ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବିବେକ ଓ ବଚନ

ଜଣେ ଖଲିଫା ବାଗଦାଦ ନଗରୀରେ ରାଜୁତି କରୁଥିଲେ । ସେ ସାହିତ୍ୟ, ପାଣ୍ଡିତ୍ୟ ଓ ବୁଦ୍ଧିର ବିଶେଷ ଆଦର କରୁଥିଲେ । ସେ ମଧ୍ୟେ ମଧ୍ୟେ ପଣ୍ଡିତ ଓ ଗୁଣୀବ୍ୟକ୍ତି ମାନଙ୍କର ବି ସଭା ଡାକୁଥିଲେ । ସେ ସଭାରେ ନାନା ଦାର୍ଶନିକ ଓ ସାମାଜିକ ବିଷୟର ଚର୍ଚ୍ଚା ହେଉଥିଲା । କହିବା ବାହୁଲ୍ୟ, ପଣ୍ଡିତମାନେ ନାନା ପୁରସ୍କାର ପାଇ ଖୁସି ହୋଇ ଯାଉଥିଲେ ।

                ସଭାର ଆଲୋଚନା ଯେ ଖାଲି ଖଲିଫା ଏବଂ ତାଙ୍କ ଦରବାରର ମନ୍ତ୍ରୀ ଓ ଅମାତ୍ୟମାନେ ଶୁଣୁଥିଲେ, ତାହା ନୁହେଁ, ସର୍ବସାଧାରଣ ମଧ୍ୟ ତାହା ଶୁଣିବାର ଯଥେଷ୍ଟ ସୁଯୋଗ ପାଉଥିଲେ ।

ଦିନେ ବିଶିଷ୍ଟ ପଣ୍ଡିତମାନଙ୍କ ଉପସ୍ଥିତିରେ ସଭାକାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି, ଠିକ୍ ସେତିକିବେଳେ ଜଣେ ଅପରିଚିତ ବ୍ୟକ୍ତି ସେ ସଭା ଗୃହକୁ ପଶି ଆସିଲେ । ସେ ଶ୍ରୋତାମାନଙ୍କ ଭିତରେ ବସିଥିଲେ ତାଙ୍କୁ କେହି ଲକ୍ଷ୍ୟ କରି ନଥାନ୍ତେ, କିନ୍ତୁ ସେ ଆସି ପଣ୍ଡିତମାନଙ୍କ ଭିତରେ ବସିଗଲେ । ସୌଜନ୍ୟ ଦୃଷ୍ଟିରୁ ତାଙ୍କୁ କେହି କିଛିବି ହେଲେ କହିଲେ ନାହିଁ । ତାଙ୍କ ବେଶଭୂଷାରୁ ସେ ଯେ ଜଣେ ବିଦେଶୀ, ଏକଥା ବୁଝି ହେଉଥିଲା ।

ରାଜା ଗୋଟିଏ ପ୍ରଶ୍ନ ପଚାରିଲେ । ଜଣ ଜଣ କରି ପଣ୍ଡିତମାନେ ତା’ର ଉତ୍ତର ଦେବାକୁ ଲାଗିଲେ । ଯେତେବେଳେ ଆଗନ୍ତୁକଙ୍କ ପାଖରେ ବସିଥିବା ପଣ୍ଡିତ କହିପାରିଲେ ନାହିଁ, ସେତେବେଳେ ସମସ୍ତେ ସେ ଆଗନ୍ତୁକଙ୍କ ଆଡେ ଅନାଇଲେ । ଏଥିରୁ ସେ ଏହା ବୁଝିଲେ ଯେ ବର୍ତ୍ତମାନ ତାଙ୍କ ପାଳି । ଏଣୁ ସେ ଠିଆ ହେଲେ ଓ କହିଲେ, “ମୁଁ ନ ଜାଣି ପଣ୍ଡିତଙ୍କ ମେଳରେ ଆସି ବସି ପଡିଥିଲି । ଯାହାହେଉ ଏ ଆସନର ସମ୍ମାନ ରଖି ମୁଁ ଦୁଇପଦ କହୁଛି ।” ଏହାପରେ ପ୍ରଶ୍ନଟିର ସେ ଯେପରି ଉତ୍ତର ଦେଲେ, ସେପରି ତାଙ୍କ ପୂର୍ବରୁ କେହି ହେଲେ ମଧ୍ୟ ଦେଇ ନଥିଲେ । ସମସ୍ତେ ମୁଗ୍ଧ ହେଲେ । ରାଜା ଖୁସି ହୋଇ ତାଙ୍କୁ ଆଗ ଧାଡିରେ ଆସନ ଗ୍ରହଣ କରିବାକୁ ଅନୁରୋଧ କଲେ । ତା’ପରେ ସେ ସେଠୁ ଉଠି ଆସି ଆଗ ଧାଡିରେ ବସିଲେ ।

