ଗୋଟିଏ ଗ୍ରାମରେ ସୁଶୀଳ ନାମକ ଜଣେ ବ୍ୟକ୍ତି ଥାନ୍ତି । ସେ ଖୁବ୍ ପରୋପକାରୀ । ଯାହାର ଯାହା ସମସ୍ୟା ପଡିଲେ ମଧ୍ୟ ସେ ତାହା ଅନାୟାସରେ ସମାଧାନ କରି ଦିଅନ୍ତି । ତାଙ୍କର ସେହି କ୍ଷମତା ପାଇଁ ସେ ବଡ ଗର୍ବିତ ଥିଲେ ।
ଏବେ ତାଙ୍କର ବୟସ ପଚାଶ । ତଥାପି ମଧ୍ୟ ଏହି ବୟସରେ ତାଙ୍କର ଶକ୍ତି, ଉତ୍ସାହ ଓ ସହନଶୀଳତା ଯଥେଷ୍ଟ ଥିଲା । କିନ୍ତୁ ଗ୍ରାମବାସୀମାନେ ଏବେ ନୂତନ ହୋଇ ଗ୍ରାମକୁ ଆସିଥିବା ବ୍ୟକ୍ତି ନାଗରାଜଙ୍କ ପାଖକୁ ନିଜର ସମସ୍ତ ସମସ୍ୟାର ପରାମର୍ଶ କରିବା ପାଇଁ ନେଇ ଯାଆନ୍ତି । ଏଥିରେ ସେ ସୁଶୀଳ ବଡ ଦୁଃଖ ପାଇଲେ ଏବଂ ଏକଥା ସେ ତାଙ୍କ ପତ୍ନୀ ବୀଣାଙ୍କୁ କହିଲେ । ବୀଣା କହିଲେ, “ଗ୍ରାମବାସୀମାନେ ତୁମକୁ ବହୁତ ପ୍ରଶଂସା କରନ୍ତି, ତୁମର ବୟସ ମଧ୍ୟ ହେଉଛି । ତେଣୁ ତୁମକୁ କଷ୍ଟ ନ ଦେବା ସକାଶେ ସେମାନେ ଯୁବକ ନାଗରାଜଙ୍କ ପାଖକୁ ଯାଉଛନ୍ତି । ସେଥିରେ ତୁମେ କାହିଁକି ଦୁଃଖିତ ହେଉଛ?”
ଏକଥା ଶୁଣି ସୁଶୀଳ କହିଲେ, “ଏସବୁ କାର୍ଯ୍ୟ ସହିତ ବୟସର କ’ଣ ସମ୍ପର୍କ? ହଁ ମାନୁଛି ନାଗରାଜ ଯୁବକ ହୋଇପାରେ, କିନ୍ତୁ କେଉଁ ସମସ୍ୟାଟା ମୁଁ ସମାଧାନ କରିପାରିବି ନାହିଁ ଯେ ସେମାନେ ତା’ ପାଖକୁ ଧାଉଁଛନ୍ତି? ମୋର ଅଭିଜ୍ଞତା ଅଛି, ମୁଁ ଏମାନଙ୍କୁ ଜାଣେ । ତେଣୁ ମୋ ଭଳି ସେ କ’ଣ କେବେବି ସମାଧାନ କରିପାରିବ?”
ବୀଣା ସେତେବେଳେ ଚୁପ୍ ହୋଇଗଲେ ସିନା, ମାତ୍ର ତା’ପରେ କେତେକ ଘନିଷ୍ଠ ଲୋକଙ୍କୁ ସ୍ୱାମୀଙ୍କର ଏହି ମନୋଭାବ କଥା ସେ ଜଣାଇଲେ । ସେମାନେ କହିଲେ, “ଏହା ବଡ ଆଶ୍ଚର୍ଯ୍ୟର କଥା, ତ! ଆଗରୁ ସୁଶୀଳ ତ କାହିଁ ଏପରି ନଥିଲେ । ଆମେ ତାଙ୍କ ବ୍ୟତୀତ ଅନ୍ୟ କେତେକଙ୍କ ପାଖକୁ ମଧ୍ୟ ଯାଉଥିଲୁ ସେ ମଧ୍ୟ କହୁଥିଲେ କି ଯଦି ନିହାତି ଦରକାର ପଡେ ତେବେ ତାଙ୍କ ପାଖକୁ ଯିବାକୁ । ତା’ଛଡା ସେ କେବେ ତ ଏପରି ଭାବିବା କାହିଁ ଆମେ ଜାଣି ନାହୁଁ କି ତାଙ୍କ ପାଖକୁ କେହି ନ ଗଲେ ସେ ଦୁଃଖିତ ହେବେ । ହୁଏତ ବୟସ ହେବାରୁ ସେ ଏପରି ଭାବୁଛନ୍ତି ।”
ଲୋକମାନଙ୍କ ମତ ସେ ମଧ୍ୟ ଶୁଣିଲେ । ସେ ଜଣାଇବାକୁ ଚାହୁଁଥିଲେ କି ବାର୍ଦ୍ଧକ୍ୟ ତାଙ୍କୁ ସ୍ପର୍ଶ ସୁଧା କରି ନାହିଁ । ସେ ଯେକୌଣସି ଯୁବକଠାରୁ ଅଧିକ ଉତ୍ତମ ଭାବରେ କାର୍ଯ୍ୟ ତୁଲାଇ ପାରିବେ । ଶେଷକୁ ଏହା ପ୍ରମାଣ କରିବାକୁ ସେ ଏକ ସୁଯୋଗ ପାଇଲେ । ସେଦିନ ସୁଶୀଳ ଗ୍ରାମ ମୁଖିଆଙ୍କ ଘର ପିଣ୍ଡାରେ ବସି କେତେକ ଲୋକଙ୍କ ସହିତ କଥାବାର୍ତ୍ତା କରୁଥିଲେ । ସେତେବେଳେ ନାଗରାଜ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ସେତେବେଳେ ପାଖ ଗ୍ରାମର ଜମିଦାରଙ୍କର ମୁଖ୍ୟ କର୍ମଚାରୀ ଧନୀବାବୁ ଆସିଲେ । ତାଙ୍କୁ ଦେଖି ମୁଖିଆ ପଚାରିଲେ, “ଆପ-ଣ ହଠାତ୍ କାହିଁକି ଆସିଲେ?”
ତାଙ୍କ କଥାରେ ସେ ଧନୀବାବୁ ଏପଟ ସେପଟ ଚାହିଁବା ପରେ କହିଲେ, “ଚାରିପାଂଚମାସ ହେବ ଆମ ଜମିଦାରଙ୍କୁ ଏହିଗ୍ରାମର ଜମିଜମା, ନଦୀ ନାଳ ଇତ୍ୟାଦି ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ଦେଇଛି । ଏହା ପ୍ରାୟ ତିନିଶହ ପୃଷ୍ଠାର ବହିଟିଏ ହେଲାଣି । ଏହି ବିଷୟରେ ଆପଣମାନେ ମୋତେ କିଛି ପରାମର୍ଶ ଦେବେ ଓ ସାହାଯ୍ୟ କରିବେ । ଜମିଦାର ଏବେ ସହର ଯାଇଛନ୍ତି । କାଲି ଫେରିବେ ।”
ଏକଥା ଶୁଣି ଗ୍ରାମ ମୁଖିଆ ଆଶ୍ଚର୍ଯ୍ୟ ହୋଇ କହିଲେ, “ଆମେ ଆପଣଙ୍କୁ କିପରି ସାହାଯ୍ୟ କରିପାରିବୁ କୁହନ୍ତୁ ।”