ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବିବେକ ଧର୍ମ

ରାଜା କହିଲେ “ଦେଖିଲି । ତମ ପାଖରେ ନିଶ୍ଚୟ କିଛି ହବୁକରୀ ଶକ୍ତି ଅଛି । କିନ୍ତୁ ଏଭଳି ଶକ୍ତି ସହ ଆଧ୍ୟାତ୍ମିକତାର କୌଣସି ସମ୍ପର୍କ ନାହିଁ । ତମେ ଗୋଟାଏ ଧରଣର ଯାଦୁକର । କୌଣସି ଅଦ୍ଭୁତ ବା ହବୁ ବିଦ୍ୟାକୁ ମୁଁ ସାଧୁତାର ପ୍ରମାଣ ବୋଲି ଗ୍ରହଣ କରେନାହିଁ । ମୁଁ ନିଶ୍ଚିତ ଯେ ତୁମେ ମୋ ପ୍ରଜାଙ୍କ ଉପକାର ତୁଳନାରେ ଅପକାର ବେଶି କରୁଛ । ମନ୍ଦିର, ଜଳାଶୟ ଆଜି ନ ହେଲେ ବି ସେମାନେ ଆଗାମୀ କାଲି ପ୍ରତିଷ୍ଠା କରିପାରିଥାନ୍ତେ । କିନ୍ତୁ ତମେ ଯେଉଁ ଭେଦ ଭାବ ସୃଷ୍ଟି କଲ, ତାହା ତମ ଆମ ଅନ୍ତେ ମଧ୍ୟ ମୋ ରାଜ୍ୟର ଅନିଷ୍ଟ କରୁଥିବ । ତମେ ମିଥ୍ୟାର ପୂଜାରୀ ।”

ମୃଗାଙ୍କ କହିଲେ “ମିଥ୍ୟାର ପୂଜାରୀ? ମୁଁ ପୁଣି ମିଥ୍ୟା ପ୍ରଚାର କରୁଛି? ଏହି କଥାରୁ ମୃଗାଙ୍କ ନିଜ ସର୍ତ୍ତ ରଖିବାକୁ ଯାଇ କହିଲେ ଆଚ୍ଛା ମୁଁ ତମକୁ ଆହ୍ୱାନ ଦେଉଛି । ତମେ ଯାଇ ଅଛୁଆଁ ବସ୍ତିରେ ଆଜି ଦିନ ଓ ରାତି ବିତାଅ । ତମକୁ ରାତିରେ ସ୍ୱପ୍ନାଦେଶ ହେବ । ତମେ ଠିକ୍ ନା ମୁଁ ଠିକ୍, ସେକଥା ତମେ ସ୍ୱପ୍ନରୁ ହିଁ ଜାଣିବ । ଯଦି ତମେ ଠିକ୍ ବୋଲି ସ୍ୱପ୍ନାଦେଶ ହେବ, ତେବେ ମୁଁ ଏଠାରୁ ଚାଲିଯିବି । ଆଉ ଯଦି ମୁଁ ଠିକ୍ ବୋଲି ସ୍ୱପ୍ନାଦେଶ ହେବ, ତେବେ ତମେ ମୋର ଶିଷ୍ୟତ୍ୱ ଗ୍ରହଣ କରିବ । କିନ୍ତୁ ଗୋଟାଏ କଥା । ତମେ ଆଗାମୀ କାଲି ସର୍ବସମକ୍ଷରେ ତମ ସ୍ୱପ୍ନ କଥା ଠିକ୍ ଠିକ୍ ଘୋଷଣା କରିବା ମୁଁ ଚାହେଁ ।”

ଏହା ଶୁଣି ରାଜା କହିଲେ “ବେଶ୍ ।”

ରାଜା ସେଠାରୁ ଅଛୁଆଁ ବସ୍ତି ଅଭିମୁଖେ ପ୍ରସ୍ଥାନ କଲେ । ସେଠାକାର ଲୋକେ ଖୁବ୍ ଗରୀବ ହେଲେ ବି ଭଦ୍ର ଓ ବିନୟୀ । ସେମାନେ ରାଜାଙ୍କୁ ଖଣ୍ଡିଏ ଭଲ ଆସନ ମଧ୍ୟ ଯୋଗାଇ ନପାରି ଲଜ୍ଜିତ ହେଲେ । ଏଣେ ରାଜା ମଧ୍ୟ ଲଜ୍ଜିତ ହେଉଥାନ୍ତି । ତାଙ୍କ ରାଜ୍ୟରେ ଏଡେ ଦୁଃସ୍ଥ ଲୋକେ ଅଛନ୍ତି, ତାହାହିଁ ହେଲା ତାଙ୍କ ଲଜ୍ଜାର କାରଣ । ସେ ମନେ ମନେ ସ୍ଥିର କଲେ, ଏଣିକି ସେ ଏହି ଦୁସ୍ଥ ଲୋକଙ୍କ ଉନ୍ନତି ନିମନ୍ତେ ଅଧିକ ସମୟ ଓ ସମ୍ବଳର ଉପଯୋଗ କରିବେ ।

