ଅମରପୁରୀ ରାଜ୍ୟର ତିନିଜଣ ପ୍ରହରୀ ରାଜ୍ୟ ସୀମାନ୍ତରେ ପ୍ରହରା ଦେଉଥିବା ବେଳେ ଜଣେ ଗୁପ୍ତଚରକୁ ଧରି ପକାଇଲେ । ସେ ପଡୋସୀ ଜୟନଗର ରାଜ୍ୟର ଚର । ସେତେବେଳେ ସେ ଦୁଇ ରାଜ୍ୟ ଭିତରେ ଭୀଷଣ ଶତ୍ରୁତା ଥାଏ ।
ସେମାନେ ଗୁପ୍ତଚରକୁ ବାନ୍ଧି ପକାଇ ରାଜଧାନୀ ଅଭିମୁଖେ ଚାଲିଲେ । ରାଜଧାନୀ ବହୁତ ବାଟ । ସେମାନଙ୍କୁ ଥକ୍କା ଲାଗିଲା । ଗୋଟିଏ ବଣ କଡରେ ବିଶାଳ ଗଛଟିଏ ମୂଳରେ ସେମାନେ ବିଶ୍ରାମ ନେଲେ ଗୁପ୍ତଚରକୁ ଗଛ ଦେହରେ ବାନ୍ଧି ରଖିଲେ ।
ସେମାନଙ୍କୁ ଭୋକ ଲାଗିଲା । କିନ୍ତୁ ଆଖପାଖରେ କୌଣସି ଖାଦ୍ୟ ଦ୍ରବ୍ୟ ମିଳିବାର ପ୍ରଶ୍ନ ହିଁ ଉଠୁ ନଥିଲା । ତେବେ ଗୁପ୍ତଚର ପାଖରୁ ମିଳିଥିବା ଥଳିରେ କିଛି ମିଠେଇ ଥିଲା । ସେମାନେ ସେହି ମିଠେଇତକ ଖାଇବାକୁ ଉଦ୍ୟତ ହେଲେ ।
ହଠାତ୍ ଜଣେ ପ୍ରହରୀ କହିଲା, “ଆରେ! ଏ ମିଠେଇରେ ସେ ଆଉ ବିଷ ମିଶାଇ ନଥିବ ତ? ତାକୁ ଧରିବା ଲୋକକୁ ମାରିବା ଉଦ୍ଧେଶ୍ୟରେ ସେ ଏ ମିଠେଇତକ ପାଖରେ ଯେ ରଖିନାହିଁ ବୋଲି ଏକଥା କିଏ କହିବ?”
ଅନ୍ୟ ପ୍ରହରୀ ଦୁଇଜଣ ହାତରେ ମିଠେଇ ଧରିଥିବା ସତ୍ତ୍ୱେ ତାକୁ ଆଉ ପାଟିରେ ପୁରାଇ ପାରିଲେ ନାହିଁ । ତିନିଜଣଙ୍କ ଚେହେରାରେ ହତାଶା ଫୁଟି ଉଠିଲା । କିନ୍ତୁ କ’ଣ କରିବେ?
