କେତେମାସ ବିତିଗଲା । ରାଜା ବଡ ମନ ଦୁଃଖରେ ଥା’ନ୍ତି । ଗୋଟିଏ ପରେ ଗୋଟିଏ ଭୟଙ୍କର ଘଟଣାସବୁ ଘଟିଗଲା ରାଜା ନିଜେ କିଂକର୍ତ୍ତବ୍ୟବିମୁଢ ହୋଇ ବସି ରହିଥା’ନ୍ତି । ଥରେ ହିମାଳୟରେ ତପସ୍ୟା କରି ସିଦ୍ଧିପ୍ରାପ୍ତ କରିଥିବା ମହର୍ଷି ଚୈତନ୍ୟ ଆନନ୍ଦ ସେଠାକୁ ଆସିଲେ ଓ ସେ ରାଜାଙ୍କର ଆତିଥ୍ୟ ଗ୍ରହଣ କଲେ । ସେ ରାଜାଙ୍କୁ କହିଲେ, “ବତ୍ସ, ତୁମେ ମୋତେ କିଛି ବି କହିବା ଆଦୌ ଦରକାର ନାହିଁ । କାହିଁକିନା ମୁଁ ସବୁ ଜାଣେ; ଏଠାରେ ଯେଉଁ ସବୁ ଅପ୍ରାକୃତିକ ଘଟଣା ଘଟିଛି ତାହା ମୋର ଅଗୋଚର ନୁହେଁ । ପ୍ରକୃତି ବିରୁଦ୍ଧରେ ଗଲେ ଏପରି ଦୁର୍ଘଟଣା ଘଟେ । ତୁମେ ପିତାଙ୍କ ଶବ ଦାହ ନ କରିବାରୁ ପତ୍ନୀର ମୃତ୍ୟୁ ହେଲା । ପିତାଙ୍କ ଶବ ଯଦି ଦାହ କରିଦେବ ଏବେ ମଧ୍ୟ ତୁମ ପତ୍ନୀ ଜୀବିତ ହୋଇ ଉଠିବେ ।”
ଏସବୁ ଶୁଣି ମଳୟଧ୍ୱଜ ହଠାତ୍ ଗଭୀର ଚିନ୍ତାରେ ପଡିଲେ । ତା’ପରେ ହାତଯୋଡି ସେ କହିଲେ, “ଆପଣ କ’ଣ ମୃତ ବ୍ୟକ୍ତିଙ୍କୁ ପ୍ରାଣଦାନ ଦେଇପାରିବେ ନାହିଁ?”
ରାଜାଙ୍କ କଥା ଶୁଣି ସେ ମହର୍ଷି ଅଳ୍ପ ହସି କହିଲେ, “ମୋର ତପୋଶକ୍ତି କେବଳ ଜଣେ ପ୍ରାଣୀକୁ ହିଁ ବଂଚାଇ ପାରିବ । ତେବେ କୁହ ମୁଁ କାହାକୁ ବଂଚାଇବି? ତୁମ ପତ୍ନୀକୁ ନା ପିତାଙ୍କୁ?”
ମହର୍ଷିଙ୍କ କଥାରେ ରାଜା ତତ୍କ୍ଷଣାତ୍ କହିଲେ, “ପିତାଙ୍କୁ ପ୍ରାଣଦାନ ଦିଅନ୍ତୁ ।”
“ତୁମେ ମହାନ୍ ବିବେକୀ ଅଟ । ସେଥି ପାଇଁ ତମେ ତିନିଜଣଙ୍କର ଜୀବନ ପାଇ ପାରିବ । ସମସ୍ତେ ଜୀବିତ ହେବେ ।” ଏହା କହି ମହର୍ଷି ରାଜାଙ୍କୁ ଅଭିନନ୍ଦନ କଲେ ।
ବେତାଳ ତା’ କାହାଣୀଟି ଶୁଣାଇ କହିଲା, “ରାଜନ୍, ଚୈତନ୍ୟସ୍ୱାମୀଙ୍କର କଥାରେ ପରସ୍ପର ବିରୋଧୀ କଥାସବୁ ଦେଖା ଯାଉଛି ।” ପ୍ରଥମେ ତ ସେ କହିଲେ, “ଜଣକୁ ମାତ୍ର ମୁଁ ବଂଚାଇ ପାରିବି ।” କିନ୍ତୁ ରାଜା ପିତାଙ୍କୁ ଜୀବନଦାନ ଦେବାକୁ କହିବାମାତ୍ରେ କିପରି ସେ କହିଲେ ଯେ ତଦ୍ୱାରା ତିନିଜଣ ବଂଚି ଯାଇ ପାରିବେ?” ତା’ପରେ ମହର୍ଷିଙ୍କ କହିବା ଅନୁସାରେ ରାଜା ବଂଚି ପାରିଥା’ନ୍ତେ । ନିଜର ଯୁବତୀ ଧର୍ମପତ୍ନୀ ପୁଣି ଯିଏ କି ଗର୍ଭବତୀ ଓ ଉତ୍ତରାଧିକାରୀଙ୍କୁ ଜନ୍ମ ଦେବେ ତାଙ୍କୁ ନ ବଂଚାଇ ବୃଦ୍ଧପିତାଙ୍କୁ ବଂଚାଇବାକୁ ସେ କାହିଁକି କହିଲେ? ଏହା କ’ଣ ଅବିବେକିତା ନୁହେଁ କି? ରାଜା ଚାହିଁଥିଲେ କି ତାଙ୍କୁ ସମସ୍ତେ ପିତୃ ଭକ୍ତ କହି ପ୍ରଶଂସା କରନ୍ତୁ, ସେଥିପାଇଁ ସେ ଏପରି କଲେ? ମହର୍ଷିଙ୍କର ଆଉ ଗୋଟିଏ କଥା ମଧ୍ୟ ମୁଁ କାହିଁ ବୁଝିପାରୁନାହିଁ । ସେ ତ ରାଜାଙ୍କ ପିତା ଓ ପତ୍ନୀଙ୍କ ମୃତ୍ୟୁ ବିଷୟ ମାତ୍ର ଜାଣିଥିଲେ । ତେବେ ଏ ତୃତୀୟଟି କିଏ? ସେ ଯେ କହିଲେ, “ତୁମ ବିବେକ ଯୋଗୁଁ ତିନିଜଣ ବଂଚିଗଲେ ।” ମୋର ଏହି ସବୁ ସମସ୍ୟାର ସମାଧାନ ଜାଣିଥିଲେ କୁହ । ଜାଣିକରି ଯଦି ନ କହିବ ତେବେ ତୁମର ଶିର ସ୍କନ୍ଧଚ୍ୟୁତ ହେବ ।”
ରାଜା ବିକ୍ରମାର୍କ ବେତାଳର ସମସ୍ତ ସନ୍ଦେହ ମୋଚନ କରିବାକୁ ଯାଇ କହିଲେ, “ମଳୟଧ୍ୱଜ ଯେ କେବଳ ପିତୃଭକ୍ତ, ତାହା କହିଲେ, ଭୂଲ୍ ହେବ । ସେ ତାଙ୍କର ପତ୍ନୀଙ୍କ ପ୍ରତି ମଧ୍ୟ ଅତ୍ୟନ୍ତ ସ୍ନେହାଶକ୍ତ ଥିଲେ । କେବଳ ସେଇଥିପାଇଁ ରାଣୀଙ୍କ ମୃତ୍ୟୁ ପରେ ସେ ଦ୍ୱିତୀୟ ବିବାହ ମଧ୍ୟ କରି ନାହାଁନ୍ତି । ମନ ମଧ୍ୟରେ ସେପରି ଚିନ୍ତା ମଧ୍ୟ ଆଣି ନାହାଁନ୍ତି । ମହର୍ଷି କହିଲେ ଯେ ବୃଦ୍ଧରାଜାଙ୍କ ଶବ ଦାହ ନ କରିବାରୁ ସେହି ପାପରୁ ରାଣୀ ବିଦ୍ୟୁଲ୍ଲତାଙ୍କର ଅକାଳ ମୃତ୍ୟୁ ହେଲା । ତେଣୁ ଏଥିରୁ ସେ ମଳୟଧ୍ୱଜ ବୁଝିଗଲେ ଯେ ତାଙ୍କ ପିତା ଜୀବନ ପାଇଗଲେ, ଶବଦାହ ନ କରିବାର ପାପ କଟିଯିବ, ଆଉ ବିଦ୍ୟୁଲ୍ଲତା ମଧ୍ୟ ଜୀବିତ ହୋଇ ଉଠିବେ । ସେଥିପାଇଁ ସେ ତାଙ୍କ ପିତାଙ୍କର ପ୍ରାଣଦାନ ଦେବାକୁ ପ୍ରାର୍ଥନା କଲେ । ଏହି ସୂକ୍ଷ୍ମ ବିଚାର ଯୋଗୁଁ ମହର୍ଷି ତାଙ୍କୁ “ମହାନ୍ ବିବେକୀ” କହି ପ୍ରଶଂସା କଲେ । ବିଦ୍ୟୁଲ୍ଲତା ଯଦି ବଂଚିଯିବେ, ତେବେ ତାଙ୍କ ଗର୍ଭସ୍ଥ ଶିଶୁ ମଧ୍ୟ ବଂଚିଯିବ । ଏଠାରେ ଶିଶୁଟିକୁ ହିଁ ମହର୍ଷି ତୃତୀୟ ପ୍ରାଣୀ ବୋଲି ଉଲ୍ଲେଖ କରିଛନ୍ତି ।”
ଉତ୍ତର ଦେବା ଦ୍ୱାରା ରାଜାଙ୍କର ମୌନ ଭଙ୍ଗ ହୁଅନ୍ତେ, ପୂର୍ବ ସର୍ତ୍ତ ଅନୁସାରେ ବେତାଳ ତାଙ୍କ କାନ୍ଧରୁ ଖସିଯାଇ ପୁନଶ୍ଚ ପୂର୍ବୋକ୍ତ ଡାଳରେ ଝୁଲି ପଡିଲା ।