ଗରୀବ ଲୋକେ ଯାହା ଯୋଗାଇ ପାରିଲେ, ସେ ତାହା ଆନନ୍ଦରେ ଭୋଜନ କଲେ । ରାତିରେ ଲୋକେ ଗୋଟିଏ ନୂଆ କୁଡିଆରେ ତାଙ୍କ ଶୋଇବାର ବ୍ୟବସ୍ଥା କରିଦେଲେ । କୁଡିଆକୁ ଘେରି ବସ୍ତିର ଲୋକେ ଜଗି ରହିଲେ ।

ରାଜାଙ୍କୁ ସ୍ୱପ୍ନରେ ଜଣେ ଜ୍ୟୋତିମାନ୍ ପୁରୁଷ ଦେଖାଦେଲେ । ସେ କହିଲେ, “ରାଜା! ତମେ ବୃଥାରେ କାହିଁକି ସେ ସାଧୁଙ୍କ ବିରୋଧ କରୁଛ? ଏହି ଅଛୁଆଁମାନେ ପୂର୍ବଜନ୍ମରେ ପାପ କରିଥିଲେ । ନର୍କରେ ଆଉ ସ୍ଥାନ ନାହିଁ ବୋଲି ସେମାନଙ୍କୁ ଅଛୁଆଁ ଭାବରେ ଜୀବନ ବିତାଇବାର ବ୍ୟବସ୍ଥା କରାଯାଇଛି । ତମେ କ’ଣ କର୍ମଫଳରେ ବିଶ୍ୱାସ କରନା?”

ତହୁଁ ରାଜା କହିଲେ “ହେ ଉଜ୍ଜ୍ୱଳ ପୁରୁଷ! ମୁଁ କର୍ମଫଳରେ ବିଶ୍ୱାସ କରେ । ତାସଙ୍ଗେ ସଙ୍ଗେ ବିବେକ ଓ କର୍ତ୍ତବ୍ୟରେ ମଧ୍ୟ ମୁଁ ବିଶ୍ୱାସ କରେ । ଯଦି କର୍ମଫଳ ଯୋଗୁଁ କେହି କଷ୍ଟ ପାଇବା କଥା, ତେବେ ମୁଁ ମୋ କର୍ତ୍ତବ୍ୟ ନ କଲେ ବା ମୋ ନିଜ ବିବେକ ବିରୁଦ୍ଧରେ କାମ କଲେ ମୁଁ ବି କଷ୍ଟ ପାଇବି । ମୋ ବିବେକ କହୁଛି, ସାଧୁ କିଛି ବି ଭଲ କରୁ ନାହାଁନ୍ତି । ମୋ ଆଗରେ ମୋର ସବୁ ପ୍ରଜା ସମାନ । କେହି ବି ଅଛୁଆଁ ନୁହଁନ୍ତି ।”

“ଦେଖ ରାଜା! ତମ ସହ ଯୁକ୍ତିତର୍କ କରିବାକୁ ମୋ ପାଖରେ ମୋଟେ ସମୟ ନାହିଁ । କିନ୍ତୁ ଖାଲି ଏତିକି ଜାଣି ରଖ ଯେ, ତମେ ସେ ସାଧୁଙ୍କ ବିରୋଧ କଲେ ଗୋଟାଏ ଭୟାନକ ରୋଗରେ ପୀଡିତ ହେବ ଓ ମରିବ ।” ସ୍ୱପ୍ନ-ପୁରୁଷ ଏହା କହି ତାଙ୍କ ସ୍ୱପ୍ନରୁ ଅନ୍ତର୍ହିତ ହେଲେ ।

