ଦକ୍ଷିଣ ଆମେରିକାର ପେରୁ ଦେଶ । ୧୪୦୦-୧୫୫୩ ଖ୍ରୀଷ୍ଟାବ୍ଦ ସମୟରେ ସେଠାରେ ବାସ କରୁଥିଲେ ଇନ୍କାମାନେ । ସେମାନେ ଥିଲେ ଲୋହିତ ଇଣ୍ଡିଆନ ସଂପ୍ରଦାୟା ଇନ୍କାମାନେ ଆଦିବାସୀମାନଙ୍କ ଭଳି ଜୀବନଯାପନ କରୁଥିଲେ । ସେମାନଙ୍କର ବିଶ୍ୱାସ ଥିଲା ଯେ ସୁନା ହେଉଛି ଦେବତାମାନଙ୍କ ଭିତରେ ସବୁଠାରୁ ବଡ ସୂର୍ଯ୍ୟ ଦେବତାଙ୍କ ଦେହର ଝାଳ । ସେଥିପାଇଁ ସେମାନେ ପୂଜା ଉପାସନା କରୁଥିଲେ ସୂର୍ଯ୍ୟ ଦେବତାଙ୍କୁ । ସେମାନେ ସୁନାକୁ ଏକ ପବିତ୍ରଧାତୁ ରୂପେ ମନେ କରୁଥିଲେ । ସେମାନେ ଭାବୁଥିଲେ ଯେ ସୁନା ହେଉଛି ସୂର୍ଯ୍ୟଦେବତାଙ୍କ ଧାତୁ । ଷୋଡଶ ଶତାବ୍ଦୀରେ ସ୍ପେନ୍ ସେହି ଅଂଚଳକୁ ଆକ୍ରମଣ କରି ଅକ୍ତିଆର କରି ନେଇଥିଲା ।
ମନ୍ଦିରମାନଙ୍କରେ ଇନ୍କାମାନେ ସାଇତି ରଖୁଥିଲେ କୁଢ କୁଢ ସୁନା । ମନ୍ଦିରଗୁଡିକର ଭିତର କାନ୍ଥମାନ ଛାଆଣି ହୋଇଥିଲା ସୁନାରେ । ସୁନାରେ ତିଆରି ହୋଇଥିବା ଫୁଲ, ପ୍ରଜାପତି, ଗଛପତ୍ର ଓ ପକ୍ଷୀ ଇତ୍ୟାଦି ମନ୍ଦିରରେ ଶୋଭା ପାଉଥିଲେ ।
୧୫୩୦ ମସିହା ପାଖାପାଖି ବେଳର କଥା । ଫ୍ରାନ୍ସିସ୍କୋ ପିଜାରୋ ନାମକ ଜଣେ ବ୍ୟକ୍ତିଙ୍କ ନେତୃତ୍ୱରେ ସ୍ପେନୀୟମାନେ ପ୍ରଥମେ ଇନ୍କାମାନଙ୍କ ରାଜ୍ୟରେ ପହଁଚିଲେ । ସେତେବେଳେ ସେମାନଙ୍କ ସାଙ୍ଗରେ ୧୦୬ ଜଣ ସୈନ୍ୟ ଓ ୬୨ ଜଣ ଅଶ୍ୱାରୋହୀ ଥିଲେ । ସୈନ୍ୟମାନେ ଭୂଇଁରେ ଠିଆ ହୋଇ ଯୁଦ୍ଧ କରିବେ । ଅଶ୍ୱାରୋହୀମାନେ ଶତ୍ରୁସହ ଲଢେଇ କରିବେ ଘୋଡା ଉପରେ ବସି ।
ସେତେବେଳେ ଇନ୍କାମାନଙ୍କ ରାଜା ଥିଲେ ଆତାହୁଆଲ୍ପା । ଆତାହୁଆଲ୍ପା ସ୍ପେନୀୟମାନଙ୍କୁ ସନ୍ଦେହ ନ କରି ବନ୍ଧୁ ଭାବରେ ଗ୍ରହଣ କରିନେଲେ । ଦିନେ ପିଜାରୋ ଆତାହୁଆଲ୍ପାଙ୍କୁ ଏକ ଭୋଜିକୁ ନିମନ୍ତ୍ରଣ କଲେ । ନିମନ୍ତ୍ରଣ ରକ୍ଷା କଲେ ଆତାହୁଆଲ୍ପା । ଗୋଟିଏ ସୁନା ପାଲିଙ୍କିରେ ବସି ସେ ଆସି ପହଁଚିଗଲେ ଭୋଜି ଜାଗାରେ । ନିଜକୁ ରକ୍ଷା କରିବାପାଇଁ ତାଙ୍କ ପାଖରେ କୌଣସି ଅସ୍ତ୍ରଶସ୍ତ୍ର ନ ଥିଲା । କିନ୍ତୁ ପିଜାରୋଙ୍କର ଉଦ୍ଧେଶ୍ୟ ଥିଲା ଅଲଗା ।
ଆତାହୁଆଲ୍ପା ପାଲିଙ୍କିରୁ ଓହ୍ଲେଇବା ମାତ୍ରେ ପିଜାରୋଙ୍କ ସୈନ୍ୟମାନେ ତାଙ୍କୁ ବନ୍ଦି କରିନେଲେ । ଏପରିକି ତାଙ୍କ ସାଙ୍ଗରେ ଆସିଥିବା ଲୋକମାନଙ୍କୁ ମାରିଦେଲେ ସୈନ୍ୟମାନେ । ତାଙ୍କୁ ରଖାଗଲା ଏକ ନିବୁଜ କୋଠରି ଭିତରେ । କୋଠରିଟିର ଲମ୍ବ ଥିଲା ୨୨ ଫୁଟ୍ ଓ ଓସାର ୧୭ ଫୁଟ୍ ।
ପିଜାରୋ ସର୍ତ୍ତ ବାଢିଲେ ଯେ ଆତାହୁଆଲ୍ପା ଯେଉଁ ଘରଟିରେ ଅଟକ ହୋଇ ରହିଛନ୍ତି, ସେହି ଘରେ ସେ ହାତ ଦୁଇଟିକୁ ଉପରକୁ ଟେକି ଠିଆ ହେଲେ, ହାତ ଯେଉଁ ପର୍ଯ୍ୟନ୍ତ ପାଇବ, ସେତିକି ଉଚ୍ଚତା ପର୍ଯ୍ୟନ୍ତ ଘରଟିକୁ ସୁନାରେ ଭର୍ତ୍ତି କରିଦେଲେ ତାଙ୍କୁ ମୁକୁଳେଇ ଦିଆଯିବ । ଆଜିକାଲିକାର ହିସାବରେ ସେତକ ସୁନାର ଆୟତନ ପ୍ରାୟ ୧୦୦ ଘନ ମିଟର୍ ।