ବୀଣାର ଝିଅସାଙ୍ଗ ଚନ୍ଦ୍ରା କିଛି ଦିନ ଧରି ମହାରାଣୀଙ୍କ ପରିଚାରିକା କାମ କରୁଥାଏ । ତାହାରି ସାହାଯ୍ୟରେ ସେ ମହାରାଣୀଙ୍କର ପରିଚାରିକା ରୂପେ ନିଯୁକ୍ତି ପାଇଲା । ଦିନେ ରାଣୀଙ୍କପାଖକୁ ଜଣେ ଚିତ୍ରକର ଆସିଲା । ସେ କହିଲା, “ମା, ମୁଁ ଗୋଟାଏ ଚିତ୍ର ଆଙ୍କିଛି, ସେଇଟି ଆପଣଙ୍କୁ ଭେଟି ଦେବି ।” ଏହା ଶୁଣି ବୀଣା ତାଙ୍କଠାରୁ ଚିତ୍ରଟି ନେଇ ରାଣୀଙ୍କ ହାତରେ ଦେଲା ।
ସେ ଚିତ୍ରଟି ସୂର୍ଯ୍ୟାସ୍ତ ଉପରେ ଅଙ୍କା ହୋଇଛି । ସେହି ଚିତ୍ରଟିରେ ରଙ୍ଗସଜ୍ଜା ଅତି ଅଦ୍ଭୁତ ହୋଇଥାଏ । ଚିତ୍ରଟି ଦେଖି ରାଣୀ ଅତ୍ୟନ୍ତ ମୁଗ୍ଧ ହୋଇ ଚିତ୍ରକରକୁ ଏକହଜାର ସୁନାମୋହର ଦେଲେ । ମହାରାଣୀ ବୀଣାକୁ ପଚାରିଲେ, ଏ ଚିତ୍ରଟି କିମିତି ହୋଇଛି । ତହୁଁ ସେ ବୀଣା କହିଲା, “ଆମେ ତ ପ୍ରତିଦିନ ସୂର୍ଯ୍ୟାସ୍ତ ଦେଖୁଛୁ । ସେଥିରେ ନୂତନତ୍ତ୍ୱ ବା ବିଶେଷତ୍ତ୍ୱ କ’ଣ ରହିଲା? ସେ ଯାହା ବି ହେଉ ଏଇ ଚିତ୍ର ପାଇଁ ହଜାରେ ସ୍ୱର୍ଣ୍ଣମୁଦ୍ରା ଦେବାଟା ମୋତେ କାହିଁ ପାଣିରେ ପଡିଲା ପରି ଲାଗୁଛି ।”
ବୀଣାର ଏକଥା ଶୁଣି ରାଣୀ ହସି ହସି କହିଲେ, “ବୀଣା, ଭଗବାନ୍ ତ ତୋତେ ସୁନ୍ଦର ରୂପ ଦେଇଛନ୍ତି, କିନ୍ତୁ ସେ ତୋତେ କଳାପୂର୍ଣ୍ଣ ହୃଦୟ ଦେଇ ନାହାଁନ୍ତି । ଆଚ୍ଛା ତୁ କ’ଣ ଜାଣୁନାହୁଁ ଯେ ଆମେ ଜିନିଷର ମୂଲ୍ୟ ଅନୁରୂପ ପୁରସ୍କାର ଦେଇଥାଉ ବୋଲି?” ଏପ୍ରକାର କଥା ଶୁଣି ବୀଣା ଆଉ କିଛିବି କହିଲା ନାହିଁ । ଦିନେ ମହାରାଜା ଓ ମହାରାଣୀ ଅନ୍ତଃପୁରରେ ବସି କଥାବାର୍ତ୍ତା ହେଉଥିଲେ । ବୀଣା ସେଠାରେ ଥାଇ ସେ ଦୁହିଁଙ୍କ ଉପରେ ଚାମର ଢାଳୁଥାଏ । ଠିକ୍ ସେତିକିବେଳେ ଜଣେ ଗୁପ୍ତଚର ଆସି ରାଜାଙ୍କୁ କହିଲା, “ମହାରାଜ ନାଗପୁରର ରାଜା ଆମ ରାଜ୍ୟ ଉପରେ ଆକ୍ରମଣ କରିବାପାଇଁ ସୈନ୍ୟସଜ୍ଜା କରୁଛନ୍ତି ।” ଯୁଦ୍ଧ ଖବର ଶୁଣି ବୀଣା ଭୟରେ ମୂର୍ଚ୍ଛା ଗଲା । ରାଜା କହିଲେ, “ନାଗପୁରର ରାଜା ଶକ୍ତିସିଂହ ଆମ ଉପରେ ଆକ୍ରମଣ କରି ପାରନ୍ତି, କିନ୍ତୁ ତାହା ହଠାତ୍ ହେବ ନାହିଁ ଯେହେତୁ ତାଙ୍କୁ ପ୍ରଥମେ ନଦୀମାନଙ୍କୁ ପାର ହେବାକୁ ପଡିବ । ଆଉ ସେଠାରେ ଆମର ସତର୍କ ପ୍ରହରୀ ମାନେ ଜଗି ରହିଛନ୍ତି । ତା’ପରେ ସେ ରାଜା ବୀଣାକୁ ଚାହିଁ କହିଲେ, “ଅନ୍ତଃପୁରରେ ରହିବା ଲୋକ ଯଦି ଏତିକି ଡରନ୍ତି ତେବେ ସାଧାରଣ ପ୍ରଜାଙ୍କ ଅବସ୍ଥା କ’ଣ ହେବ? ଧୈର୍ଯ୍ୟ ଧରିବା ଉଚିତ୍ ।”
