ରାଜା ବିକ୍ରମ ପୁଣି ଥରେ ବେତାଳକୁ ନିଜ ଅକ୍ତିଆରକୁ ଆଣି କାନ୍ଧ ଉପରେ ପକାଇ ଚାଲିଲେ । ଏହା ଦେଖି ବେତାଳ କହିଲା- “ ବିକ୍ରମ! ତୁମେ ତୁମ ଜିଦ୍ ରେ ଅଟଳ । କାହିଁକି ତୁମେ ମୋତେ ସେହି ଯୋଗୀ ପାଖକୁ ନେଇ ଯିବାକୁ ଚାହୁଁଛ? ମୁଁ ତୁମକୁ ପ୍ରଥମେ କହିଛି ସେ ଆଦୌ ଭଲ ଲୋକ ନୁହେଁ । କିନ୍ତୁ ତୁମେ ମୋ କଥା ଶୁଣୁ ନାହଁ । ଯଦି ମୋତେ ସାଙ୍ଗରେ ଆଣିଲଣି ରାସ୍ତା କାଟିବା ପାଇଁ ମୁଁ ତୁମକୁ ଆଉ ଏକ କାହାଣୀ କହୁଛି, ଶୁଣ ।”
ପ୍ରାଚୀନ କାଳରେ ବର୍ଦ୍ଧମାନ ରାଜ୍ୟରେ ରୂପସେନ ନାମକ ଜଣେ ରାଜା ଥିଲେ । ରୂପସେନ ପ୍ରବଳ ପ୍ରତାପୀ, ନ୍ୟାୟପ୍ରିୟ ଏବଂ ଦୟାଳୁ ଥିଲେ । କେବଳ ସେତିକି ନୁହେଁ ରୂପସେନ ଦାନୀ ମଧ୍ୟ ଥିଲେ । ଦୂରଦୂରାନ୍ତରୁ ଆସୁଥିବା ଜ୍ଞାନୀ, ପଣ୍ଡିତମାନଙ୍କର ସେ ଖୁବ୍ ଆଦର କରୁଥିଲେ । ଦିନେ ପଡୋଶୀ ରାଜ୍ୟର ଜଣେ ବ୍ୟକ୍ତି ରୂପସେନଙ୍କର ଦରବାରକୁ ଆସି କହିଲା- “ମହାରାଜ! ମୁଁ ଅତ୍ୟନ୍ତ ଦୁଃଖୀ । ଆପଣ ମୋତେ ଦୟାକରି ସାହାଯ୍ୟ କରନ୍ତୁ ।” ଲୋକଟିର କଥା ଶୁଣି ମହାରାଜ କହିଲେ- “ତୁମେ କି ପ୍ରକାର ସାହାଯ୍ୟ ମୋ ଠାରୁ ଆଶା କରୁଛ । ଲୋକଟି କହିଲା- “ମହାରାଜ! ମୋ ପାଖରେ ବର୍ତ୍ତମାନ କିଛି କାର୍ଯ୍ୟ ନଥିବାରୁ ମୁଁ ମନେ ମନେ ଦୁଃଖିତ । ଆପଣ ମୋତେ ସେବା କରିବା ପାଇଁ ସୁଯୋଗ ଦିଅନ୍ତୁ । ମୁଁ ଜଣେ ସଚ୍ଚା ସିପାହୀ ଅଟେ । ମୁଁ ଆପଣଙ୍କ ପାଇଁ କାର୍ଯ୍ୟ କରିବାକୁ ଇଚ୍ଛା ପ୍ରକାଶ କରୁଛି ।” ଲୋକଟିର କଥା ଶୁଣି ସାରିବାପରେ ମହାରାଜ କହିଲେ- “ଠିକ୍ ଅଛି ମୁଁ ତୁମ କଥାରେ ରାଜି । ହେଲେ ତୁମେ ନିଃସଂକୋଚ ସହକାରେ କୁହ ମୁଁ ତୁମକୁ କାର୍ଯ୍ୟ ବାବଦରେ କେତେ ପାରିଶ୍ରମିକ ଦେବି? ଲୋକଟି କହିଲା- “ମହାରାଜ! ମୋର ଦୈନିକ ଏକ ଶହ ସ୍ୱର୍ଣ୍ଣମୁଦ୍ରା ଆବଶ୍ୟକ ।”
ଲୋକଟିର କଥା ଶୁଣି ଦରବାରରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ରାଜା ପଚାରିଲେ- “ତା’ହେଲେ ତୁମର ନାମ କ’ଣ? ଲୋକଟି କହିଲା, “ମୋର ନାମ ବିପ୍ରବର ଅଟେ ମହାରାଜ । ରାଜା କହିଲେ- ତୁମକୁ ବାଦ୍ ଦେଲେ ତୁମର ଆଉ କିଏ ସବୁ ଅଛନ୍ତି? ଲୋକଟି କହିଲା- “ମୋର ପରିବାର କହିଲେ ମୋର ପତ୍ନୀ, ମୋର ପୁତ୍ର ଏବଂ କନ୍ୟାକୁ ବୁଝାଏ । ରାଜା ଲୋକଟିର କଥା ଶୁଣି ଆଶ୍ଚର୍ଯ୍ୟ ହୋଇ କହିଲେ- “ତୁମର ଏତେ ଛୋଟ ପରିବାର ଅଥଚ ପ୍ରତିଦିନ ଏକଶହ ସ୍ୱର୍ଣ୍ଣମୁଦ୍ରା ନେଇ ତୁମେ କଣ କରିବ? ଦରବାରରେ ଉପସ୍ଥିତ କର୍ମଚାରୀମାନେ ଲୋକଟିକୁ ପାଗଳ ବୋଲି ଭାବୁଥାଆନ୍ତି । କେହି କେହି ମଧ୍ୟ ଲୋକଟି ରାଜାଙ୍କୁ ମୂର୍ଖ ବନାଇବାକୁ ଆସିଛି ବୋଲି ଭାବୁଥାଆନ୍ତି । କିନ୍ତୁ ଲୋକଟି ପୁରା ଗାମ୍ଭୀର୍ଯ୍ୟ ସହକାରେ ରାଜାଙ୍କ ସମ୍ମୁଖରେ ଠିଆ ହୋଇଥାଏ । ପୁଣି ଆଉ ଥରେ ରାଜାଙ୍କୁ କହିଲା- “ମହାରାଜ! ଏହାଠାରୁ କମ୍ ବେତନରେ ମୁଁ କାର୍ଯ୍ୟ କରିପାରିବି ନାହିଁ ।” ରାଜା ଯେପରି ତା’ର କାର୍ଯ୍ୟ ସମ୍ପର୍କରେ ଜାଣିବାକୁ ଚାହିଁଲେ, ଲୋକଟି ରାଜାଙ୍କୁ କହିଲା, “ମହାରାଜ! ମୁଁ ଯାହା କରି ପାରିବି ତାକୁ ଅନ୍ୟ କେହି କରିପାରିବେ ନାହିଁ ।”