ଘର ଭିତରେ ଶ୍ରୀକୁମାର ପାଇଁ ମା ଜଳଖିଆ ସରବତ୍ ପ୍ରସ୍ତୁତ କଲାବେଳକୁ ଶ୍ରୀକୁମାର ଆଉ ସେଠି ନାହିଁ । ମନୋହର ତାଙ୍କୁ କହିଲା କି ସେ ଜମିଦାରଙ୍କ ଝିଅକୁ ବାହା ହେବ ନାହିଁ । କାରଣ ଜମିଦାରଙ୍କ ପୁଅ ଅଭଦ୍ର ।
ପୁଅର ଏଭଳି କଥା ଶୁଣି ତାର ମା’ ଦୁଃଖିତ ହୋଇ କହିଲେ, “ତୁ ଏ କ’ଣ କହୁଛୁ? ଜମିଦାରଙ୍କ ଝିଅ ସୁମତି ଭଳି ଝିଅ ମୁଁ ମୋ ଜୀବନରେ ଆଉ କୋଉଠି ବି ଦେଖିନାହିଁ । ସେ ଯେପରି ସୁନ୍ଦରୀ, ଠିକ୍ ସେହିପରି ଗୁଣବତୀ ମଧ୍ୟ । ତୁ ଏଡେ ଅନାୟାସରେ ସେ ପ୍ରସ୍ତାବକୁ ମାଟି କରିଦେବୁ? ଏହା ତ କେବେବି ହୋଇପାରିବ ନାହିଁ । ଯା, ଶ୍ରୀକୁମାରକୁ କ୍ଷମା ମାଗି ତାକୁ ଘରକୁ ନେଇଆ ।”
ମନୋହର ଆଉ ଯାହାର ଯେତେ ଅବାଧ୍ୟ ହେଉ ପଛେ, କିନ୍ତୁ ସେ ତା’ ମା’ଙ୍କ କଥା ସର୍ବଦା ମାନୁଥାଏ । ସେ ଦୌଡିଲା । ଶ୍ରୀକୁମାର ସେତେବେଳେ ଗାଁ ମନ୍ଦିର ପାଖରେ ପହଁଚିଥାଏ । ମନୋହର ତାକୁ କହିଲା, “ଆରେ ଭାଇ, ତମେ ରାଗିଗଲେ ଚଳିବ? ଆସ । ଘରକୁ ଆସ ।”
ଶ୍ରୀକୁମାର କହିଲା, “ଶୁଣିଥିଲି, ତମେ କୁଆଡେ ଖୁବ୍ ଦାନୀ । ଦାନୀ ବୋଲି ଶୁଣିବା ମାତ୍ରେ ମୋ ମନରେ ମୋହନ ଦାସଙ୍କ ମୁହଁ ଭାସି ଉଠିଲା । ସେଥିପାଇଁ ମୁଁ ଆସିଥିଲି । କିନ୍ତୁ ଆଜି ମୋ ମନ ବହୁତ ଖରାପ ହୋଇଯାଇଛି । ତେଣୁ ଆଜି ଆଉ ମୁଁ ତମ ଘରକୁ ଯିବି ନାହିଁ । ଆଗ ମୋ ମନ ଟିକେ ଶାନ୍ତ ହେଉ । ତେଣିକି ଦେଖିବା ।”
ଏହା କହି ଶ୍ରୀକୁମାର ଚାଲିଗଲା । ମନୋହର ଯେତେବେଳେ ଫେରିଯାଇ ତା ମା’ଙ୍କୁ ଏକଥା କହିଲା, ମା ଦୁଃଖରେ କାନ୍ଦି ପକାଇଲେ । ସେ କହିଲେ, “ତୋ ଭିତରେ ବହୁତ ଭଲ ଗୁଣ ଅଛି । ତୁ ସରଳ ପିଲା । କିନ୍ତୁ କଥାବାର୍ତ୍ତାରେ ସାମାନ୍ୟ ଅସାବଧାନତା ଯୋଗୁଁ ଏ ଗାଁରେ ସମସ୍ତେ ତୋତେ ଏଡାଇ ଚଳନ୍ତି । ଏଣୁ କେହି ବି ତୋ ସହ ଖୋଲାଖୋଲି ଭାବରେ ମିଳାମିଶା କରନ୍ତି ନାହିଁ । ତୋ’ର ଅଖାଡୁଆ ବ୍ୟବହାର ଯୋଗୁଁ ତୁ ଆଜି ସବୁଠାରୁ ଭଲ ପ୍ରସ୍ତାବଟିଏ ବି ମାଟି କରିଦେଲୁ ।”
ସବୁକଥା ଶୁଣି ମନୋହର ବଡ ଚିନ୍ତିତ ହେଲା । ସେ ଭାବିଲା, “ଶ୍ରୀକୁମାର ତ ମୋତେ ଅସୁନ୍ଦର ବୋଲି କହିଲା । ମୋର ପୁଣି ଏଥିରେ ଭୁଲ୍ ଆଉ କୋଉଠି ରହିଲା?” ମୋହନ ଦାସଙ୍କ ସୁନାମ ସେ ବି ଅନେକ ଶୁଣିଥାଏ । ସେ ପୁଣି ନିଜକୁ ପଚାରିଲା, “ମୋହନ ଦାସ ବି ଦାନୀ, ମୁଁ ବି ଦାନୀ । ଲୋକେ ମୋହନ ଦାସର ପ୍ରଶଂସା କରିବେ; ଅଥଚ ମୋତେ ସେମାନେ ଏଡାଇ ଚଳିବେ । ଏହାର ପ୍ରକୃତ ରହସ୍ୟ କ’ଣ?”