ଦିନେ ରାଣୀ ବନବିହାର କରିବାକୁ ବାହାରିଲେ । ସେତେବେଳେ ପରିଚାରିକାମାନେ ମଧ୍ୟ ତାଙ୍କ ସହିତ ଗଲେ । କିନ୍ତୁ ବୀଣା ମୁଣ୍ଡ ବିନ୍ଧୁଛି ବୋଲି ବାହାନା କରି ଗଲା ନାହିଁ । କାରଣ ବହୁଦିନରୁ ତା’ର ଇଚ୍ଛା ଥିଲା ମହାରାଣୀଙ୍କ ଅଳଙ୍କାର ଓ ପୋଷାକ ପତ୍ର ପିନ୍ଧି ସେ ଥରେ ନିଜକୁ ଦର୍ପଣରେ ଦେଖିବ ।
ମହାରାଣୀ ଯିବା ପରେ, ସେ ସଙ୍ଗେସଙ୍ଗେ ତାଙ୍କ ରେଶମୀଶାଢୀ ଓ ଅଳଙ୍କାର ସବୁ କାଢି ପିନ୍ଧିପକାଇଲା, ତା’ପରେ ସେ ଦର୍ପଣ ଆଗରେ ଠିଆ ହୋଇ ନିଜର ସୌନ୍ଦର୍ଯ୍ୟ ନିରୀକ୍ଷଣ କରିବାକୁ ଲାଗିଲା ।
ଠିକ୍ ସେତିକିବେଳେ ଜଣେ ଯୁବକ ସେହି ଘର ଭିତରକୁ ପଶି ଆସିଲେ । ବୀଣାର ଅସାମାନ୍ୟ ସୌନ୍ଦର୍ଯ୍ୟ ଦ୍ୱାରା ସେ ଖୁବ୍ ଆକର୍ଷିତ ହୋଇ ପଚାରିଲେ, “ହେ ସୁନ୍ଦରୀ, କିଏ ତୁମେ?” ସାଧାରଣ ବସ୍ତ୍ର ପରିହିତ ସେହି ଯୁବକକୁ ଆଶ୍ଚର୍ଯ୍ୟ କରିବା ଭଳି କଥା କହିବାକୁଯାଇ ବୀଣା କହିଲା, “ମୁଁ ବିଳାସପୁରର ରାଜକୁମାରୀ, ଏହି ଦେଶର ମହାରାଣୀଙ୍କ ନିମନ୍ତ୍ରଣ ଯୋଗୁଁ ଏଠାରେ ହେଉଥିବା ଉତ୍ସବରେ ମୁଁ ଭାଗ ନେବାକୁ ଆସିଛି ।” ଏଭଳି କଥା ଶୁଣି ସେ ଯୁବକଟି କହିଲା, “ମୁଁ ହେଉଛି ଏହି ଦେଶର ଯୁବରାଜ ବିଜୟଦୀପ । ମୁଁ ଗୁରୁକୁଳରୁ ବିଦ୍ୟାଭ୍ୟାସ ଶେଷ କରି ଏବେ ନିଜ ଘରକୁ ଫେରିଛି । ତୁମର ସୌନ୍ଦର୍ଯ୍ୟ ମୋତେ ଖୁବ୍ ଆଶ୍ଚର୍ଯ୍ୟ କରି ଦେଇଛି । ତୁମର ଯଦି କୌଣସି ଆପତ୍ତି ନଥାଏ, ତେବେ ବଡମାନଙ୍କର ଅନୁମତି ନେଇ ଆମେ ବିବାହ କରିବା ।”
ଏପରି କଥା ଶୁଣି ବୀଣା ହଠାତ୍ ଚମ୍କି ଉଠିଲା । ଯୁବରାଜଙ୍କ ସହ ପୁଣି ପରିହାସ? ତା’ପରେ ସେ ସଙ୍ଗେସଙ୍ଗେ ଯାଇ ବିଜୟଦୀପଙ୍କ ପାଦ ତଳେ ପଡି କ୍ଷମା ମାଗି କହିଲା, “ମୋତେ କ୍ଷମା କରନ୍ତୁ ଯୁବରାଜ, ମୁଁ ମହାରାଣୀଙ୍କର ଜଣେ ସାମାନ୍ୟ ପରିଚାରିକା ମାତ୍ର, ମହାରାଣୀଙ୍କ ଅଳଙ୍କାର ପିନ୍ଧିବାର ଚିତଚପଳତା ଯୋଗୁଁ ମୁଁ ଏପରି ଭୁଲ୍ କଲି, ପୁଣି ଆପଣଙ୍କୁ ଜଣେ ସାମାନ୍ୟ ବ୍ୟକ୍ତି ବୋଲି ଭାବି ମୁଁ ଏପରି କହିଛି । କୃପା କରି ଆପଣ ମୋତେ କ୍ଷମା କରି ଦିଅନ୍ତୁ ।”
ପ୍ରକୃତ କଥା ଜାଣିବା ପରେ ରାଜକୁମାର ଅଳ୍ପ ହସି କହିଲେ, “ଭୟ କରନାହିଁ । ମାଟି ଭିତରେ ପୋତି ହୋଇ ରହିଥିବା ହୀରାକୁ ମୁଁ ଠିକ୍ ଚିହ୍ନିପାରେ, ତମେ ପରିଚାରିକା ହେଲେ ମଧ୍ୟ ମୁଁ ତୁମକୁହିଁ ବିବାହ କରିବାକୁ ଚାହେଁ ।”