ସେମାନଙ୍କ ପରାମର୍ଶକୁ ଅବଶେଷରେ ସେ ଗ୍ରହଣ କରି ନେଇ ସେ ପଥରେ କେତେ ଦୂର ଗଲେ ଫଳ ମିଳିବ, ତାହା ଦେଖିବାକୁ ମନସ୍ଥ କଲେ ।
ଏହାପରେ ସେ ସିଦ୍ଧାର୍ଥ କଠୋର ତପସ୍ୟାରେ ଲୀନ ହୋଇଗଲେ । ତାଙ୍କର ଦେହ ଖାଦ୍ୟ ବିନା କ୍ଷୀଣ ହୋଇ କଙ୍କାଳସାର ହୋଇ ଉଠିଲା । ଅନେକ ଦିନ ପରେ ସେ ସିଦ୍ଧିପ୍ରାପ୍ତ ହେଲେ । ତପସ୍ୟାରୁ ଉଠିବା ପରେ ପ୍ରଥମେ ସୁଜାତା ନାମ୍ନୀ ଏକ ମହିଳା ତାଙ୍କୁ କ୍ଷୀରି ଓ କିଛି ଫଳ ଖାଇବାକୁ ଦେଲେ । ସେ ସେତକ ଆହାର କରିବା ପରେ ସୁଜାତା କହିଲେ, “ପ୍ରଭୁ, ଆପଣଙ୍କର କରୁଣାରୁ ମୋର ପୁଅଟିଏ ହୋଇଛି । ତାକୁ ଆଶିର୍ବାଦ କରନ୍ତୁ ।”
ସିଦ୍ଧାର୍ଥ କହିଲେ, “ମା’ ମୁଁ ସେପରି କୌଣସି ମହିମାନ୍ୱିତ ବ୍ୟକ୍ତି ନୁହେଁ । ତେବେ ଭଗବତ୍ ପ୍ରେରିତ ବ୍ୟକ୍ତି ପରି ମୋର ଏ ଅବସ୍ଥାରେ ତୁମେ ମୋତେ ଖାଦ୍ୟ ଦେଇ ସୁସ୍ଥ କରିଛ । ମୋ ଆଗରେ ତୁମେ ଦୟାରୂପିଣୀ ମା’ । ତୁମର ଏଭଳି ଆଚରଣରୁ ମୁଁ ଆଜି ଦୟାର ଶ୍ରେଷ୍ଠତ୍ତ୍ୱ ହୃଦୟଙ୍ଗମ କଲି । ତମେ ଯେପରି ମୋର ପ୍ରାଣ ବଂଚାଇଲ, ସେହିପରି ପ୍ରକୃତି ସମସ୍ତ ପ୍ରାଣୀଙ୍କୁ ନିଜର କୃପାମୟ ଦୃଷ୍ଟିରେ ଦେଖୁଛି ଓ ରକ୍ଷା କରୁଛି, ତମେ ଏଇ ପ୍ରକୃତି ପରି ଦୟାମୟୀ ମା’ ।”
ସୁଜାତା କହିଲେ “ପ୍ରଭୋ, ଆପଣ ନିଜର ମହତ୍ତ୍ୱ ପ୍ରକଟ କରିବାକୁ ଚାହୁଁ ନଥିବାରୁ ଏପରି କହୁଛନ୍ତି । କିନ୍ତୁ ମୁଁ ଜାଣେ ଆପଣ ଜଣେ ମହାପୁରୁଷ । ମୋର ଇଚ୍ଛା ଆପଣ ମୋ ଗୃହରେ ପାଦଧୂଳି ଦେଇ ମୋତେ ଓ ମୋର ପରିବାରବର୍ଗଙ୍କୁ କୃତାର୍ଥ କରିବେ ।”
ସିଦ୍ଧାର୍ଥ ଆଶ୍ୱାସନା ଦେଇ ତାଙ୍କୁ କହିଲେ “ମା’, ମୁଁ ସତକଥା କହୁଛି, ମୋର ତପସ୍ୟା ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ । ମୁଁ ତୁମରି ପରି ଜଣେ ସାଧାରଣ ମାନବ । ମନୁଷ୍ୟ ଭିତରେ ଭେଦ ଆଣିବା ଅନୁଚିତ୍ । ଯେତେବେଳେ ମୋ ସାଧନାର ସିଦ୍ଧି ହେବ ସେତେବେଳେ ମୁଁ ତୁମ ପୁତ୍ରକୁ ଆଶିର୍ବାଦ ଦେବାକୁ ନିଶ୍ଚୟ ଆସିବି । ସେଇଦିନ ଯାଇ ମୁଁ ତୁମ ଘରେ ଅତିଥି ହେବି ।” ତା’ପରେ ସୁଜାତା ତାଙ୍କୁ ପ୍ରଣାମ କରି ନିଜର ପୁତ୍ର ସନ୍ତାନକୁ ନେଇ ସେଠାରୁ ଚାଲିଗଲେ ।
