ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବିହଙ୍ଗ କଥା

ବିନ୍ଧ୍ୟ ପର୍ବତରେ ଗୋଟାଏ ଆକାଶଚୁମ୍ବୀ ଅର୍ଜୁନ ଗଛ ଥିଲା । ସେ ଗଛରେ ଏକ ବିଚିତ୍ର ପକ୍ଷୀ ବାସ କରୁଥିଲା । ଅତି ଉଜ୍ଜ୍ୱଳ ସୁନାରଙ୍ଗର ପର ଓ ନାଲି ଚଂଚୁ, ପ୍ରକୃତରେ ପକ୍ଷୀଟି ଅତି ସୁନ୍ଦରଦେଖା ଯାଉଥିଲା । ମୟୂର ପୁଚ୍ଛଭଳି ତା’ର ଦୀର୍ଘ ପୁଚ୍ଛ । ବିଭିନ୍ନ ରଙ୍ଗରେ ସୁନ୍ଦର ଦିଶୁଥିଲା । ବେଳେବେଳେ ସେ ପକ୍ଷୀ ଜନବସତିକୁ ଆସି କୌଣସି ଏକ ଉଚ୍ଚ ଗଛ ଶାଖାରେ ବସି ମଧୁର ସଙ୍ଗୀତ ଗାନ କରୁଥିଲା ଓ ସଦୁପଦେଶମାନ ଦେଉଥିଲା । ଲୋକେ ଅତି ଆଗ୍ରହରେ ସେ ପକ୍ଷୀର ଆଗମନକୁ ଅପେକ୍ଷା କରୁଥିଲେ । ସେ ପକ୍ଷୀ ଆସିଲେ ଖୁସିହୋଇ ଦେଖୁଥିଲେ ଓ ତାଙ୍କୁ ପୂଜା ବି କରୁଥିଲେ । ଲୋକେ ପକ୍ଷୀର ଏଭଳି ଗୁଣ ଜାଣି ତାକୁ “ପ୍ରଭୁ ପକ୍ଷୀ” ବୋଲି କହୁଥିଲେ ।

                ସେ ରାଜ୍ୟର ରାଜା ବିକ୍ରମ କେଶରୀ ସୁବର୍ଣ୍ଣପୁରରେ ରାଜଧାନୀ କରି ରାଜୁତି କରୁଥିଲେ । ମହାରାଜ ବହୁଚେଷ୍ଟା ସତ୍ତ୍ୱେ ସେ ପକ୍ଷୀକୁ ଦେଖିପାରି ନ ଥିଲେ । ହୁଏତ ସେ ଅଦ୍ଭୁତ “ପ୍ରଭୁ ପକ୍ଷୀ” ମହାରାଜଙ୍କୁ ଦେଖାଦେବାପାଇଁ ଚାହୁଁ ନଥିଲା । ତେଣୁ ତାଙ୍କ ଆସିବା ଖବର ଶୁଣି ସେ ବହୁ ଉଚ୍ଚ ଆକାଶକୁ ପବନ ବେଗରେ ଉଡିଯାଇ ଅଦୃଶ୍ୟ ହେଉଥିଲା । ପକ୍ଷୀଟିର ବିଚିତ୍ର କଥାସବୁ ଶୁଣି ବିକ୍ରମ କେଶରୀଙ୍କ ଆଗ୍ରହ କ୍ରମେ ବଢିଲା । ସେ ଘୋଷଣା କଲେ ଯେ, ଯିଏ ସେହି ପ୍ରଭୁ ପକ୍ଷୀକୁ ଧରିଆଣି ପାରିବ, ତାକୁ ସେ ଏକସହସ୍ର ସ୍ୱର୍ଣ୍ଣମୁଦ୍ରା ପୁରସ୍କାର ଦେବେ ।

                ସୁବର୍ଣ୍ଣପୁରର ଉପକଣ୍ଠରେ ବେଦବ୍ରହ୍ମ ନାମକ ଜଣେ ଗରିବ ଲୋକ ତା’ ପରିବାର ସହ ରହୁଥିଲା । ଦିନେ ସେ ପ୍ରଭୁପକ୍ଷୀକୁ ଧରି ରାଜାଙ୍କ ପାଖରୁ ପୁରସ୍କାର ପାଇବ ବୋଲି ଭାବିଲା । ଲୋକଙ୍କୁ ପଚାରି ପଚାରି ବିନ୍ଧ୍ୟ ପର୍ବତମାଳା ଆଡକୁ ସେ ଅଗ୍ରସର ହେଲା । ବେଦବ୍ରହ୍ମ ବହୁ କଷ୍ଟକରି ସେ ପର୍ବତ ଉପରକୁ ଗଲା । ପର୍ବତର ଗୋଟାଏ ଉଚ୍ଚ ଅର୍ଜୁନ ଗଛ ଦେଖି ସେ ସେହି ଗଛମୂଳେ ପହଁଚିଲା । ସେତେବେଳେ ସଂନ୍ଧ୍ୟା ହୋଇ ଆସୁଥିଲା । ଧୀରେ ଧୀରେ ପଶ୍ଚିମ ଦିଗରେ ସୂର୍ଯ୍ୟ ଅସ୍ତ ଗଲେ । ସାରା ପର୍ବତ ଓ ପର୍ବତ ତଳ ଜଙ୍ଗଲରେ ରାତିର ଅନ୍ଧକାର ଘୋଡାଇ ହେଲା; କିନ୍ତୁ ପରକ୍ଷଣରେ ପୂର୍ବଦିଗରେ ପୂର୍ଣ୍ଣମୀର ଚନ୍ଦ୍ର ଉଇଁ ଆସିଲା । ଚତୁର୍ଦ୍ଦିଗ ଉଜ୍ଜ୍ୱଳ ଦିଶିଲା ।

                ପ୍ରଭୁପକ୍ଷୀ ଉତ୍ତର ଦିଗରୁ ଆକାଶରେ ଉଡିଆସି ତା’ ବସା ଭିତରେ ପଶିଗଲା । ଗଛମୂଳେ ବସି ବେଦବ୍ରହ୍ମ ସେ ସବୁ ଲକ୍ଷ୍ୟ କରୁଥିଲା । କିଛିକ୍ଷଣ ପରେ ହଠାତ୍ ପବନର ଏକ ତରଙ୍ଗ ଖେଳିଗଲା । ସେ ଦେଖିଲା ସେହି ବିଚିତ୍ର ପକ୍ଷୀ ତା’ ସାମନାରେ ଥିବା ଖଣ୍ଡିଏ ପଥର ଉପରେ ବସିଛି ।


ଗପ ସାରଣୀ

ତାଲିକାଭୁକ୍ତ ଗପ