ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବିଷ୍ଣୁ ପୁରାଣ

                ସେ ଜୀବକକୁ କହିଲେ, “ଦେଖ ଜୀବକ ବୌଦ୍ଧଧର୍ମ ମିଥ୍ୟାଚାରରେ ପୂର୍ଣ୍ଣ । ବୁଦ୍ଧ ଯାହା କହୁଛି ତାହା କ’ଣ ସବୁ ସତ । ସେ କୁହେ ସବୁ ମନୁଷ୍ୟ ସମାନ । ପୁଣି ଯିଏ ଯାହା ଭିକ୍ଷା ଦେବ ତାହା ସେ ଅଚିରେ ଗ୍ରହଣ କରିବ । ଦେଖାଯାଉ ପରୀକ୍ଷା ସ୍ୱରୂପ ତୁ ତାଙ୍କୁ ମାଂସ ତରକାରୀ କରି ଖାଇବାକୁ ଡାକିବୁ । ସେ ତାହା ଗ୍ରହଣ କରୁଛି ନା ନାହିଁ ଦେଖିବା ।”

                ଜୀବକ ବିଚାରା ସରଳ ଲୋକ ଥିଲା । ସେ ଏହା ପଛରେ ଥିବା ଅଭିସନ୍ଧି ଆଦୌ ବୁଝିପାରି ନଥିଲା । ତେଣୁ ସେ ଖୁସିରେ ଯାଇ ବୁଦ୍ଧଙ୍କୁ ନିମନ୍ତ୍ରଣ କରି ଆସିଲା । ଠିକ୍ ସମୟରେ ବୁଦ୍ଧ ଆସି ସେଠାରେ ପହଁଚିଲେ । ଏଣେ ଦେବଦତ ଲୁଚି ଲୁଚି ସବୁ ଦେଖୁଥାଏ । ବୁଦ୍ଧଙ୍କୁ କ’ଣ ଖାଇବାକୁ ଦେବ ବୋଲି ସେ ବ୍ୟସ୍ତ ହୋଇ ପଡିଲା । କିନ୍ତୁ ବୁଦ୍ଧ ଧୀରସ୍ଥିର ଭାବରେ କହିଲେ, “ବତ୍ସ ଜୀବକ, ତୁ ମୋତେ ଭିକ୍ଷା ଦେବାପାଇଁ ଏତେ କାହିଁକି ସଂକୋଚ କରୁଛୁ ଓ ବ୍ୟସ୍ତ ହେଉଛୁ । ତୁ ନିଜେ ଯାହା ଖାଉ ସେଇଥିରୁ କିଛି ଦେ ମୁଁ ଖାଇବି ।”

                ଜୀବକ ଶେଷରେ ଭିକ୍ଷା ଦେଲା । ତା’ର ହାତ ଥରୁଛି । ବୁଦ୍ଧଙ୍କ ଭିକ୍ଷାପାତ୍ରରେ ସେ ମାଂସାହାର ଢାଳିଦେଲା । ଭକ୍ତର ମନୋବାଂଛା ପୁରଣ କରିବାକୁ ଯାଇ ବୁଦ୍ଧ ତାହା ଗ୍ରହଣ କଲେ ଓ ଜୀବକକୁ ଆଶିର୍ବାଦ ଦେଇ ସେଠୁ ଚାଲିଗଲେ ।

                କିନ୍ତୁ ବୁଦ୍ଧ ତ ସେପରି ଖାଦ୍ୟ ଖାଇବାରେ କେବେ ମଧ୍ୟ ଅଭ୍ୟସ୍ତ ନଥିଲେ । ତେଣୁ ତାଙ୍କର ଦିବ୍ୟଶରୀର ସକାଶେ ତାହା ବିଷତୁଲ୍ୟ କାର୍ଯ୍ୟ କଲା । ତା’ପରେ ତା’ର ପ୍ରତିକ୍ରିୟାସ୍ୱରୂପ ବୁଦ୍ଧଙ୍କ ଶରୀରରେ ଯନ୍ତ୍ରଣା ଦେଖାଦେଲା । ସେ ଶଯ୍ୟାଶାୟୀ ହେଲେ ।

                ଏଣେ ଜୀବକ ମନକୁ ପାପ ଛୁଇଁଲା । ସେ ବୁଦ୍ଧଙ୍କ ଏପରି ଅବସ୍ଥା ପାଇଁ ନିଜକୁ ନିଜେ ଅପରାଧୀ ମନେ କଲା । ଦେବଦତ ମଧ୍ୟ ବୁଦ୍ଧଙ୍କର ସେହି ସ୍ୱର୍ଗୀୟ କରୁଣା ଦେଖି ଖୁବ୍ ଆଶ୍ଚର୍ଯ୍ୟ ହେଲେ । କରୁଣାମୟଙ୍କର ତ୍ୟାଗ ତାଙ୍କ ମନରେ ଭାବାନ୍ତର ସୃଷ୍ଟି କଲା । ଏଣୁ ସେ ପଶ୍ଚାତାପ କରିବାକୁ ଲାଗିଲେ ।