“ଏ ସନ୍ଦେହର ଅବସାନ ଅତି ସହଜରେ ହୋଇଯିବ । ପ୍ରଥମେ ଗୋଟିଏ ମିଠାଇ ଏହି ଗୁପ୍ତଚରକୁ ଦିଅ ।” ଶେଷକୁ ଜଣେ ପ୍ରହରୀ ଏଭଳି ପ୍ରସ୍ତାବ ଦେଲା । ସେମାନେ ସେହି ଗୁପ୍ତଚରକୁ ଗୋଟାଏ ମିଠାଇ ଖୁଆଇ ଦେଲେ । ଗୁପ୍ତଚର କହିଲା, “ମୁଁ ବି ତୁମମାନଙ୍କ ଭଳି ଭୋଖିଲା । ଅନ୍ତତଃ ମୋତେ ଆଉ ଦୁଇଟି ମିଠେଇ ଦିଅ । ବହୁତ ମିଠେଇ ଅଛି ।” କିନ୍ତୁ ପ୍ରହରୀମାନେ ତାକୁ ଆଉ ମିଠେଇ ଦେଲେ ନାହିଁ । ମିଠେଇ ତା’ର କିଛି ଖରାପ କରୁଛି କି ନାହିଁ ତାହା ଦେଖିବା ନିମନ୍ତେ ସେମାନେ କିଛି ସମୟ ଅପେକ୍ଷା କଲେ । ଯେତେବେଳେ ଦେଖିଲେ ଯେ ଗୁପ୍ତଚରର ସେଭଳି କିଛି ଅନିଷ୍ଟ ହେଲା ନାହିଁ, ସେତେବେଳେ ସେମାନେ ମିଠେଇତକ ଖାଇ ପକାଇଲେ । ତା’ପରେ ଝରଣାରୁ ସେମାନେ ପାଣି ପିଇଲେ ।
କିଛି ସମୟ ପରେ ଗୁପ୍ତଚରକୁ ଧରି ସେମାନେ ପୁଣି ବାଟ ଚାଲିବାକୁ ଆରମ୍ଭ କଲେ । ହଠାତ୍ ସେ ଗୁପ୍ତଚରଟି ତଳେ ପଡିଗଲା । ଏହି ଘଟଣା ଦେଖି ପ୍ରହରୀମାନେ ପଚାରିଲେ “କ’ଣ ହେଲା?”
ଗୁପ୍ତଚର କହିଲା “ବନ୍ଧୁଗଣ! ମଲାବେଳେ ମୁଁ ସବୁ କହିଦିଏ । ସେ ମିଠେଇରେ ଭୟଙ୍କର ବିଷ ମିଶିଥିଲା । ଘଂଟାଏ ପରେ ବିଷକ୍ରିୟା ଆରମ୍ଭ ହେବା କଥା । ମୁଁ ପାଣି ପିଇନାହିଁ ବୋଲି ଶୀଘ୍ର ଆରମ୍ଭ ହୋଇଗଲା । ମୁଁ ଆଉ ଦୁଇଟା ମିଠେଇ ଖାଇଥିଲେ ଶୀଘ୍ର ମରିଥାନ୍ତି । କିନ୍ତୁ ତମେମାନେ ତ ମୋତେ ଆଉ ଦେଲନାହିଁ । ମୋତେ କିଛି ସମୟ ଛଟପଟ ହୋଇ ମରିବାକୁ ହେବ । କିନ୍ତୁ ତମମାନଙ୍କ ଭିତରେ ବିଷକ୍ରିୟା ଆରମ୍ଭ ହେବା ମାତ୍ରେ ତମେମାନେ ଅବିଳମ୍ବେ ମରିବ । ଆଉ କଷ୍ଟ ପାଇବାକୁ ହେବ ନାହିଁ ।”
ଏକଥା ଶୁଣି ପ୍ରହରୀମାନେ ତାକୁ ସେଇଠି ଛାଡି ପ୍ରାଣମୂର୍ଚ୍ଛା ବୈଦ୍ୟଙ୍କ ଘରଆଡେ ଦୌଡିଲେ । ଆଉ ଅଧଘଂଟାକ ଭିତରେ ପ୍ରତିଶେଧକ ଔଷଧ ନ ଖାଇଲେ ସେମାନେ ମରିବେ, ସେହି ଡରରେ ।
ଗୁପ୍ତଚର ଉଠି ବସି ତା’ପରେ ଫୁର୍ତିରେ ନିଜ ରାଜ୍ୟକୁ ସେ ଗଲା ଓ ରାଜାଙ୍କୁ ସବୁକଥା ଗପି କହିଲା, “ବିଷ ଧାରଣା ମୋତେ ସେହିମାନେହିଁ ଦେଲେ । ତାଙ୍କର ସେ ଧାରଣାକୁ ମୁଁ ମୋର କାମରେ ଲଗାଇଲି ।”
ତା’କଥା ଶୁଣିବା କ୍ଷଣି ରାଜା ଓ ଅମାତ୍ୟମାନେ ବହୁତ ହସିଲେ । ଏଣେ ଏ ଗୁପ୍ତଚର ବି ମୋଟା ଆକାରର ପୁରସ୍କାର ପାଇଲା ।