ଯଥା ସମୟରେ ରାଜାଙ୍କ ନିଦ ଭାଙ୍ଗିଲା । ପରେ ସେ ଉଠି ବସି ପ୍ରାର୍ଥନା କଲେ, “ହେ ପରମ ଭଗବାନ! ମୁଁ ଯେପରି ମୋ ବିବେକ ଅନୁସାରେ କାମ କରିବି – ମୋତେ ଏହି ଶକ୍ତି ଦିଅନ୍ତୁ । ଆଉ ମୋ ବିବେକ ଯେପରି ଆପଣଙ୍କ ପ୍ରେରଣାରେ ପରିଚାଳିତ ହେବ । ଏ ଜଗତରେ କେତେ ପ୍ରକାର ଶକ୍ତି ଅଛନ୍ତି । ସେମାନଙ୍କ ଦ୍ୱାରା ମୁଁ କାହିଁକି ଚାଳିତ ହେବି? ମୁଁ କେବଳ ସର୍ବୋତ୍ତମ ଭଗବାନଙ୍କ ଦ୍ୱାରା ହିଁ ଚାଳିତ ହେବି ।”

ରାଜା ସ୍ନାନ କରି ପ୍ରସ୍ତୁତ ହେଲେ ଓ ଯାଇ ମୃଗାଙ୍କଙ୍କୁ ଭେଟିଲେ ।

ମୃଗାଙ୍କ ପ୍ରଶ୍ନ କଲେ “ରାଜା! ତମେ କିଛି ବିଶେଷ ସ୍ୱପ୍ନ ଦେଖିଲ?”

ରାଜା କହିଲେ “ହଁ, ଦେଖିଲି ।” ରାଜା ସାଧୁଙ୍କୁ ଏତିକି କହି ତା’ପରେ ସେ ଜନତା ଆଡେ ଅନାଇ କହିଲେ, “ହେ ମୋର ପ୍ରିୟ ପ୍ରଜାଗଣ, ଏ ଲୋକ ମୋଟେ ସାଧୁ ନୁହେଁ । ଇଏ କୌଣସି ଦୁଷ୍ଟ ଶକ୍ତିର ଆଧାର । ସେ ହବୁକରି ବିଦ୍ୟା ଦ୍ୱାରା ତୁମମାନଙ୍କୁ ଅଭିଭୁତ କରି ତୁମମାନଙ୍କୁ କୁଶିକ୍ଷା ଦେଉଛି । ସେ ମନ୍ଦିର ଗଢିଦେବା ଫଳରେ ତୁମେମାନେ ଧରିନେଲ ଯେ ସେ ତୁମପାଇଁ ସ୍ୱର୍ଗକୁ ଯିବାର ବାଟ କରିଦେଲା । କିନ୍ତୁ ପ୍ରକୃତ କଥା ଅଲଗା । ସେ ଭେଦଭାବ ଶିକ୍ଷାଦେଇ ତମେମାନେ ନର୍କରେ ପଡିବାର ପଥ ସୂଗମ କରିଦେଇଛି । ମୁଁ ମରିଯାଇ ପାରେ । କିନ୍ତୁ ମୋର ଏ ଚେତାବନି ମନେ ରଖ ।”

ରାଜାଙ୍କ ଏଭଳି କଥା ଶୁଣି ଲୋକେ ସ୍ତବ୍ଧ ହୋଇ ରହିଲେ । ହଠାତ୍ ମୃଗାଙ୍କ କହିଲେ, “ମୁଁ ରାଜାଙ୍କର ଜୟଗାନ କରୁଛି! ଏ ରାଜା ମହାନ୍ । କାରଣ ସେ ତାଙ୍କ ନିଜ ବିବେକ୍ ପ୍ରତି ସତ୍ । ମୁଁ ଦୁଷ୍ଟଶକ୍ତି ନୁହେଁ । ଅବଶ୍ୟ ମୁଁ ଦୁଷ୍ଟଶକ୍ତି ଭଳି ଆଚରଣ କରୁଥିଲି । କାରଣ ମୋର ଉଦ୍ଧେଶ୍ୟ ଥିଲା ରାଜାଙ୍କୁ ପରୀକ୍ଷା କରିବା । ରାଜା ମୋ ପରୀକ୍ଷାରେ ଉତୀର୍ଣ୍ଣ ହୋଇଛନ୍ତି । ଛୁଆଁ ଅଛୁଆଁ ଭେଦଭାବ ମିଥ୍ୟାଚାର ।”

ଏହା ପରେ ଗନ୍ଧର୍ବ ରୂପ ଧାରଣ କରି ମୃଗାଙ୍କ ରାଜାଙ୍କୁ ଆଶୀର୍ବାଦ ଦେଇ ସେଠାରୁ ଅଦୃଶ୍ୟ ହୋଇଗଲେ । ଏଣେ ଲୋକେ ରାଜା ବିଭୁତିଦେବଙ୍କର ଜୟ ଜୟକାର କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