                ଶଯ୍ୟାଶାୟୀ ବୁଦ୍ଧଙ୍କର ଶଯ୍ୟା ଚାରିପାଖରେ ତାଙ୍କର ଶିଷ୍ୟବର୍ଗ ଓ ଅନୁତପ୍ତ ଦେବଦତ ଓ ଜୀବକ ବସି ରହିଲେ । ସମଗ୍ର ବାୟୁମଣ୍ଡଳ ନିସ୍ତବ୍ଧ ଓ ଶାନ୍ତ ଥିଲା । ସେମାନଙ୍କ ମୁଖରେ ଏକ ନିରାଶ ଭାବ ଫୁଟି ଉଠୁଥିଲା । ବୁଦ୍ଧ ଆଖି ଖୋଲି ଚାହିଁଲେ । ସେ ଦୁହିଁଙ୍କୁ ପାଖକୁ ଡାକି ସେ କହିଲେ, “ତମେ ଦୁହେଁ ଆଉ ଯମାରୁ ଚିନ୍ତା କରନାହିଁ । ମୃତ୍ୟୁ ତ କେବେ ନା କେବେ ଆସନ୍ତା । କିନ୍ତୁ ଏବେ ମୋର ନିର୍ବାଣ ପାଇଁ ତୁମେ ଦୁହେଁ ସହାୟତା କରିଛ, ମୁଁ ତୁମମାନଙ୍କ ପ୍ରତି କୃତଜ୍ଞ । ଏବେ ନିର୍ବାଣ ନିକଟରେ ।”

                କରୁଣାମୟ ବୁଦ୍ଧଙ୍କର ଏଭଳି ବଚନ ଶୁଣି ଦେବଦତର ହୃଦୟରେ ପରିବର୍ତ୍ତନ ଦେଖାଦେଲା । ସେ ବୁଦ୍ଧଙ୍କ ଚରଣ ସ୍ପର୍ଶ କରିବା ପାଇଁ ଅନୁମତି ମାଗିଲେ । ବୁଦ୍ଧ ତାଙ୍କୁ ପାଖକୁ ଡାକି ତାଙ୍କ ମଥାରେ ହାତ ରଖି ସେ କହିଲେ, “ବତ୍ସ ଦେବଦତ ଯିଏ ମାନବ ଜାତିର କଲ୍ୟାଣ ପାଇଁ ନିଜର ବୁଦ୍ଧିର ଉପଯୋଗ କରେ ସେହିଁ ବୁଦ୍ଧ । ସେ ବୁଦ୍ଧ ମୃତ୍ୟୁର ଅତୀତ । ତୁମେ ଛୋଟ ସୀମିତ ପରିସର ମଧ୍ୟରେ ତୁମର ବୁଦ୍ଧିର ଉପଯୋଗ କରି ବୈରଭାବ, ଦ୍ୱେଷ ଇତ୍ୟାଦିର ବଶବର୍ତ୍ତୀ ହୋଇ କାମ କରିଛ ବୋଲି ପଶ୍ଚାତାପ କରୁଛ । ଏବେ ମୋର ଅନ୍ତିମ ସମୟ । ମୋର ଶେଷ ସହିତ ତୁମର ସମସ୍ତ ଦୁଷ୍ପବୃତ୍ତି ମଧ୍ୟ ଶେଷ ହୋଇଯାଉ । ଏହାହିଁ ମୋର ଇଚ୍ଛା । ମୁଁ ଏବେ ଚାଲିଯିବି । ଭାବିନିଅ ତମେ ମୋରି ସ୍ଥାନରେ ଅଛ । ଆମର ଅନ୍ୟ ଭାଇମାନେ ଆନନ୍ଦ ଓ ନନ୍ଦ ଇତ୍ୟାଦି ରାଜଭୋଗ ତ୍ୟାଗ କରି ସଂଘରେ ଯୋଗ ଦେଇଛନ୍ତି । ତମେ ମଧ୍ୟ ବୌଦ୍ଧଧର୍ମ ଅନୁସରଣ କରି ଜନସମାଜର କଲ୍ୟାଣ ପାଇଁ ନିଜକୁ ଉତ୍ସର୍ଗ କର ।”


ଗପ ସାରଣୀ

ତାଲିକାଭୁକ୍ତ ଗପ