ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବୀରକ ଜାତକ

ରାଜା ବ୍ରହ୍ମଦତ ବାରାଣସୀରେ ରାଜତ୍ୱ କରୁଥିବା ସମୟରେ ଥରେ ବୋଧିସତ୍ୱ ସେହି ବାରାଣସୀରେ ବୀରକ ନାମକ ଏକ ପାଣିକୁଆ ରୂପରେ ଜନ୍ମଗ୍ରହଣ କରିଥିଲେ । ସେ ଗୋଟିଏ ପୁଷ୍କରିଣୀ ତୀରରେ ବାସ କରୁଥିଲେ । ଏହି ସମୟରେ ରାଜ୍ୟରେ ଭୟାନକ ଦୁର୍ଭିକ୍ଷ ହେଲା । ଲୋକେ ଖାଦ୍ୟାଭାବରେ ବଡ କଷ୍ଟ ପାଇବାକୁ ଲାଗିଲେ । ନିଜେ ଖାଇବାକୁ ପାଉନଥିବାବେଳେ ଲୋକେ କାକବଳି, ଭୂତବଳି ପ୍ରଭୃତି ଦେବେ କିପରି? କାକମାନେ ଖାଇବାକୁ ନପାଇ ଲୋକାଳୟ ଛାଡି ବନକୁ ପଳାଇଗଲେ ।

         ବାରାଣସୀରେ ସବିଟ୍ଠକ ନାମରେ ଆଉ ଗୋଟିଏ କାକ ଥିଲା । ସେ ଖାଦ୍ୟାଭାବବଶତଃ ନଗର ତ୍ୟାଗ କରି ବୀରକଙ୍କ ନିକଟରେ ଅନ୍ୟ ଏକ ବୃକ୍ଷରେ ସସ୍ତ୍ରୀକ ବାସ କରିବାକୁ ଲାଗିଲା । ବୋଧିସତ୍ୱ ପୁଷ୍କରିଣୀ ଜଳରେ ବୁଡି ସେଥିରୁ ମାଛ ପ୍ରଭୃତି ଖାଦ୍ୟ ସଂଗ୍ରହ କରୁଥିଲେ । ଉଦର ପୂର୍ଣ୍ଣକଲା ପରେ ସେ ଜଳରୁ ବାହାରି ତୀରକୁ ଆସୁଥିଲେ । ତାଙ୍କୁ ଦେଖି ସବିଟ୍ଠକ ଚିନ୍ତା କଲା, “ବୀରକ ପୁଷ୍କରିଣୀରୁ ବହୁତ ମାଛ ଧରି ନିଜର ପକ୍ଷତଳେ ରଖୁଥିବ । ତାହାକୁ ସନ୍ତୁଷ୍ଟ କରିପାରିଲେ ମୁଁ ମଧ୍ୟ ଯଥେଷ୍ଟ ମାଛ ଖାଇବାକୁ ପାଇପାରିବି ।”

         ଏହିପରି ବିଚାରି ଦିନେ ସେ ବୋଧିସତ୍ୱଙ୍କୁ କହିଲା, “ମୁଁ ଆପଣଙ୍କର ଭୃତ୍ୟ ହୋଇ ରହିବି ।”

         ବୋଧିସତ୍ୱ ଏଥିରେ ସ୍ୱୀକୃତ ହେଲେ । ସେହିଦିନଠାରୁ ସବିଟ୍ଠକ ବୋଧିସତ୍ୱଙ୍କର ସେବା କରିବାକୁ ଲାଗିଲା । ବୋଧିସତ୍ୱ ପୁଷ୍କରିଣୀ ଜଳରେ ପ୍ରବେଶ କରି ନିଜେ ମାଛ ଭକ୍ଷଣ କରୁଥିଲେ; ତତ୍ପରେ ସେ ଯାହା ଧରୁଥିଲେ ତାହା ସବିଟ୍ଠକକୁ ଦେଉଥିଲେ । ସେଥିରେ ସେ ନିଜର ଉଦରପୂରଣ କରୁଥିଲା ଓ ଅବଶିଷ୍ଟ ନେଇ ତା’ର ସ୍ତ୍ରୀକୁ ଦେଉଥିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