ସିଦ୍ଧାର୍ଥଙ୍କର ତପସ୍ୟା ପ୍ରତି ଆଉ ବେଶି ସମୟ ବିଶ୍ୱାସ ରହିଲା ନାହିଁ । ସେ ଉପଲବ୍ଧି କଲେ ତପସ୍ୟାରେ ଶକ୍ତି ପ୍ରାପ୍ତ ହେବ; କିନ୍ତୁ ତାହା ଏକପ୍ରକାର ସ୍ୱାର୍ଥପରତା । ତଦ୍ୱାରା ପ୍ରାଣୀମାନଙ୍କ ମଧ୍ୟରେ ଦୟା ବା ପ୍ରେମ ଆଦି କଦାପି ପ୍ରାପ୍ତ କରାଯାଇ ପାରିବ ନାହିଁ । ତପସ୍ୟାର କଷ୍ଟ ତାଙ୍କୁ ଯେପରି ଆତ୍ମହତ୍ୟା ପରି ପ୍ରତୀତ ହେଲା । ସେହି ସମୟରେ ତାଙ୍କୁ ଜାଣିଥିବା ଅନ୍ୟ ସାଧୁମାନେ କହିଲେ ଗୌତମ ତପସ୍ୟାଭ୍ରଷ୍ଟ ହୋଇଗଲା ।
ସେ ସମୟରେକେତେକ ସାଧୁ ତପସ୍ୟା ଦ୍ୱାରା ବା ନାନା ପ୍ରକାର ଅଭିଚାର ସାଧନା ଦ୍ୱାରା ଶକ୍ତିପ୍ରାପ୍ତ ହୋଇ ଜନତାଙ୍କ ଆଗରେ ଇନ୍ଦ୍ରଜାଲ ଦେଖାଇ ବହୁ ଲୋକଙ୍କୁ ନିଜ ଆଡକୁ ଆକର୍ଷଣ କରି ଶିଷ୍ୟ କରି ନେଉଥିଲେ । ଧର୍ମ ନାମରେ ନାନା ପ୍ରକାର ମିଥ୍ୟାଚାର କରୁଥିଲେ । ରାଜା, ଜମିଦାରଙ୍କୁ ମଧ୍ୟ ମୃତ୍ୟୁ ପରେ ଆତ୍ମାକୁ ଶାନ୍ତି ଦେବାର ପ୍ରଲୋଭନ ଦେଖାଇ ଯଜ୍ଞ ଇତ୍ୟାଦି କରି ବହୁ ଅର୍ଥ ଉପାର୍ଜନ କରୁଥିଲେ । ଯଜ୍ଞ ନାମରେ ସେଥିରେ ଅନେକ ପଶୁବଳୀ ଦେଉଥିଲେ । ନିରୀହ ପଶୁମାନଙ୍କର ଦାରୁଣ ନିର୍ଯ୍ୟାତନା ଓ କଷ୍ଟ ଦେଖି ଧର୍ମର ପୁରାତନ ରୀତି ସବୁ ପ୍ରତି ତାଙ୍କ ମନରେ ବିତୃଷ୍ଣା ଦେଖାଦେଲା ।
ତେଣୁ ଲୋକାଳୟର ଦୂରରେ ରହି ସେ ଏକ ଅଶ୍ୱତ୍ଥ ବୃକ୍ଷ ତଳେ ଧ୍ୟାନମଗ୍ନ ହେଲେ । ଅନେକ ଦିନ ଧରି ଏଇପରି ଧ୍ୟାନ କରିବା ପରେ ଥରେ ବୈଶାଖ ପୂର୍ଣ୍ଣିମାରେ ସେ ପରମଜ୍ଞାନ ବା ବୁଦ୍ଧତ୍ୱ ପ୍ରାପ୍ତ ହେଲେ । ସେହିଦିନଠାରୁ ସେ ବୁଦ୍ଧ ନାମରେ ଖ୍ୟାତ ହେଲେ । ତାଙ୍କର ସେହି