ଗାଁ ପଧାନ ମୃଗାଙ୍କଙ୍କୁ ପ୍ରଣାମ କଲେ । ଯେଉଁ ସାଧୁ ଖାଲି ଆଖିରେ ମାଟିତଳେ ପୋତା ହୋଇଥିବା ଚିଜ ଦେଖି ପାରୁଛନ୍ତି, ସେ ଯେ ଜଣେ କରିତ୍କର୍ମା ଲୋକ, ଏଥିରେ ପୁଣି ଆଉ ସନ୍ଦେହ କ’ଣ? ଗ୍ରାମବାସୀମାନେ ତାଙ୍କୁ ଅନୁରୋଧ କଲେ କି ସେ ସେହିଠାରେ ହିଁ ରହିଯାନ୍ତୁ । ମୃଗାଙ୍କ ସେମାନଙ୍କ କଥାରେ ସମ୍ମତ ହେଲେ । ସେ ସେଠାରେ ରହି ଗ୍ରାମବାସୀମାନଙ୍କୁ ନାନା ପ୍ରକାରେ ସାହାଯ୍ୟ କଲେ । କାହାର ରୋଗ ଭଲ କରିଦେଲେ ତ ଆଉ କାହାର ହଜିଯାଇଥିବା ସମ୍ପଦ ଠାବ କରିଦେଲେ । ଫଳରେ ସେଠିକା ସ୍ଥାନୀୟ ଲୋକଙ୍କ ଉପରେ ତାଙ୍କର ପ୍ରଭାବ ବ୍ୟାପକ ହେଲା । କିନ୍ତୁ ରାଜା ଉଠାଇ ଦେଇଥିବା ଜାତିଭେଦ ପ୍ରଥାକୁ ସେ ପୁନର୍ବାର ପ୍ରବର୍ତ୍ତନ କଲେ । କେତେକ ଲୋକଙ୍କୁ ଅସ୍ପୃଶ୍ୟ ବୋଲି କହି ସେ ସେମାନଙ୍କୁ ଗାଁ ବାହାରେ ଗୋଟିଏ ବସ୍ତିରେ ରହିବା ନିମନ୍ତେ ନିର୍ଦ୍ଧେଶ ଦେଲେ । ସେ ଗାଁରେ ଗୋଟିଏ ଜଳାଶୟ ଖୋଲା ହେଲା ଓ ମନ୍ଦିର ମଧ୍ୟ ସ୍ଥାପିତ ହେଲା । କିନ୍ତୁ ଅସ୍ପୃଶ୍ୟମାନେ ସେ ଜଳାଶୟ କିମ୍ବା ମନ୍ଦିର ପାଖକୁ କେବେବି ଆସି ପାରିବେ ନାହିଁ ବୋଲି ସେ ସାଧୁ କଡା ନିର୍ଦ୍ଧେଶ ଦେଲେ । ସେ ସାଧୁଙ୍କ କାର୍ଯ୍ୟକଳାପ ରାଜାଙ୍କ କାନରେ ପଡିଲା । ସାଧୁ ଗାଁ ଲୋକଙ୍କର ବହୁତ ଉପକାର କରିଥିବାର ଜାଣି ସେ ରାଜା ଯେତିକି ଖୁସି ହେଲେ ସେ ଜାତିଭେଦ ଚାଲୁ କରିଥିବାର ଶୁଣି ସେତିକି ସେ ଦୁଃଖିତ ବି ହେଲେ । ତା’ପରେ ରାଜା ସେ ସାଧୁଙ୍କୁ ନିଜ ଦରବାରକୁ ଡକାଇ ପଠାଇଲେ ।
କିନ୍ତୁ ରାଜଦୂତଙ୍କୁ ମୃଗାଙ୍କ କହିଲେ, “ରାଜାଙ୍କୁ କହିଦିଅ କି ମୁଁ ତାଙ୍କ ପ୍ରଜା ନୁହେଁ । ମୁଁ ଜଣେ ସନ୍ନ୍ୟାସୀ । କୌଣସି ଆଇନ୍ କାନୁନ୍ ମୁଁ ଆଦୌ ମାନେ ନାହିଁ । ଯଦି ଆସିବା କଥା ତ ରାଜା ନିଜେ ଆସନ୍ତୁ ।”
ଦୂତ ଯାଇ ରାଜାଙ୍କୁ ଏକଥା କହିଲେ । ଯିଏ ଯେଉଁ ରାଜ୍ୟର ଲୋକ ହେଉ, ସାଧୁ ହେଉ ବା ସନ୍ନ୍ୟାସୀ ହେଉ, ଯିଏ ଚମ୍ପକ ରାଜ୍ୟର ସମାଜରେ ଚଳପ୍ରଚଳ ହେଉଥିବ, ସେ ଚମ୍ପକ ରାଜ୍ୟର ଆଇନ୍ ମାନିବାକୁ ବାଧ୍ୟ । କିନ୍ତୁ ରାଜା ବିଭୁତିଦେବ ଆଇନ୍ ବା ନିଜ ସମ୍ମାନ ଉପରେ ଗୁରୁତ୍ୱ ନ ଦେଇ ସାଧୁଙ୍କ ସହ ଦେଖା କରିବାକୁ ଗଲେ ।
ରାଜା ଆସୁଛନ୍ତି ବୋଲି ଖବର ପାଇ ମୃଗାଙ୍କ ଗୋଟାଏ ଗଛ ମୂଳରେ ବସିଲେ । ଶହ ଶହ ଲୋକ ଅଦୂରରେ ଠିଆ ହୋଇ ଦୁଇଜଣଙ୍କ କଥାବାର୍ତ୍ତା ଶୁଣିବାକୁ ଅପେକ୍ଷା କଲେ ।
ରାଜା ଗଛପାଖକୁ ଆସିଲେ, କିନ୍ତୁ ମୃଗାଙ୍କଙ୍କୁ ସେ ଅଭିବାଦନ କଲେ ନାହିଁ ।
ଏସବୁ ଦେଖି ମୃଗାଙ୍କ କହିଲେ “ରାଜା, ମୁଁ ଦେଖୁଛି ତମେ ବହୁତ ଉଦ୍ଧତ । ଜଣେ ସାଧୁଙ୍କୁ ନମସ୍କାର ବି କରୁନାହଁ!”