ରାଜାଙ୍କ ଦ୍ୱିତୀୟ ପ୍ରଶ୍ନର ଉତ୍ତରରେ ସେ ଆଗନ୍ତୁକ ଜଣକ ଆହୁରି ଚିତାକର୍ଷକ ବକ୍ତୃତା ଦେଲେ । ସବୁ ଶ୍ରୋତା ଓ ପଣ୍ଡିତମାନେ ଧନ୍ୟ ଧନ୍ୟ କହିଲେ । ଏହାପରେ ଖଲିଫା ସେ ଆଗନ୍ତୁକଙ୍କୁ ତାଙ୍କ ମନ୍ତ୍ରୀମାନଙ୍କ ଗହଣରେ ଆସି ବସିବାକୁ ଅନୁରୋଧ କଲେ ।

ରାଜାଙ୍କ ତୃତୀୟ ପ୍ରଶ୍ନର ଉତ୍ତରରେ ଅନ୍ୟମାନେ ଯାହା କହିଲେ, ଆଗନ୍ତୁକ ତାହାଠାରୁ ଦଶଗୁଣ ଅଧିକ ସାରଗର୍ଭକ ବକ୍ତୃତା ଦେଲେ । ତାଙ୍କ କଥନ ଶୈଳୀ ଅପୂର୍ବ ଥିଲା । ତତ୍ପତ୍ସାତ୍ ଖଲିଫା ତାଙ୍କୁ ଉଠି ଆସି ନିଜ ପାଖରେ ଥିବା ଆସନରେ ବସିବାକୁ କହିଲେ । ଆଗନ୍ତୁକ ମଧ୍ୟ ତାହାହିଁ କଲେ ।

ଏହାପରେ ସେ ସଭା ଭଙ୍ଗ ହେଲା ଓ ସବୁ ପଣ୍ଡିତ ସେଠାରୁ ବିଦାୟ ନେଲେ । ଆଗନ୍ତୁକ ବି ତାଙ୍କ ବାଟରେ ଚାଲି ଯାଉଥିଲେ । କିନ୍ତୁ ଖଲିଫା ତାଙ୍କୁ ଅଟକାଇଲେ ଓ କହିଲେ, “ମୋର ଉଦ୍ଧେଶ୍ୟ ହେଉଛି ଆପଣଙ୍କୁ ବିଶେଷ ସମ୍ମାନ ଦେବା ।”

ଏହାପରେ ସେ ଖଲିଫା ତାଙ୍କୁ ନିଜ ପ୍ରାସାଦ ଭିତରକୁ ନେଇଗଲେ । ପରିଚାରିକାମାନଙ୍କୁ ସେ କହିଲେ, “ସବୁଠାରୁ ଉତ୍କୃଷ୍ଟ ମଦ ଆଣ ।”