ଅନିର୍ବଚନୀୟ ଅନୁଭୂତିକୁ ସେ ନିର୍ବାଣ ନାମ ଦେଲେ । ସେ ଜନ୍ମ ହୋଇଥିଲେ ସେଇ ବୈଶାଖ ପୂର୍ଣ୍ଣିମାରେ, ନିର୍ବାଣ ମଧ୍ୟ ସେହିଦିନ ଲାଭ ହେଲା । ତେଣୁ ସେହି ପୂର୍ଣ୍ଣିମାକୁ ବୁଦ୍ଧ ପୂର୍ଣ୍ଣିମା ବୋଲି ମଧ୍ୟ କୁହାଯାଏ । ସେହି ଅଶ୍ୱତ୍ଥ ବୃକ୍ଷକୁ ବୋଧିବୃକ୍ଷ ଭାବରେ ନାମିତ କରାଗଲା । ସେ ନିଜେ ଗୌତମ ବୁଦ୍ଧ ବା ବୋଧିସତ୍ୱ ଭାବରେ ବିଖ୍ୟାତ ହେଲେ ।
ଜଗତରେ ଜ୍ଞାନର ବିଶେଷ ବିଜ୍ଞାଶ ଦ୍ୱାରା ମଣିଷ ନିଜର ଦୁଃଖ ଦୂର କରିପାରିବ ଓ ଅନ୍ୟକୁ ମଧ୍ୟ ଉଦ୍ଧାର କରି ପାରିବ । ଦୁଃଖ, ଯାତନା କାମନାରୁ ଆସେ । ସେ କହୁଥିଲେ କାମନାର ବିନାଶରେ ଦୁଃଖର ବିନାଶ । କାମନାକୁ ନିୟନ୍ତ୍ରଣ କରି ରାଗ ଦ୍ୱେଷ ଓ ସୁଖଦୁଃଖରୁ ବହୁ ଦୂରରେ ରହି ନିର୍ବାଣ ଦ୍ୱାରା ବୁଦ୍ଧତ୍ୱ ପ୍ରାପ୍ତ ହୁଏ । ଯେପରି ଗୋଟିଏ ପ୍ରଜ୍ୱଳିତ ପ୍ରଦୀପ ଅନେକ ପ୍ରଦୀପକୁ ପ୍ରଜ୍ୱଳିତ କରିଥାଏ ଠିକ୍ ସେହିପରି ଜଣେ ନିର୍ବାଣପ୍ରାପ୍ତ ବ୍ୟକ୍ତି ଅନେକ ବ୍ୟକ୍ତିଙ୍କର ନିର୍ବାଣ ପ୍ରାପ୍ତିରେ ସହାୟତା କରିଥାଏ । ବୁଦ୍ଧହିଁ ଜଗତର ଜ୍ୟୋତି ଥିଲେ ।
ସ୍ୱୟଂ ଉପଲବ୍ଧି କରିଥିବା ସତ୍ୟକୁ ସେ କ୍ରମେ ପ୍ରଚାର କରିବାକୁ ଲାଗିଲେ । ଏହା ଏକ ସମ୍ପୂର୍ଣ୍ଣ ନୂତନ ଯୋଗଦର୍ଶନ ହୋଇଥିବାରୁ ପ୍ରଥମେ ପ୍ରଥମେ ତ ଅନେକେ ଏହାର ତୀବ୍ର ବିରୋଧ କଲେ । ମାତ୍ର ପରେ ଲୋକମାନେ ଧୀରେ ଧୀରେ ଏହି ସତ୍ୟକୁ ଉପଲବ୍ଧି କରି ତାଙ୍କର ଶିଷ୍ୟତ୍ୱ ଗ୍ରହଣ କଲେ ।
ଅହିଂସା ପରମ ଧର୍ମ! ଏହି ସତ୍ୟ ତାଙ୍କ ଧର୍ମର ମୂଳଭିତ୍ତି ଥିଲା । ସେ ଏହି ଧର୍ମ ପ୍ରଚାର କରି ସାରା ଦେଶ ପର୍ଯ୍ୟଟନ କଲେ । ଏଇ ଅବସରରେ ମଗଧର ସମ୍ରାଟ ବିମ୍ବିସାର ବୁଦ୍ଧଙ୍କ ଦ୍ୱାରା ନୂତନ ଧର୍ମରେ ପ୍ରଭାବିତ ହୋଇ ତାଙ୍କ ରାଜ୍ୟରେ ହେଉଥିବା ଏକହଜାର ପ୍ରାଣୀଙ୍କୁ ବଧ କରୁଥିବା ଯଜ୍ଞକୁ ସେ ସବୁଦିନ ଲାଗି ବନ୍ଦ କରିଦେଲେ । ସେ ନିଜ ରାଜ୍ୟରେ ବୁଦ୍ଧଙ୍କ ବାଣୀ ସବୁ ପ୍ରଚାର କଲେ ।