ତା’ପରେ ରାଜା ଜବାବ୍ ଦେଲେ “ସତ କଥା କହିଲେ ମୁଁ ତୁମକୁ ସାଧୁ ବୋଲି ମାନି ପାରୁନାହିଁ । କାହିଁକିନା ଜଣେ ସାଧୁ କଦାପି ମଧ୍ୟ କେତେକ ଲୋକଙ୍କୁ ଅଛୁଆଁ ବୋଲି କହି ନ ପାରନ୍ତି!”
ମୃଗାଙ୍କ କହିଲେ “ତମେ ଶାସ୍ତ୍ର ବିଷୟରେ କ’ଣ ବା ଜାଣିଛ? ଶାସ୍ତ୍ରରେ ଜାତିଭେଦ ଅଛି । ମୁଁ ତ ସେହି ଶାସ୍ତ୍ରସମ୍ମତ କାମ କରୁଛି ।”
ରାଜା କହିଲେ “ଆପଣଙ୍କ ବ୍ୟାଖ୍ୟା ସମ୍ପୂର୍ଣ୍ଣ ଭୁଲ୍ । ଶାସ୍ତ୍ରରେ ବୃତିଭେଦ ଅଛି । ହେଲେ ଜାତିଭେଦ ତ କାହିଁ ନାହିଁ । ଭିନ୍ନ ଭିନ୍ନ ଲୋକେ ନିଜ ନିଜ ପ୍ରକୃତି ଅନୁସାରେ, ଋଚି ଅନୁସାରେ ଭିନ୍ନ ଭିନ୍ନ ବୃତି ନେବେ । କିନ୍ତୁ ଛୁଆଁ ଅଛୁଆଁ ନୀତି ଯଦି କୌଣସି ବହିରେ ଲେଖାଥିବ, ତେବେ ତାହା ଶାସ୍ତ୍ର ନୁହେଁ । ପୁରୁଣା ବହି ମାତ୍ରେ ଶାସ୍ତ୍ର ପଦବାଚ୍ୟ ନୁହେଁ । ସବୁ ମଣିଷଙ୍କ ଭିତରେ ଭଗବାନ ଅଛନ୍ତି, ଶାସ୍ତ୍ରର ଏ ବାଣୀ ତୁମେ କାହିଁକି ଭୁଲିଯାଉଛ? ସୂର୍ଯ୍ୟ, ପବନ, ନଦୀ, ସମୁଦ୍ର, ଏମାନେ ଭଗବାନଙ୍କ ଅବଦାନ । ଏମାନେ କ’ଣ ଛୁଆଁ ଅଛୁଆଁ ବିଚାର କରନ୍ତି? ଏସବୁ କଥା ଏବେ ଛାଡ । ତମେ କେତେକ ଭଲ କାମ କରିଛ, ତେଣୁ ତୁମକୁ ମୋ ତରଫରୁ ଅଶେଷ ଅଶେଷ ଧନ୍ୟବାଦ୍ । କିନ୍ତୁ ଏ ରାଜ୍ୟ ଛାଡି ତୁମେ ଏହିକ୍ଷଣି ଏଠାରୁ ଚାଲିଯାଅ ।”
“ରାଜା! ତମର ଏଡେ ସାହସ ଯେ ତମେ ମୋର ଅପମାନ କରୁଛ? ମୋର କେତେ ଶକ୍ତି, ତାହା ତମେ ଜାଣ?” ଏହା କହି ମୃଗାଙ୍କ ନିଜ ହାତ ହଲାଇ ଦେବା ମାତ୍ରେ ଶହ ଶହ ସାପ ଦେଖାଦେଲେ । ସେ ଆଉ ଥରେ ହାତ ହଲାଇ ଦେବା ମାତ୍ରେ ସାପମାନେ ପକ୍ଷୀ ହୋଇ ଉଡି ଚାଲିଗଲେ । ସେ ହାତତାଳି ଦେବା ମାତ୍ରେ ବାଘଟିଏ ବାହାରି ପଡିଲା । ସେ ଆଉ ଥରେ ହାତତାଳି ଦେବା ମାତ୍ରେ ବାଘଟି ପୁଣି ବିଲେଇ ବନିଗଲା ।
ଏଥୁଅନ୍ତେ ମୃଗାଙ୍କ ଅଟ୍ଟହାସ୍ୟ କରି ରାଜାଙ୍କୁ ପଚାରିଲେ “ଦେଖିଲ?”