                ପରିଚାରିକାମାନେ ସଙ୍ଗେ ସଙ୍ଗେ ଅଙ୍ଗୁରରୁ ପ୍ରସ୍ତୁତ ମଦ ଆଣି ତାଙ୍କୁ ପରଶି ଦେଲେ । ଖଲିଫା ପାନପତ୍ରଟିଏ ଉଠାଇ ନେଲେ ଓ ଅନ୍ୟ ପାନପତ୍ରଟି ଉଠାଇନେବାକୁ ଆଗନ୍ତୁକଙ୍କୁ ସଙ୍କେତ ଦେଲେ ।

                କିନ୍ତୁ ଆଗନ୍ତୁକ ପାନପତ୍ର ସ୍ପର୍ଶ କଲେ ନାହିଁ । ଖଲିଫା ଏଥିରେ ଆଶ୍ଚର୍ଯ୍ୟ ହୋଇ ତାଙ୍କୁ ଅନାଇବାରୁ ସେ କହିଲେ, “ମହାଭାଗ! ଆପଣ ସଭାରେ ମୋତେ କାହିଁକି ପ୍ରଥମେ ଆଗଧାଡିକୁ ଉଠି ଆସିବାକୁ କହିଲେ?”

                ଖଲିଫା କହିଲେ “ତୁମ ବିବେକ ଓ ବଚନ ଯୋଗୁଁ ।”

                “ମହାଭାଗ! ତା’ପରେ ପୁଣି କାହିଁକି ମନ୍ତ୍ରୀମାନଙ୍କ ଗହଣକୁ ଓ ପରେ ନିଜ ପାଖକୁ ଆଣି, ବସାଇଲେ?” ଖଲିଫା ଆଗନ୍ତୁକଙ୍କ ପ୍ରଶ୍ନରେ ଆଶ୍ଚର୍ଯ୍ୟ ହୋଇ ଉତ୍ତର ଦେଲେ “ସେହି ଏକା କାରଣରୁ! ତୁମ ବିବେକ ଓ ବଚନ ଯୋଗୁଁ!”

                ଆଗନ୍ତୁକ ପ୍ରଶ୍ନ କଲେ “ମହାଭାଗ! ଧର୍ମାବତାର! ଯେଉଁ ବିବେକ ଓ ବଚନ ଯୋଗୁଁ ଆପଣ ମୋତେ ଏତେ ସମ୍ମାନ କଲେ, ଆପଣ କ’ଣ ଚାହାଁନ୍ତି ମୁଁ ସେହି ବିବେକ ଓ ବଚନ ହରାଇବି?”

                ତାଙ୍କ କଥାରୁ ଖଲିଫା ତ ପ୍ରଥମେ କିଛି ବୁଝିପାରିଲେ ନାହିଁ । ତା’ପରେ ଆଗନ୍ତୁକଙ୍କ ପ୍ରଶ୍ନର ତାତ୍ପର୍ଯ୍ୟ ତାଙ୍କ ମନରେ ସ୍ପଷ୍ଟ ହୋଇଗଲା । ଯିଏ ମଦ ପ୍ରତି ଆସକ୍ତ ହୁଏ, ତା’ର ବିବେକ୍ କ୍ରମେ ନଷ୍ଟ ହୋଇଯାଏ । ମଦ ପିଇଥିବା ଲୋକ ଅସଂଲଗ୍ନ ଭାବରେ କଥା କହେ । ଅର୍ଥାତ୍ ତାର ବଚନ ଶକ୍ତି ବାଧାପ୍ରାପ୍ତ ହୁଏ ।

                ଏହାପରେ ଖଲିଫା ବିରକ୍ତ ହେବା ତ ଦୂରର କଥା, ଆଗନ୍ତୁକଙ୍କୁ ସେ ବହୁତ ପ୍ରଶଂସା କଲେ ଓ ତାଙ୍କୁ ସେଠାରୁ ପୁରସ୍କାର ସହିତ ବିଦାୟ ଦେଲେ । ଭବିଷ୍ୟତରେ ପୁଣି ଆସିବାକୁ ନିମନ୍ତ୍ରଣ ବି କରି ରଖିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