ଆଗ୍ରା ସହରରେ କରିମ୍ ଏବଂ ହାସାନ୍ ନାମକ ଦୁଇଜଣ ଅଟା ବ୍ୟବସାୟୀ ବାସ କରୁଥିଲେ । ସେମାନେ ଉଭୟେ ବାଲ୍ୟକାଳରୁ ବନ୍ଧୁ ଥିଲେ । କରିମ୍ ସଚ୍ଚୋଟ ସ୍ୱଭାବର ଥିଲା, କିନ୍ତୁ ହାସାନ୍ ଠକ ସ୍ୱଭାବର ଥିଲା । କରିମ୍ ହାସାନ୍ ସହିତ ମିଶୁଥିଲା ହେଲେ ତା’ର ଏ ପ୍ରକାର ସ୍ୱଭାବ ସଂପର୍କରେ ସେ ଅଜ୍ଞ ଥିଲା । ସେମାନେ ଉଭୟେ ଏକ ପ୍ରକାର ବେପାର କରୁଥିଲେ । ନୂଆ ନୂଆ ସେମାନଙ୍କର ବେପାର ଭଲ ଚାଲିଲା । କିଛି ଦିନ ପରେ ହାସାନ୍ ବେପାର ମାନ୍ଦା ପଡିଗଲା । ଶେଷରେ ଏପରି ଅବସ୍ଥା ହେଲା ଯେ ହାସାନ୍ ତାର ବେପାର ବନ୍ଦ କରି ଦେବାକୁ ଠିକ୍ କଲା । କରିମ୍ ହାସାନ୍ ର ଏ ପ୍ରକାର ଅବସ୍ଥା ଦେଖି ସହ୍ୟ ନକରିପାରି ତାକୁ ସାହାଯ୍ୟ ଦେବାପାଇଁ ଆଗେଇ ଆସିଲା । କରିମ୍ ର ସାହାଯ୍ୟକୁ ହାସାନ୍ ବା କାହିଁକି ହାତଛଡା କରିବ । କରିମ୍ ହାସାନ୍କୁ ବ୍ୟବସାୟ କାର୍ଯ୍ୟ ପୁଣି ଥରେ ଚାଲୁ କରିବାପାଇଁ ପାଂଚଶହ ସ୍ୱର୍ଣ୍ଣମୁଦ୍ରା ଦେଲା ।
ପାଂଚଶହ ସ୍ୱର୍ଣ୍ଣମୁଦ୍ରା ଦେଖି ହାସାନ୍ ର ଖୁସି କଥା କହିଲେ ନସରେ ସେହି ମୁଦ୍ରାରେ ସେ ପୁଣି ଥରେ ତା’ର ବେପାର ଆରମ୍ଭ କଲା । ବେପାର ମଧ୍ୟ ଭଲ ଚାଲିଲା । ହାସାନ୍ ତ’ ଠକ ପ୍ରକୃତିର ଥିଲା । ଦିନକୁ ଦିନ ଗଡି ଚାଲିଲା, ହେଲେ ହାସାନ୍ କରିମ୍ଠାରୁ ଆଣିଥିବା ଟଙ୍କା ଦେବାକୁ ମନ କଲା ନାହିଁ । କରିମ୍ ମଧ୍ୟ ତାକୁ ମୁହଁ ଖୋଲି ମାଗିପାରୁନଥାଏ । ଦିନେ କରିମ୍ ର ହଠାତ୍ ଟଙ୍କା ଦରକାର ପଡିଲା । ସେ ହାସାନ୍ ପାଖକୁ ଯାଇ କହିଲା, “ବନ୍ଧୁ! ମୋ ଠାରୁ ତୁମେ ଯେଉଁ ପାଂଚଶହ ସ୍ୱର୍ଣ୍ଣମୁଦ୍ରା ଆଣିଥିଲ ମୋତେ ଏଇ ଦୁଇ ତିନି ଦିନ ମଧ୍ୟରେ ଦିଅ । ମୋର ହଠାତ୍ ପଇସା ଦରକାର ହେବାରୁ ମୁଁ ତୁମକୁ ମାଗିଲି ନଚେତ୍ ମୁଁ ତୁମକୁ ମାଗିନଥାନ୍ତି ।” କରିମ୍ ର କଥା ଶୁଣି ହାସାନ୍ ଯେମିତି କିଛି ନଜାଣିଥିବା ପରି ଚାହିଁଲା । କରିମ୍କୁ କହିଲା, “କେଉଁ ପଇସା ମୁଁ ତୁମ ଠାରୁ ଆଣିଥିଲି । ମୋର ତ’ ବେପାର ସବୁ ସମୟରେ ଭଲ ଚାଲିଛି । ମୁଁ କାହିଁକି ତୁମଠାରୁ ପଇସା ଆଣିବି । ତୁମେ ବୋଧହୁଏ ଆଉ କାହାକୁ ଦେଇଛ ।”
ହାସାନ୍ ର କଥା ଶୁଣି କରିମ୍ ମନ କଷ୍ଟ କରି ଘରକୁ ଫେରିଲା । ମନେ ମନେ ଠିକ୍ କଲା ଏହି କଥା ବିରବଲଙ୍କ ଆଗରେ ପକାଇଲେ ସେ ହିଁ ଏହି ସମସ୍ୟାର ସମାଧାନ କରିପାରିବେ । ଏହି କଥା ଭାବି ସେ ବିରବଲଙ୍କ ପାଖରେ ପହଁଚିଲା । ଘଟି ଯାଇଥିବା ସମସ୍ତ ଘଟଣା ବର୍ଣ୍ଣନା କଲା । କରିମ୍ ର କଥା ଶୁଣି ସାରିବାପରେ ବିରବଲ ସଂଗେ ସଂଗେ ହାସାନ୍କୁ ଡକାଇଲେ । ହାସାନ୍ ଆସି ଦରବାରରେ ପହଁଚିବା ପରେ ତାକୁ ସବୁ କଥା ପଚାରିବାରୁ ସେ ସହଜରେ ସେ ସବୁ କଥାକୁ ଏଡେଇ ଦେଲା । ବିରବଲ ମଧ୍ୟ ହଠାତ୍ କୌଣସି ଏକ ସିଦ୍ଧାନ୍ତରେ ପହଁଚି ପାରିଲେ ନାହିଁ । ଦୁଇଜଣଙ୍କୁ ଦରବାରରୁ ବିଦାୟ ଦେଲେ । ବିରବଲ କିନ୍ତୁ ଦୋଷୀକୁ ଧରିବାପାଇଁ ଉପାୟ ଖୋଜୁଥାଆନ୍ତି ।