ଏଣେ ନିଶା ଗରଜୁଥାଏ, ଠିକ୍ ସେହି ମୁହୂର୍ତ୍ତରେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀ ମାନଙ୍କର ଅଟ୍ଟହାସ୍ୟ ବି ଶୁଭୁଥାଏ । ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।
କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । ତେବେ ସେ ତାକୁ ନିଜ କାନ୍ଧରେ ପକାଇ ସେହି ଶୁନ୍ଶାନ୍ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ସେହି ବେତାଳ କହିଲା, “ରାଜନ୍, ଅର୍ଦ୍ଧରାତ୍ରି ସମୟରେ ଏହି ଭୟାନକ ଶ୍ମଶାନରେ ଆପଣଙ୍କ କର୍ମଠତା, ଦୃଢସଂକଳ୍ପ ଓ କଷ୍ଟ ସହିବାର ଶକ୍ତି ଦେଖି ମୁଁ ଆପଣଙ୍କୁ ପ୍ରଶଂସା ନ କରି ଆଉ ରହି ପାରୁନାହିଁ । କିନ୍ତୁ ଏସବୁ କେଉଁଥିପାଇଁ? ଏସବୁ ଯେଉଁଥିପାଇଁ କରୁଛନ୍ତି ତାହା ଆପଣଙ୍କ ଜୀବନରେ ପ୍ରତିଷ୍ଠା ଓ ସୁଖ୍ୟାତି ଆଣିବ ନା ଆପଣ ତଦ୍ୱାରା ଅପମାନିତ ହେବେ ତାହା ତ କହି ହେଉନାହିଁ । ଅଭିଜ୍ଞ ଲୋକେ କହନ୍ତି କେହି ହେଲେ ନିଜର ଶକ୍ତି ପାଇଁ ଏପରି ଅସାଧ୍ୟ ସାଧନ କରିବାରେ ବ୍ରତୀ ହେବା ଉଚିତ୍ ନୁହେଁ । ଏହା ପ୍ରକୃତରେ ଏକ ସତ୍ୟ ବାଣୀ । ମୋର ଏହି ତଥ୍ୟର ବାସ୍ତବିକତାକୁ ସ୍ପଷ୍ଟ କରିବ ବୀଣାପାଣିର ବୃତାନ୍ତ । ଆପଣଙ୍କୁ କହୁଛି, ମନଦେଇ ମୋକଥା ଶୁଣନ୍ତୁ, ଶ୍ରମଭାର ଲାଘବ ହେବ ।” ଏହାପରେ ସେ ବେତାଳ ଗପିଲା –
ଚନ୍ଦ୍ରପୁରୀ ରାଜ୍ୟରେ ରାମ ନାମରେ ଚାଷୀଟିଏ ଓ ତା’ର ସ୍ତ୍ରୀ କମଳା ଥା’ନ୍ତି । ତାଙ୍କର ବିବାହର ବହୁବର୍ଷ ପରେ କନ୍ୟାସନ୍ତାନଟିଏ ଜନ୍ମ ହେଲା । ସେ ଦେଖିବାକୁ ଅତି ସୁନ୍ଦର, ତା’ ଦେହରେ ସୁନାର ରଙ୍ଗ । ରାମ ତାର ନାମ ବୀଣାପାଣି ରଖିଲା । ଦିନକୁ ଦିନ ସେହି ବୀଣାପାଣିର ସୌନ୍ଦର୍ଯ୍ୟ ଚନ୍ଦ୍ରକଳା ପରି ବୃଦ୍ଧି ପାଇଲା । ତାକୁ ଯିଏବି ଦେଖେ ସେ କୁହେ, ଏ ଝିଅ କୌଣସି ରାଜକୁମାରକୁ ବିବାହ କରିବା ଉଚିତ୍ । ଏପରି ଅଦ୍ଭୁତ ସୁନ୍ଦରୀ ରାଜନଅରରେ ମଧ୍ୟ ନଥିବେ ।
