ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବିଶ୍ୱାସଘାତକ ପିଜାରୋ

                ଆତାହୁଆଲ୍ପା ଏହି ସର୍ତ୍ତରେ ରାଜି ହୋଇଗଲେ । ତେଣୁ ତାଙ୍କ ରାଜ୍ୟର ଚାରିଆଡକୁ ଏହି ଖବର ପଠାଗଲା । ରାଜାଙ୍କୁ ମୁକ୍ତ କରିବା ପାଇଁ ଇନ୍କାମାନେ ନିଜ ନିଜର ସାଇତା ସୁନାତକ ଘରୁ ବୋହି ଆଣିଲେ । ସୁନା ବାସନ, ସୁନାର ମୂର୍ତ୍ତି, ସୁନା ଅଳଙ୍କାର ପତ୍ର, ସୁନା ତିଆରି ଅନ୍ୟାନ୍ୟ ଘରକରଣା ଜିନିଷ – କିଛି ବି ବାଦ୍ ପଡିଲାନି । ଭାର ଭାର ସୁନା କାନ୍ଧେଇ ସେମାନେ ଆତାହୁଆଲ୍ପାଙ୍କ ବନ୍ଦିଘରକୁ ଛୁଟିଲେ । ସେଠାରେ ପହଁଚି ସେ ଘର ଭିତରେ ଭର୍ତ୍ତି କରି ଚାଲିଲେ ସୁନା । ଏହି ଭିତରେ ବିତିଗଲା ଦୁଇମାସ । ତଥାପି ସୁନାଗଦା ନିର୍ଦ୍ଦିଷ୍ଟ ଉଚ୍ଚତା ପର୍ଯ୍ୟନ୍ତ ପହଁଚିପାରିଲାନି । ସୁନା ସଂଗ୍ରହ ଜାରି ରଖିବା ପାଇଁ ଆହୁରି ଅଧିକ ସମୟ ଦେବା ନିମନ୍ତେ ଆତାହୁଆଲ୍ପା ପିଜାରୋଙ୍କୁ ଅନୁରୋଧ କଲେ । କିନ୍ତୁ ତାହା ନାମଞ୍ଜୁର ହୋଇଗଲା ।

                ସର୍ତ୍ତ ପାଳନରେ ଖିଲାପ କରିଥିବାର ଆଳ ଦେଖେଇ ତାଙ୍କର ବିଚାର ହେଲା । ତାଙ୍କ ବିରୋଧରେ ଅଭିଯୋଗ ଅଣାଗଲା ଯେ ‘ସେ ସ୍ପେନୀୟମାନଙ୍କ ସହ ଯୁଦ୍ଧ କରିଥିବାରୁ ଦେଶଦ୍ରୋହ ଭଳି ଅପରାଧ କରିଛନ୍ତି । ନିଜ ଭଉଣୀଙ୍କୁ ବିବାହ କରି ଅସାମାଜିକ କାମ କରିଛନ୍ତି (କିନ୍ତୁ ଇନ୍କା ସଂପ୍ରଦାୟରେ ଭାଇ ତା’ର ଭଉଣୀଙ୍କୁ ବିବାହ କରିବା ହିଁ ଚଳଣି ।) ନିଜ ସାବତ ଭାଇ ହୁଆସ୍କାର୍କୁ ହତ୍ୟା କରି ବେନିୟମ ଭାବରେ ରାଜା ହୋଇଛନ୍ତି ।’ ବିଚାରରେ ଆତାହୁଆଲ୍ପାଙ୍କୁ ମୃତ୍ୟୁଦଣ୍ଡ ଦିଆଗଲା । ପିଜାରୋ ଆତାହୁଆଲ୍ପାଙ୍କୁ ହତ୍ୟା କଲେ ।

                ଯେଉଁଦିନ ତାଙ୍କୁ ହତ୍ୟା କରାଗଲା, ସେହିଦିନ ଆହୁରି ଅଧିକ ସୁନାବୋଝ ଧରି ଇନ୍କା ପ୍ରଜାମାନେ ଘରୁ ବାହାରି ସାରିଥିଲେ । ରାଜାଙ୍କ ମୃତ୍ୟୁ ଖବର ପାଇ ନିଜ ସାଙ୍ଗରେ ଥିବା ସୁନାବୋଝକୁ ସେମାନେ ଲୁଚେଇ ଦେଲେ ଆଜାଙ୍ଗାରୋ ନାମକ ପାହାଡର ଗୁମ୍ଫାଗୁଡିକ ଭିତରେ । ତେଣୁ ସେତକ ସୁନା ପିଜାରୋଙ୍କ ହାତରେ ଆଉ ନ ପଡି ବଂଚିଗଲା । କିମ୍ବଦନ୍ତୀ ଅଛି ଯେ ସେମାନେ ଆଣିଥିଲେ ଏକ ବିରାଟ ସୁନାହାର । ସେ ହାରଟିକୁ ତଳୁ ଉଠେଇବା ପାଇଁ କୁଆଡେ ଦରକାର ପଡୁଥିଲେ ଦୁଇଶହ ଜଣ ଲୋକ ।