ବୁଦ୍ଧ ଅନେକ ରାଜ୍ୟ ବୁଲି ବୁଲି ବୌଦ୍ଧସଂଘ ପ୍ରତିଷ୍ଠା କଲେ । ଏହି ଧର୍ମାବଲମ୍ବୀ ସନ୍ନ୍ୟାସୀମାନଙ୍କୁ ବୌଦ୍ଧ ବୋଲି କୁହା ଯାଉଥାଏ । ଜାତିଧର୍ମ ନିର୍ବଶେଷରେ ଅନେକ ଲୋକ ବୌଦ୍ଧଧର୍ମ ଗ୍ରହଣ କଲେ । ତାଙ୍କ ଜୀବନକାଳରେ ବହୁ ପଣ୍ଡିତ, ଜ୍ଞାନୀ, ପାମର, ପାପୀ ରାଜା ଓ ଚକ୍ରବର୍ତ୍ତୀ ମଧ୍ୟ ବୁଦ୍ଧଙ୍କୁ ଅବତାର ପୁରୁଷ ବୋଲି ସ୍ୱୀକାର କଲେ । ଛ ବର୍ଷ ପରେ ସେ ଅନ୍ୟାନ୍ୟ ଅନେକ ରାଜ୍ୟ ସବୁ ବୁଲୁବୁଲୁ ଦିନେ ସେ ଆସି କପିଳବାସ୍ତୁରେ ପହଁଚିଲେ ।
ବୁଦ୍ଧଙ୍କର ଆଗମନ ସମ୍ବାଦ ଶୁଣି ସାରା ରାଜ୍ୟ ତାଙ୍କୁ ସମ୍ବର୍ଦ୍ଧନା ଦେବାକୁ ଅତି ଉତ୍ସାହରେ ମାତି ଉଠିଲେ । ଶୁଦ୍ଧୋଦନ ଅତି ଆନନ୍ଦିତ ହେଲେ ଯେ ତାଙ୍କ ପୁଅ ଫେରି ଆସୁଛି ।
ପୁତ୍ର ରାହୁଳ ଯଶୋଧାରାଙ୍କୁ ପଚାରିଲା, “ମା, ବାପା ଆସୁଛନ୍ତି ବୋଲି ଶୁଣା ହେଉଛି ।”
ଯଶୋଧାରା କହିଲେ “ହଁ, ପୁଅ, ତୋ ବାବା ଜଣେ ଭିକ୍ଷୁକ ହୋଇ ଆସିବେ ।”
ରାହୁଳ ପଚାରିଲା “କାହିଁକି, ତାଙ୍କର ତ ଏ ସାରା ରାଜ୍ୟ । ସେ ପୁଣି କାହିଁକି ଭିକ୍ଷା ମାଗିବେ?”
ଯଶୋଧାରା କହିଲେ “ଏ ସାରା ରାଜ୍ୟ ନୁହେଁ । ସେ ଏ ସାରା ପୃଥିବୀକୁହିଁ ଜ୍ଞାନର ଆଲୋକ ବିତରଣ କରି ଚାଲିଛନ୍ତି । ଆଉ ତାଙ୍କରି ଉପଲବ୍ଧ ସତ୍ୟକୁ ଅନୁସରଣ କରିବାହିଁ ଆମର ତାଙ୍କ ପାଇଁ ଭିକ୍ଷା । ପାରିବୁ ତ?”
ରାହୁଳ କହିଲା “ମା, ମୁଁ ନିଶ୍ଚୟ ପାରିବି । ପିତାଙ୍କର ବାଣୀକୁ ଅନୁସରଣ କରି ମୁଁ ବି ତାଙ୍କ ସଂଘରେ ଯୋଗ ଦେବି । ସାରା ଜୀବନ ଧରି ମୁଁ କେବଳ ତାଙ୍କରି କଥାରେହିଁ ଚଳିବି ।” ରାହୁଳର ଏପରି କଥାରେ ବାତ୍ସଲ୍ୟବଶତଃ ଯଶୋଧାରାଙ୍କ ଚକ୍ଷୁରୁ ଧାର ଧାର ହୋଇ ଲୋତକ ବହିଗଲା । ରାହୁଳ ଭଗବାନ ବୁଦ୍ଧଙ୍କର ଯେ ଯୋଗ୍ୟ ପୁତ୍ର ଏଇ କଥା ଭାବି ସେ ଖୁବ୍ ଆନନ୍ଦିତ ହେଲେ ।