ଏମିତି କେତେ କଥା ସବୁ ଶୁଣି ଶୁଣି ବୀଣା ଭାବିଲା ତା’ର ସ୍ୱାମୀ ହେବାକୁ କେବଳ ରାଜକୁମାର ଯୋଗ୍ୟ, ଅନ୍ୟ କାହାକୁ ସେ କଦାପି ମଧ୍ୟ ବିବାହ କରିବ ନାହିଁ । ରାମର ବନ୍ଧୁ ବିଶ୍ୱନାଥ ଚାହିଁଲା କି ସେହି ଝିଅଟିକୁ ବୋହୁ କରିନେବ । ଶିବକୁମାର ହେଲା ତା’ର ଏକମାତ୍ର ସନ୍ତାନ । ସେମାନେ ପ୍ରାପ୍ତ ବୟସ୍କ ହେବା ପରେ ଶିବ ଦିନେ ବୀଣାକୁ କହିଲା, “ବୀଣା, ମୁଁ ତୁମ ଆଗରେ ଆଜି ମୋ ମନକଥା ଖୋଲି କହୁଛି । ମନଦେଇ ମୋକଥା ଶୁଣ । ତୁମକୁ ମୁଁ ମୋର ପ୍ରାଣଠୁ ବଳି ଅଧିକ ଭଲ ପାଏ । ତୁମର ଯଦି ଏ କଥାରେ କୌଣସି ଦ୍ୱନ୍ଦ୍ୱ ନଥାଏ ତେବେ ଜାଣ ଆମର ବିବାହ ହୋଇଗଲା ।”
ତା’ର ଏକଥା ଶୁଣିବା ମାତ୍ରେ ବୀଣା କହିଲା, “ତୁମକୁ ବିବାହ କରିବାର ଇଚ୍ଛା ନା ମୋର କେବେ ଥିଲା; କି ଏବେ ମଧ୍ୟ ନାହିଁ ।” ଏଭଳି କଥା ଶୁଣି ଶିବ ତା’ ମନରେ ଶକ୍ତ ଆଘାତ ପାଇଲା । ସେ କହିଲା “ଠିକ୍ ଅଛି, ବିବାହ ତ ଆଉ ଜୋର୍କରି କରାଯାଏ ନାହିଁ । କିନ୍ତୁ ଗୋଟିଏ କଥା ମନେରଖ ମୁଁ ଯଦି କେବେ କାହାକୁ ବିବାହ କରେ ତେବେ ସେ ଜଣକ ହେଉଛି କେବଳ ତୁମକୁ । ନହେଲେ ମୁଁ ଆଜୀବନ ଏମିତି ଅବିବାହିତ ହୋଇ ରହିବି ।” ଶିବ ମନକଥା ଶୁଣି ବୀଣା ଆଉ କିଛି କହିଲା ନାହିଁ । ପରେ ସେ ଭାବିଲା କୌଣସି ରାଜକୁମାରକୁ ବିବାହ ପାଇଁ ଖାଲି ସୌନ୍ଦର୍ଯ୍ୟ ତ ଆଉ ଯଥେଷ୍ଟ ନୁହେଁ, ସେଥିପାଇଁ ରାଜକୀୟ ପୋଷାକ ପତ୍ର, ମର୍ଯ୍ୟାଦାପୂର୍ଣ୍ଣ କଥାବାର୍ତ୍ତା, ଚାଲିଚଲଣ ସବୁକିଛି ରହିବା ବି ଦରକାର । ହେଲେ ଏବେ ସେ ସେସବୁ କେଉଁଠାରୁ ଶିଖିବ? ସେ ଭାବିଲା ମହାରାଣୀଙ୍କର ପରିଚାରିକା ହୋଇ କିଛିଦିନ ରହିଲେ ସେ ଧିରେ ଧିରେ ସବୁ ଶିଖିଯିବ ।