                ତେବେ ଇନ୍କାମାନେ ସେମାନଙ୍କ ପାଖରେ ରହିଥିବା ସୁନାକୁ ଲୁଚେଇ ରଖି ପାରିଲେ ନାହିଁ । ପିଜାରୋ ପେରୁ ରାଜ୍ୟର କୁଜ୍କୋ ନଗରକୁ ଅଧିକାର କରିନେଲେ । କୁଜ୍କୋରେ ଥିଲା ସୁନା ପାତରେ ଛାଆଣି ହୋଇଥିବା ସୂର୍ଯ୍ୟଦେବତାଙ୍କ ମନ୍ଦିର । ମନ୍ଦିରର ଭିତର କାନ୍ଥରେ ରହିଥିଲା ସୁନାର ଆବରଣ । ପୂର୍ବ ପଟ କାନ୍ଥରେ ଏକ ବିରାଟ ଚକତି ଥିଲା । ଚକତିରେ ଖଞ୍ଜା ଯାଇଥିଲା ବଡ ବଡ ଦୁଇଟି ମଣି । ଚକତିଟି ହେଉଛି ସୂର୍ଯ୍ୟଙ୍କ ମୁହଁ ଓ ମଣି ଦୁଇଟି ତାଙ୍କର ଆଖି ।

                ପୁଣି ସେହି ମନ୍ଦିରଟିକୁ ଘେରି ରହିଥିଲା ଏକ ସୁନାର ବଗିଚା । ବଗିଚାର ବୃକ୍ଷଲତା, ଫଳଫୁଲ, ପକ୍ଷୀ, ପ୍ରଜାପତି ଇତ୍ୟାଦି ସୁନାରେ ତିଆରି ହୋଇଥିଲା । ଉଦ୍ୟାନର ମଝି ମଝିଆ ଜାଗାରେ ରହିଥିଲା ସୁନା ତିଆରି କୋତୋଟି ସିଂହାସନ । ସୂର୍ଯ୍ୟଦେବଙ୍କର ପୁତ୍ରବୋଲି କୁହାଯାଉଥିବା ସୁନାର ମୂର୍ତ୍ତିମାନ ସିଂହାସନ ଉପରେ ଶୋଭା ପାଉଥିଲା ।

ପିଜାରୋ କୁଜ୍କୋରେ ପ୍ରବେଶ କରି ସେହି ସୂର୍ଯ୍ୟ ମନ୍ଦିରଟିକୁ ଧ୍ୱଂସ କରିଦେଲେ । ମନ୍ଦିର ଓ ବଗିଚାରୁ ସୁନାତକ ଡାଡି ତା’କୁ ତରଳେଇ ସୁନାମୁଣ୍ଡାରେ ପରିଣତ କରିଦେଲେ । ତା’ପରେ ସୁନାମୁଣ୍ଡା ଗୁଡିକୁ ଜାହାଜରେ ଲଦି ବୋହି ନେଲେ ନିଜ ଦେଶ ସ୍ପେନ୍କୁ ।

ସେହି ଷୋଡଶ ଏବଂ ସପ୍ତଦଶ ଶତାବ୍ଦୀରେ ଇଉରୋପୀୟମାନେ ଧରିନେଇଥିଲେ ଯେ ଆମେରିକାରେ ଠୁଳ ହୋଇ ରହିଛି କେତେ ନା କେତେ ଧନ । କିନ୍ତୁ ତାହା ରହିଛି ଆମେରିକାର କେଉଁ ସ୍ଥାନରେ? ସେହି ସ୍ଥାନଟିକୁ ଇଉରୋପୀୟମାନେ କହୁଥିଲେ ‘ଏଲ୍ ଡୋରାଡୋ’ ।

କିନ୍ତୁ ଇଉରୋପୀୟମାନଙ୍କଠାରେ ଏପରି ଏକ ଧାରଣା ଜାତ ହେଲା କାହିଁକି? ଆମେରିକାର ଏକ ଆଦିମ ସଂପ୍ରଦାୟ ପାଳନ କରିଥିଲେ ଉତ୍ସବଟିଏ । ସେହି ଉତ୍ସବରେ ଜଣେ ନୂଆ ଶାସକଙ୍କୁ ସୁନାଗୁଣ୍ଡରେ ଘୋଡେଇ ପକାଯାଇଥିଲା । ପୁଣି ଜଳରେ ରହୁଥିବା ଜଣେ ଦେବତାଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ ସେହି ସଂପ୍ରଦାୟର ଅଧିବାସୀମାନେ କୁଆଡେ ଜଳକୁ ଫିଙ୍ଗିଥିଲେ କେତେ ନା କେତେ ସୁନା ଏବଂ ମୂଲ୍ୟବାନ୍ ପଥର ତଥା ରତ୍ନ ।

ଯେଉଁ ଶାସକଙ୍କ ଦେହସାରା ସୁନାଗୁଣ୍ଡର ଆସ୍ତରଣ ଦିଆଯାଇଥିଲା ତାଙ୍କୁ ସ୍ପେନ୍ର ଆକ୍ରମଣକାରୀମାନେ ଏଲ୍ ଡୋରାଡୋ ବା ସୁନାଗୁଣ୍ଡଧାରୀ ବ୍ୟକ୍ତି ଭାବରେ କହୁଥିଲେ । ତାଙ୍କରି ସନ୍ଧାନ ନେବାପାଇଁ ଇଂରେଜ ଅନୁସନ୍ଧାନକାରୀ ସାର ୱାଲଟର୍ ରାଲେ ଦୁଇ ଦୁଇଥର ସେଠାକୁ ଯାତ୍ରା କରିଥିଲେ ମଧ୍ୟ ତାଙ୍କୁ କୌଣସି ସଫଳତା ମିଳିପାରିନଥିଲା । ତଥାପି ଲୋକଙ୍କ ମନ ଭିତରେ ଏଲ୍ ଡୋରାଡୋ ଏବେ ମଧ୍ୟ ଜୀବନ୍ତ ହୋଇ ରହିଛି ।


ଗପ ସାରଣୀ

ତାଲିକାଭୁକ୍ତ ଗପ