିଲେ, “ମୁଁ ତ ତୁମ ପ୍ରସ୍ତାବରେ ଆଦୌ ରାଜି ହୋଇପାରିବି ନାହିଁ । କାହିଁକିନା କାହାରି ଦୟାରେ ଐଶ୍ୱର୍ଯ୍ୟ ଭୋଗ କରିବା ମୋର ମୋଟେ ଇଚ୍ଛା ନୁହେଁ । ନିଜର ଶକ୍ତିବଳରେ ସେସବୁ ତ ମୁଁ ନିଶ୍ଚୟ ହାସଲ କରିବି । ତା’ଛଡା ତୁମେ ହେଉଛ ସ୍ୱର୍ଗର କନ୍ୟା । ମୁଁ ହେଉଛି ପୃଥିବୀର ମଣିଷ । କୌଣସି କାରଣରୁ ତୁମେ ମୋ ଉପରେ ବିରକ୍ତ ହେଲେ ମୋତେ ତ ଛାଡିକରି ତୁମେ ସ୍ୱର୍ଗକୁ ପଳାଇବ । ତେଣୁ ତୁମ ପ୍ରସ୍ତାବରେ ମୁଁ ତ ଆଦୌ ରାଜି ହୋଇପାରିବି ନାହିଁ ।”

ଏତିକି କହି ରାଜା ନିଜ ନଅରକୁ ଫେରି ଆସିଲେ । ବାଟରେ ସୈନ୍ୟସାମନ୍ତମାନେ ମଧ୍ୟ ସେ ରାଜାଙ୍କୁ ପାଛୋଟି ନେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