ଏହିପରି କିଛିଦିନ ଗଲା । ଏଥିମଧ୍ୟରେ ସବିଟ୍ଠକ ଭାବିଲା, ‘ମୁଁ ଏ ପାଣିକୁଆଠାରୁ କେଉଁ ଗୁଣରେ ହୀନ ଯେ ମୁଁ ତା’ର ଚାକର ହୋଇ, ତା’ର ଅଇଁଠା ଖାଇ ରହିଥିବି? ସେ ବର୍ଣ୍ଣରେ ଯେପରି କଳା, ମୁଁ ମଧ୍ୟ ସେହିପରି । ତା’ର ଆଖି, ଚଂଚୁ ଓ ପାଦ ଯେଉଁପରି, ମୋର ଆଖି, ଚଂଚୁ ଓ ପାଦ ଠିକ୍ ସେହିପରି; କିଛି ହେଲେ ପ୍ରଭେଦ ନାହିଁ । କେଉଁ ଗୁଣରେ ସେ ମୋଠାରୁ ବଡ ଯେ ମୁଁ ତା ଉପରେ ନିର୍ଭର କରି ରହିବି? ନା, ଏଣିକି ମୁଁ ନିଜେ ମାଛଧରି ଖାଇବି ଓ ମୋ ସ୍ତ୍ରୀକୁ ଦେବି ।’
ଏହିପରି ବିଚାର କରି ଦିନେ ସେ ବୀରକଙ୍କୁ କହିଲା, “ଭବିଷ୍ୟତରେ ମୁଁ ତୁମ ଉପରେ ନିର୍ଭର ନକରି ନିଜେ ପୁଷ୍କରିଣୀରୁ ମାଛ ଖାଇବି ।”
ତାହା ଶୁଣି ବୀରକ କହିଲେ, “ତୁମେ ଭୁଲ୍ ବୁଝିଛ, ଭାଇ! ତୁମେ ପାଣିକୁଆଠାରୁ ଭିନ୍ନ; ପାଣିରେ ବୁଡି ମାଛ ଧରିବା ଜାତିରେ ତୁମର ଜନ୍ମ ନୁହେଁ । ପାଣିକୁଆପରି ହେବାକୁ ଯାଇ ପାଣିରେ ବୁଡିଲେ ବୃଥା ଜୀବନଟି ହରାଇବା ସାର ହେବ । ସେଭଳି ଅପଚେଷ୍ଟା କରନାହିଁ” ।
ଯେତେ କହିଲେ ସୁଦ୍ଧା ସବିଟ୍ଠକ ବୀରକଙ୍କର କଥା ଶୁଣିଲାନାହିଁ । ମାଛ ଧରିବା ପାଇଁ ସେ ପାଣିରେ ପଶିଲା ମାତ୍ରକେ ତଳକୁ ତଳକୁ ଗଲା ଓ ଦଳ ଶିଉଳିରେ ଛନ୍ଦି ହୋଇ ପଡିଲା । ସେ ଆଉ ପାଣି ଉପରକୁ ଉଠିପାରିଲାନାହିଁ । ଆସ୍ତେ ଆସ୍ତେ ସେ ପାଣି ତଳକୁ ଯାଇ ବୁଡିମଲା ।
ସନ୍ଧ୍ୟା ହୋଇଆସିଲା । ସ୍ୱାମୀ ବସାକୁ ନଫେରିବାରୁ କାକର ସ୍ତ୍ରୀ ବୀରକଙ୍କ ନିକଟକୁ ଯାଇ ପଚାରିଲା, “ଆଜି ଏତେବେଳଯାଏଁ ମୋ ସ୍ୱାମୀ କାହିଁକି ବସାକୁ ଫେରିଲେ ନାହିଁ । ସେ ଏଠାରେ ନାହାଁନ୍ତି । ତେବେ କୁଆଡେ ଗଲେ?”
ବୋଧିସତ୍ୱ ଉତ୍ତର କଲେ, “ସେ କୁଆଡେ ଗଲେ ତାହା ମୁଁ ଜାଣେ । ବିଧାତା ତାଙ୍କୁ ପାଣିକୁଆ କରି ଜନ୍ମ ଦେଇନଥିଲା; କିନ୍ତୁ ସେ ପାଣିକୁଆପରି ପାଣିରେ ବୁଡି ମାଛ ଧରିବାକୁ ମନ କଲେ । ମୁଁ ଯେତେ କହିଲେ ସୁଦ୍ଧା ମୋର ମନା ମାନିଲେନାହିଁ । ଯେ ଯାହା କରିବାକୁ ଜନ୍ମ ହୋଇନାହିଁ, ସେ ତାହା କରିବାକୁ ଗଲେ ଫଳ ବିଷମୟ ହୋଇଥାଏ । ତୁମ ପତି ମାଛଧରି ଆଣିବା ଦୂରେ ଥାଉ, ନିଜକୁ ମଧ୍ୟ ରକ୍ଷା କରିପାରିଲେ ନାହିଁ । ପାଣି ଭିତରେ ଦଳରେ ଛନ୍ଦି ହୋଇ ସେ ବୁଡିମରିଛନ୍ତି ।”
କାକୀ ଏହା ଶୁଣି ଦୁଃଖରେ କାନ୍ଦି କାନ୍ଦି ନିଜ ବାସସ୍ଥାନକୁ ଫେରିଗଲା ।