ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବିଳମ୍ବିତ ବୁଦ୍ଧି!

ଗୋଟିଏ ଗାଁରେ ଅଦ୍ଦୁଲ ରସୁଲ୍ ନାମକ ଯୁବକଟିଏ ଥାଏ । ସେ ଗରୀବ ଓ ବାପମାଙ୍କର ଏକମାତ୍ର ସନ୍ତାନ । ତା’ର ବାପା ପରିଶ୍ରମ କରି ପଇସା ଆଣୁଥାଏ । କିଛି ଦିନ ପରେ ପ୍ରଥମେ ମା’ ଓ ଛମାସ ପରେ ତା’ ବାପା ମରିଗଲେ ।

                ବାପମା’ଙ୍କ ମୃତ୍ୟୁ ପରେ ରସୁଲ୍ର ଆଉ ସେ ଗାଁରେ ରହିବାକୁ ଇଚ୍ଛା ହେଲା ନାହିଁ । ପୁଣି ଗାଁରେ ସେ ଯଥେଷ୍ଟ ପଇସା ମଧ୍ୟ ରୋଜଗାର କରିପାରିଲା ନାହିଁ । ତେଣୁ ଦିନେ ଗାଁ ଛାଡି ସେ ପାଖ ସହରକୁ ଚାଲିଗଲା । ସହରରେ ପହଁଚି ସେ ଜଣେ ବ୍ୟବସାୟୀ ପାଖରେ କାମ କରୁଥାଏ । ତା’ କାମ ହେଲା ସେ ବ୍ୟବସାୟୀ ପାଖରୁ ଜିନିଷ ସବୁ ନେଇ ଅନ୍ୟକୁ ଦେବା ।

                ସେ ଖଟି ଖଟି ଅନେକ ପଇସା ରଖିଥାଏ । ଆହୁରି ପୁଣି ସେ ମଧ୍ୟ ବଦଖର୍ଚ୍ଚି ନୁହେଁ । ତେଣୁ ଖାଇବା ପିଇବା ବାଦ୍ ଯାହା ପଇସା ବଂଚେ ସେ ତାକୁ ସଂଚୟ କରି ରଖେ । କିଛି କିଛି ଦିନ ଅନ୍ତରରେ ପଇସାତକ ନେଇ ସେ ଜଣେ କାଜୀ ପାଖରେ ଜମା କରୁଥାଏ । କିଛିଦିନ ଉତାରୁ ସେ ଭାବିଲା, “ଏବେ ତ ବେଶ୍ କିଛି ପଇସା ହାତରେ ହେଲାଣି । ବରଂ ମୁଁ ଗ୍ରାମକୁ ଫେରିଯାଇ ସେଠାରେ ଗୋଟିଏ ବ୍ୟବସାୟ କଲେ ଭଲ ହୁଅନ୍ତା ।”

                ତା’ପରେ ସେ କାଜୀ ପାଖକୁ ଯାଇ ତାଙ୍କୁ ନିଜ ମନ କଥା ଜଣାଇଲା । କାଜୀ ତାକୁ ତା’ର ସମସ୍ତ ସଂଚିତ ଧନ ଦେଲେ ଓ ଆଶିର୍ବାଦ ଦେଇ ସେଠାରୁ ବିଦାୟ ଦେଲେ ।

ରସୁଲ୍ ତା’ର ସଂଚିତ ଧନ ଗୋଟିଏ ଥଳୀରେ ଭରି ନିଜ ଗାଁ ଆଡକୁ ଚାଲିଲା । ସେ କେଉଁଠି ନ ଅଟକି ଚାଲିବାରେ ଲାଗିଥାଏ । ଦ୍ୱିପ୍ରହରରେ ସୂର୍ଯ୍ୟ ମୁଣ୍ଡ ଉପରେ ଥା’ନ୍ତି । ଖରା ଖୁବ୍ ଟାଣ ହୋଇଥାଏ । ତା’ର ଲୁଗା ଟଙ୍କାପଇସା ସବୁ ମିଶି ବଡ ପୁଟୁଳାଟିଏ ବୋଲି ଚାଲିବା ତା’ ପକ୍ଷେ ବଡ କଷ୍ଟକର ହୋଇପଡିଲା । ବିଶ୍ରାମ ନେବାକୁ ଖଜୁରୀ ଗଛ ବ୍ୟତୀତ ଅନ୍ୟ କିଛିବି ଗଛ ନଥିଲା । ତେଣୁ ସେ ଗୋଟିଏ ଖଜୁରୀ ଗଛ ତଳେ ବସି ତା’ ପୁଟୁଳି ଫିଟାଇ ଟିକିଏ ପାଣି ପିଇଲା ।

ପୁଟୁଳିଟି ଆଡେ ଅନାଇ ସେ ଭାବୁଥାଏ, ଯଦି କାହାରି ହାତରେ ସେ ଏହାକୁ ଆଗ ଗାଁରେ ଥିବା ଅତିଥିଶାଳା ପର୍ଯ୍ୟନ୍ତ ପଠାଇ ଦେଇ ପାରନ୍ତା, ତେବେ ସେ କେଡେ ସୁରୁଖୁରୁରେ ବାଟ ଚାଲିପାରନ୍ତା! କିନ୍ତୁ ବାଟରେ କୌଣସି ଗାଡିଘୋଡା ସେ ଦେଖୁ ନଥାଏ । ମନେ ମନେ ସେ ପୁଣି ଭାବିଲା, “ଠିକ୍ ଅଛି, କେହି ଯେତେବେଳେ ସାହାଯ୍ୟ କରିବାକୁ ନାହିଁ, ବରଂ ଧିରେ ଧିରେ ବାଟ ଚାଲୁଥିବି ଓ ମଧ୍ୟେ ମଧ୍ୟେ ବିଶ୍ରାମ କରୁଥିବି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