ତା’ପରେ ସେ ଯାଇ ମୋହନ ଦାସଙ୍କ ପାଖରେ ପହଁଚିଲା । ମୋହନ ଦାସଙ୍କୁ ସେ ସବୁକଥା ନିଷ୍କପଟରେ କହିଗଲା । ମୋହନ ଦାସ ପଚାରିଲେ, “ତମେ କହୁଛ, ଶ୍ରୀକୁମାର ତମକୁ ଗୋଟିପୁଅ ନାଟୁଆ ବୋଲି କହି ଅସମ୍ମାନ କଲା । କିନ୍ତୁ ଯିଏ ନିଜ ଭଉଣୀର ବିବାହ ପ୍ରସ୍ତାବ ନେଇ ଆସିଥାଏ, ସେ ତ କେବେ ବି ଭାବି ଜାମାତାକୁ ଚିଡାଇବ ନାହିଁ । ତମେ ତହିଁ ପୂର୍ବରୁ ତାକୁ କ’ଣ କହିଲ?”
ମନୋହର ଚୁପ୍ ରହି ମନେ ପକାଇଲା ଓ କହିଲା, “ନା, ମୁଁ ତ ତାକୁ କିଛି ବି କହିନାହିଁ । କିନ୍ତୁ ଘର ଭିତରେ ମୋର ଜଣେ ସାଙ୍ଗକୁ ମୁଁ କହୁଥିଲି କି ତା’ ଭଉଣୀ ଯଦି ତାହାରି ଭଳି ଦେଖିବାକୁ ହୋଇଥିବ, ତେବେ ଜାଣ କଥା ସରିଲା!”
ମୋହନ ଦାସ ମନୋହରକୁ ବୁଝାଇବାକୁ ଯାଇ କହିଲେ “ଶୁଣ ମନୋହର, ତମେ ସରଳ, କିନ୍ତୁ ଭଗବାନ ବିବେକ ବୋଲି ଯେଉଁ ଗୁଣଟି ସମସ୍ତଙ୍କୁ ଦେଇଥାନ୍ତି, ତମେ କିନ୍ତୁ ସେଟା ମୋଟେ ବ୍ୟବହାର କରୁନାହଁ । ତମେ ପ୍ରଥମେ ଏଭଳି ଅଶାଳୀନ କଥା କହିଥିଲ ବୋଲି ଭୁଲି ବି ଯାଇଥିଲ । ଅର୍ଥାତ୍ ତମେ ଆତ୍ମ-କୈନ୍ଦ୍ରିକ ପିଲା । ତମେ ନିଜ ଖରାପ ବ୍ୟବହାର ଭୁଲିଯିବ; କିନ୍ତୁ ଅନ୍ୟର ଖରାପ ବ୍ୟବହାର ମନେ ରଖିବ । ତମେ ମୋ ଜନପ୍ରିୟତାର ରହସ୍ୟ ପଚାରିଲ । ରହସ୍ୟ ହେଲା, ମୁଁ କାହା ପ୍ରତି କେବେବି ଖରାପ୍ ବ୍ୟବହାର କରେ ନାହିଁ – ଅନ୍ତତଃ ଜାଣିଶୁଣି ତ ମୋଟେ କରେ ନାହିଁ । ଅନ୍ୟ କେହି ମୋ ପ୍ରତି ଖରାପ୍ ବ୍ୟବହାର କଲେ ମଧ୍ୟ ସେସବୁକୁ ମୁଁ ଭୁଲିଯାଏ ।”
ମନୋହରର ଚୈତନ୍ୟୋଦୟ ହେଲା । ସେ ଯାଇ ଶ୍ରୀକୁମାରକୁ କ୍ଷମା ମାଗିଲା । ଶ୍ରୀକୁମାର ଘରେହିଁ ତା’ ବିବାହ ହେଲା ।